Unknown

 

 

 

 

 

 

 

 

 

 

 

ସୁନ୍ଦରର ଆବାହନ

ଅଧ୍ୟାପକ ରାଜକିଶୋର ରାୟ

 

ସୂଚୀପତ୍ର

 

୧.

ସୁନ୍ଦରର ଆବାହନ

୨.

କୁଳାଙ୍ଗାରଙ୍କ କାରାଗାର

୩.

ଫାସିଷ୍ଟ ବଗିଚା ଓ ଫାଜିଲ୍ ଫୁଲ

୪.

ରକ୍ତ କରବୀ

୫.

ନେତ୍ରୀର ନେତ୍ର

୬.

ଭାରତବର୍ଷ

୭.

କଳ୍‍କୀ ଅବତାର

୮.

ଜୋତା ବାହାରେ ରଖନ୍ତୁ

୯.

ଦୁଇଟି ବଳବନ୍ତ ସିଂହ

୧୦.

ପବିତ୍ରଲିପି

୧୧.

ଆନନ୍ଦବଜାର

୧୨.

କାହାକୁ ଡାକିବା

୧୩.

ସୋରେଇଏ ପାଣି

୧୪.

ଅରବିନ୍ଦଙ୍କ ପଦାରବିନ୍ଦ

୧୫.

ଲାବଣ୍ୟର ଲବଣ

୧୬.

ଶ୍ୱାନ ସଂସ୍କାର

୧୭.

ଭକ୍ତନାମବଳୀ ଖାତା

୧୮.

ମାର୍ଗ-ବନ୍ଧନୀ

୧୯.

ମୁଖାପିନ୍ଧା ମଣିଷ

୨୦.

ପତ୍ରାବଳୀ ଓ ମୋ ମନର ପ୍ରସ୍ତୁତି

୨୧.

ହୃଦୟ

୨୨.

ମଣି ଓ ମନ୍ୱନ୍ତର

୨୩.

ଜାଗତ କୁଣ୍ଡଳିନୀ

Image

 

ସୁନ୍ଦରର ଆବାହନ

 

ଭାରତବର୍ଷ ଗୋଟିଏ ବଡ଼ ସହର । ନାଁ ଜାଣିବାର ଦରକାର ନାହିଁ । ସେ ସହରରେ ବହୁ ବିତ୍ତଶାଳୀ ବଡ଼ଲୋକ ବାସ କରନ୍ତି । ସେମାନଙ୍କର ଅପର୍ଯ୍ୟାପ୍ତ ସମ୍ପତ୍ତି । ଭୋଗବିଳାସରେ ତାଙ୍କର ଜୀବନ ଭରପୂର ।

 

ଆଜ୍ଞାରାମ ଏହି ଶ୍ରେଣୀର ଜଣେ କୋଟିପତି ଭଦ୍ରଲୋକ । କୋଟିପତି କହିଲେ ଆମ ଆଖି ପାଉନାହିଁ, ସେ କିଭଳି ଲୋକ ହୋଇଥିବ ! ତାଙ୍କର ସବୁ ରାଜ୍ୟରେ ଅଫିସ ଅଛି । ଅଫିସ୍‌ର ମ୍ୟାନେଜର ମାସକୁ ପାଞ୍ଚହଜାର ଟଙ୍କା ଦରମା ନିଅନ୍ତି । ତାଙ୍କର କୌଣସି ପିଅନ ମାସକୁ ପାଞ୍ଚଶହରୁ କମ୍ ନିଅନ୍ତି ନାହିଁ ।

 

ଓଡ଼ିଶା, ବଙ୍ଗଳା, ମଧ୍ୟପ୍ରଦେଶ ଆଉ ଅନ୍ୟାନ୍ୟ ରାଜ୍ୟରେ ଯେଉଁଠି ବଣ ପାହାଡ଼ ପର୍ବତ ରହିଛି, ସେ ସବୁକୁ ସେ ତାଙ୍କର ସମ୍ପତ୍ତି କରିନେଇଛନ୍ତି । ଧାତୁ ଦ୍ରବ୍ୟର ଖଣିର ସେ ମାଲିକ । ଟ୍ରକ୍ ସଂଖ୍ୟା ଶହ ଶହ, ମଟରଗାଡ଼ି ସେହି ସଂଖ୍ୟାର ହେବ । କର୍ମଚାରୀ ହଜାର ହଜାର ।

 

ଆଧୁନିକ ବିଜ୍ଞାନ ଯେତେ ପ୍ରକାର ସୁଖସ୍ୱାଚ୍ଛନ୍ଦ୍ୟ ଦେଇପାରେ, ସେ ସବୁ ଆଜ୍ଞାରାମଙ୍କ ପାଖରେ ରହିଛି । ଯନ୍ତ୍ରକୁ ସେ ଦାସ କରିଛନ୍ତି । ସେ ଓ ତାଙ୍କ ପରିବାର ଭୂଇଁ ଉପରେ ଚାଲନ୍ତି ନାହିଁ-। କେତେବେଳେ ଚାଲିବେ-ସୁବିଧା ସୁଯୋଗ କାହିଁ ?

 

ପାଇଖାନା ଘରେ ଚଟାଣ ଉପରେ ଦାମିକା କାର୍ପେଟ । ଶୋଇବା ଘରଠାରୁ ଆରମ୍ଭ କରି ଲିଫ୍‍ଟ ଦେଇ ଅବତରଣ କରିବାପାଇଁ ଯେଉଁ ଯେଉଁ ରାସ୍ତା ଅଛି ଓ ଯେଉଁ ଯେଉଁ ଘର ଦେଇ ଯିବାକୁ ହେବ, ସବୁଆଡେ଼ ବିଛାଯାଇଛି କାର୍ପେଟ । ଦୈବାତ୍ ମାଟି ସହିତ ଗୋଡ଼ର ସଂଯୋଗ ହୋଇଯିବ, ଏ ସୁଯୋଗ ନାହିଁ ।

 

ପ୍ରାସାଦ ଛାଡ଼ିଲେ ଗୋଡ଼ ଉଠିଯାଏ କାର୍ ଭିତରକୁ । ସେଠି ବି କାର୍ପେଟ ଓ ଗଦି । ଯାହା ଘରକୁ ଆଜ୍ଞାରାମ ଓ ତାଙ୍କ ପରିବାର ଭ୍ରମଣ ତଥା ସମାଜିକତା ରକ୍ଷାକରିବାକୁ ଯାଆନ୍ତି, ସେମାନେ ଆଗରୁ ଟେଲିଫୋନରେ ପଚାରି ବୁଝନ୍ତି ଗୋଡ଼ ତଳେ ମାଟି ଅଛିକି-ସେ ମାଟି ଉପରେ ଆବୃତ ରହିଛି ନା ନାହିଁ ଗଦି ବା କାର୍ପେଟ୍ ।

 

ଅଧିକାଂଶ ସମୟ ସେମାନେ ବ୍ୟବସାୟ ଧନ୍ଦାନେଇ ଆକାଶଚାରୀ ହୋଇ ଥାଆନ୍ତି । ତେଣୁ ଆକାଶରେ ଉଡ଼ିବୁଲିଲାବେଳେ ମାଟି ବା କେଉଁଠୁ ଆସିବ ?

 

ଶରୀର ସେମାନଙ୍କର ମାଟି, ପାଣି ଓ ପ୍ରକୃତିର ସୁଷମାରୁ ଆବାଲ୍ୟରୁ ଦୂରରେ ରହିଲା-। ଶୀତଳ ପାଣିରେ ଜୀବାଣୁ ଥିବବୋଲି ସେମାନେ ପିଲାବେଳୁ ଗରମ ଜଳ ପିଅନ୍ତି ଓ ସ୍ନାନ କରନ୍ତି-। ତେଣୁ ହଠାତ୍ ଥଣ୍ଡାପାଣି ବାଜିଗଲେ ଶରୀରରେ କିଭଳି ରୋମାଞ୍ଚ ଆସେ, ସେମାନେ ଜାଣି ନାହାଁନ୍ତି । ଗରମପାଣି ନ ମିଳିଲେ, ସେମାନେ ତୃଷାର୍ତ୍ତ ହୋଇ ପଛକେ ଦିନ ଦିନ ରହିଯିବେ, ଥଣ୍ଡା ପାଣି ପିଇବେ ନାହିଁ । ବଡ଼ଲୋକ ଯେତେବେଳେ, ଗରମ ପାଣି ବା ମିଳିବ ନାହିଁ କାହିଁକି ?

 

ଭାରତବର୍ଷ ସାରା ତାଙ୍କର ହୋଟେଲମାଳା ରହିଛି । ପ୍ରତି ଜାତିର, ପ୍ରତି ଦେଶର ଖାଦ୍ୟ ସେଠାରେ ଚାହିଦା ମୁତାବକ ପରଷାଯାଏ । ଆଜ୍ଞାରାମ ଥରେ ଥରେ ସାଙ୍ଗସାଥୀଙ୍କୁ ନେଇ ଉଡ଼ିଯାଆନ୍ତି କେବଳ କାଶ୍ମୀରୀ ଖାଦ୍ୟ ଖାଇବାକୁ କାଶ୍ମୀରକୁ । କେବେ ବା ପ୍ରାଚ୍ୟ ଦ୍ଵୀପପୁଞ୍ଜରେ କେଉଁଠି ସୁସ୍ୱାଦୁ ଖାଦ୍ୟ କଅଣ ତିଆରି ହେଉଥିବ ଭାବି ଉଡ଼ାଯାହାଜରେ ବୁଲିଆସନ୍ତି । ହାତରେ ଛୁଇଁଲା ଭଳି ଏ ଦ୍ଵୀପଗୁଡ଼ିକ ତାଙ୍କୁ ଜଣାପଡ଼େ ।

ବ୍ୟୋମଯାନରେ ସେମାନଙ୍କର ଯିବାଆସିବା ଆମ ପକ୍ଷରେ ରିକ୍‌ସା ଭ୍ରମଣ ସହିତ ସମାନ । ଅନାୟାସେ ଆମେ ରିକ୍‍ସାକୁ ଡାକିବା ଭଳି, ଅନାୟାସେ ସେମାନେ ଉଡ଼ାଜାହାଜରେ ବସିଯାଆନ୍ତି, ଉଡ଼ିଯାଆନ୍ତି ।

ଆଜ୍ଞାରାମଙ୍କ ଶରୀର ଯଦି କୌଣସି ଆକସିଡ଼େଣ୍ଟ୍‌ରେ କ୍ଷତବିକ୍ଷତ ହୋଇଯାଏ, ହାତୀ ଜୀଇବା ବା ମରିବା ବିଚାର ଭଳି ତାଙ୍କ କଳେବରରୁ ଅତି କମରେ ଲକ୍ଷେ ଟଙ୍କାର ଜିନିଷ ବାହାରିବ । ମଥାଠାରୁ ତଳିପାଯାଏ ଭର୍ତ୍ତି ରହିଛି ଦାମିକା ପୋଷାକ ଆଭରଣ ଓ ସୁନା ତଥା ହୀରାର ଟାଇପିନ୍ ଠାରୁ ଆରମ୍ଭ କରି ଗୋଡ଼ର ଜୋତା ଯାଏ । ମାଇପିମାନଙ୍କର ଚଟି ଓ ସ୍ୟାଣ୍ଡେଲର ଚାରିପଟେ ଖୁବ୍ କମ୍ ଚମଡା଼ ଦେଖିବାକୁ ମିଳେ, ସୁନାର ଜରି ଥାଏ ବେଶି ।

ବାସ୍, ଏଇ ଯେଉଁ ଚିତ୍ର ଦିଆଗଲା, ତାହା ଯେତିକି ମାନମହତ ଓ ଧନର ଆଟୋପ ବିବୃତ କଲା, ତଦପେକ୍ଷା ହଜାର ଗୁଣ ହେବ ଆଜ୍ଞାରାମଙ୍କ ବିଳାସର ଚିତ୍ର ରହିଛି । ସାର୍ଥକ ସେମାନଙ୍କର ଜନ୍ମ ଏ ଧରା ଉପରେ । କି ସୁକୃତ, ସୌଭାଗ୍ୟ ସେମାନେ ଅର୍ଜିଥିଲେ, ଈଶ୍ୱରଙ୍କର କିଭଳି ପ୍ରିୟ ସନ୍ତାନ ହୋଇଥିଲେ ଯେ ଯେଉଁ ଦେଶରେ ଲକ୍ଷ ଲକ୍ଷ ଲୋକ ତୁଣ୍ଡରେ ଆହାର ଦିଅନ୍ତି ଦିନରେ ଥରେମାତ୍ର, ପିନ୍ଧନ୍ତି ଆଣ୍ଠୁ ଲୁଚା ଲୁଗାଖଣ୍ଡେ, ରହନ୍ତି ଟୋପର ତଳେ, ସେଠାରେ ଆଜ୍ଞାରାମଙ୍କର ଆରାମର ଅନ୍ତ ନାହିଁ । ବିଚିତ୍ର ଏ ବେଭାର !

କିନ୍ତୁ….

ଆଜ୍ଞାରାମଙ୍କର ପ୍ରିୟତମା ପତ୍ନୀ ଶୁକଦେବୀଙ୍କର ଦଶଥର ପେଟ ଚିରାଗଲାଣି, ଅଚିହ୍ନା ବେମାରୀକୁ କେହି ଡାକ୍ତର ଜାଣିପାରୁନାହାନ୍ତି । ତେଣୁ ଯେତେ କାଟୁଛନ୍ତି, ସେତେ ଗହୀରା ହୋଇଯାଉଛି ସେ ବ୍ୟାଧି ଓ କ୍ଷତ ।

ନିଉୟର୍କ, ଲଣ୍ଡନ, ବର୍ଲିନ୍ ପ୍ରଭୃତି ବଡ଼ ବଡ଼ ସହରରୁ ଚିକିତ୍ସକ ଆସିଛନ୍ତି, ଫେରିଛନ୍ତି; ଗଲାବେଳେ କହିଯାଇଛନ୍ତି ଭାରତୀୟ ଚିକିତ୍ସକଙ୍କୁ… କେବଳ କାଟ…

ପୁଅ ବୀରବିକ୍ରମର ଗୋଟାଏ ଆଖି, ସେଇପଟର କର୍ଣ୍ଣ, ସେଇ ପାଖର ହାତ ଓ ଗୋଡ଼ ଅଚଳ । ଆର ପଟଟା ଚଳେ ଅବଶ୍ୟ, କିନ୍ତୁ ଏ କି ଜୀବନ ! ଆଜ୍ଞାରାମ ପୁଅର ଅଚଳ ଅଙ୍ଗକୁ ଚଲେଇବା ପାଇଁ ଲକ୍ଷ ଲକ୍ଷ ଟଙ୍କା ବରବାଦ କଲେ; କିନ୍ତୁ କିଛି ହେଲାନାହିଁ ।

ନିଜେ ସେ ଅସୁସ୍ଥ । କିଛି ଖାଇଲେ ଆଦୌ ହଜମ ହୁଏନି । ମନେହୁଏ ଉଦର ତାଙ୍କର ଶିଳାରେ ତିଆରି ସଂକୁଚନ ଓ ପ୍ରସାରଣ ବିଧି ଏଠାରେ ଚଳେନାହିଁ । ଅବଶ୍ୟ ଯୌବନରେ ମହଣ ମହଣ ସେ ଖାଇଛନ୍ତି । ସ୍ନାୟୁଗୁଡ଼ାକୁ ଇଚ୍ଛାମତେ ଛିଣ୍ଡି ଯିବା ସ୍ଥିତିକୁ ନେଇଆସିଛନ୍ତି । ଏ ସୁନା ହୀରା ମୁଠା ମୁଠା କଲେ ବି ଗୋଟିଏ ଚପାତି ବି ହଜମ ହେଉନି । ଖଣି ଭିତରର ମଙ୍ଗାନିଜ୍ ଉପରକୁ ଉଠିଆସୁଛି, କୋଇଲା ଉଠିଆସୁଛି, କିନ୍ତୁ ଆଜ୍ଞାରାମଙ୍କ ଉଦର ଭିତରୁ ଯାହା ଉଠିଆସେ, କେବଳ ପିତ୍ତବାନ୍ତି–ଜଳର ଉଦଗାର ।

ମରଣ ନିଶ୍ଚିତ ସେ ଜାଣିଲେ । ଝିଅ ପଦ୍ମିନୀର ପତ୍ତା ନାହିଁ–କିଶୋରୀ ବୟସରୁ ସେ ଅପହୃତା । ବିଶ୍ୱଟାଯାକ ଆଜ୍ଞାରାମ ତାକୁ ଖୋଜି ଆସିଲେ । କନ୍ୟାର ସମ୍ବାଦ ମିଳିଲା ନାହିଁ ।

ପ୍ରତି ସନ୍ଧ୍ୟାରେ ବିଭିନ୍ନ ଷ୍ଟେଟରୁ ମ୍ୟାନେଜରମାନେ ଆଜ୍ଞାରାମଙ୍କ ପାଖକୁ ଟେଲିଫୋନ୍, ଟେଲେକସ ଓ ବେତାର ଯନ୍ତ୍ରରେ ଜଣାଇଦିଅନ୍ତି, ଏଠାରେ ଲାଭ ଏକା ଦିନକେ ଅଢ଼େଇଲକ୍ଷ, ସେଠାରେ ସାର୍ଦ୍ଧ ପାଞ୍ଚଲକ୍ଷ । ହିମାଳୟର ଶୃଙ୍ଗକୁ ବି ଛୁଇଁଯିବ ଏ ସଂଖ୍ୟା । ଏଭେରେଷ୍ଟକୁ ବି ବଳିଯିବ ଏ ଧନ ପରିମାଣ !

 

କିନ୍ତୁ…..

 

ରାତ୍ରୀ ପାହିଆସୁଥିଲା-ଯିମିତି ସବୁ ଯାମିନୀ ପ୍ରଭାତି ଆସେ । କୋଟିପତି ଆଜ୍ଞାରାମ ଆଜି ପାଦରେ ଯୋତା ପିନ୍ଧିନାହାନ୍ତି-ଦେହରେ ତାଙ୍କର ଆବରଣ ନାହିଁ ।

 

ଆଜ୍ଞାରାମଙ୍କୁ ଅନ୍ତର ଭିତରକୁ ପ୍ରବେଶ ପାଇଁ ଅନ୍ତଃପୁରୁଷ ଆଜ୍ଞାଦେଲା । କହିଲା–ଦେଖରେ ମୂର୍ଖ, ଏ ଯାଏ କେଉଁ ଜଗତରେ ଥିଲୁ ? କଅଣ ସେଠାରେ ପାଇଥିଲୁ ? ଆତ୍ମହତ୍ୟା, କରିବାକୁ ଆସିଛୁ ? ବଞ୍ଚି ନଜାଣିଲୁ ବୋଲି ବଞ୍ଚିତ ହୋଇଛୁ । କିଏ ରକ୍ଷା କରିବ ?

 

ତଳେ କାହାର ଏ କେକାଧ୍ୱନି… ଜଣେ ପୁରୁଷ, ଜଣେ ସ୍ତ୍ରୀ… ଗୋଡ଼ାଗୋଡ଼ି ହେଉଛନ୍ତି… ଛନ୍ଦି ହୋଇଯାଉଛନ୍ତି ପାଦେ ପାଦେ । ପିଇଯାଉଛନ୍ତି ଏ ପାର୍ବତ୍ୟ ସମୀରଣକୁ । ଛାତିକୁ ଉଷୁମାଉଁଛନ୍ତି ଦିଗ୍‌ବଳୟ ଛାଡ଼ି ଉଠିଆସୁଥିବା ସବିତାର ରଶ୍ମିକୁ ଦେଖାଇ…ଫୁଲର ଗନ୍ଧରେ ମହାମତୁଆଲା । ସର୍ବତ୍ର ଆନନ୍ଦ…ଆନନ୍ଦ…ଆନନ୍ଦ… ସବୁଆଡ଼େ ସୁନ୍ଦରର ଆବାହନ…

 

“-ଆରେ ହାଁରେ, ଏ ଲୋକଟା କଅଣ କରୁଚି କିରେ ପାହାଡ଼ଟା ଉପରେ ? ଖସିପଡ଼ିବରେ… ମରିଯିବାରେ” ବନଜୀବିନୀ ନାରୀର ଚମକ ବାଣୀ ।

 

ପୁରୁଷ କହିଲା–ଏ, ତୁ ସତରେ କହୁଚୁ, ମରିବାକୁ ଆସିଚିରେ ସହରୀ ଲୋକଟା…ଆମଆଡ଼ ଲୋକତ ଏ ନଏଁ…

ଡାକପକାଇଲେ ସେମାନେ ! ଆଦିମ କାଳର ଡାକ ସେ-ନିରାଭରଣ, ଅକୃତ୍ରିମ । ଖଣ୍ଡେ ଜଂଘିଆ କଟୀ ଉପରେ । ପାହାଡ଼ର ଶୃଙ୍ଗ ଉପରେ ଛିଡ଼ାହୋଇ ଆଜ୍ଞାରାମ ହାତ ମୁଠା ମୁଠା କରୁଛନ୍ତି-କାହାକୁ ଖୋଜୁଛନ୍ତି-କିଏ ସେ ଅଦେଖା ଅଜଣା ରୂପକାର-ଯାହାକୁ ନ ଦେଖିପାରିଲେ ବି ସେ ଦେଖାଦିଏ, ଯାହାକୁ ନଜାଣିପାରିଲେ ବି ସେ ନିଜ ଅସ୍ତିତ୍ଵ ସମ୍ବନ୍ଧରେ ଜଣେଇଦିଏ ।

 

ଆଜ୍ଞାରାମ ହାତ ମୁଠା ମୁଠା କରିବା ବନ୍ଦକଲେ । ତଣ୍ଟି ତାଙ୍କର ଶୁଖି ଆସିଲା । ଗୋଡ଼ ଥରିଲା । ଶେଷ ମୁହୂର୍ତ୍ତ ଆସନ୍ନ । ସେ ଚାହିଁ ଦେଖିଲେ ତଳକୁ-କିଛି ରହିବ ନାହିଁ-ମାଂସ ପିଣ୍ଡୁଳାଟାଏ ହୋଇଯିବ । ହଜାର ହଜାର ଫୁଟ ତଳର ଧରିତ୍ରୀ । ତା କୋଳରେ ଶୋଇଯିବା ପୂର୍ବରୁ ଆଜ୍ଞାରାମଙ୍କ ଦେହ ଦେହ ହୋଇ ନଥିବ-ଯେଉଁ ଦେହର ଚର୍ବି ତିଆରି ହୋଇଛି ପୃଥିବୀର ବହୁ ଭୋଜନାଳୟର ସୁସ୍ୱାଦୁ ସାମଗ୍ରୀରେ ।

 

ପ୍ରଭାତର ମୃଦୁମନ୍ଦ ସମୀରଣ ତାଙ୍କ ଦେହ ଛୁଇଁଲା । ସେ ଜୀବନରେ ଏହାର ସ୍ପର୍ଶ ଜାଣି ନ ଥିଲେ କେବେ । ସେ ଚକିତ ହେଲେ ।

 

ୟେ କଅଣ ? ଏକ ସୁନ୍ଦର ସୂର୍ଯ୍ୟୋଦୟ !! ବଣ ପକ୍ଷୀ ଉଡ଼ିଯାଉଛି । କିଚିରିମିଚିରି ତାର ସ୍ଵନ । ତପନ ଧୀରେ ଉଠିଆସୁଛି । ପୂର୍ବଦିଗ ବିଚିତ୍ର ରଙ୍ଗ ଶୋଭାରେ ଆନନ୍ଦ ବିକିରଣ କରୁଛି । ବୃକ୍ଷଲତା ହସୁଛନ୍ତି । ସୃଷ୍ଟିର ଆନନ୍ଦ ଝଲକ । ଆକାଶ ଶାନ୍ତ ଓ ଅରୁଣିମାସିକ୍ତ ।

 

ୟେ ପୁଣି କଅଣ ? ମାଆ ପକ୍ଷିଣୀ ଛୁଆକୁ ଚଞ୍ଚୁରେ ଚଞ୍ଚୁ ରଖି ଖୁଆଇ ଦେଉଛି । ଅଜସ୍ର ଝିଙ୍କାରି ଐକ୍ୟତାନ ତୋଳୁଛନ୍ତି । ଦୁର୍ବା ଉପରେ ନାଚୁଛନ୍ତି ପୁଣି ଉଡ଼ିଯାଉଛନ୍ତି ।

 

ଅନ୍ତରର ଡାକ, ବାହାରର ଡାକ, ସବୁ ମିଶି ଆଜ୍ଞାରାମକୁ ଚେତନା ଦେଲା...ଚମକ ଦେଲା ।

 

ପୃଥିବୀ ଏତେ ସୁନ୍ଦର ତେବେ ? ମୁକ୍ତ ଆକାଶ, ବିମୁକ୍ତ ନରନାରୀ, ନାହିଁ କପଟାଚାର, ନାହିଁ ଧନଲୋଭ, ନାହିଁ ହିଂସା ଓ ହତ୍ୟା, ନାହିଁ ଚୋରାଧନ କାରବାରରେ ବିପୁଳ ଧନ ସଞ୍ଚୟ, ନାହିଁ ମାନବ-ଆତ୍ମାର ଅବମାନନା । ଓଃ, ପ୍ରଭୁ…ପ୍ରଭୁ..ପ୍ରଭୁ !

 

ପ୍ରଥମ ଥର ପାଇଁ ଆଜ୍ଞାରାମଙ୍କ ଚେତନାରେ ଆବିର୍ଭୂତ ହେଲେ ବିଶ୍ଵପୁରୁଷ ଭଗବାନ । ସେ ଦୁଇ ହାତ ଯୋଡ଼ିଲେ, ଆଖି ବୁଜିଲେ, ଢଳିପଡ଼ିଲେ ଆଗକୁ ଟିକିଏ..ଦୁଇଟି ପାଦ ପଛକୁ ଫେରିଲା, ମୃତ୍ୟୁ ହେଲା ପରାସ୍ତ । ହେଲେ ଜାରଜ ସଭ୍ୟତାର ଅନ୍ତରାଳକୁ ଆଉ ନୁହେଁ…ସ୍ଵଚ୍ଛଳ ଆନନ୍ଦର କୈବଲ୍ୟର ଧାରା ଭିତରକୁ ତାଙ୍କର ଗତି, ମହାସ୍ରୋତର ଅଭିମୁଖରେ ସେ ଜୀବନ ନାବର ଉତ୍ତରଣ..ଆଜ୍ଞାରାମ ସେ ଶୈଳ ଶିଖରରୁ ଫେରିଆସିଲେ । ପଥିକ ଯାଏ ସେ ସ୍ଥାନକୁ…ମଥା ପୋତେ । ଆଜ୍ଞାରାମଙ୍କ ଆଶ୍ରମ । ଆଜ୍ଞା ପରିବର୍ତ୍ତେ ରାମାନନ୍ଦ ଆଶ୍ରମକୁ-ତ୍ୟାଗ ଓ ସେବାପୀଠକୁ ।

 

ଯେଉଁ ଶୈଳଶିଖର ଉପରେ ତାଙ୍କର ଏ ଅଭିନବ ଆତ୍ମାନୁଭବ ପ୍ରତିଷ୍ଠିତ ହେଲା, ଚେତନାର ରୂପାନ୍ତର ସଂଭବିଲା, ସେହି ପର୍ବତ ପଥ ପ୍ରାନ୍ତେ ସ୍ଥାପିତ ହୋଇଛି ରାମାନନ୍ଦ ବାଟିକା । ଆନନ୍ଦର ଆବାହନ । ପଛରେ ପଡ଼ିଲେ ସମସ୍ତେ । ସଂଭୋଗର ବିଷ ଘେନି । ସେମାନେ ବଞ୍ଚି ରହିଲେ ପୃଥିବୀପୃଷ୍ଠରେ ।

 

ମୃତ୍ୟୁ ସ୍ପର୍ଶର ଅବ୍ୟବହିତ ପୂର୍ବରୁ ଆଜ୍ଞାରାମ ଖୋଜି ପାଇଲେ ସୁନ୍ଦରର ଦେବତାକୁ । ଅସୁନ୍ଦର ନିର୍ବାପିତ ହେଲା ।

Image

 

କୂଳାଙ୍ଗାରଙ୍କ କାରାଗାର

 

ହାଃ...ହାଃ…ହାଃ...

 

ବର୍ଷେ ତ ପୂରିଗଲା । ଏ ସମୟତକ କଅଣ ଭାବୁଥିଲେ ? କଅଣ କାର୍ଯ୍ୟ କରୁଥିଲେ ? କଅଣ କଳ୍ପନା କରୁଥିଲେ ? କଅଣ ପରିକଳ୍ପନା କରୁଥିଲେ ? ସ୍ଥିର ଥିଲେ ନା ଅସ୍ଥିର ଥିଲେ ? ଆକାଶକୁ କେତେଥର ଚାହିଁଛନ୍ତି, ମାଟିରେ କେତେଥର ନଖରେ ଶିରା ପକାଇଛନ୍ତି ? ଭ୍ରୁ କେତେଥର କୁଞ୍ଚିତ ହୋଇଛି ? ପଶୁରାଜ ସିଂହକୁ ଏ ନିର୍ମମ ପିଞ୍ଜରା ବଡ଼ ଅକଳରେ ପକାଇଛି, ନା-? ହାତ ଗୋଡ଼ ତ ବାଜିଯାଉଥିବ ଲୁହା ଫଳକରେ ? ଉପର ଲୁହା ଛାତରେ ତ ମଥା ପିଟିହୋଇ ଯାଉଥିବ ? ସ୍ଵାଧୀନତା ନାହିଁ ନା ? ମୁକ୍ତି ନାହିଁ ନା ? ମୁଁ କିନ୍ତୁ ଠିକ୍ କହିରଖୁଛି, ଆପଣ ଏଠାକୁ ଆସିଲା ପରେ ବି ଯଥାରୀତି ସକାଳ ହେଉଛି ପୃଥିବୀରେ । ସୂର୍ଯ୍ୟ ଖୁବ୍ ତୋରାହୋଇ ଫାଟିପଡ଼ୁଛନ୍ତି ଦିଗ୍‌ବଳୟରେ । ଚଢେ଼ଇଗୁଡ଼ାକ କିଚିରିମିଚିରି ହେଉଛନ୍ତି । କିଛି ବଦଳିନି, ତେବେ ହିଁ ଗୋଟାଏ କଥା ବଦଳିଯାଇଛି । ଜାଣନ୍ତି ସେ କଥା କଅଣ ? କେହି ସ୍ଵାଧୀନ ନୁହନ୍ତି । ଡେଣାକଟା ପକ୍ଷୀ ଅବଶ୍ୟ ରାବୁଛି, ହେଲେ ତାହା ବିଳାପର ଧ୍ଵନି । ମୁକ୍ତି ନାହିଁ ବୋଲି ଛିଣ୍ଡା ଡେଣା ଉପରେ ରାଗିଯାଇ ଚଞ୍ଚୁ ବସାଇ ପୁଣି ସେ ତାକୁ ରକ୍ତାକ୍ତ କରୁଛି…ହାଃ..ହାଃ….ହାଃ

 

-ତମେ କିଏ ? କିଏ ତମେ ?

 

-ମୁଁ ରାଜଧାନୀର ପ୍ରେତ-ଅଶରୀରୀ । ଶରୀର ଥିଲେ କଅଣ ମୁଁ ଏଠିକି ଆସିପାରନ୍ତି ? ମୁଁ ନିର୍ବିଶେଷ, ମୁଁ ଆତ୍ମାମାତ୍ର, ପ୍ରେତାତ୍ମା ।

 

ଓଃ…ଓଃ…ଓଃ…ଓଃ…

 

ଗୋଟିଏ ସ୍ୱଳ୍ପପରିମିତି ସ୍ଥାନ ଥିବା କକ୍ଷ । ଗୋଟିଏ ଖଟ, ଗୋଟିଏ ଚୌକି, ଗୋଟିଏ ଛୋଟ ଟେବୁଲ, ଗୋଟିଏ ପାଣିପାତ୍ର । ସବୁ ଗୋଟିଏ ଗୋଟିଏ ମଣିଷର ବ୍ୟବହାର୍ଯ୍ୟ ପଦାର୍ଥ, ଜୀବନର ସଙ୍କୁଚିତ ସାମଗ୍ରୀ । ଏହାକୁ ନେଇ କେହି ଭୋଗ ଉପଭୋଗ କରିପାରେନା ।

 

ଦଶ ପାହୁଣ୍ଡ ଗଲେ କାନ୍ଥ । ପଛକୁ ଦଶ ପାହୁଣ୍ଡ ଗଲେ କାନ୍ଥ । ପୂର୍ବ ପଶ୍ଚିମ ଉତ୍ତର ଦକ୍ଷିଣରେ ଦଶ ଦଶ ପାହୁଣ୍ଡ ଯାଏ ଚଳନ୍ତି ବାଟ–ତା’ପରେ ନିବୁଜ କାନ୍ଥ । ଉପରେ କାନ୍ଥ କଣକୁ ମେଲା ଜାଗାରେ ଓଡ଼ିଶାର ଆକାଶ ଦେଖାଯାଉଛି । ପୃଥିବୀର ଆକାଶ ସେଇଆଡ଼େ ଲମ୍ବି ଆସିଲେ ବି ଏ ରୁଦ୍ଧ କକ୍ଷରୁ କଳନା କରିହେଉନାହିଁ ସେ କେତେବଡ଼ ବ୍ୟାପକ ହୋଇଥିବ ! କେତେ ବଡ଼ ତା’ର ନୀଳିମ-ପ୍ରସାର ।

 

ସବୁ କଳ୍ପନାର ସମାଧୀ ଘଟିଛି । ପ୍ରଣୟର ସମାଧି ଯିମିତି ତାଜମହଲ ସ୍ମୃତିକୁ ଶତଗୁଣ ବଢ଼ାଇ ଦିଏ, ଏ ସିମିତି ନୁହେଁ । ଏଠି କଳ୍ପନାର ଶେଷ ହୋଇଯାଇଛି । କେବଳ ବଂଚି ରହିବା, ଦଶ ପାହୁଣ୍ଡ ଜାଗାରେ ବିଶ୍ଵକୁ ପରିମାପ କରିବା–ତା’ବି ସମ୍ଭବ ହେଉନାହିଁ । ବର୍ଷେ ବିତିଗଲା । ଚାହୁଁ ଚାହୁଁ ବର୍ଷେ ବିତିଗଲା ।

 

ହାଃ….ହାଃ…ହାଃ…..

 

ପୁଣି ଫେରିଆସିଲି । କଅଣ ଆତ୍ମଜୀବନୀ ଲେଖୁଛନ୍ତି ? ଅବଶ୍ୟ ଲେଖିବାକୁ ମନା ନାହିଁ । କଲମ କାଗଜ ଥୁଆହୋଇଛି । ସୁନାପାତିଆ ଛାଉଣି ଏ କଲମ ନୁହେଁ ଯାହା ଆପଣ ଉପାୟନ ପାଇଥିଲେ ରାଷ୍ଟ୍ରଦୂତ ଥିବା ବେଳେ ଅନ୍ୟ ରାଷ୍ଟ୍ରର ସଚିବଙ୍କଠାରୁ । ଆପଣ ଯଦି ଆପଣଙ୍କର ଉପାୟନର ପ୍ରଦର୍ଶନୀ ଖୋଲନ୍ତେ ନା, ତେବେ ବେଶ୍ ଗୋଟାଏ ଏକ୍ସପୋ ସୃଷ୍ଟି ହୋଇଯାଆନ୍ତା । କିନ୍ତୁ ଆଉ ବେଳ ନାହିଁ । ହଁ, ଶୁଣନ୍ତୁ, ମୋର ଗୋଟାଏ ପରାମର୍ଶ ଗ୍ରହଣ କରିବେ-?

 

-କଅଣ

 

ଛାୟା ମୂର୍ତ୍ତିକୁ ଅନାଇରହିଲେ ବାସୁଦେବ । ଉଜ୍ଜ୍ଵଳ କାନ୍ତିର ଏ ପ୍ରେତ ପୁରୁଷ । ସାଥୀହୀନ କାରାକକ୍ଷରେ ଏ ମୂର୍ତ୍ତି ଆସିଛି ସାଥୀତ୍ୱ ପ୍ରଦାନ କରିବାପାଇଁ । ଚଳନଶୀଳ ପୃଥିବୀଭରା ମଣିଷ ଯେଉଁଠି ଚିତ୍କାର କରୁଛି, ସେ ବିଶ୍ଵ ଏ ବିଶ୍ଵ ନୁହେଁ । ଏ ରାଜଧାନୀର କାରାଗାର । ଏହାର କାରବାର ରାଜକୀୟ । ଏଠି ବାରମାସରେ ପନିପରିବା ଫଳେ, ଦୁଗ୍ଧବତୀ ଗୋଧନ ଦୁଗ୍ଧ ଦାନ କରନ୍ତି । ମଣିଷ ଠେଲାରେ ତୈଳ ସୃଷ୍ଟି ହୁଏ । କଚଟି ଘଷିଲେ ଗହମବୀଜ ଅଟାପ୍ରସବ କରେ । ରାତ୍ରିରେ ହରିନାମ ଶୁଭେ କଏଦୀଙ୍କ କଣ୍ଠରେ; ଜୀବନବ୍ୟାପି ଦଣ୍ଡିତ ଲୋକର ଅର୍ଦ୍ଧରାତ୍ରିରେ କାନ୍ଦଣା ବି ଶୁଣାଯାଏ ।

 

ବାସୁଦେବଙ୍କୁ ଶ୍ରୀ ଅରବିନ୍ଦ ଦର୍ଶନ କରିଥିଲେ ଆଲିପୁର ଜେଲଭିତରେ । ସେତେବେଳେ ବାସୁଦେବଙ୍କ କଣ୍ଠରେ ଝୁଲୁଥିଲା ବନମାଳା, ହାତରେ ଥିଲା ମୁରଲୀ । ଛାତିରେ ଲମ୍ବି ଆସିଥିଲା କୌସ୍ତୁଭ । ବିବେକାନନ୍ଦ ବି ଆସିଥିଲେ, କହିଗଲେ-ମୋର ଅପୂର୍ଣ୍ଣ କାର୍ଯ୍ୟକୁ ପୂର୍ଣ୍ଣକର ଅରବିନ୍ଦ ଘୋଷ । ଯେଉଁ ପନ୍ଥାର ଆଶ୍ରୟ ନେଇଛ ଏ ଯାଏ, ତାହା ଜାତିପ୍ରାଣତାର ପରିଚୟ ଦେଲେ ବି ଭଗବାନ ଅନ୍ତର୍ଯ୍ୟାମୀ ଇଚ୍ଛା କରନ୍ତି ତୁମେ ହେବ ମହାଯୋଗୀ, ବିଶ୍ଵଜନତାକୁ ସମର୍ପିବ ଦିବ୍ୟଜୀବନର ଶୋଭା । ସେଇଆଡ଼େ ନିଜକୁ ପରିଚାଳିତ କର, ପ୍ରସ୍ତୁତ କର ।

 

ଆଜି ଏ ବାସୁଦେବ ସ୍ଥିର, ନିଷ୍ପନ୍ଦ । ଚାହିଁ ରହିଥିଲେ ସେହି ଜ୍ୟୋତିର୍ମୟ ପିଣ୍ଡକୁ..ଏ କଅଣ ତେବେ ଭବିଷ୍ୟତର ଭବିତବ୍ୟତା, ଦେହ ଧରି ଆସିଛି ମତେ କହିଯିବ କେଉଁ ସରଣୀ ଅବଶିଷ୍ଟ ରହିଲା, ଯାହା ଉପରେ ଚାଲିଯାଇ ମୁଁ ଉପସ୍ଥିତ ହେବି ସେହି ଶେଷ ପାନ୍ଥଶାଳାରେ ?

 

ଛାୟାମୂର୍ତ୍ତି ହସିଉଠିଲା–

 

ହାଃ…ହାଃ…ମୋ ଉପସ୍ଥିତର ଗୋଟାଏ କୁହୁକ ଅଛି, ବାସୁଦେବ ! ଆପଣ କଳ୍ପନା କରିବାକୁ ଆରମ୍ଭ କଲେଣି, ସଙ୍ଗେ ସଙ୍ଗେ ପରିକଳ୍ପନା ବି ! ନା ବନ୍ଧୁ, ଆଉ ସୁଯୋଗ ମିଳିବ ନାହିଁ । ଦିନେ ଭାବୁଥିଲେ ନା ଆପଣ ରାଜଧାନୀ ତିଆରି କରିଛନ୍ତି ? ମହାନଦୀ ଉପରେ ବନ୍ଧ ବାନ୍ଧିଛନ୍ତି, ରାସ୍ତା ଘାଟ କରିଛନ୍ତି, ପଥ ଦେଖାଇଛନ୍ତି ?

 

ଖାରବେଳ, ପ୍ରତାପରୁଦ୍ର, ଯଯାତିଙ୍କର ସମଗୋତ୍ରୀ ହୋଇଯାଇଛନ୍ତି ? ଆପଣଙ୍କ ନାଁରେ କେତେ ଭିତ୍ତିପ୍ରସ୍ତର, କେତେ ଶଙ୍କୁ, କେତେ ସିମେଣ୍ଟବୋଳା ଲୁହାର କରଣୀ ଏବେ ଆଉ ରାଜ୍ୟସାରା କେଉଁଠି ଦେଖିବାକୁ ମିଳୁନାହିଁ । ଶବ ଗୁଡ଼ାକୁ ମହାମାରି ବେଳେ ଯିମିତି ନଈ କୂଳରେ ଫୋପାଡ଼ି ଦିଆଯାଏ, ମଣିଷର ଏ କୃତିତ୍ଵକୁ ବି ଯୁଗପୁରୁଷ ଫୋପାଡ଼ିଦିଏ । ସେଇଆ ହୋଇଛି–ହଃ…ହାଃ…ମହାକାଳର ପୋଷା ପବନ ହୋଇ କେହି ରହିନାହିଁ ସେ ସବୁବେଳେସୁ…ସୁ….କରୁଥିବ-

 

ବାସୁଦେବ ତଳକୁ ଚାହିଁଥିଲେ ଯେଉଁ ଦୈନିକ ଖବରକାଗଜ ଖବର ଛପାଇ ଥୋଇଛି ତାଙ୍କ ଆଖି ତଳେ.. ଯାନ୍ତ୍ରିକ ହାତ ମାଟି ଖୋଳୁଛି ଜୀବସତ୍ତା ଆବିଷ୍କାର ପାଇଁ । ପରେ ପରେ ଚାଇନାରେ ଦଶ ଲକ୍ଷ ନରନାରୀ ସହରସହ କ୍ଷଣକରେ ଦୋହଲିଯାଇ ମରିଗଲେ । ତେବେ…ତେବେ…ଏକ ଆଡ଼େ ପ୍ରାଣୀସତ୍ତାର ଆବିଷ୍କାର, ଅନ୍ୟଆଡ଼େ ବିପୁଳ ସଂଖ୍ୟାରେ ପ୍ରାଣୀ ସଂହାର, ଯୁଗ ପାଲଟୁଛି । କାନ୍ଥରୁ ଖୋଳପା ଛାଡ଼ୁଛି । ଜୀର୍ଣ୍ଣ ସାପକାତି ତଳେ ନୂଆ ଚିକ୍‍କଣ ତୋଫା ମଖମଲିଆ କାତି ତିଆରି ହେଉଛି ।

 

ବାସୁଦେବ ପ୍ରଚକ୍ଷୁ ଉଠାଇ ଦୃଷ୍ଟି ବିନିମୟ କଲେ ।

 

“-ଶୁଣ ପ୍ରେତାତ୍ମା, କାହାର କଣ୍ଠଧ୍ଵନି ଶୁଣିବା ମୋ ପକ୍ଷରେ ସମ୍ଭବ ନୁହେଁ । ତୁମରି କଥା ମୁଁ ଶୁଣିପାରୁଛି । ତୁମ ବାଣୀରେ ଦର୍ଶନ ଅଛି । ମୁଁ ବୁଝୁଛି–କିନ୍ତୁ ମତେ ଗୋଟିଏ ବିଷୟରେ ନିଶ୍ଚିନ୍ତ କରିପାରିବ ? ହଁ, ମୋର ଅଭିମାନ ଅଛି ଯେ ରାଜଧାନୀ ମୁଁ ଗଢ଼ିଛି, ମାତ୍ର…” ବାସୁଦେବ ହଠାତ୍ ଥମିଗଲେ, ପ୍ରେତାତ୍ମାର ହାସ୍ୟ ଲହରୀ ବଜ୍ରସମ ଫାଟିପଡ଼ିଲା ।

 

ସେ କହିଲା–ରାଜଧାନୀ ତ ଗଢ଼ିଲେ, ରାଜା ହେଲେ କାହିଁକି ? ରାଜନୀତି କଲେ ? ଛାଡ଼ି ଦେଲେନି ?

 

-ସେ ତ ମୋ ରକ୍ତରେ ରହିଛି । ଉତ୍ତର ଦେଲେ ବାସୁଦେବ ।

 

-ସିମିତି ଅନ୍ୟର ରକ୍ତରେ ରହିଛି ଏ ରାଜପଣକୁଭାଙ୍ଗି ଉଡ଼ାଇଦେଇ ସବୁ ସମତୁଲ କରିଦେବା ପାଇଁ । ଆପଣଙ୍କ ନାଁର ପୋଷ୍ଟର ଉପରେ ବହୁବର୍ଣ୍ଣ ରଙ୍ଗ ଚିତ୍ରିତ ପୋଷ୍ଟର ମରହେଲାଣି । ଆପଣ ତୈଳଚିତ୍ର ଚୋରି ହୋଇ ଗଲାଣି ସାହିତ୍ୟ ସଦନରୁ । ଆପଣଙ୍କ ମିଳନୀ ସଂସଦର ଏକଦା ଅତିପ୍ରିୟ ବନ୍ଧୁ ଗଣ ଆଜି ଅବାନ୍ଧବ ସାଜିଲେଣି । କେଉଁଟା ସତ୍ୟ-ଆପଣ ନା ଆପଣଙ୍କର ପରାଜୟ ? ଗୋଟାଏ ପରାମର୍ଶ ଦେଉଛି ।

 

-କଅଣ ? ଦୀର୍ଘଶ୍ୱାସ ପକାଇ ବାସୁଦେବ ଗମ୍ଭୀର ହେଲେ ।

 

ଆପଣ ହାତକାଟି ଲେଖିଦେବେ ଆପଣ ଶାନ୍ତ ହୋଇଛନ୍ତି ? ହରି ନାମ କେବଳ ଘୋଷୁଛନ୍ତି ? ଆଉ ରାଜପଣ ପରିବର୍ତ୍ତେ ପ୍ରଜାପଣ ଆରମ୍ଭ କରିଛନ୍ତି ? ଛାୟାମୂର୍ତ୍ତି ହସିଲା ଦିଗବିଜୟ ହସ ।

 

ବାସୁଦେବ କିଛିକ୍ଷଣ ନୀରବ ହେଲେ । ପରେ ମୁହଁ ଟେକିଲାମାତ୍ରେ ସେ ବିସ୍ଫାରିତ ନେତ୍ରରେ ବିସୟାଭିଭୂତ ହୋଇ ଦେଖିଲେ ପୂର୍ବର ପ୍ରେତାତ୍ମା ପାଖରେ ଗୋଟିଏ ଯୁବତୀର ଛାୟା ମୂର୍ତ୍ତି । ସେ ବିଗ୍ରହ ଉଜ୍ଜ୍ଵଳ ଜ୍ୟୋତି କିରଣରେ ଝଲସି ଯାଉଛି । ବାସୁଦେବ ଚିତ୍କାର କଲେ-

 

‘-ତୁମେ, ତମେ କେବେ ମରିଗଲ ?’

 

‘ହିଃ….ହିଃ…...ହିଃ, ମରିନାହିଁ ସାର୍, ମନେଅଛି ତ ଶାସନଗାଦି ଉପରେ ଚଢ଼ିବା ବେଳେ ମୁଁ ଆପଣଙ୍କ ପାଦରେଣୁ ନେଇଥିଲି ? ସେ ରେଣୁକୁ ଏବେ ବି ମଥାରେ ଧରିଛି । ମୁଁ ଯେ ଅମର ପୁଣି ଆପଣଙ୍କ ଆଶୀର୍ବାଦ ମରି ପାରେ କି ?

 

ଓହୋ, ହଁ-ହଁ, ସେଇଆ କହ-ତୁମେ ମରିନ–ହେଲେ ମୁଁ ଏକ୍ଷଣି ତୁମ ମଥା ଆଉଁସି ଆଉ ଥରେ ଆଶୀର୍ବାଦ କରିପାରିବି କି ? ସମସ୍ତଙ୍କୁ ଆଶୀର୍ବାଦ କରି ଆସିଛନ୍ତି ଜୀବନଯାକ ।

 

ମାତ୍ର ପ୍ରେତାତ୍ମା ବାଧାଦେଲା–

 

‘ନା, ବାସୁଦେବ ! ନବମାଳିକା ମରିନାହାନ୍ତି ସତ, ତେବେ ସେ ଯେଉଁ ରୂପ ଧରି ଆସିଛନ୍ତି, ସେଥିରେ ଆପଣ ତାଙ୍କୁ ସ୍ପର୍ଶ କରିପାରିବେ ନାହିଁ । ବେଶି ସମୟ ସେ ଏଠାରେ ରହିବେ ନାହିଁ । ଗୋଟାଏ ଆନ୍ତଃରାଷ୍ଟ୍ର ଜଳ-ବିବାଦର ସନ୍ତୋଷଜନକ ସମାଧାନ କରି ସେକ୍ରେଟେରୀଏଟରୁ ଆସି କେବଳ ଭଗବାନଙ୍କର ପ୍ରସାଦ ସାମାନ୍ୟ ସେବନ କରି ସେ ଶୋଇପଡ଼ିଛନ୍ତି ଶାନ୍ତ ବିସ୍ମୃତିରେ-। ମୁଁ ଏଇ ସୁଯୋଗ ଦେଖି ତାଙ୍କ କାରଣ ଶରୀରକୁ ନେଇଆସିଛି ଏଠାକୁ । ସେ ନିଜେ, ଦେଖନ୍ତୁ ଆପଣ, କିମିତି ଶାନ୍ତ ହୋଇଛନ୍ତି, ରାଜପଣ ଛାଡ଼ି ପ୍ରଜାପଣ କରିବାକୁ ସ୍ଵାକ୍ଷର ଦେବାକୁ ବସିଛନ୍ତି, ଆଉ ହୁଏତ ନବମାଳିକା ଯଦି କହନ୍ତି ଆପଣ ସନ୍ନ୍ୟାସୀ ହୋଇ ବାନପ୍ରସ୍ଥ ଅବଲମ୍ବନ କରିବାକୁ ପ୍ରସ୍ତୁତ ଅଛନ୍ତି ତ ?

 

ବୃଦ୍ଧ ବାସୁଦେବ ଉତ୍‍କ୍ଷିପ୍ତ ହୋଇ ଚିତ୍କାର କଲେ-ନା, ନା, ନା, ତୁମେ ଚାଲିଯାଅ-ଉଭୟେ ଚାଲିଯାଅ । ପ୍ରବୀଣ ବୁଦ୍ଧିଜୀବୀ ରାଜନୀତିଜ୍ଞ ବାସୁଦେବ ପାଖରେ ଏ ଅର୍ବାଚୀନ ରାଜନୀତିର ଅର୍ଥ କିଛିନାହିଁ । ମାନୁଛି, ଯୁଗର ଗୋଟାଏ ନିର୍ଦ୍ଦିଷ୍ଟ ସନ୍ଧିକ୍ଷଣରେ ଐତିହାସିକ ଅନୁଶାସନରେ ମୁଁ ଆଜି ବନ୍ଦୀ, ମୋର ଏହି ପରିଣତ ବୟସରେ । ପୃଥିବୀରେ ଏହା କିଛି ନୂଆ କଥା ନୁହେଁ । ତାହାର ପୃଷ୍ଠା ଖୋଲି ଦେଖ ମୋ ଭଳି ଅତୀତରେ ବହୁ ଦେଶପ୍ରେମୀ ନାଗରିକ ସ୍ୱାଧୀନତାକୁ ଜଳାଞ୍ଜଳି ଦେଇ ବନ୍ଦୀ ଜୀବନଯାପନ କରିଛନ୍ତି, ଏପରିକି ସେ ଦୁର୍ଭୋଗରେ ସେମାନେ ଦିନେ ଆତ୍ମାହୁତି ଦେଇ ପରପାରକୁ ଚାଲିଯାଇଛନ୍ତି ।

 

ସେଭଳି ପୁଷ୍ପାମାଳାରେ ମୁଁ ଆଉ ଗୋଟିଏ ରଂଜିତ କୁସୁମ । ମୋର ତାହାହିଁ ସୌଭାଗ୍ୟ ଏବଂ ଜୀବନାଦର୍ଶ…..ମୁଁ କଅଣ ଶାନ୍ତ ନ ଥିଲି ? କହିଲ, ମୋର କି ରାଜପଣ ଥିଲା ? ମୁଁ ସାହିତ୍ୟ ସଂସ୍କୃତି ସାଧନରେ ମନ ଦେଇଥିଲି । ଚାହିଁଥିଲେ ମୁଁ ଟେବୁଲଟାକୁ ଓଲଟେଇ ଦେଇଥାନ୍ତି, କିନ୍ତୁ ନା…ଯେତେବେଳେ ଯେଉଁ କଥା । ମୋ ପାଖରେ ଅଗଣିତ ସ୍ତାବକ ଥିଲେ, ମୁଁ ମଝିରେ ମଝିରେ ତାଙ୍କରି ସ୍ମୃତିରେ ହଜିଯାଉଥିଲି । ଏବେ ବି ନବମାଳିକା ପାଖରେ ବହୁ ସ୍ତୁତିସ୍ତାବକତା ଚାଲିଛି । ସେ ଏ କଥା ମନାକରିପାରିବ ? ରାଜନୀତିରେ ଥିଲେ ଏମିତି ଭାଟଗୁଡ଼ାକ ମାଛିପଲ ଭଳି ଭଣଭଣ କରନ୍ତି, ଆଉ ସିଂହାସନ ଉପରକୁ ଉଡ଼ିଆସନ୍ତି । ଏ ଲୀଳାଖେଳା ଚାଲିଥିବ, ଯେ ପର୍ଯ୍ୟନ୍ତ ଦଳ ଥିବ, ଆଉ ଦଳର ଡାହୁକ ଡାକୁଆ ଥିବେ ।

 

ନବମାଳିକାଙ୍କର ନୟନରେ ରୋଷ ଦେଖାଦେଇଛି । ଶାଢ଼ିଟାକୁ କଟୀ ଉପରେ ଗୁଡ଼ାଇ ଆଣି କହିଲେ–“କାହିଁକି ପ୍ରେତାତ୍ମା ତମେ ମତେ ଏଠାକୁ ଆଣିଲ ? ମୁଁ କଅଣ ଜାଣିନାହିଁ ଯେ ଏଯାଏ ଏମାନଙ୍କର ରକ୍ଷଣଶୀଳ ରାଜନୀତିର ଅବସାନ ଘଟିନାହିଁ ? ସମୟ-ସୁଅରେ ଏମାନେ ଭାସିଯାଇ–ପାରୁନାହାନ୍ତି ? ଅବଶ୍ୟ ମୁଁ ଚାହେନାହିଁ ମୋର ଜନକୋପମ ଏହି ଶକ୍ତିଶାଳୀ ପୁରୁଷ, କହିଲା ମାତ୍ରେ ସ୍ଵାକ୍ଷର କରିଦିଅନ୍ତୁ ଓ ମୁକ୍ତି ଚାହାନ୍ତୁ ତାଙ୍କ ବନ୍ଦୀ ଜୀବନରୁ । ତୁମେ କାହିଁକି ଏପରି ପ୍ରସ୍ତାବ ଦେଲ ? ଭାବିଛ ବାସୁଦେବ ବାବୁ କସ୍ମିନକାଳେ ଏପରି ସର୍ତ୍ତରେ ରାଜି ହୋଇ ମୁକ୍ତିର ସ୍ଵପ୍ନ ଦେଖିବେ, ଭୁଲ-ଭୁଲ ।”

 

‘ହାଃ…ହାଃ…ହାଃ…ଏଥର ମୁଁ ଟିକିଏ ହାଃ….ହାଃ…ହସେ, ତୁମେ ତ ବହୁବାର ହସିଛ, ମତେ ତୁଚ୍ଛ ତାଚ୍ଛଲ୍ୟ କରି ପ୍ରେତାତ୍ମା ! ନବମାଳିକା ଏରାଜ୍ୟର କନ୍ୟା, ମୁଁ ବି ଏ ରାଜ୍ୟର ମଣିଷ । ଆମକୁ ଆମର ଚିରଶତ୍ରୁ କହିବ ନାହିଁ ଯେ ଜାତିର ସନ୍ତାନ ଭାବରେ ଆମେ ଅମଣିଷ, ଜାତିପ୍ରେମ ଆମ ହୃଦୟରେ ନାହିଁ; କିନ୍ତୁ ଦେହ ଥିଲେ ସ୍ଵାର୍ଥ ଅଛି । କାହାର କିଛି ଉପକାର କରିବା ଆଗରୁ ନିଜର କରଣୀୟ କ’ଣ ମଣିଷ ଆଗ ବିଚାର କରିଥାଏ । ସେହି ଦୃଷ୍ଟିରେ ମୁଁ ହୁଏତ ପାପୀ, ସେ ହୁଏତ କିଞ୍ଚିତ ପଥଭ୍ରଷ୍ଟା…ହେଲେ ଆମ ଭିତରେ ବୈରଭାବ ନାହିଁ । ମୁଁ କିଛିଦିନ ଶାସନ କରୁଥିଲି, ସେ କରୁଛନ୍ତି, ସେ କିଛିଦିନ କରିବେ, ଆଉ କିଏ ଆସିବ । ଚକ୍ର ଗଡ଼ିଯିବା ପାଇଁ ଭୂମି ରହିଛି । ଅବଶ୍ୟ ଭୂମି ସରିଗଲେ ଚକ୍ର ଆଉ କେଉଁଆଡ଼େ ଗଡ଼ିବ ସେ ବିଚାର ଭିନ୍ନ । ମାତ୍ର ଗୋଟାଏ କଥା, ଆୟୁଷ୍ମତୀ ନବମାଳିକା, ରକ୍ଷଣଶୀଳ ରାଜନୀତି କଅଣ ମୁଁ ବୁଝିପାରିଲି ନାହିଁ । ତୁମର ବହୁ ବକ୍ତୃତାରେ ମୁଁ ଶୁଣିଛି ତୁମେ କହୁଛ ବର୍ତ୍ତମାନର ରାଜନୀତି ଉନ୍ନୟନର ରାଜନୀତି । ତୁମକୁ ବଧାଇ ଦେଉଛି, କନ୍ୟା, ସେ ତୁମେ ଯଥାର୍ଥରେ ରାଜନୀତିର ସଂଜ୍ଞା ନିରୂପଣ କରିପାରିଛ । କିନ୍ତୁ ହଠାତ୍ କଅଣ ତୁମରି ରାଜତ୍ଵରେ କେବଳ ରାଜନୀତି ଉନ୍ନୟନ ସ୍ତରକୁ ଆସିଗଲା ନା ଆଗରୁ ଆସିଥିଲା ? ଦେଶ ସ୍ଵାଧୀନ ହେବା ତ ଉନ୍ନୟନ, ରାଜା ମହାରାଜାଙ୍କ ଉଚ୍ଛେଦ ତ ଉନ୍ନୟନ, ପ୍ରଜାମାନଙ୍କ ପାଖକୁ ଶକ୍ତି ଆସିବା ତ ଉନ୍ନୟନ, ଗରିବ ଦୁସ୍ଥ ଲୋକଙ୍କ କଲ୍ୟାଣ ପାଇଁ ଯୋଜନାବଦ୍ଧ ଅର୍ଥନୀତିର ବିକାଶ ଉନ୍ନୟନ !! ଏତିକି ତଫାତ୍ ଯେ, ଯେଉଁ ଲୋକ କାମ କରୁନି, ତାର ପିଠିରେ କୋରଡ଼ାମାଡ଼ ଦେଲେ ସେ ନିଶ୍ଚୟ ଯନ୍ତ୍ରଣାରେ କାତର ହୋଇ ଚେଇଁ ଉଠିବ । ଯେଉଁଠି ଭୟପ୍ରଦର୍ଶନର ବ୍ୟବସ୍ଥା ନାହିଁ ସେଠି ପ୍ରଗତିର ଶିଥିଳତା ସ୍ୱାଭାବିକ; ତେଣୁ ତୁମ ଓ ମୋ ଭିତରର ଦର୍ଶନର ଏଇ ମାତ୍ର ପାର୍ଥକ୍ୟ । ନ ହେଲେ ଆମ ଦୁଇ ହୃଦୟରେ ରହିଛି ସମପରିମାଣରେ ଏ ଦେଶକୁ ଗଢ଼ିବାରେ ପରମ ଉଲ୍ଲାସ ଓ ଅକୁଣ୍ଠ ତ୍ୟାଗ ।

 

-ଆପଣଙ୍କ ଏ ବନ୍ଦୀ ଜୀବନରେ କିଛି ଅସ୍ୱାଚ୍ଛନ୍ଦ୍ୟ ଘଟୁଛି କି ? ନବମାଳିକା ଅନ୍ତର୍ହିତା ହେବା ପୂର୍ବରୁ ଏ ପ୍ରଶ୍ନ ପଚାରିଥିଲେ । କାରାକକ୍ଷ କ୍ରମେ ସ୍ତିମିତ ହୋଇଆସୁଛି । ଦୁଇଟି ମୂର୍ତ୍ତି ଲିଭି ଯିବା ଉପରେ । ଉତ୍ତର ମିଳିଲା-ବନ୍ଦୀ ଜୀବନର ପରିବେଶ ମୁଁ ଯେତେ ସଂଖ୍ୟାରେ ଭୋଗିଛି, ତୁମେ ତାର ସୀମା ସ୍ପର୍ଶ କରିନଥିବ । ବନ୍ଦୀତ୍ଵ ଅର୍ଥ ବନ୍ଧନ କେବଳ ଶାରୀରିକ । ତେବେ ପ୍ରଚୁର ବହି ଓ ପତ୍ରିକା ପଢ଼ିବାକୁ ପାଉଛି । ଅନ୍ୟାନ୍ୟ ଟିକିଏ ଟିକିଏ ସ୍ଵାଚ୍ଛନ୍ଦ୍ୟ ଯେ ମୁଁ ପାଉନାହିଁ, ତାହା ଅସ୍ୱୀକାର କରିବି ନାହିଁ । ତେବେ ମତେ ହସ ଲାଗୁଛି, ତୁମେ ଅନ୍ୟ କାରାବାସୀଙ୍କ ସହିତ ମୋର ମିଳାମିଶା ଆଉ କଥାବାର୍ତ୍ତାକୁ ନିଷିଦ୍ଧ କରିଦେଇଛ । ଭାବିଛ ମୁଁ ଏବେବି ଜ୍ଵଳନ୍ତ ଦଗ୍ଧ ଅରଣ୍ୟ ଶିଖା-? ନା, ଝିଅ, ନା-କାଳ ଘେନି ୠତୁ ଆସେ । ସବୁ ଋତୁରେ ମଳୟ ବହେ ନାହିଁ । ଏଇ ଦେଖ, ମୋ ଚାରିପଟେ ଗୀତା ରାମାୟଣ, ପୁରାଣ; ମନ ମୋର ବହୁ ଉର୍ଦ୍ଧ୍ଵରେ…ଯିବାବେଳ ଆସିଗଲା । ବିଶ୍ୱାସ କରୁନ ମୁଁ ଜାଣେ । ରାଜନୀତିର ସୁରାଭରା ଗ୍ଳାସରେ ଏ ବିଶ୍ୱାସ ପ୍ରତିବିମ୍ବିତ ହୁଏନି, ଏ ବି ସତକଥା । ତୁମର ଭ୍ରାନ୍ତି ନାହିଁ-

 

ଏ ପ୍ରବଚନ ଶୁଣିବା ପାଇଁ ନବମାଳିକାର ସୂକ୍ଷ୍ମ ଶରୀର ନଥିଲା । କାରାଗାର କକ୍ଷ ପ୍ରାଚୀରରେ ଉଦ୍ଭାସିତ ହୋଇ ମିଳାଇଯିବା ଉପରେ ସେ ରୂପଶ୍ରୀ…ଏତିକିବେଳେ ଗୋଟାଏ ମର୍ମାନ୍ତିକ ଦୃଶ୍ୟ ଘଟିଗଲା ।

 

ପ୍ରେତାତ୍ମା ନବମାଳିକାର ସୂକ୍ଷ୍ମ ଶରୀରକୁ ନେଇଆସି ବାସୁଦେବ ଓ ନବମାଳିକା ସାକ୍ଷାତକାର, ସୃଷ୍ଟି କରିଛି ବୋଲି ଆତ୍ମସନ୍ତୋଷ ଲାଭ କରୁଥିଲା । ତାହାରି ଉଦ୍ଦାମତାରେ ସେ ଅବଲୁପ୍ତ ହୋଇଯିବା ପୂର୍ବରୁ କହି ଉଠିଲା-ଚାଲ ରାଜ୍ୟଲକ୍ଷ୍ମୀ, ଏଗୁଡ଼ାକ ଜାତିର କୁଳାଙ୍ଗାର, କାରଗାରହିଁ ଏମାନଙ୍କର ଯୋଗ୍ୟ ସ୍ଥାନ, ଚାଲ– ।

 

ନବମାଳିକାର ଅସ୍ପଷ୍ଟ ଶରୀର ପୁଣି ଜଳି ଉଠିଲା । ଆଖି ଉତ୍ତପ୍ତ । ବଦନ ମଣ୍ଡଳରେ ସଂସାର ଯାକର ଘୃଣା ଓ କ୍ରୋଧ । ସେ ମୁଖ ଗହରରୁ ବଜ୍ର ଫାଟି ଆସିଲା–

 

‘ସ୍ତବଧ ହୁଅ ପ୍ରେତପୁରୁଷ । ପ୍ରେତ ହୋଇ ବି ଖୋସାମତି କରିବାର ଲୋଭ ସମ୍ଭାଳି ପାରିନ ? ରାଜ୍ୟଲକ୍ଷ୍ମୀ ? ହୁଃ-ଶରୀର ନାହିଁ, କାମନା ନାହିଁ, ଭବିଷ୍ୟତକୁ ଆକାର ପାଇବ କି ନାହିଁ ଜଣାନାହିଁ, ଅଥଚ କହିଦେଉଛ ମୁଁ ରାଜ୍ୟଲକ୍ଷ୍ମୀ ଆଉ ନମସ୍ୟା । ବାସୁଦେବ ଏ ଜାତିର କୁଳାଙ୍ଗାର-? ଯାହା ସେ କହିଲେ ଐତିହାସିକ ଅନୁଶାସନରେ ଆଜି ସେ କାରାରୁଦ୍ଧ । ଜାଣ-ଇତିହାସ ଗୋଟାଏ ଘାଟରେ ବସି ନୌକା ମେଲାଏ ନାହିଁ ଅନନ୍ତକାଳର ବାରିପ୍ରବାହ ଉପରେ…ଆଜି ଏ ଘାଟରେ ତ ଶହେବର୍ଷ ପରେ ଅନ୍ୟ ଘାଟରେ…ସେ ପୋତ ଖେଳାଏ, ପାଲ ବାନ୍ଧେ, କି କାତ ସଜାଡ଼େ । ଏତେ ସାହାସ ଯେ କହିଦେଲ କୁଳାଙ୍ଗାର ?’

 

-ତାଙ୍କର ସାହିତ୍ୟସୃଷ୍ଟି ପରୀକ୍ଷା କରିଛ ? ବଚନ-ପ୍ରବଚନ ପରୀକ୍ଷା କରିଛ ? ସଂସ୍କୃତିକୁ ତାଙ୍କର ଦାନ କଳନା କରିଛ ? ଏତିକି ତାଙ୍କର ଭୁଲ ଯେ ସେ ଗୋଟାଏ ସ୍ଥାନରେ ଅଟକିଗଲେ ନାହିଁ–ଚାଲିଲେ–ତେଣୁ ମହାକାଳ ତାଙ୍କୁ ସୁସ୍ଥିର କରିବା ପାଇଁ ସାମୟିକ ବିଶ୍ରାମ ଖଞ୍ଜି ଦେଇଛି । କିଏ ଜାଣେ ଏଇ ବିଶ୍ରାମରୁ ସେ ପାଇବେ ଅଦ୍ଭୁତ ଜାଗୃତି, ଅଦ୍ଭୂତ ଶକ୍ତି–ଯାହାର ବିନିମୟରେ ତାଙ୍କରି ପରାମର୍ଶରେ ଏ ରାଜ୍ୟ ଆହୁରି ସମୃଦ୍ଧ ହେବ ?

 

ଛାୟାମୂର୍ତ୍ତି ଅପସରି ଗଲା । ଅତ୍ୟଧିକ ଗ୍ଳାନିଭାବରୁ ବୋଧହୁଏ ସେ ନଇଁପଡ଼ିଲା । ତାହାହିଁ ଥିଲା ବାସୁଦେବଙ୍କ ପ୍ରତି ତାର ପ୍ରମାଣ ।

 

ନବମାଳିକାର ସ୍ଥୂଳ ଶରୀର କ୍ରମେ ଚେତନା-ଚଞ୍ଚଳ ହେଲା । ମୁଦି ରହିଥିବା ଆଖି ଦୁଇଟି ଫିଟିଆସିଲା । ସାଧା ଖଟ ଖଣ୍ଡେ, ତା ଉପରେ ଏକ–ପରସ୍ତିଆ ଚାଦର ଖଣ୍ଡେ । ମଥା ତଳେ ପାତଳା ତକିଆ । ଶ୍ରୀହୀନ ଶଯ୍ୟା, ତପସ୍ଵିନୀର କଠୋର ସାଧନା ।

 

ନବମାଳିକା ଆଲୁଳାୟିତ କେଶର ବିପର୍ଯ୍ୟସ୍ତ ଲହରୀକୁ ହାତରେ ଠେଲିଦେଇ ଦଉଡ଼ିଗଲେ ଚିର ଶାନ୍ତିର ଆବାସ ଠାକୁରଙ୍କ ଘର ଭିତରକୁ…

 

ମାଆ ଆଉ ଯୋଗୀ…

 

ପ୍ରାର୍ଥନାରତ ତାଙ୍କ କଣ୍ଠରୁ ଉତ୍ସରିତ ହେଲା–ଆଃ, ବହୁ ସମସ୍ୟା, ବହୁ ନିଷ୍ପତ୍ତି, ବହୁ ବିଚାର, ବହୁ ଯନ୍ତ୍ରଣା, ସମତ ସମଞ୍ଜସ୍ୟହୀନ ରାଜନୀତି, କାହାକୁ ସନ୍ତୋଷ, କାହାକୁ ରୋଷ, ସର୍ବପଥ ଦେଇ ଗୋଟାଏ ନାରୀ ଶାସନର ଶୀର୍ଷରେ, କେତେ ବା ସଂଗ୍ରାମ କରିବ ? ପ୍ରଭୁ–ସମ୍ଭାଳି ନିଅ । କେତେ ଜ୍ଞାନ ବିଜ୍ଞାନୀ, କେତେ ଦୁସ୍ଥ ଦରିଦ୍ର, କେତେ ଲୋଭୀ ତସ୍କର, ଟାଉଟରଙ୍କ ଗହଣରେ ପଡ଼ୁଛି, ଶାନ୍ତିଦିଅ, । ଶକ୍ତିଦିଅ ମା–

 

ନା ନା, କୁଳାଙ୍ଗାର ବୋଲି ଏ ମହତ ଜନମାନେ କାରାବସୀ ନୁହନ୍ତି । ଏମାନେ ସ୍ଵର୍ଣ୍ଣପିଣ୍ଡ । ଏତିକି ମୁଁ ଆଶା କରୁଥିବି, ମତେ କନ୍ୟା ରୂପେ ଗ୍ରହଣକରି ଏମାନଙ୍କ ହାତ ମୋ ହାତକୁ ପ୍ରସାରିତ ହୋଇଆସୁ । ଏକ ବଦ୍ଧାଞ୍ଜଳି ଭିତରେ ଜାତିର କାର୍ଯ୍ୟକ୍ରମ ରୂପାୟିତ ହେଉ ଶତ ପୁଷ୍ପ ଶୋଭନରେ–ଏତିକି ପ୍ରାର୍ଥନା ପ୍ରଭୁ ।

 

କବାଟରେ ଠକ୍ ଠକ୍ ଶବ୍ଦ-ବୋଧହୁଏ ଜରୁରୀ, ଶାସନ କାର୍ଯ୍ୟର କୌଣସି ଅତି ଅସ୍ୱାଭାବିକ ପରିସ୍ଥତି ।

ଧ୍ୟାନ ଶେଷ ହୋଇ ଯାଇଥିଲା । ନବମାଳିକା ମୃଗଚର୍ମ ଉପରୁ ଉଠିଆସି କବାଟ ଖୋଲିଦେଲେ ।

ଆଗରେ ସେକ୍ରେଟେରୀ ।

-କଅଣ କିଛି ଜରୁରୀ ? –ନେତ୍ରୀଙ୍କର ପ୍ରଶ୍ନ । ସେକ୍ରେଟେରୀ ଇଙ୍ଗିତରେ ବୈଠକଖାନାକୁ ଡାକିଲେ ।

ସଂଗୋପନେ କଥାବାର୍ତ୍ତା–

‘ପଲିସି ମ୍ୟାଟର…ଉପରୁ ନିର୍ଦ୍ଦେଶ ଆସିଛି, ଆପଣଙ୍କ ବିବେଚନାରେ ଯଦି କାହାର କରାମୁକ୍ତିରେ କିଛି ଅନିଷ୍ଟ ନଘଟେ, ତେବେ ସେ କ୍ଷେତ୍ରରେ ଆପଣଙ୍କର ଜଜମେଣ୍ଟ ପୂର୍ଣ୍ଣମାତ୍ରାରେ ସମର୍ଥନ ପାଇବ ।” ସେକ୍ରେଟେରୀ ଏତିକି କହି ନୀରବ ହେଲେ-ଅପେକ୍ଷା କଲେ ପ୍ରତିକ୍ରିୟାକୁ…

ଉଚ୍ଛ୍ଵସିତ ଆନନ୍ଦାଶ୍ରୁ ଗଡ଼ିଆସିଲା ନେତ୍ରୀଙ୍କର ଦୁଇ ନେତ୍ରରୁ । ଆଶ୍ଚର୍ଯ୍ୟ !!

ବାସୁଦେବ ଆସି ଛିଡ଼ାହେଲେ ମୁକ୍ତ ପ୍ରାଙ୍ଗଣ ଉପରେ…ଉଡ଼ନ୍ତା ଘର–ବ୍ୟାକୁଳ ପକ୍ଷୀ ଉଡ଼ିଯାଉଥିଲା ମହାକାଶ ବକ୍ଷରୁ ପକ୍ଷ ପିଟି…ନିଜ ନୀଡ଼ର ସୁଗନ୍ଧ ବାରି…ଆଗକୁ ଯୋଜନ ଯାଏ ନୀଳ ଗଗନର ପଥ ।

ବାସୁଦେବ ହସିଦେଲେ । କହିଲେ ସାଥୀମାନଙ୍କୁ-ଯେଉଁମାନେ ଆସିଥିଲେ ସଂଖୋଳି ନେବାକୁ–“ହଉ ଚାଲ ।”

Image

 

ଫାସିଷ୍ଟି ବଗିଚା ଓ ଫାଜିଲ ଫୁଲ

 

ପଚାଶ ବର୍ଷ ପୂରିଗଲେ ମଣିଷ ମନ ତୀକ୍ଷଣ ହୋଇଯାଏ-ଯାହା କିଛି ତାହାର ଚାରିପଟେ ଦେଖାଯାଇଛି, ସେ ସବୁକୁ ଦେଖିବାକୁ ଗୋଟାଏ ଅନନ୍ୟ ସାଧାରଣ ଭାବାବେଶରେ ।

 

ତା ପୂର୍ବର ମନଟା ଥାଏ ଉଦବେଳିତ ଅବସ୍ଥାରେ…ଯିମିତି ନୌକା ମଝି ସିଆର ଫୁଲା ଜଳର ଚାରିଆଡ଼ ଚଞ୍ଚଳତା ।

 

ସେ ବୟସ ଆଉ ଏ ବୟସର ଏଇ ପାର୍ଥକ୍ୟ ବିଷୟରେ ଏକ ପ୍ରକାର ତନ୍ଦ୍ରାଚ୍ଛିନ୍ନ ଭାବ ଘେନି ଚିନ୍ତା କରୁଥିଲେ ଶିଳ୍ପୀ ଓ ମନନଶୀଳ ସାଧକ ସୁବ୍ରତ ରାୟ ।

 

ସେ ଖୋଜୁଥିଲେ ତାଙ୍କର କଅଣ ଆଉ ଅବଶେଷ ରହିଲା, ଯାହାର ଅପ୍ରାପ୍ତି ଘେନି ସେ ଅଶାନ୍ତ ହେବେ ଜୀବନରେ । ରାଶି ରାଶି ଶିଳ୍ପସମ୍ଭାର ସୃଷ୍ଟି କରିଛନ୍ତି । କେତେ ତୈଳଚିତ୍ର, କେତେ ଗ୍ରାଫିକ୍ ଆର୍ଟ…କେତେ ସ୍ଥାପତ୍ୟ, କେତେ ପଲ୍ଲୀଚିତ୍ର, ଲାଣ୍ଡସ୍କେପ୍ ପୁଣି ଖୋଦେଇ ମୂର୍ତ୍ତି । ସମସ୍ତଙ୍କୁ ସେ ଧରି ରଖିପାରିନାହାନ୍ତି । ସେହି ଗନ୍ତାଘରୁ କିଏ କେତେ ନେଇ ଯାଇଛନ୍ତି । ତଦପେକ୍ଷା କିଏ କେତେ ଚୋରିକରି ନେଇଛନ୍ତି ସେମାନଙ୍କ ସୃତିକୋଷ ଭିତରେ ।

 

ଆଜି ସେ ପଥଶ୍ରାନ୍ତ । ମୃତ୍ୟୁର ପରମ ଆଶ୍ଳେଷକୁ ସେ ଅପୋକ୍ଷା କରି ବସିଛନ୍ତି । ଯୌବନରେ ସେ ଥିଲେ ଅତନ୍ଦ୍ର ରସିକ । ରସର ପ୍ଲାବନ ଯେଉଁଠି, ସେଇଠି ସେ ହୋଇଯାଆନ୍ତି ପ୍ଲାବିତ ଜଳଧାରା । ଆଃ…କି ଅଚିନ୍ତନୀୟ ସେ ସ୍ମୃତି !!

 

ଆରାମଚୌକି ଉପରେ ସେ ଢଳିପଡ଼ିଲେ । ଡାହାଣ କରକୁ ଗୋଟିଏ ଛୋଟ ପୁଷ୍ପବାଟିକା । ବଡ଼ର ବ୍ୟାପକତାକୁ ସେ ପସନ୍ଦ କରନ୍ତିନାହିଁ । ଛୋଟ…ଛୋଟ କଳା କୋଇଲିଟିଏ… ଛୋଟ କୁକୁଡ଼ା ଛୁଆ…ଏଇ କାଲି ମାତ୍ର ଅଣ୍ଡା ଫୁଟାଇ ସେ ବାହାରି ଆସିଛି-କି କୋମଳ ତାର ଦେହ ଭଙ୍ଗିମା । ସିମିତ ଛୋଟ ଗୋଷ୍ପଦ ନୀର…ଏମାନେ ଛୋଟ ସତ, ମାତ୍ର ଭୂମାକୁ ବକ୍ଷରେ ଗ୍ରହଣ କରିନେବାପାଇଁ ଏମାନଙ୍କର ଶକ୍ତି ଅଛି ।

 

ପଚିଶ ବର୍ଷ ତଳେ ଶୈଳ ଚିଠି ଲେଖିଥିଲା । ବହୁବାର ସୁବ୍ରତ ସେ ଚିଠିଟି ପଢ଼ିଛନ୍ତି…ଅଶ୍ରୁ ଧାରଧୌତ ଏକ ଛିନ୍ନପୃଷ୍ଠା…ତଥାପି କ୍ଳାନ୍ତି ଆସିନାହିଁ । ପୁଣି ସେ ପଢ଼ିଲେ ।

 

ଟେବୁଲ ଉପରେ ଥୁଆ ପ୍ରଚକ୍ଷ ଆଖିଉପରକୁ ଟେକି ଆଣିଲେ ।

 

ସୁବ୍ରତ, କି ଶାନ୍ତି, କି ତୃପ୍ତି, କି ନୈଶ୍ଚିନ୍ତ୍ୟ–ତୁମେ ଉପଲବଧି କରି ପାରିବ ? ଭଗବାନଙ୍କଠାରେ ନତମସ୍ତକ ହୋଇଯାଏ ଯେତେବେଳେ ଏକୁଟିଆ ବସି ଭାବେ କି ସୁନ୍ଦର ଓ ସଂପୂର୍ଣ୍ଣ କରିଦେଲେ ମୋ ଜୀବନକୁ । ସୁବ୍ରତ, ତିନିବର୍ଷତଳେ ଏଇ ତାରିଖରେ ମୁଁ ନିଃସ୍ୱ ଥିଲି । ଅବସର ମୁହୂର୍ତ୍ତରେ ନିଜକୁ ଚାହିଁଲେ ନୈରାଶ୍ୟରେ ହୃଦୟ ସଙ୍କୁଚିତ ହେଉଥିଲା ଅସୀମ ଜଳଧିରେ ଅସହାୟ ଅବସ୍ଥାରେ ଭାସୁଥିଲା ମୋ ଜୀବନତରୀ । ଏକାକୀ କେଉଁଠି ବସିଲେ ଆଖିରୁ ଲୁହ ଝରୁଥିଲା; କିନ୍ତୁ ଚାରୋଟି ଦିନ ପରେ, ୨୯ ତାରିଖ ଅଗଷ୍ଟ ମାସରେ ସବୁ ପରିବର୍ତ୍ତିତ ହୋଇଗଲା-

 

କିମିତି ଆସିଲ ସୁବ୍ରତ ? କିଏ ତୁମକୁ ଟାଣି ଆଣିଲା ? ନା, ନା, ମୁଁ ନୁହେଁ, ଜୈବ ନିର୍ଦ୍ଦେଶରେ ନିଶ୍ଚୟ ଆସିଲ । କାଉଁରୀକାଠିଟିଏ ସାଙ୍ଗରେ ଆଣିଥିଲ ପରା ! ତାହାର କୁହୁକ ସ୍ପର୍ଶରେ ଶୁଷ୍କବୃନ୍ତରେ କଳିକା ବିକଶିଲା । ସୁବ୍ରତ, ଏ ଅନୁଭୂତି ଜୀବନରେ ସତେଇଶଟି ବର୍ଷ ଭିତରେ କେବେ ମୁଁ ପାଇ ନଥିଲି । ଆଜି ମୁଁ ବଡ଼ ତୃପ୍ତ । କୌଣସି ଦୁଃଖ ଅଶାନ୍ତି ଯେ ନାହିଁ, ତାହା ହୁଏନାହିଁ । ତଥାପି ନିରାଶ ଭାବ ମୋର ଆଉ ନାହିଁ ।

 

ଭଗବାନଙ୍କଠାରେ ଏତିକି ମିନତି, ଜୀବନର ଶେଷ ପର୍ଯ୍ୟନ୍ତ ତୁମଠାରେ ଦୃଢ଼ବିଶ୍ୱାସ ରଖିବାକୁ ମତେ ସୁଯୋଗ ଓ ଶକ୍ତି ଦିଅନ୍ତୁ । ଯେତେବେଳେ କୌଣସି ଧକ୍କା ଆସୁଛି, ମୁ ପଡ଼ିଯାଇନାହିଁ । ଆଘାତ ଆସିଲେ ଭାଙ୍ଗିପଡ଼ୁନାହିଁ । ଆଖି ବୁଜି ଧ୍ୟାନକରୁଛି । ଦେଖୁଛି ମୁଁ ତ ଏକା ନୁହେଁ,–ମୋ ପଛରେ ଜଣେ ସବୁବେଳେ ଅଛନ୍ତି । ଦୁର୍ବଳ ହୋଇପଡ଼ିଲେ, ଆଗେଇ ଚାଲିବାକୁ ବଳ ନ ପାଇଲେ, ହାତ ଧରି ସେହି ପୁରୁଷ ଚଲେଇନେବେ । ଓଃ, ସେତିକି ଭାବିବା ମାତ୍ରେ ସବୁ ଦୁଃଖ ଦୁଶ୍ଚିନ୍ତା ନିଜେ ନିଜେ ଦୂର ହୋଇଯାଇଛି ।

 

ଆଜି ହୃଦୟ ଖୁବ୍ ଉଦ୍‌ବେଳିତ । ଲେଖିବାକୁ ଶକ୍ତି ପାଉନାହିଁ । ସୁବ୍ରତ, ତୁମେ ପାଖରେ ଥିଲେ କେବଳ ତୁମକୁ ଘଣ୍ଟା ଘଣ୍ଟା ଚାହିଁ ରହନ୍ତି । ତୁମ ମୁଖର ଭଙ୍ଗି, ନୟନର ନୃତ୍ୟ ଦେଖିଦେଖି ଆତ୍ମବିଭୋର ହୋଇଯାନ୍ତି ।

 

ତୁମେ ସେପ୍ଟେମ୍ଵରରେ ଆସିବ ? ବର୍ଷା ବୋଧହୁଏ ଛାଡ଼ିଯାଇଥିବ ! ହଁ, ଶୀଘ୍ର ଛାଡ଼ିଯାଇ ବି ଅସହ୍ୟ ହେଲାଣି । କଅଣ ଅସହ୍ୟ ହେଲାଣି କହିଲ ? କହିପାରିବ ?

 

ଶିଳ୍ପୀକୁ ଦେଖିବି, ସାଙ୍ଗରେ ଆଣିବ କେତୁଟା ଶିଳ୍ପର ନମୁନା-ୟା ଭିତରେ ଯାହା ଆଙ୍କିଥିବ । ତୁମେ ତ ଫୁଲର ରସିକ । ଫୁଲମାଳାରେ ଶୟନଶଯ୍ୟା ବିଭୂଷିତ କରିବାକୁ ତୁମର ଯେ କେତେ ଅନୁନୟ ମତେ…ମନେପଡ଼େ ?

 

ମୁଁ ଭଲଅଛି । କୁକୁର ଛୁଆଟାଏ ପୋଷିଛି ଚୋରଭୟରେ । ନାଁ ଦେଇଛି ‘ବୀରା’ । ବୀରାଙ୍ଗନାଟିଏ । ଖୁବ୍ ସାହସ । ବହୁତ ଭୁକୁଛି ।

 

ତୁମ ଖବର ଲେଖ–ତୁମ ହୃଦୟର ଖବର, ମନର ଖବର, ଦେହର ଖବର, ମସ୍ତିଷ୍କର ଖବର । ସବୁ ମତେ ଦରକାର । କେଉଁଟାର ଅଭାବ ରହିଗଲେ ଅତୃପ୍ତ ଲାଗିବ । ଥାଅ, ରହିଲି ସୁବ୍ରତ…

 

ତୁମର ଶୈଳ

 

ଏମିତି କେତେ ଲିପି । ପ୍ରତିଭା–ପୂଜାର ପ୍ରଣିପାତ ନୈବେଦ୍ୟ, କେତେ ହୃଦୟର କେତେ କୁହା ଅକୁହାର ଝିଲିମିଲି ଚାନ୍ଦିନୀ–ଧୌତ ଖଣ୍ଡ ଖଣ୍ଡ ଚିଠି…ଚିଠି ନୁହଁନ୍ତିତ, ଆତ୍ମପ୍ରତିବିମ୍ବିତ ମୁକୁରମାଳା ।

 

ସେପଟକୁ ଥାକ ଥାକ ଫାଇଲ୍ । ବର୍ଷବର୍ଷ ଧରି ନାନା ବିଷୟରେ, ନାନା ପ୍ରସଙ୍ଗରେ ଚିଠିର ସଜ୍ଜୀକରଣ । ସୁବ୍ରତ ଦୀର୍ଘଶ୍ୱାସ ପକାଇ ଉଠିଲା । ବାରଣ୍ଡାପଟ ଫୁଲଗଛରେ ଫୁଲ ଫୁଟିଛି-କେତେ ବର୍ଣ୍ଣର କେତେ ରଙ୍ଗର । ଘେରିଆସିଛି ଛୋଟ ପାଚିରୀଟିଏ । ଛୋଟ ବଗିଚା ହେଲେ ବି ତାର ପ୍ରତ୍ୟେକଟି ଫୁଲଗଛକୁ ଆଉଁଷି ଯାଇଛି ଶୈଳ । ଶୈଳ ଆଜି ତିରୋହିତ, କାୟା ତାର ଲୁଚିଯାଇଛି-କିନ୍ତୁ ସୃତି…ସେ ତ ଅମର ।

 

ଆଉ ଏ ଶ୍ରାବନ୍ତୀ । ସୁନା ଛାଉଣୀ ରୂପ ତାର…ସେ ବି ଅନ୍ତର୍ହିତ । ତାର ଆସିବାର ଆଲୋକ ପଥରେ ଏଇ ଫୁଲଗୁଡ଼ିକ ତାକୁ ସ୍ୱାଗତ କରିଥିଲେ । ସୁବ୍ରତ ବୃନ୍ତଚ୍ୟୁତ କରି ଗୋଟିଏ ଉପହାର ନିଶ୍ଚୟ ଦେଇଥିବେ । ହାତର ରଙ୍ଗଥାଳିଟି ପୁଣି ଉଠି ଯାଇଥିବ ଊର୍ଦ୍ଧ୍ୱକୁ, ଭ୍ରୂର ରୂପନେବାକୁ…ଶ୍ରାବନ୍ତୀର ଚିଠି…ବଡ଼ ଦୁଃଖିନୀ । ହେଲେ ସୁବ୍ରତଙ୍କର ସାଧନାକୁ ସେ ଦୀପ୍ତ କରିଥିଲା ।

 

ଶ୍ରୀଚରଣେଷୁ,

 

ତମେ ପରା କବିତା ଲେଖ କେବେ କେମିତି ? ମୋର ଆଜି ଖାଲି କବିତା ମନେପଡ଼ୁଛି ।

 

“ଯତ ଶୁନି ସେଇ ଅତୀତ କାହିନୀ,

ପ୍ରାଚୀନ ପ୍ରେମେର ବ୍ୟଥା,

ଅତି ପୁରାତନ ବିରହ ମିଲନ କଥା,

ଅସୀମ ଅତୀତେ ଚାହିତେ ଚାହିତେ

ଦେଖାଦେୟ ଅବଶେଷେ…

କାଲେର ତିମିର ରଜନୀ ଭେଦିୟା ତୋମାର

ମୂରତି ଏସେ

ଚିରସୃତିମୟୀ ଧ୍ରୁବତାରକାର ବେଶେ ।”

 

ମୋ କଥା ମନେପଡ଼େ ? ଏ ପ୍ରଶ୍ନଟା ଚିରନ୍ତନ, ନା ? କିନ୍ତୁ କଅଣ ମନେପଡ଼ିବ ? କଅଣ ଆମ କଥା ?

 

“ଆମରା ଦୁଜନେ ଭାସିଆ ଏସେଛି

ଯୁଗଲ ପ୍ରେମର ସୋତେ

ଅନାଦି କାଲେର ହୃଦୟ-ଉତ୍ସ ହତେ ।

ଆମରା ଦୁଜନେ କରିୟାଛି ଖେଲା

କୋଟି ପ୍ରେମିକେର ମାଝେ

ବିହର ବିଧୁର ନୟନ ରଖିଲେ, ମିଳନ ମଧୁର

ପୁରାତନ ପ୍ରେମ ନିତ୍ୟନୂତନ ସାଜେ ॥”

 

ପଢ଼ିଲେ କିଏ ହୁଏତ ଭାବିବ ଏ ପ୍ରେମ-ପତ୍ର; କିନ୍ତୁ ତମେ ବି କ’ଣ ସେଇଆ ଭାବୁଛ ? ମୋର ଗୋଟାଏ ଅତୀତ ଥିଲା ଶିଳ୍ପି ! ତମମାନଙ୍କ ଗଣନା କହେ, । ମୁଁ ସେଇ ଅତୀତର ଶୋଚନାରେ ବର୍ତ୍ତମାନର କର୍ତ୍ତବ୍ୟ କରିପାରୁନି । ସେ କଥା ସତ । ହଁ, କ’ଣ କହୁଥିଲି ଅତୀତ କଥା-ବହୁତ ପ୍ରେମଚିଠି ଲେଖିଛି, ଯୋଉଗୁଡ଼ାକ କି ଓଡ଼ିଶାର ଅଧିକାଂଶ ପାଠପଢ଼ୁଆ ଲୋକ ତିରିଶ ଥରରୁ ଅଧିକା ଦେଖିଥିବେ, ପଢ଼ିଥିବେ । ସେଥିରେ ଥିଲା କେତେ ନାକକାନ୍ଦୁରା କଥା–ଯେମିତି…ତୁମକୁ ଚାହିଁଛି, ନ ଦେଖିଲେ ମରିଯିବି…ଇତ୍ୟାଦି । କେତେ ରିମ୍ କାଗଜ ହେବ କେଜାଣି–ସେମିତି ଟ୍ରଙ୍କରେ ଟ୍ରଙ୍କେ ସାଇତିଛି । ତା ଭିତରେ ସିନେମା ଷ୍ଟାରଙ୍କ ଯୋଡ଼ି ଫଟରେ ‘ଇଉ’, ‘ଆଇ’ ଛାପମରା ରୋମାନ୍‍ସ ବି ଅଛି । ତଳେ ‘ତୁମର ସ୍ୱାମୀ’ ଲେଖି ଦଖଲ ଜାହିର କରିବାର ଝାନୁ ଓସ୍ତାଦି ବି ଅଛି ।

 

ପୁଣି ଅଛି କେତେ ବର୍ଣ୍ଣନା, ଫୁଲ-ଭଅଁରର କଳ୍ପନା, ରୋମିଓ-ଜୁଲିଏଟର ସ୍ୱପ୍ନ–ପାଣି ମାଛର ସମ୍ପର୍କ ।

 

ଅସହିଷ୍ଣୁ ହୁଅନି ସୁବ୍ରତ ! ପ୍ରେମ ଓ ଦେହ ସଂପର୍କର ଊର୍ଦ୍ଧ୍ଵେରେ ତମେ, ତମକୁ ଏଗୁଡ଼ାକ ନ କହିବି ତ କାହାକୁ ଆଉ କହିବି ? ଆମର ପ୍ରେମ କରିବାର ବୟସଟା ହଠାତ୍ ସ୍ଥିର ରହିଗଲା । ନ ଯଯୌ ନ ତସ୍ଥୌ…ପ୍ରେମ ବୋଲି ବୋଲିବାଟା ଭାବିଲେ ଆଜି ହସ ମାଡ଼ୁଛି । ସେଇଥିପାଇଁ ମୁଁ ସେ ପ୍ରେମ-ଚିଠର କଥାଗୁଡ଼ାକ ରୋମନ୍ଥନ କରୁଛି ।

 

କୋଉ ପରମକି ଚରମ ମୁହୂର୍ତ୍ତରେ ତମେ ଏ ବିଷନୀଳ, ଦେହଟାକୁ ପବିତ୍ର ଦେବାଳୟ କହି ସ୍ପର୍ଶ, ଭୋଗର ଊର୍ଦ୍ଧ୍ୱରେ ରଖିଦେଲ ମୁଁ ଜାଣିନି । କିନ୍ତୁ ସେମିତି କଅଣ ଘଟିଗଲା । ଏଥିରେ ମୁଁ ପ୍ରେମପତ୍ର ଲେଖିବି ତୁମକୁ ? ବହୁତ ତ ତୁମକୁ ଲେଖିଛି–ସେଥିରେ କଅଣ ଥାଏ ତମେ ଜାଣିଥିବ; କିନ୍ତୁ ପ୍ରେମ ଥିଲା କହି ମୋର ଅପମାନ କେବେ କରିବନାହିଁଟି ?

 

ଏଗୁଡ଼ାକ କଅଣ ମୁଁ ଲେଖୁଛି କହତ ? ଗୋଟାଏ ଗୋଟାଏ ସ୍ଥାନ, ଗୋଟାଏ ଗୋଟାଏ ବିଶେଷ ମୁହୂର୍ତ୍ତ, ବ୍ୟକ୍ତିବିଶେଷଙ୍କ ସଂସ୍ପର୍ଶରେ ଖୁବ୍ ଅର୍ଥବହ ହେଇଉଠେ–ନା ? ସେଇ ଜ୍ୟୋତ୍ସ୍ନା, ନକ୍ଷତ୍ର, ସେଇ ଆକାଶ ଓ ଧରିତ୍ରୀ, ସେଇ ଅନ୍ଧାର ଓ ଆଲୋକର ଅର୍ଥ ସବୁଦିନ ତ ସମାନ ନୁହେଁ । ସେଥିପାଇଁ ମୁଁ ବାବଦୂକ ପାଲଟିଛି ।

 

ଆଜି ଏଇନେ ତମେ ଷ୍ଟେସନ ଛାଡ଼ିନଥିବ । ଈଶ୍ୱର କଲ୍ୟାଣମୟ । ସେ ତମର ପଥ ନିରୁପଦୁତ କରନ୍ତୁ । ତୁମକୁ ଦୀର୍ଘାୟୁ କରନ୍ତୁ । ଶୀତଳ ପବନରେ କେତେ କଅଣ ମନକୁ ଆସୁଥିବ-। ମନେ ପଡ଼ୁଥିବ ନିଜର ତଥା ମୋର ବିଚିତ୍ର ଜୀବନର ଇତିବୃତ୍ତ । ଏଥିରେ ଜାଗତିକ ଦୁଃଖ ଶୋକ ପ୍ରବୃତ୍ତି ନିବୃତ୍ତିର ଧାରା କିଛି ନଥିବ । ଏକ ଶାନ୍ତ ସମାହିତ ଜୀବନ-ସଙ୍ଗୀତ ନୁହେଁ ? ହୃଦୟ ପରିପୂର୍ଣ୍ଣ ।

 

ମୋର ଅଭାବ କିଛି ନାହିଁ-ନା, କିଛି ନାହିଁ ବୋଲି କହିବିନି । ତେବେ ସେ ଅଭାବର ଜ୍ଵାଳା ବା ଦହନ ନାହିଁ । ଲକ୍ଷ୍ୟ ପାପ ତାପ, କୁଟିଳତାଭରା ଏଇ ମନଟା ଗୋଟାଏ ଲକ୍ଷ୍ୟର ଧ୍ୟାନରେ ସ୍ଥିର, ପବିତ୍ର ହୋଇଯାଏ । ସେ ଲକ୍ଷ୍ୟ ମୋର ତୁମେ ସୁବ୍ରତ ! କେତେଜଣ ଏତକ ପାଆନ୍ତି କହିଲ ?

 

ତୁମର

ଶ୍ରୀବନ୍ତୀ

 

ପ୍ରଚକ୍ଷୁ ତଳେ ଆଖିର ସାମାନ୍ୟ ଜ୍ୟୋତି ଝାପସା ହୋଇଗଲା ସୁବ୍ରତଙ୍କର । ଲୁହ ନୁହେଁ ତ ? ସେ କାନ୍ଦିବେ କାହିଁକି ? ଏପରି ପରିପୂର୍ଣ୍ଣ ଜୀବନ କାହାର ଅଛି ? ସେ କାନ୍ଦିବେ ନାହିଁ । ଏଇ ଯେ ଶୈଳ, ଶ୍ରାବନ୍ତୀ, ପୁଣି ସୁଚରିତା…ଏମାନେ ଏଇ ବାରଣ୍ଡାରେ ବସି ଯାଇଛନ୍ତି । ଦୁଷ୍ଟ ଜହ୍ନ ହସିଦେଇ କ୍ରମେ ଫିକା ହୋଇଯାଏ । ରାତି ସରିଆସେ । ଫୁଲ କେତୋଟି ଶିଶିର ଶୋଭାରେ ସ୍ନାତ ଥାନ୍ତି । ସେଇ କାକରଭିଜା ଲତାର ପତ୍ରେ ପତ୍ରେ ହାତ ଚଳାଇ ଆଣନ୍ତି ଶିଳ୍ପୀ ସୁବ୍ରତ ରାୟ । ମନେ ମନେ କହନ୍ତି-ଫୁଲଠାରୁ ଆଉ କୋମଳ ଓ ସୁନ୍ଦର ସୃଷ୍ଟି କିଛି ଅଛି ?

 

-‘ଅଛି, ମୁଁ ଆଉ ତୁମେ–

 

‘-ଦୂର୍ ପାଗଳୀ, ତମେ କେତେବେଳେ ?

 

‘-ସମୟ କଅଣ ସ୍ଥିର ଥାଏ ଯେ କହିବି ଏତିକି ଘଣ୍ଟା ଏତିକି ମିନିଟ୍, କାହିଁ ଦେଖାଅ ତ ନୂଆ କଅଣ ସବୁ ଆଙ୍କିଛ ? ଏଇ ଦୁଷ୍ଟ ଫୁଲଗୁଡ଼ାକ, ଏଇ ଛୋଟ ବଗିଚାଟି, ତା ଉପରେ ଚହଲି ଯାଇଥିବା ପ୍ରଭାତର ସୁନା କିରଣ, ରାତ୍ରିର ଜ୍ୟୋତ୍ସ୍ନଧାର, ସବୁ ତୁମକୁ କ୍ରମେ କ୍ରମେ ବୟସ ବାଢ଼ିବା ସଙ୍ଗେ ସଙ୍ଗେ ମୋ ପାଖରୁ ଦୂରକୁ ନେଇଯାଉଛନ୍ତି…ତା’ ହବନି…ତୁମେ ଏକାନ୍ତ ମୋର–ହଁ ମୋର-

 

ଏ ଥିଲା ସେଦିନ ସଂଧ୍ୟାର କଳରାଗିଣୀ ସୁଚରିତାର । ସୁବ୍ରତ ଆଖି ପୋଛିଆଣି ଗୋଟିଏ ନିର୍ଦ୍ଦିଷ୍ଟ ଫାଇଲ୍ ଉପରକୁ ହାତ ବଢ଼ାଇଲେ । ସୁଚରିତାର ପତ୍ରାବଳୀ । ସେ କିନ୍ତୁ ହଜିଯାଇଛି, କଟାକ୍ଷ କରି ଅସହନୀୟ ଭଙ୍ଗୀରେ ପଡ଼ିଯାଇଛି ।

 

ସୁବ୍ରତ ଚାହିଁଲେ । ଫୁଲ ଫୁଟିଛି । ବଗିଚାଟି ଦେଖିଛି ଶୈଳକୁ । ଶ୍ରାବନ୍ତୀ ଘୂରିବୁଲିଛି, ଆଉ ସୁଚରିତା…ଏଇ ପୁଷ୍ପିତ ଉଦ୍ୟାନ ଭିତରେ–ସମସ୍ତେ ଘୂରି ଘୂରି ବୋଧହୁଏ କ୍ଳାନ୍ତ ହୋଇଗଲେ–ତେଣୁ ନୀରବ ।

 

ସୁଚରିତାର ଚିଠି…

 

ପୂଜନୀୟ ! ଆପଣ ବୋଧହୁଏ ଭାବଛନ୍ତି ମତେ ସଂପୂର୍ଣ୍ଣ ନିଜର କରିପାରିଲେ । ତାହା ନୁହେଁ । ଆପଣ ପରିହାସରେ କି ସତରେ ବେଳେବେଳେ କହନ୍ତି-‘ସୁଚରିତା, ମୁଁ ବହୁ ବର୍ଷ ହେଲା ତୁମକୁ ଧ୍ୟାନ କରି ବସିଛି ।’

 

ଏ ଧ୍ୟାନ ଅବଶ୍ୟ ଆପଣଙ୍କର ଭାଙ୍ଗିଛି । ମତେ ପାଇଛନ୍ତି । ସେଇଟା ଗୋଟାଏ ଦୁର୍ବଳ ଅକଳ ଅବସ୍ଥାରେ । ଆପଣ ମୋ ଭିତରର ଗୋଟାଏ ଗୋପନ ତନ୍ତ୍ରୀ ଦେଖିପାରିଥିଲେ, ଯେଉଁଟାକୁ ମୁଁ ଜାଣିନଥିଲି । ପକ୍‍କା ଖେଳୱାଡ଼ ପରି ସେଇଟାରେ ହଁ ଆପଣ ଆଘାତ କଲେ । ମୋ ମନ ଯେ ସର୍ବତୋଭାବେ ଜଣକର ହେବାକୁ ଖୋଜୁଥିଲା, ତାହା ମୁଁ ଅବଚେତନ ମନରେ ଅନୁଭବ କରୁଥିଲେ ବି ଚେତନା ସ୍ତରରେ ବୁଝିପାରୁନଥିଲି ।

 

ଆପଣ ଯେତବେଳେ ଏହିପରି ଗୋଟାଏ ପ୍ରସ୍ତାବ ଧରି ମୋ ପାଖରେ ଛିଡ଼ାହେଲେ, ମୋର ମନେହେଲା ଅନ୍ୟ ପୁରୁଷମାନଙ୍କଠାରୁ ଆପଣ ଭିନ୍ନ ଓ ଆପଣ ଆସିଛନ୍ତି ସର୍ବତୋଭାବେ ମତେ ଗ୍ରହଣ କରିବାକୁ ଓ ସର୍ବତୋଭାବେ ନିଜକୁ ମୋ ପାଖରେ ସମର୍ପଣ କରିବାକୁ । ପ୍ରକାଶ୍ୟରେ ଅବଶ୍ୟ ଏପରି କୌଣସି ଚୁକ୍ତି ଆମ ଦୁହିଁଙ୍କ ଭିତରେ ହୋଇନଥିଲା । କେବଳ ଏହି ବୁଝାମଣା ଭିତ୍ତିରେ ମୁଁ ସର୍ବସ୍ୱ ଆପଣଙ୍କୁ ସମର୍ପଣ କଲି ନିଜ ପାଖେ କିଛି ନରଖି ।

 

ଆପଣ ଯଦି ନିତାନ୍ତ ମତେ ଗୋଟାଏ ସାଧାରଣ ସ୍ତ୍ରୀଲୋକ ବୋଲି ଭାବୁଥାନ୍ତି, ତେବେ ଭୁଲ୍ କରିବେ । ଆପଣ ଜାଣନ୍ତି, ଆପଣ ମତେ ପାର୍ଥିବ କିଛି ଦେଇପାରିବେ ନାହିଁ । ଏପରିକି ସହସାଥିତ୍ଵ ପର୍ଯ୍ୟନ୍ତ ନୁହେଁ । ତେବେ କି ଲୋଭରେ କଳଙ୍କ ଅପବାଦ ସହି ନିଜ ଲୋକଙ୍କୁ ପରକରି ଆପଣଙ୍କ ପଛେ ପଛେ ଗୋଡ଼ାଇବି ?

 

ଅନ୍ୟମାନଙ୍କୁ ଆପଣଙ୍କର ଯାହା ଦେବାର ଅଛି, ଯଥା ଅର୍ଥ, ଆଶ୍ରୟ, ମନୋଯୋଗ ଇତ୍ୟାଦି…ସେଥିରୁ କୌଣସିଟା ମୁଁ ସ୍ପର୍ଶ କରିବିନାହିଁ; କିନ୍ତୁ ମୋତେ ଆପଣଙ୍କ ଯାହା ଦେଲବୋଲି ଆପଣ ଶପଥ କରି କହିଥିଲେ, ତାହାର ଅଣୁ ମାତ୍ର ଅନ୍ୟ କେହି ଯଦି ସ୍ପର୍ଶ କରେ, ତାହା ଆଉ ମୋର ସ୍ପର୍ଶଯୋଗ୍ୟ ହୋଇ ରହିବନାହିଁ ।

 

ମତେ ମୁଗ୍‍ଧ କରିଛି ଓ ମୋ ଭିତରର ନାରୀତ୍ୱ ଆପଣଙ୍କ ପାଦତଳେ ଢଳିପଡ଼ିଛି ଦୁଇଟି ଆକର୍ଷଣ ଯୋଗୁ-ପୌରୁଷ ଓ ପ୍ରତିଭା । ତେବେ ଏକଥା ସତ, ବିଶ୍ୱରେ ବହୁ ପ୍ରତିଭାର ଆକାଶଚୁମ୍ୱୀ ଜ୍ୟୋତି ରହିଛି, ସେହିପରି ପୌରୁଷର ସ୍ୱାକ୍ଷର ବି କମ୍ ଲୋକଙ୍କର ନାହିଁ ।

 

ତେବେ କଅଣ ଗୋଟାଏ ଆପଣଙ୍କର ଅଛି, ଯାହାର ସଂଜ୍ଞା ନାହିଁ କି ତାହା ବୁଝାଇ ହେବନାହିଁ…ଏହି ରହସ୍ୟ ଟିକିକର ଦାସୀ ମୁଁ ହୋଇଯାଇଛି–ଏଥିରୁ ଉଦ୍ଧାର ନାହିଁ ।

 

ଆଉ ଏ ଫୁଲ ବଗିଚା ଓ ଆପଣଙ୍କ ହାତର ଅଙ୍କନଶିଳ୍ପ–ଯୁଗେ ଯୁଗେ ରହିଥାଉ; କାରଣ ଏ ଦୁଇଟି ହେଉଛି ଆପଣଙ୍କର ଶକ୍ତିର ଉତ୍ସ ରହିଲି ।

 

ଏକାନ୍ତ ଭାବରେ

ସୁଚରିତା

 

ମହାକାଳର ଗର୍ଭ ଭିତରେ ଶୈଳ, ଶ୍ରାବନ୍ତୀ, ସୁଚରିତା ବିଲୀନ ହୋଇଗଲେ । ସବୁ ଶପଥ, ସବୁ ସଂକଳ୍ପ, ସବୁ ଉଚ୍ଛ୍ୱାସ ସେମାନଙ୍କର କୁଆଡ଼େ ଶୂନ୍ୟରେ ମିଶିଗଲା । କେବଳ ହୃଦୟର ସିଆର ସିଆର ଭିତରେ ରହିଗଲା ଏମାନଙ୍କର ସ୍ମୃତିର ଝଲକ ।

 

ସୁବ୍ରତ ଆଜି ଜରାଜୀର୍ଣ୍ଣ । ପ୍ରତିଭା ମନ୍ଦୀଭୂତ । ଶିଳ୍ପାଙ୍କନ ପାଇଁ ଆଙ୍ଗୁଠି ସିଧା ସଳଖ ରହୁନାଇଁ; ଅଥଚ ରକ୍ତ ଶୁଖି ଯାଇ ନାହିଁ । ସେଥିରେ ବହୁଛି ଏବେ ବି ସୃଷ୍ଟିର ଶତଦଳ ।

 

କଇଁଚିକୁ ଧରି ହାତ ଥରିଯାଉଥିଲେ ବି ସେ ରଙ୍ଗ ବେରଙ୍ଗ କାଗଜକୁ କାଟି ଶୁକପକ୍ଷୀର ଚଞ୍ଚୁ ତିଆରି କରୁଥିଲେ, ଅବା ଗୋଟିଏ ଯୁବତୀର ଆଖି ଡୋଳାକୁ ରୂପ ଦେଉଥିଲେ ।

 

ଆଖି ସ୍ଥିର । ଜ୍ୟୋତି କ୍ରମେ ଝାଉଁଳି ଆସୁଛି ।

 

ସେଦିନ ଥିଲା ସେହି କାଳ ଅପରାହଣ…ଦୂରରେ ମାଇକ୍ ବାଜି ଉଠୁଥିଲା–ଗୋଟାଏ ନୁହେଁ ସହସ୍ର..

 

“ଫାସିଷ୍ଟ ମୁଣ୍ଡ ଟେକୁଛି, ତାର ତଣ୍ଟି ଚିପିଦିଅ । ଆମେ ଯାହା କହୁଛୁ ଓ କରୁଛୁ ଅବା କରିବାକୁ ପରିକଳ୍ପନା କରୁଛୁ, ତାହା ଛଡ଼ା ସବୁ ହେଉଛି ଫାସିଷ୍ଟ ।

 

ବନ୍ଧୁଗଣ ! କିମିତି ଚିହ୍ନିବ ଏ ପାମର ଫାସିଷ୍ଟକୁ ?”

 

ଜନତା ଚିତ୍କାର କଲା–“ଆମେ କିମିତି ଚିହ୍ନିବୁ, ଏକଥା ଆମର ନେତାମାନେ କହିଦିଅନ୍ତୁ-।”

 

ବକ୍ତା କହିଲେ–

 

“ଠିକ୍ କଥା, ଆମେ ଚିହ୍ନାଇଦେଉଛୁ । ତମ ନିଜକୁ ଛାଡ଼ି ସବୁଆଡ଼େ ଫାସିଷ୍ଟ ରହିଛନ୍ତି । ତୁମର ଗୋଟାଏ କାନ ଫାସିଷ୍ଟ ହେଲେ ଅନ୍ୟ କାନ ନହୋଇପାରେ । ତୁମର ଗୋଟାଏ ଆଖି ଯଦି ଫାସିଷ୍ଟ ନୁହେଁ, କିଏ ଜାଣେ ଅନ୍ୟ ଆଖିଟା ଫାସିଷ୍ଟ ହୋଇ ନଥିବ ? କାହାକୁ ବିଶ୍ଵାସ କର ନାହିଁ । କାନ କାନକୁ ବିଶ୍ଵାସ ନ କରୁ, ଆଖି ଆଖିକୁ ବି ନୁହଁ ।”

 

ଶ୍ରୋତାମନେ ଆଖି କାନ ଦରାଣ୍ଡିଲେ । ନିଜନିଜର ଇନ୍ଦ୍ରିୟକୁ ଦେଖିଲେ ।

 

ପୁଣି ଭାଷଣ…ଏଇ ଯେ ସବୁ ତଥାକଥିତ ସାହିତ୍ୟିକ, କଳାକାର, ଶିଳ୍ପୀ ଏମାନେ ରେଜିମେଣ୍ଟେଡ଼ ହେବାକୁ ଚାହୁଁ ନାହାନ୍ତି । ଭାବିଛନ୍ତି ସେମାନେ ଗୋଟାଏ ସ୍ଵତନ୍ତ୍ରଗୋଷ୍ଠୀ । ତାହା ଏ ଶାସନରେ ହୋଇ ପାରିବ ନାହିଁ । ମଇ ଚଲେଇ ସବୁ ମାଟିକୁ ସମତଳ କରିଦିଅ । ହଁ ଶୁଣ ! ଗୀତକୁ ପୋଡ଼ିଦିଅ । ଭଗବଦ୍‍ ଗୀତାକୁ ପାଣିରେ ଭସାଇ ଦିଅ । ତାର ପୃଷ୍ଠାଗୁଡ଼ାକ ଛିଣ୍ଡାଇ ଦିଅ ।

 

ଲୋକମାନେ ପାଟିକଲେ–‘କାହିଁକି ? ହିନ୍ଦୁର ଧର୍ମଗ୍ରନ୍ଥ ନଷ୍ଟ କରିଦେବୁ ? କି କଥା କହିଲ ହେ ?’

 

ପୁନଃ ପୁନଃ ମାଇକରେ ଘୋଷଣା…ହଁ ନଷ୍ଟ କରିଦିଅ । ନିଜେ ନିଜେ ନକଲେ ବୁର୍ଜୋୟା ବିରୋଧରେ ରଥଚକ୍ର ମାଡ଼ିଆସିବ । ଭଗବାନ ଶ୍ରୀକୃଷ୍ଣ କହିଥିଲେ ଚତୁବର୍ଣ୍ଣ୍ୟଂ ମୟା ସୃଷ୍ଟଂ । କିନ୍ତୁ ବିଂଶ ଶତାବ୍ଦୀର ଶେଷଭାଗ ଆହ୍ୱାନ ଦିଏ–ଦୁଇଟା ମାତ୍ର ଗୋଷ୍ଠୀ…ଗୋଟାଏ ଫାସିଷ୍ଟ, ଅନ୍ୟଟା ଆଣ୍ଟି…ଦୁଇ ବର୍ଣ୍ଣ୍ୟଂ ମୟା ସୃଷ୍ଟଂ…ଆମେ ସୃଷ୍ଟି କରିଛୁ ।

 

ଜନତା କରତାଳିଦେଲେ । ବକ୍ତା କହୁଥିଲେ…

 

ଏଇ ଟିକିଏ ଦୂରରେ ଶିଳ୍ପୀ ସୁବ୍ରତ ରାୟର ଖେଳନା କାରଖାନା । ଜୀବନଯାକ ସମୟର ଅପବ୍ୟବହାର କରିଗଲା ଲୋକଟା…କାରଣ ସେ ଫାସିଷ୍ଟ…ସେ ମୂର୍ତ୍ତି ଗଢ଼ୁଛି, ଚିତ୍ର ଅଙ୍କନ କରୁଛି । ବାସ୍, ଏତିକିରେ ମଣିଷ ଜୀବନର ପୂର୍ଣ୍ଣତା ଆସିଗଲା କି–ନା ଆଉ କିଛି ଅଛି ? ଦେଶପାଇଁ, ଜନତା ପାଇଁ କଅଣ ସେ କରିଛି ?

 

ଜନତାର କଳରୋଳ…କେବେ ଓ କିମିତି ଆସିବ ସେଇ ଯେ ପୂର୍ଣ୍ଣତା ?

 

ମାଇକରେ ଉତ୍ତର ଆସିଲା-କୋଡ଼ିଏ ଦଫା ଅର୍ଥନୈତିକ ପ୍ରୋଗ୍ରାମରେ ଏହା ପଡ଼ୁଛି କି-? ଯଦି ନାହିଁ, ତେବେ ତାହା ଗ୍ରହଣୀୟ ନୁହେଁ । ତେଣୁ ସାହିତ୍ୟ, ସଙ୍ଗୀତ, ଚନ୍ଦ୍ରମା, ଫୁଲବଗିଚା, ଚିତ୍ରକଳା, ବାଇନାଚ, ରଥଯାତ୍ରା, ମେଲଣ, ବିଭାଘର, ଆତସବାଜୀ, ଏପରିକି ନରନାରୀର ସମ୍ପର୍କ ଫାସିଷ୍ଟ ଶକ୍ତି ନିର୍ଝରର ଚତୁରଙ୍ଗ ଫୁଆରା । ଶୁଖାଅ ଏହାର ମୂଳ ସ୍ରୋତକୁ । ପ୍ରୋଲିଟାରିଏଟ୍ ପୀଡ଼ନ ସୂତ୍ରରେ ଏଗୁଡ଼ାକ ଆସିଛି ବୁର୍ଜୋୟା ସମ୍ପଦ ଘେନି । ୟାକୁ ଭାଙ୍ଗିବାକୁ ହେବ–ଧ୍ଵଂସ କରିବାକୁ ହେବ । ନିକାଲି ଦିଅ !

 

ହାତତାଳି…ତିନି ତରଙ୍ଗରେ ତରଙ୍ଗାୟିତ ହୋଇ ହାତ ଢାଳି ଚାଲିଲା ।

 

-ବାପା, ସେମାନେ ଭାଙ୍ଗି ଦେଉଛନ୍ତି, ଆମ ବଗିଚା କାନ୍ଥକୁ ଭାଙ୍ଗି ଦେଉଛନ୍ତି । ବାପା, ବାରଣ୍ଡାଉପରୁ ଉଠିଆସ । ତୁମେ ଦେଖିପାରୁ ନଥିବ–ଶୁଣୁଥିବ ନିଶ୍ଚୟ । ବିକଟ ଅଟ୍ଟହାସ କରି ସେମାନେ ଆମ ବଗିଚାର ଫୁଲଗଛଗୁଡ଼ାକ ଉପାଡ଼ି ଦେଉଛନ୍ତି । ବାପା…ଗଲା ଆମର ଫୁଲ ବଗିଚା ନଷ୍ଟହୋଇଗଲା । ବାପା…ବାପା…

 

ଅନ୍ୟରୂପାର ଆର୍ତ୍ତ ଚିତ୍କାର ।

 

ଝିଅ ଅନ୍ୟରୂପାର ମୁହଁକୁ ସୁବ୍ରତ ନିଷ୍ପ୍ରଭ ଆଖିରେ ଚାହିଁ ତାର ଗଣ୍ଡ ଉପରେ ଚର୍ମିଳ ହାତ ଦୁଇଟିକୁ ଖସାଇଆଣିଲେ । ଉଦାସ ଚାହାଣି ପକାଇ କହିଲେ…”ହଁ ମା, ସେମାନେ ଭାଙ୍ଗିଦେବେ । ମୁଁ ଏହାରି ଅପେକ୍ଷାରେ ଥିଲି । କିଛି ରଖିବେ ନାହିଁ । ଶୈଳ, ଶ୍ରାବନ୍ତୀ, ସୁଚରିତାର ଆଦରର ଏଇ ଫୁଲବଗିଚା ତାହାର ସାର୍ଥକତା ପୂରଣ କରିସାରିଛି-ଆଉ ରହିବ କାହିଁକି ?

 

ତୋର ମା’ ସ୍ଵର୍ଗରେ…କିନ୍ତୁ ଏମାନେ ସତ ହେଉ, ମିଛ ହେଉ, ମୋର ପ୍ରତିଭାକୁ ପୂଜା କରିବା ଆଳରେ ମତେ ଯେପରି ସବୁ ସମର୍ପଣ କରିଥିଲେ, ତାହାରି ଭାବାବେଶ ମତେ ସମର୍ଥ କରିଥିଲା କଳିଙ୍ଗ କୃଷ୍ଟିକୁ ଜୀବନ୍ୟାସ ଦେଇ ମୋ ହାତରେ ପୁଣି ସଜାଇବାକୁ । ଏଥିରେ ଅପଚୟ କିଛି ନଥିଲା । ସବୁ ଥିଲା ସଞ୍ଚୟ ।

 

ଯେଉଁମାନେ ମୋର ଛୋଟ ବଗିଚାଟିକୁ ପ୍ରାଣହୀନ କରିଦେଉଛନ୍ତି, ତାଙ୍କୁ ମାଆ କହ, ମୋର ପ୍ରତିବାଦ କରିବାର କିଛି ନାହିଁ । ଯୁଗପୁରୁଷ ସବୁ ବିଧାନ କରୁଛି । ସେମାନେ ସବୁ କଣ ତା’ହେଲେ ଶେଷ କରିଦେଲେ ମାଆ ? ଭାଙ୍ଗି ଦେଲେ ? ହଁ, ପାଚେରିଟା ଭାଙ୍ଗିବାର ଶବ୍ଦ ତ ମୁଁ ଶୁଣିପାରୁଛି ।

 

ଝିଅ ଅନ୍ୟରୂପାର ଆଖିରେ ଅଶାନ୍ତ ଶ୍ରାବଣର ଝରଣା । କହିଲା–ହଁ ବାପା, ସେମାନେ ମାଟିରେ ସବୁ ମିଶାଇଦେଲେ । ଆଉ ଗୋଟାଏ କ’ଣ କଳାପଟା ଆମ ଘର ଆଗରେ ଟାଙ୍ଗିଦେଇଛନ୍ତି ବାଉଁଶଟାଏ ପୋତିଦେଇ ।

 

ସୁବ୍ରତ ହସିଲେ…କଷ୍ଟର ହସ…ପୀଡ଼ିତ ଆତ୍ମାର ହସ…

 

କହିଲେ–ପଢ଼ ମା ! ଆଗାମୀ ନବବର୍ଷ ପାଇଁ, ନବ ଚେତନା ପାଇଁ କି ସନ୍ଦେଶ ସେଥିରେ ଅଛି ?

 

ଅନ୍ୟରୂପାର ଉତ୍ତର–‘ହଁ ବାପା ପଢ଼ ଚି’...

 

ସୁବ୍ରତ ରାୟ ଜଣେ ଅସାଧାରଣ ଫାସିଷ୍ଟ, ଆଉ ଏ ବଗିଚା ବି ଫାସିଷ୍ଟ, ଫୁଲଗୁଡ଼ାକ ଫାଜିଲ…

 

ସୁବ୍ରତଙ୍କର ଓଷ୍ଠଧାର କମ୍ପିଗଲା–‘ଝିଅ ! ଏହାର ଅର୍ଥ କଅଣ ?’

 

-ମୁଁ ଜାଣେନି ବାପା, କିନ୍ତୁ…କିନ୍ତୁ…ଏ କଅଣ ?’

 

-‘କଅଣ ମାଆ, ମୁଁ ଯେ ଭଲ ଦେଖିପାରୁନି..କଅଣ ହେଲା ?’

 

-‘ସେମାନେ ନେଇ ଯାଇଛନ୍ତି, ତୁମର ଜୀବନଯାକର ସାଧନା…ତୁମର ଶିଳ୍ପ, ସ୍ଥାପତ୍ୟ, ସବୁ ଅଙ୍କନ, ଆଉ କହୁଛନ୍ତି.. ଏଗୁଡ଼ାକ ଭାଙ୍ଗିଦିଅ, କାରଣ ଏହା ଭିତରେ ରହିଛି ଅସଂଖ୍ୟ ଫାସିଷ୍ଟ ବୀଜାଣୁ.. ହତ୍ୟାକର, ନଷ୍ଟକର….. ନହେଲେ ସବୁ ସଂକ୍ରମିତ ହୋଇଯିବ ।’

 

‘ଓଃ-ଓଃ’-ଚିତ୍କାର କଲେ ସୁବ୍ରତ…’ଆଉ କଅଣ କରୁଛନ୍ତି ?’

 

-‘ନାହିଁ ବାପା, ଆଉ କିଛି ନାହିଁ…ତେବେ ଅଳିଆ ସେ ଫାଇଲ୍‍ଗୁଡ଼ାକ ବି ନେଇଯାଇଛନ୍ତି…କଅଣ ହେବ, ସବୁ ତ ଗଲା-ଯାଉ, ଏଗୁଡ଼ାକ ଥାଇ କଅଣ ହେବ ?’

 

ସୁବ୍ରତ ଥରଥର ପାଦରେ ଚାଲୁ ଚାଲୁ କହିଲେ–-‘କୁଆଡ଼େ ନେଲେ ? ରୂପା, ବନ୍ଦକର, ସେମାନଙ୍କର ବାଟ ବନ୍ଦକର । ମତେ ମାରିଦିଅନ୍ତୁ, କବର ଏଇଠି ଦେଇଦିଅନ୍ତୁ; କିନ୍ତୁ ଶ୍ରାବନ୍ତୀ, ଶୈଳ, ସୁଚରିତାର ଚିଠି ନଷ୍ଟ କରନ୍ତୁନାହିଁ । ଯଦି ଥାଏ ଫାସିଜିମ୍, ସବୁଥିରେ ଥାଉ ପଛକେ ସେଥିରେ ନାହିଁ; କାରଣ ନାରୀର ସମର୍ପଣ, ଆକୂତି ଯାହା ସେଥିରେ ସଞ୍ଚିତ ରହିଛି, ତାହା ଦିନେ ଏଇ ସୁବ୍ରତକୁ ଯଶର ଉଚ୍ଚ ଶିଖରକୁ ନେଇଥିଲା ମାଆ ! ଫେରାଇ ଆଣ ମାଆ, ତୁ ବୁଝିବୁନି, ସେ କି ସଂପଦ, ଜାତୀୟ ସମ୍ପଦ, କୃଷ୍ଟିର ସଞ୍ଚିତ ମଧୁକ୍ଷର । ଅକ୍ଷର ସେଗୁଡ଼ାକ । ପ୍ରାଣମୟ ଉତ୍ସାହ, ମାଆ ! ଫେରାଇ ଆଣ ।’

 

ଧୀରେ ସୁବ୍ରତଙ୍କ ଆଖି ପତା ନଇଁଆସିଲା । କଣ୍ଠରୁ କଥା ଆଉ ବାହାରିଲା ନାହିଁ । ନଷ୍ଟ ନୀଡ଼ର ପକ୍ଷୀ ଆଉ ଫେରିଲାନାହିଁ । ଶାନ୍ତ ହୋଇଗଲା କାକଳି । କେତେବେଳୁ ମାଟିରେ ମିଶି ଯାଇଥିଲା ଫାସିଷ୍ଟ ବଗିଚା । ସୁବ୍ରତ ମିଶିଗଲେ ସେଇ ମାଟି ଓ ମ୍ଲାନିମାରେ.. ।

Image

 

ରକ୍ତ କରବୀ

 

ହିମାଳୟ, ଓକ୍ ବୃକ୍ଷ, ପାଇନ୍ ବଣ ଆଉ ତୁଷାର ଚିତ୍ରିତ ଶୃଙ୍ଗ ଘେନି ସେଦିନ ହସିଉଠୁଥିଲା ଦାର୍ଜିଲିଙ୍ଗ ।

 

ସେ ହସ ଥିଲା ନୀଳିମ, ପୁଣି ଶୁଭ୍ର, ନମ୍ର…

 

ସୂର୍ଯ୍ୟରଶ୍ମିର ଲହରୀ ସ୍ଵପ୍ନ ସେଠି । ତଟୁ ଘୋଡ଼ାର ଶୈଳଦେହ ଉପର ଖୁରାଶବ୍ଦ ପଥଚାରୀକୁ ସ୍ୱପ୍ନର ଜାଗ୍ରତ ଅବସ୍ଥାକୁ ନେଇଆସୁଥିଲା ।

 

ବାୟୁର ତରଙ୍ଗେ ତରଙ୍ଗେ ନଭଶ୍ଚୁମ୍ବୀ ହୋଟେଲମାଳାର ଗବାକ୍ଷ ଦେଇ ଭାସିଆସୁଥାଏ ନର୍ତ୍ତକୀର କଣ୍ଠ ସହିତ ବହୁ ବିଦେଶୀ ଅର୍କେଷ୍ଟ୍ରାର ସମନ୍ୱିତ ଗୁଞ୍ଜରଣ ।

 

ଏ ଦାର୍ଜିଲିଙ୍ଗ ଶୈଳ-ନିବାସ । ଶୈଳ ହିଁ ଏହାର ଆତ୍ମା । ଶୈଳ ହିଁ ଏହାର ପ୍ରକୃତି । ନଗାଧିରାଜ ହିମାଚଳ ହିମ ବଳୟର ଉର୍ଦ୍ଧ୍ୱକୁ ଉଠିଯାଇ କି ଅବ୍ୟକ୍ତ ଆରାଧନାରେ ପ୍ରଣତି ଜଣାଉଥାଏ ବିଶ୍ୱଧାତାଙ୍କୁ । ଏହିପରି ଗୋଟାଏ ବିଶ୍ୱାତ୍ମ ଆବେଗ ପାଇବି ବୋଲି ଧାଇଁ ଆସିଥିଲି ଏହି ଶୈଳନିବାସକୁ ।

 

ଜୀବନର ମଧ୍ୟାହ୍ନ ଅତିକ୍ରାନ୍ତ । ସାୟାହ୍ନ ବି କ୍ରମେ ଅସ୍ତମିତ । ଅବଶିଷ୍ଟ ନିଶୀଥର ପ୍ରତୀକ୍ଷା । ଯେତେବେଳେ ଚକ୍ଷୁ ଦୁଇଟି ମୁଦ୍ରିତ ହୋଇଯାଇ ଆମନ୍ତ୍ରଣ କରିବ ଜୀବନର ସମାପ୍ତି ଉତ୍ସବକୁ, ସେତେବେଳେ ସରିଯିବ ସବୁ ଦୃଶ୍ୟ ଦେଖା ।

 

ସଂସାର ନୀଡ଼ର ଶବ୍ଦ ଆକର୍ଷଣକୁ ପଛରେ ପକାଇ ସାଜିଥିଲି ପଥର ପଥିକବେଶ । ଇଚ୍ଛା କରିଥିଲେ ଭାରତବର୍ଷର ବଡ଼ ବଡ଼ ସହର ବମ୍ବେ, ମାନ୍ଦ୍ରାଜ, ଲକ୍ଷ୍ନୌକୁ ଯାଇପାରିଥାନ୍ତି; କିନ୍ତୁ ଏ ବିରାଟ ସହରଗୁଡ଼ାକରେ ଜୀବନ-ଲୀଳାର ତରଙ୍ଗାୟିତ ମୋହ ଥାଇପାରେ, ନାହିଁ ସେଥିରେ ଆତ୍ମାକୁ ନିରବଧି ଆନନ୍ଦ ସ୍ରୋତରେ ଭସାଇ ଦେଇ ମଣିଷଜୀବନକୁ ସାର୍ଥକ କରିବାର ଉପାଦାନ ।

ଜୀବନର ଷାଠିଏ ବର୍ଷ ବିତିଗଲା । ପକ୍ଷରେ ଉଡ଼ିବାର ଯନ୍ତ୍ର ଭଗବାନ ଖଞ୍ଜି ଦେଇଥିଲେ । କେଉଁଆଡ଼କୁ ଉଡ଼ିଯିବ, ତାହାର ନିର୍ଦ୍ଦିଷ୍ଟ ପଥରେଖା ଟାଣିନଥିଲେ । ତାହାହିଁ ଭଗବାନତ୍ଵ । ଷାଠିଏ ବର୍ଷ ସରିଗଲା ସମତଳ ସନ୍ତାପିତ ଭୂଭାଗ ଉପରେ । ଆଖି ଚାହିଁଲା ଶେଷରେ ଉପରକୁ ଦେଖିବାକୁ । ଉର୍ଦ୍ଧ୍ୱ ଆକାଶ ତଳେ ଶୈଳ ଶିଖରର ଅପୂର୍ବ ଉନ୍ମୁଖ ସମର୍ପଣ ଭଙ୍ଗୀକୁ ଦେଖିବାକୁ ହୃଦୟ ଡାକଦେଲା । ସେଥିପାଇଁ ବାଛିନେଲି ଦାର୍ଜିଲିଙ୍ଗ ଶୈଳନିବାସ ।

କହିଛି, ସଂସାରକୁ ଭୁଲିବା ପାଇଁ ମୁଁ ଆସିଛି । ପାଇନ୍ ଆଉ ଓକ୍ ବଣ ଭିତରକୁ ଆସିଛି ଜୀବନର ହଜିଲା ଶ୍ରୀ ଖୋଜିବାକୁ । ବନ୍ୟପକ୍ଷୀ ସମାକୁଳ ତୁଷାରଭରା ପର୍ବତ ମଥା ଆଉ ଏଇ ଯେ ପାର୍ବତ୍ୟ ସଦା ପ୍ରଫୁଲ୍ଲ କାମିନୀମାନେ ସ୍ଵଚ୍ଛନ୍ଦରେ ଆରୋହଣ କରୁଛନ୍ତି ଗୋଟାକ ପରେ ଗୋଟାଏ ଗିତିବର୍ମକୁ–ଏଇ ମନୋହର ଭୂମି ମତେ ଅସ୍ଥିର କରେ । ଟିକିଏ ମେଘ ଫାଙ୍କରେ ରଶ୍ମି ଦେଖିଲେ ମୁଁ ଧାଇଁଯାଏ ସୂର୍ଯ୍ୟମଣ୍ଡଳ ଦିଗକୁ ଯିମିତିକି ହାତମୁଠାରେ ସେ ସମ୍ପଦକୁ ମୁଁ ରଖିଦେବି ପୂର୍ଣ୍ଣକରି ।

ଜୀବନରେ କଳା ଓ କବିତାର ପୂଜାରୀ ହୋଇ ରହିଗଲି । ସୃଷ୍ଟି କରିପାରିଲି ନାହିଁ । ବିଶ୍ଵଧାତାଙ୍କୁ ବନ୍ଦନା ଶୁଣାଇବା ପାଇଁ କଣ୍ଠରେ ବି କାକଳି ସଞ୍ଚରିଲା ନାହିଁ ।

କେବଳ ମଣିଷଟିଏ, ଦୈହିକ ଜୀବ । ତଥାପି ଥରେ ଥରେ ଅନନ୍ତକୁ, ଅସୀମକୁ, ଅରୂପକୁ ଖୋଜିବା ପାଇଁ ଅନ୍ତର ହାହାକାର କରେ । ସେହି ହାହାକାରର ନିର୍ମମ ଆଲୋଡ଼ନ ମତେ ଏଠାକୁ ଟାଣିଆଣିଛି, ଦେଖେ ଯଦି ଜୀବନଶ୍ରୀର ମୁକ୍ତାଙ୍ଗନରେ କିଛି ପଦାର୍ଥ ଥାଏ, ଯାହାକୁ ସାଉଁଟିନେଲେ ମୁଁ କିଛି ଦିନ ବଞ୍ଚିଯିବି ଯଥାର୍ଥ ବଞ୍ଚିବା ଉଦ୍ଦେଶ୍ୟରେ ।

ଏବେ କାହାଣୀ କହେ-କଅଣ ମିଳିବ ଆତ୍ମଚିନ୍ତାରେ–ଏମିତି ତ କେତେ କିଏ କଅଣ ନ କହିଛନ୍ତି ! ମୋ କଥାରେ, ମୋ ଅନୁଭୂତିରେ ବିଶ୍ୱକୁ ବିଶ୍ଵାସ ଯୋଗାଇବାର କଅଣ ବା ଅଛି ?

ସେଦିନ ପ୍ରଭାତରୁ ଘୋର ସ୍ତରାୟିତ ପାତାଳା ବରଫ ପଡ଼ୁଥାଏ ତୁଳାର ଜିକ୍ ଜିକ୍ ତନ୍ତୁ ପରି ଆକାଶରୁ । ମଥାରେ କ୍ୟାପ୍, ସର୍ବାଙ୍ଗରେ ଥିଲା ତୁଷାର ଛିଟାରୁ ରକ୍ଷା ପାଇବାପାଇଁ ଅରଣ୍ୟ ପୋଷାକ ।

ନିସ୍ତବ୍ଧ ଭୂମିସୀମା । ନିସ୍ତବ୍ଧ ଯିମିତି ଶିବ ପାର୍ବତୀ କୈଳାସ ଶୃଙ୍ଗରେ । ସର୍ବତ୍ର ଦେହଭାବ । ଏଠାରେ ମଣିଷ ଇଚ୍ଛାକଲେ ବି ନରହତ୍ୟା କରି ପାରିବ ନାହିଁ, ଇଚ୍ଛା କଲେ ବି ହିଂସ୍ର ହୋଇପାରିବ ନାହିଁ; କିନ୍ତୁ ହେଉଛି ତ ! ଧନ୍ୟ ମଣିଷ ! ସ୍ଵର୍ଗରେ ବି ଅମୃତରେ ସେ ବିଷ ଭରିଦେବ-। ମୁଁ ସେ କଥା କହୁ ନାହିଁ । ମୁଁ କହୁଛି ଦେବ-ଦର୍ଶନ ଘଟୁଛି ଏଠି ପ୍ରତି ମୁହୂର୍ତ୍ତରେ ।

ହଠାତ୍ ଅତି ଅସ୍ପଷ୍ଟ ଘଣ୍ଟାଧ୍ଵନି ଶୁଣିବାକୁ ପାଇଲି । କ୍ରମେ ସେ ରବ ସ୍ପଷ୍ଟତର ହେଲା । ଏ ଧ୍ଵନିର ଗୋଟାଏ ଆକର୍ଷଣ ଅନୁଭବ କଲି । ଏହାର ଏକ ନିର୍ଦ୍ଧିଷ୍ଟ ଛନ୍ଦ ଅଛି । ଧ୍ଵନିର ଜଞ୍ଜାଳ ଓ ବିରକ୍ତି ନାହିଁ–ଏହା ପବିତ୍ର, ଶାନ୍ତ ।

ମୋର ପରିଚିତ ଅଛି ଏ ଶବ୍ଦ ସହିତ । ସହରମାନଙ୍କରେ ଯାତ୍ରା କରୁ କରୁ ମୁଁ ସ୍ତବ୍ଧହୋଇ ରହିଯାଏ । ଯେଉଁଆଡ଼ୁ ଭାସି ଆସୁଥାଏ ଏ ନିକ୍ୱଣ, ସେଇଆଡ଼େ କାନ ଡେରେ । ପାଦ ଖେଳାଇ ଚାଲିଯାଏ ଅନୁସରଣ କରି ପ୍ରଭୁଙ୍କ ଆବାସ ଭିତରକୁ, ଯେଉଁଠି ମହମବତୀର ଆଲୋକମାଳା ତଳେ ନର ନାରୀ ମଥା ନତ କରି ପ୍ରାର୍ଥନା କରୁଥାନ୍ତି, ଗାଉଥାନ୍ତି ଈଶ ସ୍ତୁତି ।

ଜଗତକୁ ଜାଗ୍ରତ କରିଦିଏ ଇଶ୍ୱରଙ୍କର ଏ ଅକୁତୋଭୟ ବାଣୀ, ଯାହା ବିସ୍ତାରିତ, ସ୍ପଷ୍ଟତର ଧ୍ଵନି ମାଧ୍ୟମରେ ସଞ୍ଚରିଯାଏ ପ୍ରତି ହୃଦୟକୁ । ଏ ତେବେ କଅଣ ସେହି ପୂତ ଘଣ୍ଟା, ସେଇ ପବିତ୍ର ଈଶ୍ୱର ନିବାସ, ସେଇ ପବିତ୍ର କ୍ରୁଶବିଦ୍ଧ ଅମର ଆତ୍ମାର ଡାକ–ଆସ ମୋ ପାଖେ ଶରଣ ନିଅ, ମୁଁ ଉଦ୍ଧାର କରିବି ।

ହଁ, ଗିର୍ଜା…ସୁନ୍ଦର ଗୋଟିଏ କାଷ୍ଠନିର୍ମିତ ଗୃହ । ଉପରେ କ୍ରୁଶଚିହ୍ନର ଅପୂର୍ବ କାରିଗରି ନିର୍ମାଣ । ପ୍ରଭୁ ଝୁଲିଯାଇଥିଲେ ଏଇ କ୍ରସରେ । ଯୁଗ ଯୁଗ ବିତିଯିବ । ଏ ଚିହ୍ନ ଆବୃତ ସତ୍ୟ ଘେନି ଝଟକୁଥିବ । କଣ୍ଟକଶଯ୍ୟାରେ ତାଙ୍କର ମୃତ୍ୟୁ । ସେ ମରଣ କେଡ଼େ ରମଣୀୟ । କାଳେ କାଳେ ସେ ମୃତ୍ୟୁ ଝରାଉଥିବ ଜୀବନସଙ୍ଗୀତର ଝରଣା ।

ଯିସସ୍ ଖ୍ରୀଷ୍ଟ । ତାଙ୍କରି ମନ୍ଦିର । ପ୍ରାଣରେ ମୋର ଅଶେଷ ଶାନ୍ତି । ଦାର୍ଜିଲିଙ୍ଗର ଅରଣ୍ୟ ଶୈଳମୟ ପ୍ରକୃତି ଆଜି ଏଇ କ୍ଷଣରେ ଇଶ୍ଵରୀୟ ବନ୍ଦନାରେ ବିଭୋର ।

ମୁଁ କ୍ରମେ ଉଚ୍ଛନ୍ନ ହେଲି । ଚଞ୍ଚଳ ପଦପାତରେ ଚାଲିଲି । ଭଗବାନ ଡାକୁଛନ୍ତି । ଉପର ପୋଷାକ ଦେହରୁ କାଢ଼ିନେଇ ବରଫର ଧଳା ଚାଦରକୁ ସେଥିରୁ ଝାଡ଼ିଦେଇ, ମଥା ନତକରି ପ୍ରବେଶ କଲି ମନ୍ଦିର ଅଭ୍ୟନ୍ତରରେ ।

କାହାଣୀ କେବେ କହିବି ? ଆଗ ବସିଯାଏ । ପ୍ରଶାନ୍ତ ହୋଇଉଠୁ ହୃଦୟ-ବେଦୀ । ପଥହରା, ଶାନ୍ତିହରା, ଜଞ୍ଜାଳ ଘେରି ଏ ଆତ୍ମା ପ୍ରଥମେ ଅମୃତ ପାଉ ।

ପ୍ରାର୍ଥନା-ସଂଗୀତ ଗାଇଥିଲେ ସେମାନେ । ଗମ୍ଭୀର ଉଦାତ୍ତ ସେ ଗୁଞ୍ଜନ । ଇଂରେଜୀ, ଆମେରିକାନ୍ ଟୁରିଷ୍ଟ, ବିଚିତ୍ର ପୋଷାକର ସେମାନେ । ଭାରତୀୟ ବି ଅଛନ୍ତି, ବୃଦ୍ଧ ବୃଦ୍ଧା, ନର ନାରୀ…ପୂର୍ଣ୍ଣ ହୋଇଛି ସେ ଧ୍ୟାନମନ୍ଦିର ।

କାହାର ଧ୍ୟାନକୁ ବ୍ୟାଘାତ ନ କରି ଧୀରେ ସର୍ବଶେଷ ଆସନରେ ବସିଲି । ମୁଁ କିଏ ମୋର ବିଚାର ରହିଲାନାହିଁ । ପ୍ରଭୁଙ୍କର ଜଣେ ସନ୍ତାନ । ଆନନ୍ଦ ଓ ଶାନ୍ତି ଅନ୍ଵେଷଣରେ ଆଜି ସେ ପରିବ୍ରାଜକ । କିଛି ମିଳିବାର ଅଭିଳାଷ ନାହିଁ ।

ଆଗରେ ଖ୍ରୀଷ୍ଟମୂର୍ତ୍ତି…ପାଖରେ ଜନନୀ ମାଡ଼ୋନାଙ୍କର ତୈଳଚିତ୍ର । ପରିବେଶ ଭିତରେ ଲକ୍ଷ୍ୟକଲି ଏହି ନିତ୍ୟନୈମିତ୍ତିକ ଗିର୍ଜା ପ୍ରାର୍ଥନା ବନ୍ଦନା ଆସର ନୁହେଁ–କିଛି ବିଶେଷତ୍ଵ ଅଛି । ଏହା ବିଚିତ୍ର ଏକ ସମ୍ଭାର, ଖ୍ରୀଷ୍ଟପୂଜା, ଯାହା କି ମୁଁ ଓଡ଼ିଶାରେ ଦେଖିଛି ଭିନ୍ନ ପ୍ରସଙ୍ଗରେ । ତେବେ କଅଣ ଏହା…

ପ୍ରାର୍ଥନାର ଶେଷ ମୂର୍ଚ୍ଛନା ମିଳାଇଯିବା ପରେ ଜଣେ ସୁଠାମ ସୁନ୍ଦର ଜ୍ୟୋତିର୍ମୟ ବୃଦ୍ଧ ଆସନ ଛାଡ଼ି ଛିଡ଼ାହେଲେ । ହଁ, ସେ ଧର୍ମଯାଜକ । ତାଙ୍କରି ଅଧିନାୟକତ୍ଵରେ ଆଜିର ଉତ୍ସବ ପରିଚାଳିତ । ଶୁଭ୍ର ଚପକନରେ ଆଚ୍ଛାଦିତ ଏହାଙ୍କର ଅଙ୍ଗ । ବକ୍ଷ ଉପରେ ଦୋଳିତ ହେଉଛି କୃଶବିଦ୍ଧ ଯିଶୁ ଶରୀର । ରକ୍ତର ଛିଟାରେ ଈଷତ୍ ଲୋହିତ ବର୍ଣ୍ଣ ଧରିଛି ସେ ସଙ୍କେତ ।

ଇଂରାଜୀ ଭାଷାରେ ଆରମ୍ଭକଲେ-“ଉତ୍ସବର ଶେଷ ପର୍ଯ୍ୟାୟରେ ଆମ୍ଭେମାନେ ଉପସ୍ଥିତ । ଯିଶୁଗୁଣଗାନର ଅବଧି ନାହିଁ । ଗୁଣର ସମୁଦ୍ର ସେ । କେଉଁଠାରେ ଆମେ ତାଙ୍କୁ କଳନା କରିବା ? ଆଜିର ଉତ୍ସବର ମହତ୍ତ୍ଵ ଦୁଇଟି ଭିନ୍ନ ଭିନ୍ନ ଜୀବନ ଅଥଚ ସେହି ପରମାତ୍ମାଙ୍କର ସନ୍ତାନ ସର୍ବସମକ୍ଷରେ ଆଉ ପରମ ପିତା ସମକ୍ଷରେ ପ୍ରତିଜ୍ଞାବଦ୍ଧହେଲେ, ସେମାନଙ୍କର ଆତ୍ମାର ଓ ଶରୀରର ମିଳନ ଘଟିଲା । କେହି ଏ ବନ୍ଧନକୁ ଛିନ୍ନ କରିପାରିବେ ନାହିଁ । ସେମାନେ ପବିତ୍ର ପରିଣୟ ସୂତ୍ରରେ ଆବଦ୍ଧ ହେଲେ । ମାଇଁ ବୟ ଶାଶ୍ଵତ ଆଣ୍ଡ ମାଇଁ ଡଟର ଶାଶ୍ଵତୀ । ଈଶ୍ୱର ସେମାନଙ୍କୁ ଆଶୀର୍ବାଦ କରନ୍ତୁ । ଏମାନେ ଏହି ପ୍ରାଣସ୍ପର୍ଶୀ ପରିବେଶ ଭିତରକୁ, ହିମାଳୟର ନିମ୍ନସ୍ଥ ଦାର୍ଜିଲିଙ୍ଗ ସହରକୁ ଓଡ଼ିଶାରୁ ଆସିଛନ୍ତି ପ୍ରକୃତିର ଶାନ୍ତ ଦିଗ୍‌ବଳୟରେ ଦୁଇଟି ହୃଦୟକୁ ଏକାନ୍ତ ଓ ଏକତ୍ର କରିବାକୁ । ତାହା ସମ୍ପନ୍ନ ହେଲା । ଅବଶିଷ୍ଟ ରହିଲା ଦୁଇଜଣ ଭଦ୍ରବ୍ୟକ୍ତି ସାକ୍ଷୀ ରହି ସ୍ୱାକ୍ଷର କରିବେ ବିବାହ ରେଜିଷ୍ଟରରେ…ଆମେନ୍ ।

ନିଷ୍ପନ୍ଦ ଥିଲି । ଚମକ ପାଇଲି । ଏଠାରେ ଓଡ଼ିଶାରୁ ଆଗତ ଦୁଇ ପରିବାର ଭିତରେ ଶୁଭ ପରିଣୟର ବ୍ୟବସ୍ଥା ! ଆଶ୍ଚର୍ଯ୍ୟ ? କିଏ ଏମାନେ । ଦୂରରେ ଥିବାରୁ କାହାକୁ ମୁଁ ଦେଖିପାରୁନାହିଁ ।

ଧର୍ମଯାଜକ ପୁନର୍ବାର ଗୁରୁଗମ୍ଭୀରଭାବରେ ଡାକଦେଲେ–ୟୁ ମାଇଁ ବୟ, ଆପଣ ଆସନ୍ତୁ । ମୋ ଦୃଷ୍ଟି ଆପଣଙ୍କ ଉପରେ ପଡ଼ିଛି । ଆପଣ ଆସନ୍ତୁ, ଏଇ ପୀଠ ଉପରକୁ ଆସନ୍ତୁ, ଶାଶ୍ଵତ ଶାଶ୍ଵତୀକୁ କଲ୍ୟାଣ କରି ସ୍ୱାକ୍ଷର କରନ୍ତୁ । ଏ ସ୍ୱାକ୍ଷର କେବଳ କାଳି କଲମର ସହଯୋଗରେ ଲିଖିତ ଅକ୍ଷର–ଗୁଡ଼ିଏ ନୁହେଁ । ଏହା ଈଶ୍ୱର ସ୍ନେହାଙ୍କିତ ଭାବମୟ ସ୍ୱୀକୃତି । ଆପଣଙ୍କର ନାମ ?

“-ମିଷ୍ଟର ଯୋନାଥନ ଫ୍ରାଙ୍କ୍ ଆପଣ ଯେ କେହି ହୁଅନ୍ତୁ–ଈଶ୍ୱରଙ୍କର ପୁତ୍ର ଆସନ୍ତୁ । ମୋ ଦୃଷ୍ଟି ଆପଣଙ୍କ ଉପରେ ପଡ଼ିଛି ।”

ମିଷ୍ଟର ଫ୍ରାଙ୍କ ଧୀରେ ମଥା ନତ କରି ଆସି ସ୍ୱାକ୍ଷର ଦେଲେ । ବର ଓ କନ୍ୟା ମଥାରେ ହାତଦେଇ ପ୍ରାର୍ଥନା କଲେ । ବେଶ୍ ଭାବଗମ୍ଭୀର ହୋଇଉଠିଲା ଏ ସର୍ମପଣର ଐକାନ୍ତିକ ଦୃଶ୍ୟ ।

 

ପୁନର୍ବାର ଧର୍ମଯାଜକ ଚାରିଆଡ଼େ ଚାହିଁଲେ । ହଠାତ୍ ତାଙ୍କ ଆଖି ଦୀପ୍ତ ହୋଇଉଠିଲା-। ସେ ହସିଦେଲେ । କହିଲେ–ୟୁ ମାଇଁ ବୟ ! ନୋ ନୋ-ୟୁ, ୟୁ ଆପଣ ଆସନ୍ତୁ । ଆପଣଙ୍କ ଉପରେ ମୋ ଆଖି ପଡ଼ିଛି । ମୁଁ ଗୋଟାଏ ପ୍ରଶାନ୍ତିର ପ୍ରଲେପ ଅନୁଭବ କରୁଛି, ମାଇଁ ବୟ ! ଆପଣଙ୍କ ଉପରେ ମୋର ନେତ୍ରପାତ ହେବାବେଳେ ମୁଁ ଗଭୀର ଆନନ୍ଦ ଅନୁଭବ କରୁଛି । ଆପଣ ଈଶ୍ୱର-ପ୍ରେରିତ ବ୍ୟକ୍ତି ।

 

କିନ୍ତୁ କିଏ ଏ ଭଦ୍ରଲୋକ ? ଡେରି କରୁଛନ୍ତି କାହିଁକି ? ଆସୁ ନାହାନ୍ତି ତ ? ଅତିଥିମାନେ ପଛକୁ ଫେରି ଚାହିଁଲେ । କିଏ ସେ ବ୍ୟକ୍ତି–ଯାହାଙ୍କୁ ଆବିଷ୍କାର କରି ଫାଦରଙ୍କର ଗଭୀର ଆନନ୍ଦ ହୋଇଛି ? କିଏ ସେ ?

 

ଏ କଅଣ ? ମୋର ସର୍ବାଙ୍ଗ ଥରିଉଠୁଛି କାହିଁକି ? ପାଦରେ ପ୍ରକମ୍ପ । ମୋ ଆଖିକୁ କିଛି ଦେଖାଯାଉନି ।

 

ଦେବଦୂତ ଧର୍ମଯାଜକଙ୍କର ଦୁଇଟି ଆଙ୍ଗୁଠି ଗୋଟାଏ ବନ୍ଧୁକର ଅଗ୍ରଭାଗ ଭଳି ମୋରି ଆଡ଼କୁ ପ୍ରସାରିତ । ମୁଁ ତାହାହେଲେ ନିମନ୍ତ୍ରିତ ? କାହିଁକି ?

 

ନା ନା, ମୁଁ ନୁହେଁ, ଆଉ କିଏ ହୋଇଥିବେ । ମୁଁ ଏଠାରେ ଅପରିଚିତ, ପୁଣି ଓଡ଼ିଶାବାସୀ । ତଥାପି ଦେଖିଲି ସେ ଆଙ୍ଗୁଠି ଦୁଇଟି ମତେ ହିଁ ଠାବକରି ଆହ୍ୱାନ ଦେଉଛନ୍ତି...ଆସ, ସ୍ୱାକ୍ଷର କର ।

 

ମୁଁ ହତବାକ୍ ହୋଇ ପଛକୁ ଚାହିଁଲି । ମୁଁ ସର୍ବଶେଷ ବ୍ୟକ୍ତି । ତା ପରେ ତ ଆଉ କେହି ନାହାନ୍ତି ? ତାପରେ...ଆକାଶ, ସୁଦୂର ଶୋଭା ଓ ହିମଶୃଙ୍ଗ...ତା’ପରେ ପୃଥିବୀ । ମୁଁ ଏକପ୍ରକାର ସଂଜ୍ଞା ହରାଇ ବସିଲି ।

 

ହଠାତ୍ କାନ୍ଧ ଉପରେ କାହାର ସ୍ପର୍ଶ । ସେହି ଈଶ୍ୱର ପ୍ରେମିକ ପୁରୋହିତଙ୍କ ସ୍ମିତ ହାସ୍ୟୋଜ୍ଜ୍ୱଳ ମୁଖ ନଇଁଆସିଛି ମୋର ଅବନତ ମଥା ଉପରକୁ । ସେ ମତେ ଛିଡ଼ାକରେଇଦେଲେ, ଆଉ କହିଲେ...

 

“ଏହା ଈଶ୍ୱରୀୟ ଜ୍ଞାନ....ଇନ୍‍ସ୍ପିରେସନ । ମୁଁ ଯେତେବେଳେ ଆପଣଙ୍କୁ ଅଙ୍ଗୁଳି ନିର୍ଦ୍ଦେଶ କରି ଆହ୍ୱାନ ଦେଉଥିଲେ, ସେତେବେଳେ ଭାବନ୍ତୁ ନାହିଁ ଯେ ଫାଦର ଗ୍ରିଗେରୀ ଡାକୁଥିଲା-। ତା’ର କି ଶକ୍ତି ଅଛି କାହାକୁ ଡାକିବି, କାହାକୁ ନ ଡାକିବି ? ମୁଁ ଜାଣେନା ଆପଣ କିଏ-। ଦରକାର ନାହିଁ । କେଉଁ ଜାତିର, କେଉଁ ରାଜ୍ୟର, କେଉଁ ବର୍ଣ୍ଣର-ଆବଶ୍ୟକତା ନାହିଁ । ଆପଣ ପ୍ରଭୁଙ୍କର ସନ୍ତାନ । ଏ କାର୍ଯ୍ୟରେ ଯିସସ୍ ଆପଣଙ୍କ ସହାୟତା ଚାହୁଁଛନ୍ତି । ସେ ଜାଣନ୍ତି ଏହାର ପରିଣାମ କଅଣ । ଆସନ୍ତୁ, ଦ୍ୱିଧା କରନ୍ତୁ ନାହିଁ । ଆପଣ ନିର୍ବାଚିତ ହୋଇଛନ୍ତି ତାଙ୍କରି କରୁଣାରୁ-

 

ମୋ ଆଖିରୁ ସେତେବେଳେ ଜଳଧାରା ଖସିଆସୁଥାଏ । କିଏ ଏହି ଶାଶ୍ୱତ ? ଓଡ଼ିଶାର ପୁଅ ? କିନ୍ତୁ ଶାଶ୍ୱତ ବୋଲି ତ...ତାହାହେଲେ ମାଆ ତାର କରୁଣା ଏଠି ରହିଛି, ସ୍ୱାମୀ ଅନିର୍ବାଣ । ଏମାନେ ଏତେଦୂର ଆସି ଶାଶ୍ୱତର ବିବାହ ସଂପନ୍ନକଲେ ? କାହିଁକି ?

 

ବିବାହ ବେଦି । ଡାହାଣକୁ ଚାହିଁ ଦେଖିଲି ମଥା ପୋତି ବସିରହିଛି କରୁଣା...ସେଇ କରୁଣା । ପାଖରେ ବସିଛନ୍ତି ସିମିତି ମଥା ପୋତି ଅନିର୍ବାଣ । ଟିକିଏ ଦୂରରେ ଧର୍ମଯାଜକଙ୍କର ଆସନ ଆଗରେ ମୋର ଜୀବନର, ଆଦରର ସୁଠାମ ପରିପୁଷ୍ଟ ତାରୁଣ୍ୟର ବିଗ୍ରହ ସହସ୍ର ତେଜ ଶିଖାରେ ଶିଖାୟିତ ଶାଶ୍ୱତ-ପାଖରେ ଅବଗୁଣ୍ଠନବତୀ ସହଧର୍ମିଣୀ ଶାଶ୍ୱତୀ ।

 

ଦେଖିଲି କରୁଣା ଆଖିପତାରୁ ଅଶ୍ରୁ ପୋଛିଦେଇ ତା ଆସନରୁ ଉଠିଆସି ମତେ ଦୁଇଟି ପୁଷ୍ପଗୁଚ୍ଛ ଧରାଇଦେଲା । ଅନିର୍ବାଣ ଚାଲିଗଲେ ଅନ୍ୟଦିଗକୁ । ଅର୍କେଷ୍ଟ୍ରାର ମଧୁଲଳିତ ସ୍ୱନ ଖେଳି ବୁଲିଲା ପ୍ରଭୁ ମନ୍ଦିରର କୋଣ ଅନୁକୋଣରେ ।

 

ମୋ ଜୀବନର ଅପରିକଳ୍ପନୀୟ ଏକ ସତ୍ୟ ଶାନ୍ତ ମୁହୂର୍ତ୍ତରେ ମୁଁ ବିବାହ ରେଜିଷ୍ଟରରେ ସ୍ୱାକ୍ଷର ଦେଲି ଶାଶ୍ୱତ ଓ ଶାଶ୍ୱତୀର ବନ୍ଧନକୁ ସ୍ୱୀକୃତି ଦେଇ । ହାତ ଥରି ଯାଇଥିଲା ଲିପି ସୃଷ୍ଟି କରିବାରେ । ତା’ପରେ ଟାଣି ଆଣିଲି ଛାତି ଉପରକୁ ସେମାନଙ୍କୁ, ନବଜୀବନର ବ୍ରତୀ ଓ ବ୍ରତଚାରିଣୀକୁ ।

 

ଏ କଅଣ ସ୍ୱପ୍ନ ନା ସତ୍ୟ !

 

ଶାଶ୍ୱତ ନଇଁପଡ଼ି ମୋର ପାଦଧୂଳି ନେବାମାତ୍ରେ ମୁଁ ତାକୁ ପୁନର୍ବାର ନିବିଡ଼ ଆଶ୍ଳେଷରେ ଟାଣିଧରିଲି । ସେ କେବଳ ଏତିକି କହିଲା, ଆପଣ ଏଠି ? କି ଆଶ୍ଚର୍ଯ୍ୟ ? ଏଇ ଦୂର ଦାର୍ଜିଲିଙ୍ଗରେ ? ମାମୀଙ୍କୁ କେତେ ଥର କହିଛି ଆପଣଙ୍କୁ ନିମନ୍ତ୍ରଣ କରିବା ପାଇଁ । ମାମୀ କହୁଥାନ୍ତି ଯେ ଆପଣ ଏତେ ବାଟ ଆସିବେ ନାହିଁ-ତା’ ଛଡ଼ା ସେଥିର ଆବଶ୍ୟକତା ନାହିଁ । ଆପଣଙ୍କ ଭଳି ଶୁଭେଚ୍ଛୁଙ୍କୁ ପାଇ ଆମେ ଦୁଇଜଣ ଅତି କୃତଜ୍ଞ ।

 

କାନରେ ମୋର ପ୍ରତିଧ୍ୱନିତ ହେଲା-ଶୁଭେଚ୍ଛୁ, ଶୁଭେଚ୍ଛୁ, ଶୁଭେଚ୍ଛୁ, ...ହାୟ...

 

ଗିର୍ଜା ଶୂନ୍ୟ । ସମସ୍ତେ ଚାଲିଗଲେ । ଉତ୍ସବ ଶେଷ । ରହିଗଲୁ କରୁଣା ଓ ମୁଁ । କରୁଣା କହିଲା–‘ମୁଁ ଆଖିକୁ ବିଶ୍ୱାସ କରିପାରିଲି ନାହିଁ । ତମେ ? ତମେ ?’ ହାତ ଧରିପକାଇ ଅଶ୍ରୁଆଚ୍ଛନ୍ନ ଚକ୍ଷୁରେ ମତେ ଥରେ ଚାହିଁଦେଇ କହିଲା–’ଆସ, ସମସ୍ତେ ଚାଲିଗଲେଣି । ବିଶ୍ରାମ କରିବ ଆସ, ଆମରି ହୋଟେଲରେ; କିନ୍ତୁ କୃତଜ୍ଞ ରହିଲି ତୁମର ଏ ସଂଯମ ଦେଖି । ସଂଯମ ତୁମେ ଦେଖାଇଛ ସାରା ଜୀବନ, ବିଶେଷରେ ଶାଶ୍ୱତର ଜନ୍ମ ମୁହୂର୍ତ୍ତରୁ । ଏପର୍ଯ୍ୟନ୍ତ ଯୋଗସିଦ୍ଧ ପୁରୁଷ ଭାବରେ ଯାହା ଆଚରଣ କରିଆସିଛ, ତାହାର ତୁଳନା ନାହିଁ । ଆମେ କ୍ଷୁରଧାରରେ ଚାଲିଛୁ । କହିରଖେ ତୁମ ରକ୍ତର କରବୀକୁ ତୁମେ ଆଜି ଆଶୀର୍ବାଦ କରିଛ ପୂର୍ଣ୍ଣ ବିକଶିତ ହେବା ପାଇଁ । ଆସ, ମୁଁ ଜାଣେ କି ଦାରୁଣ ଅସହନୀୟ ମୁହୂର୍ତ୍ତ ଥିଲା ତୁମପାଇଁ ।

 

ଆସ ! ତୁମେ ଥରୁଚ, ମୋ ହାତ ଧର, ଗାଡ଼ିକୁ ଉଠିଆସ ।

 

ଶରୀରକୁ କାର ଭିତରେ ଆଉଜାଇଦେଇ ମୁଁ ସ୍ତବ୍‍ଧ ହୋଇ ବସି ରହିଲି କେତେକ୍ଷଣ ।

 

-ପଚାରିଲି–ଶାଶ୍ୱତ ଆଉ ଶାଶ୍ୱତୀ ?

 

-ସେମାନେ ଅନ୍ୟ ଗାଡ଼ିରେ ଉଠିଲେଣି ।

 

-ଅନିର୍ବାଣ ?

 

-ସେ ଏ ଅପ୍ରତ୍ୟାଶିତ ଘଟଣାରେ ପ୍ରାୟ ବିହ୍ୱଳ । ତାଙ୍କ କଥା ସେ ବୁଝିବେ । ସେ ଶକ୍ତି ତାଙ୍କର ଅଛି ।

 

-ମୋ ହୋଟେଲକୁ ମୁଁ ଯିବି । ତୁମର ଏ ଆନନ୍ଦରେ ମୁଁ ନିରାନନ୍ଦ ସୃଷ୍ଟି କରିବି ନାହିଁ ?

 

-ତୁମ ସହିତ ମୋର ଅବସ୍ଥାନ କେବେ ଜୀବନରେ ସୃଷ୍ଟି କରିଛି କି ? ଆଜି କାହିଁକି ଏ କଥା ?

 

-ଗୋଟିଏ ପ୍ରଶ୍ନ ପଚାରିବି ?

 

-ମୁଁ ଜାଣେ ଯାହା ପଚାରିବ ।

 

-ତୁମେ ଚାହିଁଥିଲ ଶାଶ୍ୱତର ବିବାହ ବିଷୟରେ ମୁଁ କିଛି ନ ଜାଣେ ?

 

‘ହଁ’ ଉତ୍ତରଦେଲା କରୁଣା, ବାହାର ପୃଥିବୀ ଆଡ଼େ ମୁହଁ ଫେରାଇ ।

 

-କାହିଁକି ?

 

-ତୁମେ ଜାଣ, ଅଚିନ୍ତ୍ୟ, ତାର କାରଣ । ବିଶ୍ୱର କେଉଁ ଦିଗରେ ଏ ସମ୍ୱାଦ ସଂଚରଣ ନ କରୁ, ସେ ବ୍ରତରେ ମୁଁ ବ୍ରତଶୀଳା ହୋଇ ଏ ଯାଏ ଘୋର ତପସ୍ୟା କରିଆସିଛି । କିନ୍ତୁ ଈଶ୍ୱରଙ୍କ ବିଧାନ ଭିନ୍ନ ହୋଇଗଲା-ନହେଲେ ଶାଶ୍ୱତର ବିବାହବେଳେ ତୁମେ ଦାର୍ଜିଲିଙ୍ଗରେ ?

 

-ହଁ, କରୁଣା ! କାହିଁକି କେଜାଣି ମନ ଅଶାନ୍ତ ହୋଇଉଠିବାରୁ ମୁଁ ବ୍ୟତିବ୍ୟସ୍ତ ହୋଇ ଶାନ୍ତି ଖୋଜିବା ପ୍ରୟାସରେ ଏଠାକୁ ଚାଲିଆସିଲି । ତୁମେ ତାହାହେଲେ ଏ ବିବାହ ଗୋପନ ରଖିବାପାଇଁ ମୋଠାରୁ ଏତେ ଦୂର ଚାଲିଆସିଲ ? କହ କରୁଣା ! କଅଣ ତୁମର ଅଭିପ୍ରାୟ ଥିଲା-?

 

କରୁଣା ଉତ୍ତର ଦେଲା :

 

-ହଁ, ଅଚିନ୍ତ୍ୟ ! ମୁଁ ଜାଣେ ତୁମର ପ୍ରକୃତି କଅଣ । ଅତିମାତ୍ରାରେ ଭାବପ୍ରବଣ ହୋଇ ତୁମେ ଯେ କଅଣ କରିଥାନ୍ତ ବା କହିଥାନ୍ତ, ମୁଁ ସେ କଥା ଚିନ୍ତାକଲି । ସବୁ ପ୍ରକାର ଅପ୍ରୀତିକର ଅବସ୍ଥାକୁ ଦୂର କରିବା ପାଇଁ ମୁଁ ପ୍ରସ୍ତୁତ ହୋଇ ଏହି ପନ୍ଥାର ଆଶ୍ରୟ ନେଲି ।

 

ଯାନ ଚାଲିଥାଏ ସର୍ପିଳ ଗତିରେ ଗିରିପଥ ଦେଇ । ପାଇନ୍ ବଣର ସୁ ସୁ ଶଦ୍ଦ...ପବନର ଲୁଚୁକାଳି ।

 

ମୁଁ କହିଲି–ଦେଖିଲ ତ ମୁଁ ଭାବପ୍ରବଣ ହୋଇନି; କିନ୍ତୁ ବଡ଼ କଷ୍ଟ ।

 

କରୁଣା ହାତ ଧରି ଅନୁନୟ କଲା :

 

-‘ଧନ୍ୟବାଦ, ମନେରଖ, ଶାଶ୍ୱତ ଶାଶ୍ୱତୀ ଆଗରେ ଆହୁରି ଶାନ୍ତ ହୁଅ ! କିଛି ନ ଘଟିଲା ଭଳି ଆଚରଣ କର ! ଶାଶ୍ୱତ ତୁମକୁ ଖୁବ୍ ଶ୍ରଦ୍ଧା କରେ । ସେ କଥା ତୁମେ ଜାଣ । ସେ ବି ଆଶ୍ଚର୍ଯ୍ୟ ହୋଇଛି ତୁମକୁ ଦେଖି ହଠାତ୍ ଏମିତି ଏଇ ପରିବେଶରେ ।

 

ମୁଁ କରୁଣାକୁ ଆଶ୍ୱାସ ଦେଇ କହିଲି–ମୋର ଗୋଟିଏ ପ୍ରଶ୍ନ ମାତ୍ର । କହ କରୁଣା, ଧର୍ମଯାଜକ ପୁରୋହିତ ମତେ ସାକ୍ଷୀଭାବରେ ଠାବ କଲେ କିପରି ? ଜୀବନରେ ତାଙ୍କ ସହିତ ମୋର କେବେ କେଉଁଠି ସାକ୍ଷାତ୍ ହୋଇନି । ସେ ଦାର୍ଜିଲିଙ୍ଗବାସୀ, ମୁଁ ଓଡ଼ିଶାର...କେମିତି ସମ୍ଭବହେଲା ?

 

ଏତିକିବେଳେ କରୁଣାର ଆଖିରୁ ବିଗଳିତ ଅଶ୍ରୁଧାରା ଗଡ଼ିଆସିଲା ।

 

ମୁଁ କହିଲି–ଏ ପ୍ରଶ୍ନ ତୁମକୁ କଷ୍ଟ ଦେଇଥିବ; ମାତ୍ର ମୋର ମନେ ହେଉଛି ଈଶ୍ୱରଙ୍କ ଦୃଷ୍ଟିରେ ଆମର ପୂର୍ବ ଆଚରଣରେ ଆମେ ଅପବିତ୍ର ନୋହୁଁ । ତୁମେ ମତେ ଆକାଂକ୍ଷା କରିଥିଲ, ମୁଁ ବି...ସେ ଥିଲା ପଚିଶ ବର୍ଷ ତଳର ଦୁଇ ଆତ୍ମାର ମିଳନ ଉତ୍ସବ । କହ କରୁଣା ! ମନ୍ଦିରରେ ଯେ ଯୁଗ୍ମ-ଜୀବନର ପ୍ରତିଷ୍ଠା ହେଲା ସେଇ ଆଡ଼କୁ ଅନାଇଁ କହ, ଆମେ କଅଣ ଅପବିତ୍ର ? ତାହାହେଲେ ଶାଶ୍ୱତର ପରିଣୟବେଳେ ମତେ ପ୍ରଭୁ ଦାର୍ଜିଲିଙ୍ଗକୁ ଆଣିଲେ କାହିଁକି ? ସବୁ କ୍ଷାଳନ କରିଛନ୍ତି ସେ ତାଙ୍କର ଅମୃତ କ୍ରୁଶ ସ୍ପର୍ଶରେ...ନୁହେ କି ?

 

ହଁ ଅଚିନ୍ତ୍ୟ, ଏହା ମୁଁ ବି ବୁଝିପାରୁନି, ଏ ଘଟଣା ଘଟିଲା କିପରି...ଏଇଠି ମାନବର ପ୍ରଜ୍ଞା ଲୋପପାଇଯାଏ; ଈଶ୍ୱରାନୁଭୂତିରେ ସଂସାର ଚାଲେ । ସମସ୍ତେ ପଚାରୁଛନ୍ତି ଦାର୍ଜିଲିଙ୍ଗ୍ ରେ ଏ ବିବାହ କାହିଁକି ? ଏତେ ଦୂର, ଏତେ ପଥ ପରିଶ୍ରମ ? ଏହାର ଉତ୍ତର ମୁଁ କାହାକୁ କିଛି ଦେଇ ପାରିଲିନାହିଁ, ଅଚିନ୍ତ୍ୟ !”

 

ହୋଟେଲ ପ୍ରାଙ୍ଗଣରେ ଗାଡ଼ି ଠିଆହେଲା । ସ୍ୱାଗତ, କୋଳାହଳ, ଚିତ୍କାର...ଶାଶ୍ୱତ ଦଉଡ଼ିଆସି କହିଲା–ମାମି ଏତେ ଡେରିକଲ ? କାହାନ୍ତି ଅଚିନ୍ତ୍ୟବାବୁ ? ଏଇ ଯେ ଆସନ୍ତୁ, ଆସନ୍ତୁ-

 

ଅନିର୍ବାଣ ହସି ହସି ହାତ ବଢ଼ାଇଲେ... ସେ ହାତ ଏକାଥରକେ ବଢ଼ିଆସିଲାନାହିଁ । ଥମିଗଲା । ତଥାପି ସହୃଦୟତା...ଆସ ଅଚିନ୍ତ୍ୟ !

 

କରୁଣା ଏକ ଭିନ୍ନ ରସ, ଭିନ୍ନ ଭଙ୍ଗିମା, ଭିନ୍ନ ଶରୀରର ହୋଇଯାଇ ସମସ୍ତଙ୍କ ସ୍ୱର ସହିତ ସ୍ୱର ମିଳାଇ କହିଲା–‘‘ଆସ ଅଚିନ୍ତ୍ୟ, ତୁମକୁ ପାଇ ଆମେ ସମସ୍ତେ ଆନନ୍ଦିତ । ଜାଣିପାରୁଛି ଡିନର ରେଡ଼ି ।” ଶୀଘ୍ର ଚାଲିଗଲାବେଳେ ମୋରି ଆଡ଼େ ମଧୁର କଟାକ୍ଷ ଢାଳି ସତେ ଯିମିତି ସେ କହୁଥିଲା, “ସହିନିଅ ଏ ସବୁ “ଅଚିନ୍ତ୍ୟ” ଡାକ, ମୋଠାରୁ ବି । କ୍ଷମାକର ପ୍ରିୟତମ, ଜନ୍ମଜନ୍ମାନ୍ତରରେ ରହିଯିବ ଏ ଅବଲୁପ୍ତ ରହସ୍ୟ ଏମିତି ଆଚ୍ଛନ୍ନ ହୋଇ । ମୁଁ ଜାଣେ, ତୁମର ରକ୍ତ କଥା କହିବାକୁ ଉଚ୍ଛନ୍ନ ହେଉଛି । ଶତ ଝଙ୍କାରରେ ଝଙ୍କୃତ ହେବାକୁ ତାହା ଇଚ୍ଛା କରୁଛି; କିନ୍ତୁ ନା-ନା-ନା ତମେ ବୁଝୁଥିବ ପ୍ରିୟତମ !”

 

ପାଇନ୍ ଗଛମାଳାରେ ଗର୍ଜୁଛି ସମୀରଣ । ଗଭୀର ରାତ୍ରି । ଧବଳ ତୁଷାରର ଛିନ୍ନ ଛିନ୍ନ ସୂତାଖିଅରେ ଆବୃତ ହୋଇଛି ଦାର୍ଜିଲିଙ୍ଗ୍ ।

 

ଆର କକ୍ଷରେ ଅନିର୍ବାଣ ଆଉ କରୁଣା । ମୁଁ ଏ କକ୍ଷରେ ବସିରହି ଶଯ୍ୟା ଉପରେ ଦେଖୁଥିଲି ଗବାକ୍ଷର କାଚମଧ୍ୟରେ ବିଶ୍ୱବିଭୂତିରେ ସଂଯୋଜିତ କରୁଣା ସହିତ ଆଦ୍ୟ ପ୍ରଣୟର ସାର୍ଥକ ଦୃଶ୍ୟଦୃଶ୍ୟାନ୍ତର ।

Image

 

Unknown

ନେତ୍ରୀର ନେତ୍ର

 

ଲୋକଟାର ମୁହଁରେ ମେଞ୍ଚାଏ ଦାଢ଼ି । ଅଧାଲଙ୍ଗଳା । ବିଦ୍ୟୁତ୍ ମଶାଲ ପଡ଼ିଆର ଅର୍ଦ୍ଧ ଆଲୋକିତ ଗୋଟାଏ ସନ୍ଧିରେ ଛିଡ଼ାହୋଇ କଅଣ ଗୁଡ଼ାଏ ବକବକ୍ କରୁଥାଏ ।

 

ଷ୍ଟେସନରେ ଲୋକ ଗହଳି । ପୁଲିସ ବାହିନୀ । ତାଙ୍କର କମରପଟି ଓ ଆଖିର ତେଜ ଚକ୍ ଚକ୍ କରୁଥାଏ ।

 

ଯେଉଁମାନେ ଗରୀୟାନ୍ ଓ ଗୌରବବାନ୍, ଉଭୟ, ସେମାନେ ଉଚ୍ଚ ପଦବୀରେ ରହିଥିବାରୁ ସେ ପଡ଼ିଆରେ ତାଙ୍କର ସ୍ଥିତି ଉତ୍ସବଟିକୁ ସାର୍ଥକ କରିଥାଏ । ସେମାନଙ୍କର ଭାବଭଙ୍ଗୀ ଓ କେବଳ ଆକାଶକୁ ଚାହିଁ ତାଙ୍କର ଗୌରବକୁ ପରିମାପ କରିବାର ଠାଣିଟି ବଡ଼ ଆମୋଦଦାୟକ ହୋଇଥିଲା ।

 

ଜଣେ ହୋଟେଲ ମ୍ୟାନେଜର ହାତ ବଢ଼ାଇଦେଲେ ଜଣେ ମନ୍ତ୍ରୀଙ୍କ ଆଡ଼େ ବଡ଼ ବିଚଳିତ ଚାହାଣିରେ । ସଗୋତ୍ରୀ ସେମାନେ କିପରି ବା ହେବେ ? ତେବେ ହୋଟେଲ, ରଙ୍ଗାଳୟ ଓ ଅନେକ ଅନେକ ସ୍ଥାନରେ ସେମାନଙ୍କର ପୂର୍ବ ପରିଚିତ ଥିବ ।

 

ମ୍ୟାନେଜର ଭାବିଥିଲେ ମନ୍ତ୍ରୀ ଅନୁରୂପ ବିଚଳିତହୋଇ ତାଙ୍କୁ କୁଣ୍ଢାଇ ପକେଇବେ–ଏ ଆଶା ତ ସମସ୍ତଙ୍କର ଥାଏ, ନହେଲେ ପାନ ନଖାଉଥିବା ମନ୍ତ୍ରୀଙ୍କୁ ପାନ ଯାଚନ୍ତେ ଏତେ ଲୋକ କାହିଁକି ?

 

ଓଡ଼ିଶାକୁ ଟେଲିଭିଜନ ଆସିଯିବାରୁ ମଣିଷର କଳା, ଗୋରା, ପଚାରଙ୍ଗିଆ ମୁହଁଗୁଡ଼ାକ ଏବେ ଆଉ ଜନ୍ମିତ ଚମଡ଼ାରେ ଜ୍ୟେତି ଝରାଉନାହାନ୍ତି । ଜ୍ୟୋତିର୍ମୟ ଟେଲିଭିଜନ କୃପାରୁ ସବୁ ତୋଫା ଦୃଶ୍ୟ ହୋଇଛି ।

 

ଝଲକ ଝଲକ କରି ଆଲୁଅ ବୃତ୍ତରେ ସମସ୍ତେ ଧରାପଡ଼ିଯାଇ ଗୋଟାଏ ବର୍ତ୍ତୁଳଧାରାରେ ଆଭାନ୍ୱିତ ହେଉଥାନ୍ତି ।

 

ସ୍ନିଗ୍ଧ ଚନ୍ଦ୍ରମଣ୍ଡଳ ସୃଷ୍ଟି କରୁଥାଏ ମର୍କରୀ ଆଲୁଅ । ଛେକବାଡ଼ ଭିତରେ ଅଗଣିତ ନରନାରୀ । ବଡ଼ ବଡ଼ ଲୋକ ଓ ତାଙ୍କର ସହଧର୍ମିଣୀଙ୍କ ଆଡ଼କୁ କ୍ୟାମେରା ଘୂରୁଥିବାବେଳେ ଛୋଟ ପିଲାଏ ସେଇଠି ରଜଘଷ ହେଉଥାନ୍ତି ।

 

ଉତ୍ସବଟା ହେଉଛି, ଶ୍ରୀଜଗନ୍ନାଥ ଚଳମାନ ହେବେ । ବ୍ରହ୍ମ ସାକାର ରୂପରେ ଗତିଶୀଳ ହେବେ । ଗତିରେ ବିଶ୍ୱପତିଙ୍କୁ ମାତ୍ର ଏଗାର ଘଣ୍ଟାରେ ହାବଡ଼ା ପୋଲ ପାଖରେ ପହଞ୍ଚାଇ ନବାର ଏ ମନୋହର ଉତ୍ସବ ।

 

ମାଦଳା ପାଞ୍ଜି କେଉଁ ପର୍ଯ୍ୟନ୍ତ ଲିଖିତ କହିହେବନାହିଁ । ଏବେ ଲେଖାହେଉଛି କି ନା ଜଣାନାହିଁ । ଯେଉଁ କରଣମାନେ ଲେଖୁଥିଲେ, ସୂତା ଖିଅକୁ ଏ ଭିତରେ ଛିଣ୍ଡେଇ ପକେଇଛନ୍ତି କି ରଖିଛନ୍ତି, ତା ବି କହିହେବ ନାହିଁ । ଏ ଉତ୍ସବଟି ମାଦଳାପାଞ୍ଜିରେ ପରିଶୋଭିତ ହୋଇ ସାକାର ଶ୍ରୀ ଜଗନ୍ନାଥଙ୍କ ଗତିକୁ ବକ୍ଷରେ ଧରିବ ତ ?

 

ସେଇ ଲୋକଟା ସେମିତି ପାଟିକରୁଥାଏ । ତା’ ଚାରିପଟେ ଚାରିଟା କନେଷ୍ଟବଳ ଛକି ରହିଛନ୍ତି । ଏମିତି ମନୋଜ୍ଞ ଅନୁଷ୍ଠାନକୁ ସେ ବିଶ୍ୱାସ କରିଦେବ କି ?

 

ଟ୍ରେନ ଡବା ଉପରେ ଗାର୍ଡ଼ କୋଠରି ପାଖକୁ ବଳଭଦ୍ର ଲମ୍ବାଳିଆ ମୁହଁ ଧରି, ଜଗନ୍ନାଥେ କାକୁସ୍ଥ କାନ୍ଦୁରିଆ ଆଖି ମେଲି, ଆଉ ସୁଭଦ୍ରା ଦୁହିଁଙ୍କ ଭିତରେ ଆଶ୍ୱସ୍ତା ରହି, ଯାହା ଘଟିବ ଘଟୁ ପଛକେ ସେ ଯେ ନୀରବରେ ଦୁଇ ଭ୍ରାତାଙ୍କ ପଞ୍ଜରାକୁ ଲାଗି ରହିଛନ୍ତି...ଏମିତି ନିଜକୁ ବୋଧଦେଇ ବୈଠା ଉପରେ ଦେବତାମାନେ ବସିଛନ୍ତି । ଏପରି ସେମାନେ କେବେ କୁଆଡ଼େ ଯାଇନଥିଲେ । ଅବଶ୍ୟ ଥରେ କଳାଘୋଡ଼ା ଧଳାଘୋଡ଼ା ଉପରେ ସବାରହୋଇ ଭକ୍ତ ଶିରୋମଣି ଗଜପତିଙ୍କର ଟେକ ରଖିବାକୁ ଧାଇଁଯାଇଥିଲେ । ହାତରେ ଥିଲା ଲଗାମ । ଇଚ୍ଛାମାତ୍ରକେ ଅଶ୍ୱକୁ ଅଟକାଇ ପାରୁଥିଲେ, କୋରଡ଼ା ମାଡ଼ରେ ଦ୍ରୁତ ଧାବିତ କରିପାରୁଥିଲେ । ଅବତରଣକରି ମାଣିକୀ ସହିତ ଐଶ୍ୱରୀୟ ରସିକତା କରିଥିଲେ ।

 

ମାତ୍ର ଏ ଯେ କାକୁସ୍ଥପଣିଆ, ନିଜର କିଛି କରିବାର ନାହିଁ, ଏ ଘୋଡ଼ା ନୁହେଁ, ଟ୍ରେନ୍-ସେମାନେ ବି ଚାଳକ ନୁହନ୍ତି, ଚାଳକ ହେଉଛନ୍ତି ଅନ୍ୟମାନେ । କୁଆଡ଼େ ଯିବେ, କଣ କରିବେ, କିଛି ଜାଣନ୍ତି ନାହିଁ । ଲାଜ ସଂକୋଚରେ ଅବା ମୁହଁ ଲୁଚାନ୍ତେ, ତା ବି ସମ୍ଭବ ନୁହେଁ । ତାଙ୍କ ଚାରିପଟେ ଉଜ୍ଜ୍ୱଳ ପ୍ରଦୀପମାଳା ।

 

ସେଇ ଅନ୍ଧାରୁଆ ଗଳିରେ ଠିଆହୋଇଥିବା ଲୋକଟା ନିଃଶ୍ୱାସ ନେଲା । ବିଡ଼ିଟାଏ ଟାଣିଲା... ପୁଣି କହିଲା... ହେ ମାଆ ! ଏ ଯେଉଁ ପଡ଼ିଆଟା ନାଁ, ଏଠି ମୋ ଭାଇ ଭଉଣୀ, ଛତରଖିଆ କେତେ କୋଷ୍ଠିଆ ଆମେ ଶୋଇଥାଉ, ଏତିକିବେଳେ ଦୁଃଖସୁଖ ହଉ । ସବୁଦିନ ତ ଏ ଷ୍ଟେସନରୁ ଗାଡ଼ି ଛାଡ଼େ ଓ ଆସେ, ଆଜି ଏତେ ଆଲୁଅ, ଏତେ ଲୋକ କିଆଁ ? ହଁ ବୁଝିଲି, ଆମ ଲକ୍ଷ୍ମୀ ଆସିଛନ୍ତି ।

 

ଲୋକଟାକୁ ଗୋଟାଏ ସିପାହୀ ଠେଙ୍ଗାରେ ଠେଲିଦେଇ କହିଲା–ଆବେ ଚୁପ୍...ବକ୍ ବକ୍ କରନା, ଚୁପ୍-ଗାଡ଼ିଟା ଛାଡ଼ିଦେଉ, ତେଣିକି ତୁ ହଲ୍ଲା କରୁଥା ।

 

ସବୁ ଜଗନ୍ନାଥଙ୍କ ଲୀଳା । ହସମାଡ଼େ...ଜଗନ୍ନାଥେ ବି ଅଭିନୟ କରୁଛନ୍ତି ।

 

ସବ୍ୟସାଚୀ ପାଖେ କି ଅଭିନୟ ସେ ନକଲେ ?

 

ବାଳିକୁ ନିହତ କରିବା ଆଗରୁ କି ଅଭିନୟ ସେ ନକଲେ ?

 

ଜରା ଆଖି ଆଗକୁ ହରିଣକାନ ଭଳିଆ ନିଜ ପଦାରବିନ୍ଦକୁ ଦୃଶ୍ୟ କରି କି ସମ୍ମୋହିତ ଅଭିନୟ ସେ ନ କଲେ ?

 

ଯେଉଁଠି କୂଟ କରିବାକୁ ପଡ଼ିଛି, ଛନ୍ଦ କରିବାକୁ ପଡ଼ିଛି, ସେଠି ଏମିତି କରିଛନ୍ତି । ପଚାରିଲେ ବିଶ୍ୱକଲ୍ୟାଣ ପାଇଁ...ଏ କଥାର କି ବା ଉତ୍ତର ଅଛି ?

 

ଜଣାପଡ଼ିଲା ଟ୍ରେନଟା ଅଭିମାନର ଆଭିଜାତ୍ୟ ରଖି ବଡ଼ ମହରଗ କଟକ ସହରକୁ ଛୁଇଁ ଯିବନାହିଁ । ଜଗନ୍ନାଥ ରେଳ କିମିତି ଗଜପତିଙ୍କ ଗଢ଼ା, ଭଗ୍ନ ବାରବାଟୀ ଦୁର୍ଗକୁ ଚାହିଁ ଚାହିଁ ଯିବ ? ଶ୍ରୀଚୈତନ୍ୟ ପାଦପଙ୍କଜରେଖାକୁ ଦେଖି ନଈକୂଳିଆ ସମୀର ଉପଭୋଗ କରିବ ?

 

ତା ବକ୍ଷରେ ଦିନ ରାତି ସ୍ୱର୍ଗ ଭବନଠାରୁ ରାଜଭବନ ଯାଏ, ସାଗର ନୀଳ ଜଳରେ ପହଁରି ପହଁରି ଛିଡ଼ାହୋଇ ଯାଇଥିବା ପୁରୁଷ କାମିନୀମାନେ, ଝାଉଁବଣରେ ଶିହରିତ ଅଙ୍ଗ ନେଇ ବିହାରକରୁଥିବା ଏବଂ ବଡ଼ ବଡ଼ ଭୋଜନାଗାରରେ ତୃପ୍ତ ହୋଇଥିବା ଯାତ୍ରିଗଣ ଶୋଇପଡ଼ିବା ପୂର୍ବରୁ ନିଶ୍ଚୟ ପ୍ରାର୍ଥନା କରିଥିବେ-

 

“ସର୍ବେ ଭବନ୍ତୁ ସୁଖିନଃ

ସର୍ବେସନ୍ତୁ ନିରାମୟାଃ ।”

 

କଟକ ସେମାନଙ୍କୁ କାଳେ ଉଠାଇଦେବେ, ତେଣୁ ଜଗନ୍ନାଥ ଇଚ୍ଛାକଲେ ନଇଁ ନଇଁ ପାରହୋଇଯିବେ ମରକତ କେଶରୀଙ୍କ ବାଡ଼କୁ, ସଦ୍ୟ ଜାଗ୍ରତ ଗଜପତି ସୈନ୍ୟ ଛାଉଣୀର କଙ୍କାଳ ବାରବାଟୀକୁ ।

 

ବିରଜା ମୁହଁ ଶୁଖେଇଲେ । ଅନୁଯୋଗ ଯେ, ବିମଳା ଆଗରୁ କିଛି ଉଦନ୍ତ ଦେଲେନାହିଁ-। ଯେତେ ଟ୍ରେନ ଆଜିଯାଏ ଯାଇଛି ଆସିଛି, ବିରଜା ଅଧିଷ୍ଠାନ ପାଖରେ ମଥା ନଇଁ କହିଯାଇଛି । ଏକ ତନ୍ତ୍ର ଦେବତାଠାରୁ ଅନ୍ୟ ଏକ ତନ୍ତ୍ର ସାଧିକା ସ୍ନେହ ସଦ୍ଦିଚ୍ଛାର ପଥ..କେହି ଏ କଥା ବୁଝିଲେନି-

 

କିନ୍ତୁ ଏ କଅଣ ହେଲା ? ବିରଜାକ୍ଷେତ୍ର ଛୁଇଁଲେନାହିଁ ଶ୍ରୀଜଗନ୍ନାଥ, ଏପରିକି ଅତି ପାଖ, ସୈକତ ଭଉଁରିରେ ପାଦ ନୂପୁର ପୋତି ରସରାଜ ଭାବଗ୍ରାହୀ ଶ୍ରୀ ଗୋପାଳ ଯେ ରାଧାରାଣୀଙ୍କୁ ଧରି ଛିଡ଼ାହୋଇଛନ୍ତି ସାକ୍ଷୀଗୋପାଳ ତୀର୍ଥରେ, ସେଠି ବି ଜଗନ୍ନାଥେ ଥମିଲେନି । ଏକାବେଳକେ ଗଙ୍ଗା ଧାମ, ଦକ୍ଷିଣେଶ୍ୱର କାଳୀବାଡ଼ି, ବେଲୁର ମଠ !

 

ଅସଲ ମୁହୂର୍ତ୍ତଟି ଆସିଗଲା । ମାଦୁରୀ କୃଷ୍ଣମୂର୍ତ୍ତି ଡ୍ରାଇଭର ସିଗ୍‍ନାଲ କଲେ । ନୀଳ ଆଲୋକ ଟେକିଲେ ନେତ୍ରୀ । ଶ୍ରୀ ଜଗନ୍ନାଥଙ୍କ ଚକାଡ଼ୋଳାଆଡ଼େ ପ୍ରସାରିତ ହେଲା, ସେ ଆଲୋକ ମଥାର ଅବଗୁଣ୍ଠନ ତଳେ ନୀଳ ବାରିଧିର ସମୀର ସ୍ପର୍ଶରେ କମ୍ପିଗଲା; ମାତ୍ର ଉଜ୍ଜ୍ୱଳ ଜଳୁଥିଲା ତାଙ୍କର ଦୁଇଟି ନେତ୍ର…ନେତ୍ରୀର ନେତ୍ର, ଯେଉଁ ଚକ୍ଷୁ ତଳେ ଓଡ଼ିଶାର ଭାବି ଶ୍ରୀର ବଡ଼ ଯୋଜନା ଝଲସିଯାଏ ପ୍ରତି ମୁହୂର୍ତ୍ତରେ-କଳ୍ପନା, ଯୋଜନା, ଅସମ୍ଭବକୁ ସମ୍ଭବ କରିବାରେ ସାର୍ଥକ ଚେତନା–କେତେ ସ୍ୱପ୍ନ… କେତେ ସତ୍ୟ ।

 

ଟ୍ରେନ ଧାଇଁଥାଏ ଜଗନ୍ନାଥ ନାମ ଧରି । ବସିରହିଥିଲେ ନିର୍ବାକ୍ ନିସ୍ପନ୍ଦ ନେତ୍ରୀ ନିଜ ସାଲୁନରେ ।

 

ଭାବରୁ ଭବାନ୍ତର ଘେନି ବିହଗପକ୍ଷ ଧରି ସେ ଉଡ଼ୁଥିଲେ–‘ସତରେ ଏ ଦେଶର ଭାଗ୍ୟ ଫେରିବ । ଏଇ ଛନ୍ଦରେ, ଏଇ କମ୍ପନରେ, ଏଇ ଅଗ୍ରସରଣରେ ଅନ୍ଧାରର ବୁକୁ ଚିରି, ଆଲୁଅର ଶିଖା ଧରି, ପର୍ବତ ଫଟାଇ, ମେଦିନୀ କମ୍ପାଇ ଓଡ଼ିଶାର ଦାରିଦ୍ର୍ୟ, ଅଶିକ୍ଷା, କୁସଂସ୍କାର ହୀନମନ୍ୟଭାବର କାହିଁ କେବେ ଲୋପଘଟିବ ।’

 

ଚକ୍ଷୁ ମୁଦ୍ରିତ

 

ଚୈତନ୍ୟ ଚିତ୍ତବୃତ୍ତି

 

ମାଇଲ୍ ମାଇଲ୍ ଧରି ବହୁ ପଥ ଆଗକୁ ଲମ୍ବିଛି

 

ବହୁ ପଥ...

 

ନେତ୍ରୀର ନେତ୍ର ଯେତିକି ଦେଖିଛି, ତାହାଠାରୁ ପ୍ରସାରିତ ବହୁ ପଥ-ବିଶ୍ୱାସର ପଥ ।

Image

 

ଭାରତବର୍ଷ

 

କନ୍ନଟପ୍ରେସ୍‍ରୁ ସାଉଥ୍ ଏକ୍‍ସଟେନସନ୍….ଟୁରିଷ୍ଟ ବସରେ ଯନ୍ତର ମନ୍ତର ରୋଡ଼ରୁ “ହା ରାମ” ଗାନ୍ଧିଘାଟ ଯାଏ–ଲାଲ୍ କିଲ୍ଲା...ପାଖେ ପାଖେ ଶାନ୍ତିବନ-ଶାସ୍ତ୍ରୀ ସମାଧି-ମୌଲନା ଆଜାଦ୍ କବର । ମଣ୍ଡି ହାଉସ୍ ଆଗରେ ସାହିତ୍ୟ ସାଧକଙ୍କର ମେଳା-ଏକାଡ଼େମୀର ଉତ୍ସବ । ପାଖରେ ଟେଲିଭିଜନ୍ ପାଇଁ ଆଗନ୍ତୁକ ଶିଳ୍ପୀଙ୍କର ତାଲିମ୍ କ୍ଳାସ୍ ।

 

ସବୁ ସୁନ୍ଦର, ସବୁ ଅଭିରାମ ।

 

ନର୍ବାଚନ ସମୟ, ଓଡ଼ିଶାରେ ଭୋଟ ଗଣତି । ଦିଲ୍ଲୀ ସହର ଉନ୍ମୁଖ... କୋଣାର୍କ, ଜଗନ୍ନାଥ ଦେଶର ସାଧୁ ସନ୍ଥ, ଧର୍ମଜ୍ଞ ଭୋଟ ଦେଉଛନ୍ତି । ମୂର୍ଖ ଆଦିବାସୀ ବନଜୀବିଗଣ ବୁଥ୍ ଆଗରେ ଛିଡ଼ା ।

 

ବସିଥିଲି ଅରବିନ୍ଦ ଦାସଙ୍କର ଟେଲିଭଜନ ସେଟ୍ ଆଗରେ । ସନ୍ଧ୍ୟା ନଇଁଆସିଛି । ନିସ୍ତବ୍‍ଧ ଫ୍ଲାଟ୍ । ମନେହେଉଥାଏ ଗୋଟାଏ ଶତାବ୍ଦୀର ଯୁଗପୁରୁଷ କର ଲେଉଟାଉଛି । ପଖରେ ଅରବିନ୍ଦ, ସ୍ତ୍ରୀ କାନ୍ତି, ମୁଁ ଓ ମୋର ସହଧର୍ମିଣୀ ବୀଣା..

 

ସୁନ୍ଦରୀ ଯୁବତି ହସି ହସି ଦେଖାଇଦେଉଥାନ୍ତି–ଏ ଦଳ ଏତିକି ପାଇଲା । କ୍ଷମା କରିବେ, ହଠାତ୍ ଓଡ଼ିଶାରୁ ଗୋଟାଏ ଫ୍ଲାସ୍ ଆସିଲା । ମୋଟ ହେଲା ଷାଠିଏ । ଟ୍ରେଲ୍ କରୁଛି ଅନ୍ୟ ଦଳ ।

 

ଦେଖୁଥାଏ । ଗୋଟାଏ ନେତ୍ର ଥାଏ ବକ୍ଷବାସ ସଜାଡ଼ି ଘୋଷଣା କରୁଥିବା ଲବଣ୍ୟିକା ରମଣୀକୁ, ଅନ୍ୟ ନେତ୍ର ଥାଏ ଜଗନ୍ନାଥ ଧାମର ସିଂହଦ୍ଵାର ପରିସର ଉପରେ ।

 

ଷାଠିଏ ହଜାର ଜନତାର ଉଚ୍ଛ୍ଵସିତ ରୋଳ….ପଟ୍ଟନାୟକ, ତମେ ଆସ, ତମେ ଗାଦିକୁ ଆସ; ଗୋଟାଏ ପରିବର୍ତ୍ତନ ଆମେ ଚାହୁଁ । ତମେ କଅଣ ଚାଉଳ ଦର କମେଇ ପାରିବନି ? ତମେ କଅଣ ଲଙ୍ଗଳା ଯୁବତୀକୁ ଶାଢ଼ିଟାଏ ଦେଇପାରିବନି ? ତମେ କଅଣ ପନ୍ଦର ଦିନର ଟାଆଁସା ଫରୁ-ଫୁରୁ କେଶ ଉପରେ ଲଗାଇବାକୁ ନଡ଼ିଆତେଲ ଟିକିଏ ଦେଇ ପାରିବନି ? ତମେ ଉତ୍ତର ନ ଦେଲେ ବି ଆମେ ଜାଣୁ ତମେ ପାରିବ ।

 

ରଥଯାତ୍ରାର ଦୃଶ୍ୟ…ବିଜୟୀ ବୀର..

 

ଫ୍ଲାସ୍….ପୁରୀରେ ଗାଈ ବାଛୁରୀ ବିଜୟ….ସ୍ଥିତପ୍ରଜ୍ଞ ଭଳି ବସିରହିଥିଲି । ପିଲାଦିନେ ବହୁ ରଙ୍ଗ ତାମସା ଦେଖିଛି । ଓଡ଼ିଶାର ଲୋକ-ସଂସ୍କୃତିର ଏଗୁଡ଼ାକ ମଜ୍ଜାଗତ କଥା । ଏ ବୟସରେ ବି ତାମସା ଦେଖା ମୋର ଶେଷ ହୋଇନି…

 

ସ୍ତ୍ରୀ ବାଜି ରଖିଥିଲେ ବାଛୁରୀ ଉପରେ… ସେ ଡେଇଁପଡ଼ିଲେ । ଅରବିନ୍ଦ ସୁପ୍ରିମ୍ କୋର୍ଟର ଜବାବସୁଆଲକାରୀ ବାରିଷ୍ଟର । ସେ ତ ଗମ୍ଭୀର ରହିବାର କଥା, ରହିଥିଲେ ।

 

ଷାଠିଏ ଖସିଲାଣି । ସତୁରୀବେଳକୁ ଥିବ କି ନାହିଁ । ଏ ବୟସରେ କଅଣ ବିଚାର ବିମର୍ଷକୁ ବଦଳାଇବି ? ଅର୍ଦ୍ଧ ଲକ୍ଷ ଲୋକ ଡାକୁଥିଲେ ଜିନ୍ଦାବାଦ । ତମେ ଆମର ନେତା…..ଆଉ ଦୁଇଟା ରାତ୍ରି ପ୍ରଭାତିବା ପରେ ଏ କଅଣ ଘଟିଲା ? କି ମ୍ୟାଜିକ୍ ଏ ?

 

ଲୋକ-ଚରିତ୍ର ବଦଳେ; କିନ୍ତୁ ସମଷ୍ଟି ବି ବଦଳିଗଲା ?

 

ଟେଲିଭିଜନରେ ରୂପସୀ ମହିଳାର କଣ୍ଠ ଓ ଚକ୍ଷୁପତାର ନର୍ତ୍ତନ ଶୁଣିଲ, ଦେଖିଲି । ସକାଳେ ଧ୍ୟାନ କରି ଆସିଥିଲି ରାଜଘାଟରେ । ‘ହାରାମ’ର ଚେକା ଚେକା ସୁବିସ୍ତୃତ ନୀଳ ଦୁର୍ବାଦଳ ତରଙ୍ଗ ଉପରେ ଆକାଶର ପ୍ରତିବିମ୍ବ ଦେଖିଥିଲି ।

 

କହିଲି–ବାପୁ, ତୁମର ‘ହା’ଟା ହିଁ ସତ୍ୟ ରହିଗଲା । ରାମର ଅଭିରାମ କୈବଲ୍ୟରେ ତୁମେ ମୁକ୍ତ-ପୁରୁଷ ମୁକ୍ତି ପାଇଗଲ । ଆମପାଇଁ ରଖିଗଲ କେବଳ ହା-ହତାଶାର ସ୍ୱର । କି ସ୍ଵପ୍ନ ତୁମେ ନ ଦେଖିଥିଲ ? ଆଜି ହୋଇଛି କଅଣ ?

 

ତିନି ରାତି ଟେଲିଭିଜନରେ ପଡ଼ିବା, ଉଠିବା, ବିଜୟ, ପରାଜୟ, କାବିନେଟ୍ ଗଠନ, ମନ୍ତ୍ରୀ ଉପମନ୍ତ୍ରୀର ତାଲିକା, ପ୍ରାପ୍ତି ଅପ୍ରାପ୍ତିରେ ଆଡ଼-ରୁଷା, ଅଭିମାନ, କୃଷ୍ଣଙ୍କପାଖେ ଲଳିତାଙ୍କ ଅଳି, ନିୟମକରି ଗୋଡ଼ ହାତ ଧରିବା ସବୁ ଦେଖିଲି ।

 

ଦେଶରେ ଗୋଟାଏ ଶାସନର ଷଷ୍ଠୀଘର ଉତ୍ସବ । ଦିଲ୍ଲୀରୁ ଆସି ଉତ୍କଳ ଏକ୍ସପ୍ରେସ୍ ତାଳବଣିଆ ଛୁଇଁଲା । ଏବେ ବି ଝାଉଁଗଛଗୁଡ଼ାକ ଛିଡ଼ା ହୋଇଛି । ଲକ୍ଷେ ଟଙ୍କା ବ୍ୟୟରେ ଏଇଠି ସଭାମଣ୍ଡପ ନିର୍ମିତ ହୋଇଥିଲା ।

 

ଚିହ୍ନା କୁଲୀ, ତେଲେଙ୍ଗା ଶ୍ରମଜୀବୀ ପଚାରିଲା–ବାବୁ, ଦିଲ୍ଲୀରୁ ଫେରିଲେ ?

 

ସ୍ତ୍ରୀଙ୍କର ଗର୍ବୋନ୍ନତ ଚାହାଣି…କିରେ ପାନ୍ତଲୁ କଅଣ ବାଛୁରୀ ପାଇଲା ତ ? ଭୋଟ କାହାକୁ ଦେଲ ? ତମ ରାଜ୍ୟ ତ ପେଣ୍ଟ୍‍କଟା, ଯାହାକୁ ଦେବ ସେଥିରେ ଆଉ ଭେଦନାହିଁ । କହ, କହ–

 

ପାନ୍ତଲୁ ହୋଲ୍ଡ଼ ଆଖିଟା ଉଠାଉ ଉଠାଉ କହିଲା–ଆଗ ରାତିରେ ଲଙ୍ଗଳ ଉପରେ ସମସ୍ତଙ୍କ ମୁଠା ଥିଲା, ସେଇଥିରେ ଚଷିଯାଇଥାନ୍ତୁ । ହେଲେ ଗୋଟାଏ ରାତି ଭିତରେ ଗାଈ ଲାଞ୍ଜ ଦେଖାଇଲା; ପହ୍ନାରେ ପହ୍ନାଏ କ୍ଷୀର…

 

ମୁଁ ହସୁଥାଏ…କହିଲି–ପାନ୍ତଲୁ, ବ୍ୟାଙ୍କ୍‌ରେ ରଖିବା ଭଳି ଜିନିଷ ତ ? ନା ମଦଖାଇ ଉଡ଼ାଇଦେଲ ବସ୍ତିଯାକ ?

 

-ଆଉ ରଖିବୁ କଅଣ ? କଞ୍ଚା ପଇସା, ଚିକ୍ ଚିକ୍ କରୁଛି…ସେତିକିବେଳକୁ ଶୋଷ ବି ହେଉଥାଏ… ଇଜାର୍‍ଦାର ଜାଣିଥାଏ…ମେଲାଇଦେଲେ ପସରା…ସବୁ ସରିଗଲା କଅଣ ଆଜ୍ଞା, ଏତେଗୁଡ଼ାଏ ସୁଟକେଶ୍ ?

 

ସ୍ତ୍ରୀ କହିଲେ–ଆଗକୁ ପରା ଝିଅ ବାହାଘର–ଦିଲ୍ଲୀ ବଜାରରେ ଚମଡ଼ା ଟିକିଏ ଶସ୍ତା…ଧର ଧର ଯିବା ।

 

କାକୁସ୍ଥ ଭାବରେ ବସିଥାଏ ସିଭିଲ୍ ସପ୍ଲାଇ ଅଫିସରଙ୍କ ଆଗରେ… ବେଞ୍ଚରେ । ଅନ୍ୟ ବାବୁମାନେ ଚେୟାର ଉପରେ ବସି ରାଜ୍ୟର ବଣ୍ଟନ ନୀତି ସ୍ଥିର କରୁଥାନ୍ତି । କୁମୁଟି ମହାଜନ ବ୍ୟବସାୟୀ କେତେଜଣ ବି ଥାନ୍ତି । ସିଗାରେଟ୍ ନିଆଦିଆ ଚାଲିଥାଏ ।

 

ଘଣ୍ଟାକ ପରେ ସେ ମୁହଁ ଟେକିଲେ…ମୋ ଆଡ଼େ…ଝିଅକୁ ବିବାହ ଦେବି, ପିତାର ଗର୍ବ ଓ ଗୌରବର କାର୍ଯ୍ୟ କରିବି…ଏ କଥା ଯେଉଁଦିନଠାରୁ ସ୍ଥିରକଲି ମୁଁ ଅହଂଶୂନ୍ୟ ହୋଇଗଲି । ବୈଷ୍ଣବ ଦୀନତାର ହୃଦୟକୁ ବି ଶୁଷ୍କ କରି ରଖିଲି । ଜୈନ ଧର୍ମର ଅହିଂସା ବ୍ରତ ଘେନି କାନ ନାକରେ ଅଦୃଶ୍ୟ ପଟି ଦେଲି । ବୌଦ୍ଧ ଶ୍ରମଣ ବେଶରେ ମୁଣ୍ଡକୁ ଅଦୃଶ୍ୟ ମୁଣ୍ଡିତ କରି କେବଳ ଗାଇଲି....

 

କଲେକଟରଂ ଶରଣଂ ଗଚ୍ଛାମି

ଯୋଗାଣକର୍ତ୍ତାଙ୍କ ଶରଣଂ ଗଚ୍ଛାମି

ଚିନିବିକ୍ରେତାଙ୍କ ଶରଣଂ ଗଚ୍ଛାମି

ଶାଢ଼ି ଦୋକାନୀ ଶରଣଂ ଗଚ୍ଛାମି

 

ଇତ୍ୟାଦି ଇତ୍ୟାଦି ଶରଣଂ ଗଚ୍ଛାମି ମନ୍ତ୍ରରେ ମୋର ଜୀବନ ମନ୍ତ୍ରୀତ ହୋଇଉଠିଲା ।

 

ଅତି ଦୟନୀୟ, ଅତି ଗୋ ବିଚାର ଭୂମିକାରେ ନିଜକୁ ଧୂଳିଲଗ୍ନ କଲେ ବି ଦୁଃଖ କେହି ବୁଝିଲେନି ।

 

ଅଫିସର ପଚାରିଲେ–କଣ କୁହନ୍ତୁ ?

 

ଗୋଟାଏ ଟିଣ ଘିଅ ପରମିଟରେ, କନ୍ୟାର ପରିଣୟ ।

 

-ଆମେ ପରମିଟ୍ ବନ୍ଦ କରିଦେଇଛୁ, କେବଳ ପାଉଁରୁଟିବାଲା ପାଇବେ ।

 

-ବିବାହ ବ୍ରତ କପରି ହେବ ?

 

-ସେ କଥା କଲେକ୍ଟରଙ୍କୁ ପଚାରନ୍ତୁ । ତାଙ୍କର ଆଦେଶରେ ପରମିଟ୍ ବନ୍ଦ କରଯାଇଛି ।

 

-ଆପଣ ତ ବିବେକୀ ଲୋକ, ଆପଣ କୁହନ୍ତୁ, ଆପଣଙ୍କ ଝିଅଟା ବିବାହରେ ଆପଣ କଅଣ କରନ୍ତେ ?

 

-ଆମମାନଙ୍କ ପାଇଁ ଅନ୍ୟ ପନ୍ଥା ଅଛି ।

 

-ଯଥା....

 

-ଯଥା କମର୍ସିଆଲ୍ ଟାକସ ଅଫିସରଙ୍କ ଗାଡ଼ି ଅଭାବ ହୁଏନି, ପୁଲିସକୁ ସବୁ ମିଳେ-କଲେକ୍ଟର କଥା ନ କହି ବି ସବୁ ଭରଣା କରପାରନ୍ତି–

 

-କିନ୍ତୁ ଆମଭଳି ସାଧାରଣ ଲୋକ ?

 

-କାର୍ଡ଼ ରେ ୨୫୦ ଗ୍ରାମ ଘିଅ ମିଳିବ ।

 

-ଏଥିରେ ବିବାହ ପର୍ବ ଉଠିବ ?

 

-ଏ ଯୁଗର ମୂଳମନ୍ତ୍ର ‘ବ୍ଲାକ୍’-କିଛି ବେଶି ଟଙ୍କା । ତା’ଛଡ଼ା ନିର୍ବାଚନର ଫଳାଫଳ ପ୍ରକାଶ ଓ ମନ୍ତ୍ରୀ ପରିଷଦ ଗଠନ ପରେ ଦରଦାମର ଘୋଡ଼ାଛୁଟିଛି ଏବଂ ଛୁଟିବ । କେହି ରକ୍ଷା କରିପାରିବେନାହିଁ ।

 

-ତେବେ ମୋର କର୍ତ୍ତବ୍ୟ ?

 

-ଆଚ୍ଛା, ପାତ୍ର ! ୟାଙ୍କୁ ଗୋଟିଏ ଟିଣ ଦିଅ ! ଆଲୁଅରେ ନୁହେଁ ଅନ୍ଧାରରେ…ପଚାଶ ଟଙ୍କା ବେଶି ପଡ଼ିବ ବୋଧହୁଏ ?

 

‘ପାତ୍ର’ ନାମକ ବ୍ୟକ୍ତି କଅଣ ଗୋଟାଏ ଚିନ୍ତା କରୁଥିଲେ । ହଠାତ୍ ଚମକିପଡ଼ି କହିଲେ–ନିଶ୍ଚୟ…ଆପଣଙ୍କର ଯେତେବେଳେ ହୁକୁମ ହେଲା…

 

ଏଇ ହେଲା ବାଛୁରୀ, ହଳ, ଛତା, ସାଇକେଲ, ଗଛ ଓ ମଣିଷଙ୍କ ଚିହ୍ନର ରାଜ୍ୟ । ଚିହ୍ନରେ ଚହ୍ନିତ କରି ଲୋକେ ମୋହର ଦେଲେ । ସେ ସଙ୍କେତ ଉଡ଼ିଗଲଣି ।

 

ପାଦ ଥକିଯାଉଛି, ୟା ପାଖକୁ ଯାଇ, ତା ପାଖକୁ ଦଉଡ଼ି । ଯେଉଁ ଲୋକଙ୍କୁ ଚାହିଁ କଥା କହିବାକୁ ଇଚ୍ଛା ନ ଥିଲା, ସେ ଲୋକକୁ ନେହୁରାହୋଇ କେତେ କହିବାକୁ ପଡ଼ୁଛି-ନମସ୍କାର ଭଙ୍ଗୀରେ ଶୁଣାଇବାକୁ ହେଉଛି…‘ଆପଣ ଜାଣ ସର୍ବମୟ କର୍ତ୍ତା ।’

 

ଘରେ ଗୋଟିଏ ‘ମାଉସୀ’ ଅମର ଅଛି, ଘର ଦୁଆର ସଫା ସୁତୁରା କରି କିଛି କାମ ସେ କରେ । ବୟସ୍କା ମହିଳା ।

 

ଦିଲ୍ଲୀରୁ ଟେଲିଭିଜନ୍ ଦେଖି ଫେରିଆସି ଭାବିଲି ମାଉସୀରୂପକ ଟେଲିଭିଜନରେ କିଛି ଘଟଣା ଦେଖିନିଏ ।

ପଚାରିଲି–ମାଉସି ! କାହାକୁ ଭୋଟଦେଲ ? ବାଛୁରୀ ନା ଲଙ୍ଗଳ ?

-ଏ, ଲଙ୍ଗଳକୁ କାହିଁକି ଦେବି ମ ? ବାଛୁରୀକୁ ଦେଲି । ଆମ ଗାଁର ସମତେ…ମେଳହୋଇ ଗଲୁ, ମେଳ ହୋଇ ଦେଲୁ । ମୁଁ କେବେ ଜିପରେ ବସିନଥିଲି, ସେମାନେ ଆମ ବଂଶକୁ ଜିପରେ ବସେଇଲେ, ନୂଆ ଶାଢ଼ି ଦେଲେ, ଟଙ୍କା ଦେଲେ…ସାଉଁକିନା ଛୁଟିଗଲା ଜିପ୍....ଆମକୁ କେତେ ଭଲଲାଗିଲା । ପୁଣି ଭୋଟ ଦେଇ ଆସିଲା ପରେ ଗରମ ପୁରି ତରକାରି ଖାଇଲୁ ।

ମନେହେଲା, ଏବେ ବିଜ୍ଞାନର ଟେଲିଭିଜନ୍ ନୁହେଁ...ମଣିଷର ବିଚିତ୍ର ଅନୁଭବର ଟେଲିଭିଜନ୍...

ରାସ୍ତାକଡ଼ ଅଳିଆଗଦାରୁ ମଣିଷ ପିଲା ଖାଦ୍ୟ ଗୋଟାଏ...ମନ୍ତ୍ରୀ ସଭାର ବୈଠକରେ ରାଜ୍ୟର ଶ୍ରେଷ୍ଠ ଭୋଜନାଳୟରୁ ଖାଦ୍ୟ ଆସି ବିତରିତ ହୁଏ ।

ରାଜଘାଟର ଛନ୍ ଛନ୍ ଦୂବଘାସ । ସେକ୍ରେଟେରୀୟେଟ୍ ଫାଟକପାଖ ସନ୍ତ୍ରୀ...ବନ୍ଧୁକ…ଗୁଳି...

ଭୋକିଲା ପଟୁଆର ଛକ ଡେଇଁଛି ।

ଝିଅ ବିଭାଘର ପାଇଁ ଚିନ୍ତିତ ପିତା ଖୋଜିବୁଲେ ଦ୍ରବ୍ୟ ସାମଗ୍ରୀ…

ମୁଖ୍ୟମନ୍ତ୍ରୀଙ୍କୁ ଦଶହରା ଶୁଭେଚ୍ଛା ପତ୍ର । ‘ମାଉସୀ’ ଜିପ୍ ଚଢ଼ି ସ୍ଵର୍ଗ ଦେଖିଛି । ତା’ପରେ ହାଣ୍ଡିରେ ତା’ର ପଖାଳ ନାହିଁ ।

ରୂପସୀ ମହିଳା ଲକ୍ଷଣ ଖେଳାଇ ଟେଲିଭିଜନ୍ ପର୍ଦ୍ଦାରେ ବାଡ଼ିଧରି ଦେଖାଇଛି….ଦେଶର ପ୍ରଗତି କେତେ ମାତ୍ରାରେ ଉତ୍ତାପ ସଂଗ୍ରହ କରୁଛି ।

ଜଗନ୍ନାଥ ଧରିଛନ୍ତି ସୁଦର୍ଶନଚକ୍ର...ପିଲା ବହି ଖୋଲି ପଢ଼ୁଛି....ଦିଲ୍ଲୀ ଭାରତବର୍ଷର ରାଜଧାନୀ ।

ଓଡ଼ିଆ ଏକ ଦରିଦ୍ର ଜାତି….ଓଡ଼ିଶା ଗୋଟାଏ ଗରିବ ଦେଶ ।

ମୋର ଅଲକ୍ଷ୍ୟରେ ଝିଅ ଆସି ଛିଡ଼ାହୋଇଛି…ତା’ର ଆଖିରେ ଅଜସ୍ର ପ୍ରଶ୍ନ….ସେଥିରୁ ଗୋଟିଏ ପ୍ରଶ୍ନ...ଏଇ କଅଣ ଭାରତବର୍ଷ ? ଏଥିରେ କଅଣ ମଣିଷ ଜନ୍ମହୁଏ, ବିବାହ କରେ, ପୁଣି ମରିଯାଏ ?

ଏହାର ଉତ୍ତର ନାହିଁ । କେବଳ ଝିଅ ନୁହେଁ, ପୁଅ ଝିଅ ନିର୍ବିଶେଷରେ.....ଘର, ଜଙ୍ଗଲ, ଆକାଶ, ମାଟି ନିର୍ବିଶେଷରେ…ଏକଇ ପ୍ରଶ୍ନ....ଏ କଅଣ ଭରତବର୍ଷ ?

Image

 

କଳ୍କୀ ଅବତାର

 

ଗଡ଼ ଆଗରେ ଶବ୍ଦ ଲଗିଛି ‘ସୁନ୍ଦର’.....ସୁନ୍ଦରଗଡ଼ ।

 

ବାଣୀ ଆଗରେ ଶବ୍ଦ ଲାଗିଛି ‘ଫୁଲ’…..ଫୁଲବାଣୀ ।

 

ପାଟଣା ଆଗରେ ଶବ୍ଦ ‘ଭବାନୀ’.....ଭବାନୀପାଟଣା ।

 

ଉତ୍କଳର ଏହି ସବୁ ସ୍ଥାନ, ସହର….ପାର୍ବତୀୟ ।

 

ଝରଣା ବହିଯାଏ, ପଥର ତଳେ ସୁନା, ଖଣିମୟ ଧାତୁ… ଜଙ୍ଗଲରେ ପଶୁପକ୍ଷୀ…ବିଚିତ୍ର….କେତେ ପ୍ରକାରର ।

 

କେଉଁଠି ଶୈଳନିଳୟ…କେଉଁଠି ଅଭୟାରଣ୍ୟ, କେଉଁଠି ପୂଜା ପାଉଛନ୍ତି ଈଶ୍ୱର ବିଭିନ୍ନ ମୂର୍ତ୍ତି ବିଗ୍ରହରେ । ଏ ସବୁ ଥିଲା ସେ କାଳରେ ଐଶ୍ଵର୍ଯ୍ୟ; ପ୍ରକୃତ ଅକୃପଣ ନ ଥିଲା, ମଣିଷ ବି ଦେହକୁ ତତେଇ ପରିଶ୍ରମକରି ପ୍ରକୃତିର ଗନ୍ତାଘରକୁ ସଜାଉଥିଲା ।

 

ଧୀରେ କାଳ ଅକାଳ ହୋଇଗଲା । କେହି କାହାକୁ ଅନାଇଲେ ନାହିଁ । ଗାଁରେ ଏକତା, ଏକହୋଇ ପଞ୍ଚ-ପରମକୁ ଧର୍ମସାକ୍ଷୀ କରି ବିବାଦ ତୁଟାଇବାର ଯେଉଁ ସୁନୀତି ଥିଲା, ତାହା ଭାଙ୍ଗିଗଲା ।

 

ଭାଙ୍ଗିଗଲା ବୋଲି ଏମିତି ସବୁ ଧ୍ୱଂସ ପାଇଯିବ–କିଏ ଜାଣିଥିଲା ? କାହିଁକି ଭଙ୍ଗିଗଲା-?

 

ସହରର ରୂପରେ କେତେ କୃତ୍ରିମତା ସତେ ! ମଣିଷ ମୁଖା ପିନ୍ଧି ବୁଲୁଛି । ଯେତେବେଳେ ଯାହା ସୁବିଧା-ଅର୍ଥଲାଭ ବା ପ୍ରତିପତ୍ତି ଘେନି, ସେ ଏଇ ସବୁ ମୁଖାକୁ ଅଦଳ ବଦଳ କରୁଛି ।

 

ଗାଁରେ ମହତ ଥିଲା । ଲୋକେ ଚାଳକୁଚାଳ ଲଗାଇ ଘର ବାନ୍ଧିବା ଭଲ ହୃଦୟକୁ ବାନ୍ଧିରଖୁଥିଲେ । ସ୍ନେହ ଥିଲା, ମମତା ଥିଲା । ଦୁଃଖ ଶୋକରେ ମଣିଷ ମଣିଷଠାରୁ ମୁହଁ ଫେରାଇ ଏମିତି କର୍କଶ ହୋଇ ଚାଲି ଆସୁଥିଲା କି ?

 

ଏବେ ଗାଁରେ ଗାଁରେ ଜୀଅନ୍ତା ମଣିଷର କଙ୍କାଳ । ମାଆ ସ୍ତନରୁ କ୍ଷୀର ଶୁଖିଗଲା ଭଳି ମାଟିତଳ ନୀର-ଝରଣା ଶୁଖିଗଲା । ଧାନକ୍ଷେତ ସାରି ସାରି ଫାଟି ଗହ୍ୱର ତିଆରିକରିଛି । ଗୋ ମଡ଼କ, ଫସଲହାନି, ପାଣି ମୁନ୍ଦିଏର ଅଭାବ, ରୋଗଯନ୍ତ୍ରଣାରେ କାତରେ ମଣିଷକୁଳ, ସାହା ଭରସା କେହି ନାହିଁ ।

 

ପର୍ବତ ଦେହରେ ଗୁଡ଼େଇ ଗୁଡ଼େଇ ରଖିଛି ମାଆ ଲକ୍ଷ୍ମୀ ଅନ୍ନପୂର୍ଣ୍ଣା କେତେ ପ୍ରକାର ଧାତୁ....ବଣରେ ଅଞ୍ଚଳ ଲମ୍ବେଇ ରଖିଛି କେତେ ଅରଣ୍ୟ ଫସଲ….ସେଇ ଏକା, କର୍ତ୍ତ୍ରୀ ମାଆ କମଳା ।

 

ହେଲେ, ଅପାରଗ ପରମୁଖାପେକ୍ଷୀ, ନିଜ ନିଜ ଭିତରେ ଗୋଛି କଟାକଟିରେ ଧୁରନ୍ଧର, ଜାତି-ଦେଶ-ଭାବଶୂନ୍ୟ ମଣିଷ ଏ ସମ୍ପଦକୁ ଉଭା କରିପାରିଲାନାହିଁ ।

 

ତେଣୁ ପ୍ରସବଣ ଶୁଖିଛି । ଫସଲ ମରିଛି । ତୁଣ୍ଡରେ ଦାନା, ଦେହରେ କନା ନାହିଁ । ମଣିଷ ହିଁ ମଣିଷର ହତ୍ୟାକାରୀ-ହନ୍ତକ-ହେ ପ୍ରଭୁ ! ଏ ଜାତି ଆଉ କଅଣ ବଞ୍ଚିବ ?

 

ସାଗର ତଟରେ ପାଦ ଖେଲାଉଥିଲି । ଏଇ ସବୁ ଚିନ୍ତା ମୋତେ ଅଥୟ କରୁଥିଲା ।

 

ସୂର୍ଯ୍ୟ ଲାଲପିଣ୍ଡରେ ଜଗତକୁ ସଙ୍ଖୋଳୁଥିଲେ । ଏମିତି ଆସେ ମୁଁ । ବିଶ୍ଵଧାତାର ଏହି ବିମୋହନ ରୂପକୁ ଦେଖି ସ୍ତବ୍‍ଧ ରହିଯାଏ । ଅଥଚ ଏଇ ସୃଷ୍ଟିରେ ମଣିଷ ଦେବତାକୁ ସାହାଯ୍ୟ କରୁନାହିଁ । ଦେବଭାବର ଉଚ୍ଛ୍ଵାସ ନାହିଁ ।

 

ପାଖ ହୋଟେଲରୁ ଆକାଶବାଣୀର ପ୍ରଚାର କାନରେ ପଡ଼ିଲା । ଆଚାର ଯେଉଁଠି ନଷ୍ଟ, ଏ ପ୍ରଚାର କେତେବା ମଣିଷକୁ ମଣିଷ କରିବାରେ ଆଗ୍ରହ ଦେବ ?

 

ଦିଲ୍ଲୀ ସମ୍ବାଦ…ସୁନ୍ଦରଗଡ଼ ଜିଲାପାଇଁ ମରୁଡ଼ିର ପ୍ରତିକାର ଉଦ୍ଦେଶ୍ୟରେ ଦୁଇଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି । ପାଣି କଷ୍ଟ ଦୂର କରିବା ପାଇଁ ପଶ୍ଚିମ ଓଡ଼ିଶାରେ କୂଅ ଖୋଳିବା ଓ ଅନ୍ୟ ପ୍ରକାରେ ଜଳ ସରବରାହ ପାଇଁ ଏକ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ଫୁଲବାଣୀ ଜିଲାରେ ଗର୍ଭବତୀ, ପ୍ରସୂତି ଓ ଅକ୍ଷମ ଲୋକମାନଙ୍କ ନିମିତ୍ତ ଭୋଜନକେନ୍ଦ୍ର ତଥା ଦୁଗ୍ଧ ଯୋଗାଣ ବ୍ୟୟ ବରାଦରେ ଦୁଇଲକ୍ଷ ଟଙ୍କା ମଞ୍ଜୁର ହୋଇଛି ।

 

ଲୋକମାନଙ୍କୁ ଅନୁରୋଧ, ଖାଦ୍ୟାଭ୍ୟାସ ବଦଳାଇ ଚାଉଳ ପରିବର୍ତ୍ତେ ଗହମ ପଖାଳ ବ୍ୟବହାର କରନ୍ତୁ । ଗୃହିଣୀମାନେ ଜାଣନ୍ତି, କିପରି ଗହମରୁ ସୁସ୍ୱାଦୁ ଭୋଜନ ତିଆରି କରାଯାଇପାରେ । ତେଣୁ ହା ହତାଶ ନ ହୋଇ ସଂକଟର ମୁକାବିଲା ପାଇଁ ସମସ୍ତେ ଅଣ୍ଟା ଭିଡ଼ନ୍ତୁ ।

 

ମୋ ମନରେ କ୍ରିୟା ପ୍ରତିକ୍ରିୟାର ଲେଶ ନାହିଁ । କାରଣ ବର୍ଷ ବର୍ଷ ଧରି ଏଇ ପ୍ରଚାର ଚାଲିଛି । ମରୁଡ଼ି, ଦୁର୍ଭିକ୍ଷ, ଜଳକଷ୍ଟ ଯାବତୀୟ ଅନଟନ ଯନ୍ତ୍ରଣାଭୋଗ ଭୋଗି ଅମୃତର ସନ୍ତାନମାନେ ଅକାଳରେ ଆଖି ବୁଜିଦେଉଛନ୍ତି ।

 

କିନ୍ତୁ ହଠାତ୍ ପ୍ରତିକ୍ରିୟା ମନରେ ବିଜୁଳି ଚମକ ଭଳି ଖେଳିଗଲା । ଯେତେବେଳେ ପଛଆଡ଼େ ଛିଡ଼ା ହୋଇଥିବା କେତେକ ଯୁବକ ଏ ଆକାଶବାଣୀ କଥାକୁ ପିଇଯାଇ ଭବିଷ୍ୟତର ଯୋଜନାକୁ ମୁହେଁ ମୁହେଁ ଖୋଲାଖୋଲି କହିପକାଇଲେ–

 

ଭାଇ ! ବେଳ ଆସିଗଲା । ଶୁଣିଛୁଟି ! ଲକ୍ଷ, କୋଟିର ବ୍ୟବସାୟ । ମରୁଡ଼ି, ବନ୍ୟା, ମହାମାରୀ ଆସିବା ମାନେ ପାଞ୍ଚବର୍ଷକୁ ବେକାର ଜୀବନରେ ସାକ୍ଷାତ ଲକ୍ଷ୍ମୀଙ୍କ ସେବା ।

 

ପ୍ରଥମେ ଗୋଟାଏ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଗଢ଼ିବାକୁ ହେବ । ଉପଦେଷ୍ଟା ହେବେ ଲୋକପ୍ରତିନିଧି । ସଭାପତି, ସମ୍ପାଦକମାନେ…ଯାହା ଦରକାର ହୁଅନ୍ତି, ସେ ସବୁ ହେବେ ବା ରହିବେ ।

 

ଏଇ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସୁନ୍ଦରଗଡ଼ରେ ପ୍ରଧାନ କାର୍ଯ୍ୟାଳୟ ଛିଡ଼ା କରାଇବ । ଫୁଲବାଣୀରେ ଶାଖା, କୋରାପୁଟରେ ପ୍ରଶାଖା, ସମ୍ବଲପୁରରେ ପ୍ରଗତିମୂଳକ ଅନ୍ୟ ଏକ ପ୍ରଶାଖା–ଏମିତି ମାଙ୍କଡ଼ସା ଜାଲ ଛାଇ ହୋଇଯିବ ସବୁଆଡ଼େ; କାରଣ ଦୁଇଲକ୍ଷ ଟଙ୍କାର ସମାଜବାଦୀ ସମାଜସେବା ଟେଣ୍ଡର ଝୁଲୁଛି ଆମମାନଙ୍କର ନେତ୍ରସମ୍ପତ୍ତି ହୋଇ । ଏତେବେଳେ ଶୋଇପଡ଼ିଲେ ଚଳିବ କି ?

 

ପ୍ରସ୍ତାବ ହେଲା; ସମର୍ଥନ ମିଳିଲା ଅନ୍ୟପ୍ରକାର ଭାଷାରେ ।

 

ଭାଇ, ତଳୁ ଧରିବାକୁ ହେବ । ହଠାତ୍ ଉପରକୁ ଯିବାନାହିଁ । କଲେକ୍ଟର ପଛରେ…ଅସଲ ବି.ଡ଼ି.ଓ., ସରପଞ୍ଚ, ଗାଁଗାଁର ଟହଲଦାର ସୁବିଧାବାଦୀଙ୍କୁ ଏକତ୍ର କରିବାକୁ ହେବ ।

 

ଅବଶ୍ୟ ଅନୁଷ୍ଠାନର ନାମକରଣ କରିବାକୁ ଅସୁବିଧା ହେବନାହିଁ । କାରଣ ଯେଉଁ ପର୍ଯ୍ୟନ୍ତ ଏ ଜାତିର ଦେବତା ଜଗନ୍ନାଥ ଅଛନ୍ତି, ତାଙ୍କର ମନ୍ଦିର ଅଛି, ତାଙ୍କର ଆନନ୍ଦବଜାର ଅଛି, ବୈକୁଣ୍ଠ ଅଛି, ଚକ୍ର ଅଛି, ନେଳିଆ ପାହାଡ଼ ଅଛି, ଧ୍ଵଜା ଅଛି, ଗୋଟାଏ ନାଁଦେବା କଷ୍ଟକର ବ୍ୟାପାର ନୁହେଁ ।

 

ତୃତୀୟ ଯୁବକ କହିଲେ–ଏ ତ ନୂଆ କଥା ନୁହେଁ ! ଆଗର ଛାପା ଚିଠି ପ୍ୟାଡ଼୍ ଅଛି-କେତେଟା ସଂଶୋଧନ ମାତ୍ର ।

 

ଆମ ସଂସ୍ଥାରେ ବୁଢ଼ାଙ୍କୁ ନେବା ସଂଭ୍ରମ ପାଇଁ, ତରୁଣୀଙ୍କୁ ନେବା ଉଦ୍ଦୀପନା ପାଇଁ, ମାଆମାନଙ୍କୁ ନେବା କୋଳେଇ ଆମକୁ ଆଶୀର୍ବାଦ କରିବା ପାଇଁ । ସୁରୁମା ଆମେ ପିନ୍ଧିବା ଆଖିରେ, ଦୁଃଖୀ ଆର୍ତ୍ତ କ୍ଷୂଧାର୍ତ୍ତ ଲୋକଙ୍କ ବେଦନା ସହିନପାରି ଅଶ୍ରୁ କିମିତି ବୋହୁଛି ଦୁନିଆକୁ ଦେଖାଇବା ପାଇଁ ।

 

ଏତିକି ଅଭିନୟ, ଏତିକି ସାହସ ଦେଖାଇପାରିଲେ ମୁଣା ଠେଲି ଗୋବିନ୍ଦଙ୍କର ଗତି କିମିତି ଜେଟ୍ ବିମାନ ଗତି ଭଳି ହେବ ଭବିଷ୍ୟତ କହିବ ।

 

ସୂର୍ଯ୍ୟ ଉଠିଯାଇଛନ୍ତି ଉପରକୁ । ନିତ୍ୟଲୀଳା ତାଙ୍କର ଏମିତି । ମଣିଷ ଖସୁଛି କେତେ ତଳକୁ–ଗଭୀର କେତେ ତଳକୁ–ତାର ବି ନିତ୍ୟ ଏଇ ଲୀଳା ।

 

ମୁଁ ଜାଣେ ଓ ଜାଣନ୍ତି ଚିନ୍ତାଶୀଳ ଲୋକେ, କୋଟି କୋଟି ଟଙ୍କାର, ଲକ୍ଷ ଲକ୍ଷ ଅର୍ଥର କେତେ ଅଣୁ ଅଂଶ, କେତେ କପର୍ଦ୍ଦକ ଯାଏ ପ୍ରକୃତ ଦୁଃଖୀର ଦୁଃଖ ହରଣ ପାଇଁ, ପ୍ରକୃତ ଭୋକୀ ଶୋଷୀର ଭୋକ ଶୋଷ ମେଣ୍ଟାଇବା ପାଇଁ ।

 

ବାଟବରଣ ଓ ବାଟମାରଣ ଏ ଦୁଇ ଅସ୍ତ୍ର ମାରଣାସ୍ତ୍ରଠାରୁ ବି ଭୟଙ୍କର ।

 

ମଣିଷ ମଣିଷର ହତ୍ୟାକାରୀ । ଏ ଯୁବକଗୋଷ୍ଠୀ, ଏ ସଂସ୍ଥାର ନିର୍ମାତାଗଣ, ଏ ବୃଦ୍ଧ-ତରୁଣୀ-ମିଶ୍ରିତ ଏ ଜନତା ଭିତରେ ଆମେ, ତୁମେ, ସିଏ-ସମସ୍ତେ ମୁଖାପିନ୍ଧା ଅପରାଧୀ ।

 

ନୃଶଂସ ଆତତାୟୀ–ବୀଭତ୍ସ ଲୋଭାତୁର ରାକ୍ଷସ ।

 

ଇଚ୍ଛା ନଥିଲେ ବି ଫେରିବା ପଥରେ ଅନାଇଁଦେଲି ଶ୍ରୀମନ୍ଦିର ଚୂଡ଼ା ଉପରକୁ ।

 

ଜଣାଇଲି–ହେ ପ୍ରଭୁ, ତୁମର ଅବଶେଷ ଗୋଟାଏ ଅବତାର ରହିଯାଇଛି ।

 

ସେଇଟା କଳ୍କୀ ଅବତାର ! ଲହ ଲହ ଲୀଳାୟିତ ଶାଣିତ ଖଣ୍ଡାଟାକୁ ତୁମେ ଚଳେଇଦିଅ ଆମ ସମସ୍ତଙ୍କର ମୁଣ୍ଡ ଉପରେ ।

 

ରକ୍ତସ୍ନାନର ଆର୍ଦ୍ରତା ଘେନି ନୂତନ ଫୁଲ ଫୁଟିଯାଉ ।

 

ନୂଆ ଆକାଶରୁ ନୂଆ ବାଣୀ ସଂଚରୁ ।

 

ପୁରୁଣା ମଉଳିଯାଉ ।

Image

 

ଜୋତା ବାହାରେ ରଖନ୍ତୁ

 

ଚିତ୍ରକରସାହିର ଚିତ୍ରକରଙ୍କ ପାଖେ ଯେତେବେଳେ ପହଞ୍ଚିଗଲି, ସମୟ ହୋଇଥାଏ ସନ୍ଧ୍ୟା ।

 

ପାଖ ଦେବାଳୟରୁ ଶଙ୍ଖ, ଘଣ୍ଟା ଆରତିର ନିରାଜନା ଶଦ୍ଦ ଭାସିଆସୁଥିଲା ।

 

ଚିତ୍ରଶିଳ୍ପୀ ଖଟ ଉପରେ ଅଧା ଶୋଇରହି ମୁହଁକୁ ତଳକୁ କରି କଅଣ ଗୋଟାଏ ଅଙ୍କନ କରୁଥିଲେ । ମତେ ଦେଖି ସଂଭ୍ରମ ଦେଖାଇ ଉଠିପଡ଼ିଲେ ।

 

କହିଲେ–ଆଜ୍ଞା, ବସିବା ହେଉନ୍ତୁ ।

 

ବସିବାର ଉପକରଣ ଗୋଟାଏ ହାତଭଙ୍ଗା କାଠଚୌକି । ତାହା ଟଳ କି ଅଟଳ ବାରିହେଲାନାହିଁ; କାରଣ ଚୌକିର ତଳ ଅଂଶକୁ ଆଲୁଅ ଉଜ୍ଜ୍ଵଳ କରୁନଥିଲା । ଗୋଟାଏ କଣରେ ସାତ ଆଠ ବର୍ଷର ଝିଅ ଛୋଟ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା କାଠମୂର୍ତ୍ତି ଉପରେ ରଙ୍ଗ ଲେପୁଥିଲା-। ଅନାହାର ଓ ସାବଲୀଳତାର ଏ ଲେପନ କ୍ରିୟା ଦେଖି ମୁଁ ମୁଗ୍ଧ ବିସ୍ମୟରେ ତାକୁ କିଛି କ୍ଷଣ ଅନାଇଁରହିଲି ।

 

ଖଣ୍ଡିଏ କସ୍ତା ସେ ପିନ୍ଧିଥିଲା । ତେଲ ତାର ମଥାରେ ନଥିବାରୁ କେଶଗୁଡ଼ାକ ରୁକ୍ଷ ଦିଶୁଥିଲା । ଆଠ ନଅ ବର୍ଷର ଝିଅ କିଶୋରୀ ଅବସ୍ଥାକୁ ଆସିବା ଉପରେ ଥିବାରୁ ତାର ଅଙ୍ଗରେ କାନ୍ତି ଝଲସି ଆସୁଥିବାର ଲକ୍ଷଣ ରହିଥିଲା ।

 

ମନଟା ନ ଥିଲା ସରସ; କାରଣ ଦୁଇମୁହୂର୍ତ୍ତ ପୂର୍ବରୁ ଏକପ୍ରକାର ଆତ୍ମରକ୍ଷା କରି ମୁଁ ଯେଉଁ ପଡ଼ୋଶୀ ଚିତ୍ରକର ବା ଚିତ୍ରକରଣୀ ଘରୁ ବାହାରି ଆସିଥିଲି, ତାହା ମତେ ଅଶାନ୍ତ କରିଥିଲା-

 

ଯେଉଁ ଘରୁ ବାହାରିଆସିଲି, ସେଠାରେ ଜଳୁଥିଲା ପ୍ରଦୀପ । ତରୁଣୀଙ୍କ ମୁହଁ ମତେ ଅସ୍ପଷ୍ଟ ଦେଖାଗଲା; କିନ୍ତୁ ତାଙ୍କର ପ୍ରତ୍ୟେକଟି ଅବୟବ ସାମଗ୍ରିକ ଯୌବନ ଝଲସ ପରିପୁଷ୍ଟିରେ ଏପରି ଦୃଶ୍ୟମାନ ଥିଲା ଯେ, ମୁଁ ବୋଧହୁଏ କେଉଁ ରୂପଜୀବାର ଆଳୟକୁ ଅସତର୍କଭାବରେ ପଶିଆସିଛି ବୋଲି ଭାବି ଦଣ୍ଡେ ସନ୍ଦିଗ୍ଧ ରହିଗଲି ।

 

ମାଆ ଓ ଝିଅ । ମାଆ ଆମନ୍ତ୍ରଣ କଲେ, “ଆସନ୍ତୁ, କଅଣ ବରାଦ ଅଛି; ଭିତରକୁ ଆସନ୍ତୁ ।” ଚିତ୍ରକରସାହିରେ ଏ ପାଖରୁ ସେ ପାଖ ଯାଏ ସବୁ ଘର ରୂପଶାଳା ବୋଲି ଧାରଣାଥିଲା-। ତେଣୁ ନିଃସଂକୋଚରେ ମୁଁ ସେ ଘରକୁ ପଶିଯାଇଥିଲି ।

 

ପୁରୁଷବିହୀନ ଏଇ ଗୃହରେ ଯାହାକୁ ଦେଖିଲି, ସେମାନେ ଥିଲେ ପୌଢ଼ା ଓ ଯୁବତୀ । ପୌଢ଼ା ନିମନ୍ତ୍ରଣ କଲେ । ଯୁବତୀ ମୁହଁ ଉପରେ ପଣତ ଓଠଠାରୁ ଚିବୁକ ଯାଏ ଆଚ୍ଛନ୍ନ କରି ଇଙ୍ଗିତରେ ପ୍ରବେଶ କରିବାକୁ ଅନୁରୋଧ କଲେ ।

 

ବର୍ତ୍ତମାନ କରେ କଅଣ ? ଅବଶ୍ୟ ମୁଁ ଗୋଟାଏ ଅର୍ଡ଼ର ନେଇ ଆସିଛି । ଏଠାରେ ତାହା ପରିବେଷଣ କରିବା କେତେଦୂର ଯଥାର୍ଥ ହେବ ବିଚାରିବା ଅବସରରେ ଶୁଣିଲି–

 

‘ଆସନ୍ତୁ ନା, ବସିବାକୁ ଚୌକି ନାହିଁ, ଖଟ ଅଛି ।’

 

-‘ଖଟ ?’ ମୁଁ ଅବାକ୍ ହେଲି ।

 

ଦେଖିଲି ଖଟ ପଦାର୍ଥଟି ପୁରୁଣାକାଳିଆ ପଲଙ୍କ ଢାଞ୍ଚାରେ ନିର୍ମିତ, ଯଦିଓ ସାଆଁନ୍ତିଆ ପଲଙ୍କର ଆଭିଜାତ୍ୟ ଏଠାରେ ବିଶେଷ ନାହିଁ ।

 

ଖଟ ଉପରେ ଶେଯ ରହିଛି, ତକିଆ ରହିଛି, ପାଖ ବାଲିସ୍ ବି ଅଛି । ହଠାତ୍ ଦେଖିଲି ଖଟର ବାଡ଼ ଉପରେ ଚମ୍ପାଫୁଲ ମାଳେ ଝୁଲୁଛି ।

 

ସ୍ୱଳ୍ପ ଆଲୋକରେ ଯେତିକି ଦେଖିଲି, ମନେହେଲା ଏ ପସରା ଭିନ୍ନ ଏବଂ ଏହାର ଗ୍ରାହକ ଭିନ୍ନ ।

 

ଯୁବତୀଜଣକ ଆହ୍ୱାନ ଦେଇଥିଲେ ଖଟ ଉପରେ ବସିବାକୁ । ଏବେ ତାଙ୍କର ଭଙ୍ଗୀ ସ୍ଵାଭାବିକ ଅବସ୍ଥାକୁ ଆସିଯାଇଛି । ଅଧର ଚିବୁକଛୁଆଁ ପଣତ ଖସିଆସିଛି । ସେ ପୁଣି ପ୍ରଦୀପକୁ ତେଜିଦେଲେ ଓ ତାଙ୍କରି ଆଡ଼କୁ ଶିଖାକୁ ବୁଲାଇଦେଲେ ।

 

ଶିଖା ଟେକି ପ୍ରଦୀପର ଜଳଣି ଏବେ ତାଙ୍କର ସର୍ବାଙ୍ଗରେ ଲହରି ପିଟୁଛି । ଏ ତ ଅସାମାନ୍ୟା ରୂପସୀ ! ଟଣା ଆଖିଧାରରେ କଜଳରେଖା; ମୁହଁଟି ଚନ୍ଦ୍ର ସମ ସୁଗୋଲ । ନାକ ତୀକ୍ଷଣ ଓ ଶେଷଆଡ଼କୁ କ୍ରମ ଅବନତ । କଟୀଠାରୁ ପାଦ ପର୍ଯ୍ୟନ୍ତ ଉଚ୍ଛନ୍ନ ଲାବଣ୍ୟାଶ୍ରୀରେ ଅତି ନିଟୋଳ ।

 

ଦେଖିଲି ଖଟ ପାଖ ଏକ ଛୋଟ ଟୁଲ୍ ଉପରେ କେତେ ଖଣ୍ଡ ତୂଳୀ, ସେମାନଙ୍କ ଅଗ୍ରଭାଗରେ ନାନା ରଙ୍ଗର ପ୍ରଲେପ ।

 

କିଛି ବୁଝିହେଲା ନାହିଁ; ପଲଙ୍କର ଶୋଭା ଓ ନିୟନ୍ତ୍ରଣର ଆକାରପ୍ରକାରରେ ଅନ୍ୟ ଏକ ଚିନ୍ତାଧାରା ମନ ଭିତରେ କୁଣ୍ଡଳୀ ରଚନା କଲା । ଅପର ଦିଗରେ ରଙ୍ଗ ଓ ତୂଳୀର କେତେଟା ସ୍ଥିତିସ୍ଥାପକତା ।

 

ଏ ଦ୍ଵନ୍ଦରେ ଆଉ ଛନ୍ଦି ହେବାକୁ ଇଚ୍ଛା ନକରି କହିଲି–‘କେହି ପୁରୁଷ ନାହାନ୍ତି ?’

 

‘ନା । ପ୍ରୌଢ଼ା ଉତ୍ତରଦେଲେ ଗୋଟାଏ ଦୀର୍ଘଶ୍ୱାସର ଲହରୀ ଝରାଇ ।

 

ଯୁବତୀ କିମିତି ଉଦାସ ଠାଣିରେ ଦେହବଲ୍ଲରୀକୁ ସାମାନ୍ୟ ସ୍ପନ୍ଦନ ଦେଇ କହିଲେ–

 

‘ପୁରୁଷ ନଥାନ୍ତୁ, ଆମେ ଅଛୁ ।’

 

ଏକଥା ପରେ ମୁଁ ଆଉ ଏକ ମୁହୂର୍ତ୍ତ ସେଠାରେ ନରହି ଫେରିପଡ଼ିଲି । ଆଜି ମନକୁ ଶତଧିକ୍କାର ଦେଉଛି ଏଇଥିପାଇଁ ଯେ, ଜୀବନ ଯେ କେତେକ ଅଭାବନୀୟ ଅନୁରଞ୍ଜନରେ ରଞ୍ଜିତ, ତାହାର ତିଳମାତ୍ର ଜ୍ଞାନ ମଣିଷ ସଂଗ୍ରହ କରିନପାରି ଯେ ରାୟ ଦେଇଦିଏ, ଲୋକଚରିତ୍ର ସମୀକ୍ଷାକରି ସେଥିରେ ଚୋରାବାଲିର ଅସରନ୍ତି ପ୍ରସାର ରହିଥାଏ ସିନା-ସତ୍ୟ-ଶକ୍ତ ମାଟିର ଅଭାବ ଥାଏ ।

 

ମୁଁ ଲକ୍ଷ୍ୟକଲି ମୋର ଫେରିବା ପରେ ପରେ ଗୃହର ପ୍ରଦୀପ ଲିଭିଗଲା । ଦୁଇଟି ଦେହ ଭାସିଆସିଲା ଯେମିତି ରାସ୍ତାଆଡ଼କୁ, ବୋଧହୁଏ ସେ ଦୁଇଟି ଆତ୍ମାହୀନ ସୂକ୍ଷ୍ମ ଶରୀର ସେଇଠି ଅଚଳ ରହିଯାଇ ମତେ ହିଁ ଖୋଜୁଥିଲା ।

 

ଏ ଘର ଛାଡ଼ି ଯେଉଁ ଘରେ ପ୍ରବେଶ କଲି, ସେଠାରେ ପ୍ରଦୀପ ନଥିଲା, ଥିଲା ବାର୍ ଲାଇଟ୍ । ଚିତ୍ରକର ପଚାରିଲେ-‘ବସିଲେ ନାହିଁ ଯେ ?’ ମୁଁ ଏ ଯାବତ୍ ସେହି ପୌଢ଼ା ଓ ଯୁବତୀଙ୍କର ଘର, ଖଟ, ଚମ୍ପାଫୁଲର ମାଳା, ଅଧରଛୁଆ ପଣଟ ଓ “ପୁରୁଷ ନଥାନ୍ତୁ, ଆମେ ଅଛୁ”ର ତାତ୍ପର୍ଯ୍ୟ ଭାବୁ ଭାବୁ ଅମନୋଯୋଗୀ ହୋଇଯାଇଥିଲି ।

 

ମୁଁ ବସିପଡ଼ିଲି–ଚୌକି ଅବଶ୍ୟ ଦୋହଲିଗଲା । ଚିତ୍ରକର ଝିଅକୁ ନିର୍ଦ୍ଦେଶ ଦେଲେ–

 

‘ଯା, ବାବୁଙ୍କ ପାଇଁ ପାନ ଆଣ୍ ।’

 

ଶୁଣିଲି ଏକଥା ପଦକ; କିନ୍ତୁ ମନର ଅଶ୍ଵ ଛୁଟୁଥାଏ ସେଇ ରୂପସୀର ଲଳିତକଣ୍ଠର ସମ୍ଭାଷଣ ଶୁଣିବାକୁ, “ଆମେ ଅଛୁ ।” ଏତେ ଆତ୍ମବିଶ୍ଵାସ ନିଜର ସ୍ଥିତି ସମ୍ବନ୍ଧରେ ? କି କ୍ଷତି ହୋଇଥାନ୍ତା ମୁଁ ଯଦି ଅଟକିଯାଇଥାନ୍ତି ଟିକିଏ ? –‘ପାନ’ କିଶୋରୀ ଝିଅର କଣ୍ଠ । ଚିତ୍ରକରଙ୍କର ଅଧା ଅଙ୍କିତ ରୂପ ମୋ ଦୃଷ୍ଟିରେ ପଡ଼ିଲା…ତାହା ଥିଲା ନଟରାଜଙ୍କର ନୃତ୍ୟବିଳାସ । ମୁଗ୍ଧ ହୋଇ ମୁଁ ଚାହିଁରହିଲି ସେଇଆଡ଼େ…ଯିମିତି କେତେ କ୍ଷଣ ପୂର୍ବରୁ ଯୁବତୀର ଅଙ୍ଗଶ୍ରୀର ପରିପୁଷ୍ଟ ଔଜ୍ଜଲ୍ୟକୁ ମୁଁ ସ୍ୱଳ୍ପଆଲୋକିତ କକ୍ଷ ଭିତରେ ଅବଲୋକନ କରୁଥିଲି ।

 

କହିଲି–‘ଆପଣ ଏଇ ରେଖାଚିତ୍ର ଅଙ୍କନ କରନ୍ତି ନା ଆଉ କିଛି ?’

 

ଶିଳ୍ପୀ ହସିଲେ । କହିଲେ–‘ଆପଣ ବୋଧହୁଏ ଗଣପତି ଗଢ଼ିଦେବା ପାଇଁ ଅଡ଼ର ନେଇ ଆସିଛନ୍ତି-କୁହନ୍ତୁ କିଭଳି-ମାନେ ଉଚ୍ଚତା, ବେହରଣ କେତେ ଓ କିମିତି ଆପଣ ଚାହାନ୍ତି ।

 

ମୋର ହେଜ ହେଲା–ସତେ ତ, ଆଉ କୋଡ଼ିଏ ଦିନ ପରେ ସିଦ୍ଧିଦାତା ଗଣେଶଙ୍କର ପୂଜାର୍ଚ୍ଚନା–ତେଣୁ ଚିତ୍ରକର ସେ ବିଷୟରେ ଏତେ ସଚେତନ ।

 

ଚିତ୍ରକାରଙ୍କ ପାଖକୁ ବିଦାୟ ଘେନି ଆସିଲି ।

 

ଦୁଇଦିନ ପରେ ମୋର ଘରବାରଣ୍ଡାରେ ଯେଉଁ ଫଳକକୁ କଣ୍ଟା ବାଡ଼େଇ ଟାଙ୍ଗିଦେଲି, ସେଇଟା ଏମିତି ଆଶ୍ଚର୍ଯ୍ୟ କାମ ଦେବ ବୋଲି ମୁଁ ଭାବିନଥିଲି । ପ୍ରଥମେ ପ୍ରଥମେ ହୁଏତ ତା ସମ୍ଭବ ହେଲାନାହିଁ ।

 

ଝୁଡ଼ିଏ ଝୁଡ଼ିଏ ବାଲିମଇଳା ମୋ ବୈଠକଖାନାକୁ ମୁଁ ନିଜେ ଓଳେଇ ସଫାକରେ ପ୍ରତ୍ୟେକ ଦିନ ରାତି ଏଗାରଟାବେଳେ । କେତେ ପ୍ରକାର ଯେ ଯୋତା, ବୁଟ୍, ବର୍ଷାଦିନିଆ ହାଫ୍‍ସୁ, ଚପଲ ଉଭୟ ପୁଅ ଓ ଝିଅଙ୍କର, ଫାନ୍‍ସୀମାର୍କା ସାଣ୍ଡାଲ…ଏସବୁ ବହିଆଣନ୍ତି ବୋଝେ ବୋଝେ ବ୍ରଜଧୂଳି..ପରମ ପବିତ୍ର ଶ୍ରୀକ୍ଷେତ୍ର ଗୋବର ଓ ମାଟି; ଅଥଚ ଆଗନ୍ତୁକମାନେ ବୁଝନ୍ତିନାହିଁ ଯେ ଘର ଭିତରେ ଶ୍ରୀ ଅରବିନ୍ଦ ଓ ଶ୍ରୀମା’ ଆସ୍ଥାନରେ ଅଛନ୍ତି ।

 

ସହରରେ ଗଣପତିପୂଜାର ଆଡ଼ମ୍ୱର । ନାହିଁ ନଥିବା ଏ ଦୃଶ୍ୟ । ଗତ ଦଶବର୍ଷ ହେଲା ଏମିତି ବ୍ୟାପକ ଓ ସାହି-ସହିକେ ଦୁଇ ତିନୋଟି ଗଣନାଟ୍ୟ ମୂର୍ତ୍ତି ଥାପନାକରି ଲୋକେ ବସ୍ତି ବସ୍ତି, ସାହି ସାହି, ବଜାର ବଜାର ଭିତରେ ମନାନ୍ତର ସୃଷ୍ଟି କରିଚାଲିଛନ୍ତି । ହଠାତ୍ ଏଭଳି ଗଦ୍‌ଗଦ୍ ଧର୍ମଭାବର ଯେ ସୁଅ ଛୁଟିଛି ଏହାର ଅନ୍ତରାଳରେ କି ସତ୍ୟ ଅଛି, ଜଣାଯାଏନାହିଁ ।

 

ଯୋତା ପିନ୍ଧି ପଶିଆସିଲେ ସାହିର ଦଳେ ଟୋକା ।

 

-ଆଜ୍ଞା ଚାନ୍ଦା, ଏଥର କିଛି ମୋଟା…

 

ସମସ୍ତେ ଜୋତା ପିନ୍ଧିଛନ୍ତି । ଏତେଗୁଡ଼ାକ ପାଦୁକାମେଳରେ ଯେ ଆବର୍ଜନା ଘର ଭିତରେ ଠୁଳହେଲା ତାହା କିପରି ପରିଷ୍କାର ହେବ ସେଇ ଚିନ୍ତାରେ ମୁଁ ଥଳକୂଳ ପାଉନଥିଲି । ଆଉ ଦଳେ ଲୋକ ଚିତ୍କାର କରି ଧସେଇଆସିଲେ–

 

‘ଆଜ୍ଞା, ଜମ୍‍ମା ଦେବେନି…ଏଗୁଡ଼ାକ ଚୋର, ତସ୍କର । ଆରବର୍ଷ ଖର୍ଚ୍ଚର ଅଡ଼ିଟ ରିପୋର୍ଟ କାହିଁ ? ଏମାନେ ପଇସା ଖାଇଗଲେ । ଯାତ୍ରାବାଲା ଟୋକା-ଟୋକୀଙ୍କ ପଛରେ ବରବାଦ୍ କରିଦେଲେ । ଆମେ ଅଲଗା ପ୍ରଗତିକାମୀ ଯୁବକ । ଏଥର ଆମେ ମୂର୍ତ୍ତି ଗଢ଼ିବୁ । ଯାହା ଖର୍ଚ୍ଚ ହେବ ହିସାବ ଦେବୁ । ଆମକୁ ବିଶ୍ଵାସ କରନ୍ତୁ-ଆମକୁ ଚାନ୍ଦା ଦେବେ, ତାଙ୍କୁ ଦେବେନି ।’

 

ଦୁଇ ପଟରୁ ଦୁଇଟା ଚାନ୍ଦାଖାତା ମୋ ଟେବୁଲ ଉପରେ ରହିଲା । ମୁଁ ବିକଳହୋଇ ଏପଟ ସେପଟ ଅନାଉଥାଏ, ବୁଦ୍ଧି ଦିଶୁନଥାଏ–ଏ ବିଷୟରେ କଅଣ କରିବା ଉଚିତ ବା ଅନୁଚିତ ।

 

ଭାବୁଥିଲି ଓ ଚାହୁଁଥିଲି ସମସ୍ତଙ୍କ ପାଦଦେଶକୁ । ଅବଲୀଳାକ୍ରମେ ଏମାନେ ଜୋତା ପିନ୍ଧି ପଶିଆସିଛନ୍ତି ଯେଉଁଠି ରାମକୃଷ୍ଣ ପରମହଂସ, ସ୍ୱାମୀ ବିବେକାନନ୍ଦ, ଗାନ୍ଧିଜୀ, ଯୋଗୀ ଅରବିନ୍ଦଙ୍କ ଫଟୋଚିତ୍ର ଶୋଭାପାଇଛି । କାହାରି କଅଣ ଦାଣ୍ଡକାନ୍ଥରେ ଟଙ୍ଗାହୋଇଥିବା ଫଳକ ଉପରେ ଆଖିପଡ଼ୁନାହିଁ ବା ଆଖି ପଡ଼ିଲେ ବି ଅନୁଶାସନକୁ ମାନୁନାହାନ୍ତି !

 

ଏମିତି ଭାବନାସାଗରରେ ନିମଜ୍ଜିତଥିବା ସମୟରେ ସମ୍ମିଳିତ ରମଣୀକଣ୍ଠର ବେଣୁରାରିଣୀ ଭାସିଆସିଲା । ଦଶ ବାରଜଣ ବିଭିନ୍ନ ବୟସ ତଥା ଆକାର-ପ୍ରକାରର ନାରୀ ଚପଲ ଖସ୍ ଖସ୍ କରି ପଶିଆସିଲେ ।

 

ଜଣେ ତା ମଧ୍ୟରୁ କହିଲେ–‘ଅଛନ୍ତି ତ ! ବାଃ ବାଃ, ଏତେ ଲୋକ ?’

 

ମୁଁ କଣ୍ଠରେ ବିରକ୍ତିର ସ୍ୱର ଝରାଇ କହିଲି–

 

‘ଆପଣମାନେ ବି ସେଇ ଏକାପଥରେ ? ମାନେ ଗଣେଶ ଗଢ଼ୁଛନ୍ତି ନା କଅଣ ?’

 

-‘ଆଜ୍ଞା, ଏମାନେ ଏଥର ନୂଆକରି ଗଣପତି ପୂଜା କରୁଛନ୍ତି । ଏମାନେ ଯୁଆଡ଼େ ଯିବେ ଚାନ୍ଦା ତାଙ୍କୁ ଅପୂର୍ବ ହେବନି, ତାଙ୍କୁ ଦିଅନ୍ତୁ ଆମକୁ ଦିଅନ୍ତୁ; କିନ୍ତୁ ଏ ଟାଉଟରଗୁଡ଼ାଙ୍କୁ ଦେବନାହିଁ । ଗତବର୍ଷର ଖର୍ଚ୍ଚ ହିସାବ ସାଧାରଣରେ ପ୍ରକାଶ କରିନାହାନ୍ତି ।’ –ଯୁବକଗୋଷ୍ଠୀରୁ କେହି ଜଣେ ଏମିତି କହିଦେଲେ ।

 

ତୁମୁଳକାଣ୍ଡ । ମୋର ସେହି କ୍ଷୁଦ୍ର ପରିମିତ ବୈଠକଖାନାରେ ହୈଃ ହୈଃ ରବ । ସଂଘର୍ଷ, ଚିତ୍କାର ଓ ଚପଲଉଠା ପର୍ଯ୍ୟନ୍ତ ଦୃଶ୍ୟ-ଦୃଶ୍ୟାନ୍ତର ।

 

ପ୍ରତି ଦଳକୁ କିଛି କିଛି ଦେଇ ବିଦାୟ କଲାବେଳକୁ ଘରେ ମାଟି ଗୋବର ବାଲିର ବେଶ୍ ଗୋଟାଏ ପତଳା ସ୍ତର ପଡ଼ିଯାଇଛି ।

 

ହା-ହତୋସ୍ମି ହେଲି । ଯେ ଯାହାର ସିଦ୍ଧି ପାଇଁ ସିଦ୍ଧିଦାତାଙ୍କୁ ଧରିଛନ୍ତି । ସମାଜ ଅଙ୍ଗରେ ବହୁ ବ୍ରଣ ଓ କ୍ଷତ ସ୍ଥାନରେ ପୂଜ ଭରି ରହିଥିଲା; ଏବେ ଏପ୍ରକାର ଭକ୍ତି ନାମରେ ଅପବ୍ୟୟ ଓ ପ୍ରତାରଣାର ଆଉ ଗୋଟାଏ ସିଂହଦ୍ଵାର ଖୋଲିଗଲା ।

 

ସିଂହଦ୍ୱାର–

 

ଏଠି କଅଣ ନହୁଏ ? ଷଣ୍ଢ ଷଣ୍ଢରେ ପ୍ରୀତି ଘଟେ । ଗୋମାତା ଖାଇଯାଏ କାଗଜ, କନା, ପରିବା । ବନ୍ଧନହୀନ ପଶୁସମାଜ, ବନ୍ଧନହୀନ ମଣିଷ ଗୋଷ୍ଠୀ । ଦୋକାନେ ଦୋକାନେ ଭାଙ୍ଗ ଓ ଗଞ୍ଜେଇର ବିକାକିଣା । ମହାପ୍ରସାଦ କୁଡ଼ୁଆ ଧରି ଢଳିଢଳି ଚରଣ ଛନ୍ଦେଇ ଯାଉ ଯାଉ ମହାପାତ୍ରେ ‘ରାମରତିରେ’ ଗୀତ ଗାଆନ୍ତି ।

 

ରିକ୍ସା ରିକ୍ସାରେ କୋଳାକୋଳି । ଦୁଇ କାଖରେ ବାଦୁରୀ ଭଳି ଲଟକିରହି ସ୍ତନ ଦୁଇଟାକୁ ଚିପୁଡ଼ି ଆଣୁଥିବା ଦୁଇ ପିଲାଙ୍କୁ କୋଳେଇ ହାତ ପତେଇଦିଏ ଶ୍ୟାମା ଭିଖାରୁଣୀ ।

 

ପାଖଦେଇ ଚାଲିଯାଏ ଅମରପଥର ଯାତ୍ରୀ କୋକେଇବନ୍ଧା ସବାରିରେ ସ୍ୱର୍ଗଦ୍ୱାର ଆଡ଼କୁ । “ଆରେ ମୋ ରଙ୍କରତନ, କୁଆଡ଼େ ଗଲୁରେ” କାନ୍ଦି କାନ୍ଦି ଗର୍ଭଧାରଣୀ ଧୂଳି ଉପରେ ଗଡ଼େ, ଉଠେ, ପୁଣି ଲୁହ ପୋଛେ ।

 

ଆଗ ଦୋକାନରେ ଡାକ୍ତରବାବୁ ପ୍ରେସ୍‍କିପସନ୍ ଲେଖୁଛନ୍ତି । ରୋଗ ଗୋଟାଏ ଆଡ଼େ, ବ୍ୟବସ୍ଥାପତ୍ର ଅନ୍ୟଆଡ଼େ । ଇଞ୍ଜେକ୍‌ସନ୍ ନେବାକୁ ବାଧ୍ୟ । ହାତ ଦେଖାଏ ରୋଗୀ । ଫୋଡ଼ାଟା ଯେତେ ନ କାଟେ, ପାଞ୍ଚଟଙ୍କା ଗଣିଦେବାରେ ବାଧା ଆସେ ।

 

ଇଚ୍ଛା ନଥିଲା, ତେବେ କଲେଜପଢ଼ା ଝିଅ; ଜିଦ୍ ଧରିଲା-ବାପା ଆଜି ଚାଲ, ତମେ କାହିଁକି ଶୁଖିଯାଉଛ, ଡାକ୍ତରଙ୍କୁ ଦେଖାଇବା, ସିଂହଦ୍ଵାରର ବଡ଼ଡ଼ାକ୍ତର–ସେ ଦେଖି ଭଲ “ଔଷଧ ଦେବେ” ।

 

ଟିକିଏ କରକୁ ବହିଦୋକାନ । ବହି ବିକ୍ରି ହେଉଛି-ନିଷିଦ୍ଧ ବହିଯୁବକ ଯୁବତୀ ଭିଡ଼ କରିଛନ୍ତି । ଏହାର ବି ଏକ ଗୁପ୍ତ ରହସ୍ୟ ଅଛି । ସେବାଟେ ଉଲଗ୍ନ ଫଟୋଚିତ୍ରର ଆଲବମ ବିକ୍ରି ହୁଏ ।

 

ସଭା ତ ଅସଂଖ୍ୟ । ଯୁବକ, ପୌଢ଼, ବୃଦ୍ଧ, ନାରୀ, ପଶୁ...ସମସ୍ତଙ୍କର ଅବାଧ ପ୍ରବେଶ...ଚତୁର୍ଦ୍ଦିଗ ଖୋଲାଭୂଇଁରେ ଯେ ଯାହା ଭାବିଲା କହିଲା ।

 

ରାମଚନ୍ଦ୍ର ଏଠାକୁ ଆସନ୍ତି, ଶୁଣନ୍ତି ସୀତାଙ୍କୁ କିପରି ସେ ଅଗ୍ନିପରୀକ୍ଷା କରାଇଥିଲେ ବୋଲି । ଏବର ଯୁବକ-ଅଧ୍ୟାପକ ବକ୍ତାଭାବରେ ତାଙ୍କୁ ଜଘନ୍ୟ ନାରୀ-ବିଦ୍ଵେଷୀ କରି ଆକ୍ଷେପ କରୁଛନ୍ତି । ପୁଣି ଓଲଟା ଦିଗର ପ୍ରବୃତ୍ତି ଘେନି ବୃଦ୍ଧ ପଦଶ୍ରୀ ଦ୍ରୌପଦୀ ବସନ ଭିଡ଼ିଲାବେଳେ ଦୁଃଶାସନକୁ ନରାଧମ କହି କାନ୍ଦିପକାନ୍ତି ।

 

...‘ଆମେ ଶାସନକୁ ଆସିଲେ ଅନାହାର ମୃତ୍ୟୁ ହେବନି, ସମସ୍ତେ ଖାଇବାକୁ ପାଇବେ, ସମସ୍ତେ ସୁଖରେ ଶୋଇପାରିବେ, କାହାରି ଅଭାବ ରହିବନାହିଁ’–ବକ୍ତାମାନେ ଗୋଟାକ ପରେ ଗୋଟାଏ ଆଶ୍ଵାସନା ଦିଅନ୍ତି । ଷଣ୍ଢ ଗୋଟାଏ ପଶି ସାମୟିକ ମନିଷକଣ୍ଠ-ଉଚ୍ଚାରିତ ଭାଷା ବୁଝିବାକୁ ଚେଷ୍ଟା କରିବାରେ ବୀରପୁରୁଷଙ୍କର ଛତ୍ରଭଙ୍ଗ ହୋଇଯାଏ ।

 

ପୁଣି ମେଳା ଜମିଯାଏ ।

 

ସିଂହଦ୍ଵାର...

 

ଗଣନାଥ ମୂର୍ତ୍ତିଙ୍କ ଆସ୍ଥାନ । ଦେଖିଲି ଚାରିଆଡ଼େ ଆଲୋକସ୍ତମ୍ଭ ନାଚୁଛି, ଉପରକୁ ଉଠୁଛି, ତଳକୁ ଯାଉଛି, ନଈଭଳି ଭାସିଯାଉଛି । ହଜାରେ ଆଖି ଏକାଠି ଠରାଠରି ହେଲେ ଯିମିତି ମୁଦିହୋଇଯାଏ, ପୁଣି ଖୋଲିଯାଏ, କି କୌଶଳ ସତେ ଖଞ୍ଜାଯାଇଛି ଯେ ଇଲେକଟ୍ରିକ୍ ଆଖିଗୁଡ଼ାକ ଏମିତି ମୁଦା ଖୋଲା ହୋଇ ନାଚୁଛନ୍ତି ।

 

ରକ୍ତ, ପୀତ, ହରିତ୍, ଶୁଭ୍ର–ସବୁପ୍ରକାର ଆଲୋକର ତିର୍ଯ୍ୟକ୍ ପ୍ରତିଫଳନ, ଯାହା କି ବ୍ୟୋମପଥ ଦେଇ ବ୍ରହ୍ମାଣ୍ଡଯାଏ ପ୍ରସରିଯାଇଛି ।

 

ଆଉ ସ୍ଵୟଂ ଗିରିଜାନନ୍ଦନଙ୍କର କଥା କଅଣ କହିବା ? ସେ ତ ନଗେଶପୁରିଆ ଯାତ୍ରାପାର୍ଟିର ବ୍ୟାଣ୍ଡ ବାଜା ତଳେ ଆତ୍ମଗୋପନ କରି ତ୍ରାହି ତ୍ରାହି ଡାକୁଛନ୍ତି । ତାଙ୍କ ଅବୟବଗୁଡ଼ିକ ଶୁଣ୍ଢ ପର୍ଯ୍ୟନ୍ତ ଓରିଏଣ୍ଟାଲ ହୋଇଯାଇଛନ୍ତି । ଚିତ୍ରତାରକା ସନ୍ଧ୍ୟା ରାୟ, ହେମମାଳିନୀ ବା ହେଲେନ୍‍ଙ୍କର ଆଖିଭଙ୍ଗିମା ତାଙ୍କ ଆଖିରେ ଆରୋପିତ ହୋଇଛି ।

 

ମୋ ପଛରେ କେହି ଜଣେ ବେରସିକ ବ୍ୟକ୍ତି କାହାକୁ ପଚାରିଦେଲେ–

 

‘ଏ ଆଲୋକସଜ୍ଜାରେ କେତେ ଖରଚ ହୋଇଥିବ’ ?

 

ଉପରୁ ଉଡ଼ା ଉତ୍ତରଟାଏ ଆସିଗଲା !

 

-‘ଦଶହଜାରରୁ କମ୍ ହୋଇନଥିବ’ ।

 

-‘ଦଶହଜାର’ ? ଲୋକଟିର ବିସ୍ମୟ ଆକାଶଚୁମ୍ବୀ ଲକ୍ଷ୍ୟ ବୋଧହୁଏ ।

 

ଆଉ ଜଣେ କାନ୍ଧମିଳାଇ ଠିଆହୋଇଥିବା ଗଣକ ହିସାବ କରି କହିଲେ-‘ସହରର ସବୁ ମୂର୍ତ୍ତି ଏକାଠି କରି ଖର୍ଚ୍ଚ ଅଟକଳ କଲେ ବୋଧହୁଏ ଦୁଇ ତିନି ଲକ୍ଷ ଟଙ୍କା ଖରଚ ହୋଇଥିବ’ !

 

ଅର୍ଥ...

 

ଅର୍ଥନୀତି...

 

-‘ଛିଃ...ଛିଃ..ବେରସିକ, ଦେଖ ବାବୁ, ଗୋଟିପୁଅ କିମିତି ଅଣ୍ଟା ଢଳଉଛି । ନାରୀ ନହୋଇବି ଅଭିନେତା କିମିତି କଣ୍ଠରେ “ଓଗୋ ପ୍ରାଣନାଥ”କହୁଛି-ୟାକୁ ଦେଖିବ ଶୁଣିବ ନା ଦୁଇଲକ୍ଷ ତିନିଲକ୍ଷ ହେଉଥିବ ?’

 

ଯିଏ ଏକଥା କହିଲେ ସେ ଲାଲ ଟୁକୁଟୁକୁ ଆଖିରେ ଆମ ସମସ୍ତଙ୍କୁ ଚାହିଁଗଲେ ।

 

ଏତେ ଆଲୋକର ହିଲ୍ଲୋଳ ତଳେ ଗୋପବନ୍ଧୁ ମୂର୍ତ୍ତିର କରପଟେ ନର୍ଦ୍ଦମାକୁ ଜାହ୍ନବୀ ନାମ୍ନୀ ଯେ ରୋଗିଣୀ ଭିକ୍ଷୁଣୀଟି ତାର ଜଳାଧାରରେ ଅଧା ପଶିଯାଇ ଶେଷ ଜୀବନାବସାନର ମୁହୂର୍ତ୍ତଟିକୁ ଅପେକ୍ଷାକରି ଦୁଇ ଛୋଟ ଶିଶୁର ଶବଧରି ପଡ଼ିରହିଥିଲା, ତାକୁ ସାଥୀ କରି ବସି ରହିଥିଲା ଗୋଟିଏ କଳା କୁତ୍ତୀ । ଦୁହେଁ ନାରୀ–ଯଦିଓ ପଶୁକୁଳରେ ‘ନାରୀ’ ବୋଲି ଶବ୍ଦ ନାହିଁ–କହିଲେ ହେବ ପ୍ରସବିନୀ...ଦୁଇ ସର୍ବଂସହା ପ୍ରାଣୀ ।

 

ହଠାତ୍ କିମିତି ଚମକିପଡ଼ି ସେହି ସ୍ଵର୍ଗଗାମିନୀ ଭିକ୍ଷୁଣୀକୁ ଚାହିଁଦେଲି ।

 

ମନେହେଲା ସହରର ସମସ୍ତ ମୃଣ୍ମୟ ଶିବତନୟ ଗଣପତିଙ୍କର ଶୁଣ୍ଢ ପରସ୍ପର ସଂଯୋଜିତ ହୋଇଗଲେ ବି ପହଞ୍ଚି ପାରିବନାହିଁ ଏଇ ମହାପ୍ରାଣୀ ପରପାରଗାମିନୀ ମହିଳା ଯାଏ-

 

ସେ କିଏ ?

 

ତାର ଅତୀତ ?

 

ନଖାଇ ମରିଛି, ତାହାହିଁ ଏକ ଅଭ୍ରାନ୍ତ ସତ୍ୟ । ପିଲାଦୁଇଟି ବି ।

 

ପାର୍ଲିମେଣ୍ଟ...ଆସେଂବ୍ଲି, ନିର୍ବାଚନ, ମନ୍ତ୍ରି ପରିଷଦ...ଖାଣ୍ଟି ଦୁଧ ରାସ୍ତା ଉପରେ ଢଳାଯାଇଛି, ଖାଣ୍ଟି ଗବ୍ୟଘୃତ ରାସ୍ତା ଉପରେ ସୁଅ ଛୁଟାଉଛି...ପର୍ବ, ପୂଜା...ଗଣେଶବନ୍ଦନା...ଲକ୍ଷ ଲକ୍ଷ ଟଙ୍କାର ଜଳଧାର ଗଡ଼ିଯାଇଛି ମଣିଷର କାମନା ପ୍ରବୃତ୍ତିକୁ ଚରିତାର୍ଥ କରିବାର ପ୍ରବଳ ସିନ୍ଧୁ-ଉଚ୍ଛ୍ଵାସକୁ ।

 

ନଗେଶପୁରିଆ ବ୍ୟାଣ୍ଡପାର୍ଟି । ଗୋପବନ୍ଧୁଙ୍କ କାନ ଫାଟିଯାଉଛି...ସେ କାଳର ଲୋକ...କଅଣ ବା ବୁଝିବେ ଏ କାଳର ରସ-ରହସ୍ୟକୁ ?

 

ନମସ୍କାର କଲି ସେଇ ଶବଶିବାନୀକୁ । ଅଶାନ୍ତ ମନ ଓ ଅସତ୍ୟ ଶରୀରକୁ ବୁହାଇ ଫେରିଆସିଛି ନିଜ ନୀଡ଼ ଭିତରକୁ…

 

ଦେଖିଲି ପରିଚିତ ଦୁଇଜଣ ଯୁବକଙ୍କୁ–ମୋ ଅପେକ୍ଷାରେ ଥିଲେ ।

 

ଜଣେ କହିଲେ–‘ଆପଣ ଶିଳ୍ପୀମାନଙ୍କୁ ନିଜ ହାତରେ ଉପାୟନ ଦେବେ । ଅଭିନବ ବ୍ୟବସ୍ଥା କରିଛୁ ଆମେ । ଦେଖୁଛନ୍ତି ସହରଭରା ଗଣେଶପ୍ରତିମା । ବହୁ ସିଦ୍ଧ ଅସିଦ୍ଧ ଶିଳ୍ପୀ ତୂଳୀ ଚଳାଇଛନ୍ତି । ଉତ୍ସାହିତ କରିବେ ଶ୍ରୀକ୍ଷେତ୍ର ସାଂସ୍କୃତିକ ସମିତି । ଏହା ପୂର୍ବରୁ ଆପଣଙ୍କୁ ଘେନି ଆମେ ପ୍ରତ୍ୟେକଟି ମୂର୍ତ୍ତି ପ୍ରଦକ୍ଷିଣ କରିଆସିବୁ । ସାଙ୍ଗରେ କମିଟି ମେମ୍ବର ଥିବେ ଓ ବିଚାରକମଣ୍ଡଳୀ ଆମକୁ ସାହାଯ୍ୟ କରିବେ ।’

 

ଏଥିରେ ଉଲ୍ଲସିତ ହେବାର କଥା, ହେଲି ।

 

ଉପାୟନ ଗ୍ରହଣ ଉତ୍ସବ ।

 

ଜନସମାବେଶ ଖୁବ୍ ହୋଇଛି । ବହୁ ଶିଳ୍ପୀ ଉପସ୍ଥିତ ଅଛନ୍ତି ।

 

ସମିତିର ସମ୍ପାଦକ ପ୍ରାରମ୍ଭିକ ସୂଚନା ଦେବା ପରେ ବିଚାରକ ମଣ୍ଡଳୀର ପ୍ରଧାନ ବିଚାରକ ପୁରସ୍କୃତ ହେଉଥିବା ଗଣେଶ ପ୍ରତିମା ନିର୍ମାଣକାରୀଙ୍କର ଗୋଟିଏ ଗୋଟିଏ ନାମ, ମୂର୍ତ୍ତି, ପରିକଳ୍ପନା ଓ ସକ୍ଷିପ୍ତ ପରିଚୟ ଦେବାକୁ ଆରମ୍ଭ କଲେ–

 

“ସଜ୍ଜନବୃନ୍ଦ ! ସହରରେ ଶତାଧିକ ମୂର୍ତ୍ତି ପରିଦର୍ଶନ କରି ବିଚାରକଗଣ ସର୍ବସମ୍ମତିକ୍ରମେ ଯେଉଁମାନଙ୍କୁ ଶ୍ରେଷ୍ଠ ସ୍ଥାନ ଦେଇଛନ୍ତି, ସେମାନଙ୍କ ମଧ୍ୟରେ ଅଛନ୍ତି ଜଣେ ନାରୀଶିଳ୍ପୀ, ଯେ ଆଜି ସଭାପତିଙ୍କଦ୍ୱାରା ପୁରସ୍କୃତ ହେବାକୁ ଯାଉଛନ୍ତି । ତାହା ସହରର ଜନସାଧାରଣ ତଥା ବୁଦ୍ଧିଜୀବୀଙ୍କ ପକ୍ଷରେ ଅତି ଆନନ୍ଦର ବିଷୟ ।

 

“ବଣର ମାଳତୀ ବଣରେ ଫୁଟି ସୁବାସ ହରାଇଥିବା ଭଳି ଚିତ୍ରକର ସାହିର ଏହି ଅଜ୍ଞାତା ମହିଳା କୁମାରୀ କନକ ମହାପାତ୍ର ନିଜ ହାତରେ ଏକକ ପରିକଳ୍ପନା ଘେନି ଯେଉଁ ପ୍ରତିମା ଗଠନ କରିଛନ୍ତି, ତାହା ସର୍ବୋତ୍କୃଷ୍ଟ ବିବେଚିତ ହୋଇଛି ।

 

“ସେ କେବଳ ଗତାନୁଗତିକ ଭାବରେ ପ୍ରତିମା ଗଢ଼ିନାହାନ୍ତି, ତାହା ସହିତ ଅନାହାରରେ ମୃତ୍ୟୁ ଓ ମଣିଷର ଖାଦ୍ୟକୁ ଛଡ଼ାଇ, ପଶୁ ଓ ପଶୁଠାରୁ ଖାଦ୍ୟ ଛଡ଼ାଇ ମଣିଷ ଯେ କିପରି ସଂଘର୍ଷ କରୁଛି, ତାହା ବି ଦେଖାଇ ଆମର ପ୍ରାଣକୁ ଶୋକାର୍ତ୍ତ କରିଛନ୍ତି । ପ୍ରତିମା ସେ ଗଢ଼ିନାହାନ୍ତି, କେବଳ ଗଣନାଥଙ୍କ ପ୍ରତୀକ ଶୁଣ୍ଢଟି ମାତ୍ର ଗଢ଼ିଦେଇ ଅବଶିଷ୍ଟ ଚିତ୍ରରେ ସମସାମୟିକ ଜୀବନର ଅଶ୍ରୁଳ ପରିସମାପ୍ତି ଦେଖାଇଛନ୍ତି” ।

 

ସର୍ବତ୍ର ହର୍ଷମୁଖର ହାତତାଳି । କିଏ ସେ କନକ ମହାପାତ୍ର... ?

 

ଆଗପଛ ସବୁଆଡ଼କୁ ଜନତାର ମୁଗ୍ଧ ବିସ୍ମୟର ଦୃଷ୍ଟି ରେଖା ।

 

“ଦୟାକରି କନକ ମହାପାତ୍ର ମଞ୍ଚ ଉପରକୁ ଆସି ଏକ ହଜାର ଟଙ୍କା ଓ ମାନପତ୍ର ଗ୍ରହଣ କରନ୍ତୁ ଏବଂ ଯେଉଁମାନେ ବରାଦ ଦେଇଥିଲେ ମୂର୍ତ୍ତି ଗଠନ ପାଇଁ, ସ୍ଥାନୀୟ ମହାବିଦ୍ୟାଳୟର ଛାତ୍ରବୃନ୍ଦ, ତାଙ୍କର ପ୍ରତିନିଧି ଆସନ୍ତୁ । ତାଙ୍କୁ ଆମେ ପୁଷ୍ପଗୁଚ୍ଛ ଦେଇ ଅଭିନନ୍ଦନ ଜଣାଇବୁ ।”

 

ଯେ ତରୁଣୀଟି ସଲ୍ଲଜ୍ଜ ଭଙ୍ଗୀରେ ପ୍ରଣାମ କରି ମୋ ଆଗେ ଛିଡ଼ା ହୋଇ ମୋ ହାତରୁ ଏକହଜାର ଟଙ୍କା ଓ ମାନପତ୍ର ଗ୍ରହଣକଲେ ସେ ଆଉ କେହି ନୁହେଁ, ସେଦିନ ସନ୍ଧ୍ୟାରେ ଯାହାଙ୍କର ଖଟ ଉପରେ ଚମ୍ପାଫୁଲମାଳ, ଶେଯ ସୁପାତି ଓ ଆମନ୍ତ୍ରଣର ଭିକ୍ଷା ମୁଁ ଭାବିନେଇଥିଲି ରୂପବ୍ୟବସାୟିନୀ–ସେହି ମହତୀ କୁମାରୀ ଶିଳ୍ପୀ । କନକକୁ ଦେଖିବା ମାତ୍ରେ ମୁଁ ଶିହରିତ ହୋଇଗଲି ।

 

କନକ ମୋଠାରୁ ଉପାୟନ ଗ୍ରହଣ କଲାବେଳେ ତାଙ୍କର କେତୋଟି ଆଙ୍ଗୁଠି ମୋ କର ସ୍ପର୍ଶ କରିଥିଲା । ଶିଳ୍ପୀର କରାଙ୍ଗୁଳି...ଭାଗ୍ୟ ଥିଲେ ଏ ସ୍ପର୍ଶ ଜୀବନକୁ ସ୍ପର୍ଶକାତର କରେ ।

 

ଧୀରେ କହିଲି–“ତୁମେ” ?

 

ସେ କେବଳ ତଳକୁ ଚାହିଁରହିଲେ...ପୁଣି ଥରେ ପ୍ରଣାମ ।

 

ଦ୍ଵିତୀୟ ଶିଳ୍ପୀଙ୍କ ଘୋଷଣା–“ଦ୍ଵିତୀୟ ସ୍ଥାନ ଅଧିକାର କରିଛନ୍ତି ଭଗବାନ ମହାପାତ୍ର-ଚିତ୍ରକର-ସାହିର ଅଦ୍ଵିତୀୟ ଶିଳ୍ପୀ...”

 

ମୁଁ ଆନନ୍ଦରେ ତାଙ୍କୁ ପାଞ୍ଚଶତ ଟଙ୍କା ଓ ମାନପତ୍ର ଦେବାବେଳେ ସମସ୍ତଙ୍କୁ ଶୁଣାଇ କହିଲି–“ଆରେ ଆପଣ ଯେ.. ଖୁବ୍ ଆନନ୍ଦର କଥା” ।

 

ସେ ହସିଲେ.. କହିଲେ, “ସେଦିନ ସନ୍ଧ୍ୟାରେ ଆପଣ ଘରକୁ ଆସିଥିଲେ । ଭାବିଥିଲି ଆପଣ ମତେ ଭଲ ଗଣେଶ ପ୍ରତିମା ଗଢ଼ିବାକୁ ଅର୍ଡ଼ର ଦେବେ; କିନ୍ତୁ ତା ପରିବର୍ତ୍ତେ ଖଣ୍ଡେ ଛୋଟ ଟିଣପଟାରେ କେତେଟା ଅକ୍ଷର ଲେଖିବାକୁ ଯେତେବେଳେ ଅନୁରୋଧ କଲେ, ମୁଁ ନିରାଶ ହୋଇଯାଇଥିଲି । ଆପଣ ଚାହିଁଥିଲେ, .. ‘ଯୋତା ବାହାରେ ରଖନ୍ତୁ’.. ଏଇ ସାଇନ୍ ବୋର୍ଡ଼ ଖଣ୍ଡିକ; ମୁଁ ଅବଶ୍ୟ ତା ଲେଖିଦେଇଥିଲି ।”

 

ସଭା ମଉଳିଯାଇଛି । ନିଜ ଘରର ନିଭୃତ ବସିବା ସ୍ଥାନରେ ବସି ଆକାଶକୁ ନିରୀକ୍ଷଣ କରୁଥିଲି...ଭାବୁଥିଲି....କନକ ମହାପାତ୍ର, ଯାହାର କଣ୍ଠରେ ଶୁଣିବାକୁ ପାଇଥିଲି ‘ପୁରୁଷ ନଥାନ୍ତୁ, ଆମେ ଅଛୁ’ ସେଇ ସମଯାତ୍ରୀର ଆତ୍ମବିଶ୍ଵାସରେ ସେ ପ୍ରତିମା ଗଠନକରି ଯଶସ୍ଵିନୀ ହୋଇପାରିଛି-। ଆଉ ଭଗବାନ ମହାପାତ୍ର....

Image

 

ଦୁଇଟି ବଳବନ୍ତ ସିଂହ

 

ବିମାନଦୋଳାରେ ବସି ସଙ୍ଗୀତଶିଳ୍ପୀଙ୍କର ମରଶରୀର ଦୋହଲି ଦୋହଲି ଯାଉଥାଏ ।

 

ଆଗରେ ପଛରେ ଆକୁଳ ଜନତା ।

 

ବଡ଼ଦାଣ୍ଡ; ପୁରୁଷୋତ୍ତମ କ୍ଷେତ୍ର ।

 

ଏକାଦଶ ଶତାବ୍ଦୀରେ ରାଜା ଚୋଡ଼ଗଙ୍ଗଙ୍କ ସମୟରେ ବିଶିଷ୍ଟାଦ୍ଵୈତବାଦର ପ୍ରତିଷ୍ଠାତା ରାମାନୁଜ କହିଗଲେ ଏହି ଶ୍ରୀକ୍ଷେତ୍ରରେ–‘ମୃତ୍ୟୁ ମହାସତ୍ୟ’ ।

 

ନିମ୍ବାର୍କ ସମ୍ପ୍ରଦାୟର ଜୟଦେବ ଗୋସ୍ଵାମୀ ଶ୍ରୀମନ୍ଦିର ଜଗମୋହନ ଭିତରେ ନେତ୍ରରୁ ଅଶ୍ରୁ ବୁହାଇ ଗାଉଥିଲେ ‘ଗୀତଗୋବିନ୍ଦ’...ସେ ବି କହିଗଲେ–‘ସାବଧାନ, ମୃତ୍ୟୁ ଆସିଯିବ; ଜୀବ ଭକ୍ତିରସରେ ପ୍ଳାବିତ ହେଉ ।’

 

ମିଥିଳାର ବିଶିଷ୍ଟ କବି ବିଦ୍ୟାପତି ଓଡ଼ିଶାକୁ ଆସି ପୁରୀରେ ଅବସ୍ଥାନ କରି କହିଗଲେ–ଭକ୍ତଧନ ବ୍ରଜେନ୍ଦ୍ର ନନ୍ଦନଙ୍କୁ ସମର୍ପଣ କର । ମୃତ୍ୟୁକୁ ବାରଣ କରିହେବନାହିଁ । ଏହା ସତ୍ୟ’ ।

 

ଚଣ୍ଡୀଦାସ ବ୍ରଜଭାଷାରେ ପଦ୍ୟାବଳୀ ଲେଖି ଓଡ଼ିଶାକୁ ଆସି ପୁରୀଠାରେ ପାରାୟଣ କଲେ ତାଙ୍କର ଭକ୍ତି-ସ୍ରୋତାବଳି ।

 

ଚୈତନ୍ୟଦେବ ତ ଅଠରବର୍ଷ କାଳ ଶ୍ରୀକ୍ଷେତ୍ରର ବିଭୂତି ହୋଇଗଲେ । ସେ କହିଗଲେ–‘କୃଷ୍ଣନାମ ଉଚ୍ଚାରଣ କରରେ ମୂଢ଼ମତି ! ମୃତ୍ୟୁ ଅମୃତରେ ପରିଣତ ହେବ’ ।

 

ପଞ୍ଚଦଶ ଶତାବ୍ଦୀରେ ମହାସାଧକ କବୀର ପୂରୀଧାମରେ ରାମନାମ ପ୍ରଚାର କରି ସର୍ବଧର୍ମ ସମନ୍ୱୟର ସାରବତ୍ତା ପ୍ରତିପାଦନ କଲେ ।

 

ଚତୁର୍ଦ୍ଧଶ ଶତାବ୍ଦୀର ଶେଷଭାଗରେ ରମାନନ୍ଦସ୍ଵାମୀ ରାମାନନ୍ଦୀ ସମ୍ପ୍ରଦାୟର ସାଧନ ଭଜନ ପ୍ରଚାରପାଇଁ ପୂରୀଧାମକୁ ଆସି ମୃତ୍ୟୁଶୀଳ ମଣିଷର ଅମୃତତ୍ଵପ୍ରାପ୍ତି ପାଇଁ ପ୍ରବଚନ ଦେଇଗଲେ ।

 

ଷୋଡ଼ଶ ଶତାବ୍ଦୀର ପ୍ରଥମ ଭାଗରେ ଗୋସ୍ଵାମୀ ତୁଳସୀ ଦାସ ଶ୍ରୀକ୍ଷେତ୍ରକୁ ଶୁଭାଗମନ କରି ରାମନାମ ପ୍ରଚାରକଳ୍ପେ ପ୍ରାଣୀର ମୃତ୍ୟୁକୁ ମହାସତ୍ୟ ବୋଲି ଜ୍ଞାପନକଲେ ।

 

ପୁଣି ଏହି ଶତାବ୍ଦୀରେ ବାବା ଗୁରୁ ନାନାକ ଶିଖଧର୍ମ ପ୍ରଚାର କରିବା ଅଭିପ୍ରାୟରେ ଶ୍ରୀକ୍ଷେତ୍ରକୁ ଆସି ଜୀବନ ମୃତ୍ୟୁ ବିଷୟରେ ପ୍ରବଚନ ଦେଲେ ।

 

ଏହି ଶତାବ୍ଦୀର ମଧ୍ୟଭାଗରେ ଗୁରୁ ନାନକଙ୍କର ପୁତ୍ର ଉଦାସୀ ସମ୍ପ୍ରଦାୟର ପ୍ରତିଷ୍ଠାତା ବଲ୍ଲଭାଚାରୀ ପୁରୀ ଆଗମନ କରି ‘ଜୀବନ କଅଣ, ମୃତ୍ୟୁ କଅଣ’-ପ୍ରସଙ୍ଗରେ କଥା କହିଲେ ।

 

ଶ୍ରୀକ୍ଷେତ୍ର ନ ଦେଖିଛି କଅଣ ? ଦାରୁବ୍ରହ୍ମ ମୂର୍ତ୍ତି କଅଣ ବା ନ ଶୁଣିଛନ୍ତି ? ସେଇ ଯେଉଁ ସିଂହଦ୍ଵାର ଚକଡ଼ା, କ୍ଷେତ୍ର ଉପରକୁ ଆସିବାକୁ ହେଲେ ସବୁଆଡ଼େ ପଥ ଲମ୍ବି ଯାଇଛି-ସେ ଚକଡ଼ା ଉପରେ କିଏ କେତେ ଧର୍ମାତ୍ମା, ସାଧକ, ସମ୍ପ୍ରଦାୟୀ, ବୌଦ୍ଧ, ଜୈନ, ଶାକ୍ତ ବା ଅଦ୍ଵୈତ-ବେଦାନ୍ତୀ ତନୁଭାର ଥୋଇ ନଥିବେ ବା କଳାଲୋଚନ ତଳେ ମହାବେଦି ନିକଟରେ ଅଶ୍ରୁଧାର ଢାଳିନଥିବେ-?

ସେହି ଚକଡ଼ା ନିକଟରେ ସଙ୍ଗୀତ ସାଧକ, ଜଗନ୍ନାଥ ଜଣାଣ ଜଣାଇବା ଭକ୍ତି ରସିକଙ୍କର ପ୍ରାଣହୀନ ଶରୀର ଯେତେବେଳେ ଉପସ୍ଥିତ ହେଲା, ସେତେବେଳେ ..

-“ଆଜ୍ଞା, ଲେଖୁଛନ୍ତି ତ, ହଁ ଲେଖନ୍ତୁ ଲେଖନ୍ତୁ, ତାଲିକାରେ ନାଁଟା ଥାଉ । ହଁ, ପଞ୍ଚବଟୀ ଯାଗାଘର ପାହିଲିମାନ୍ ଶ୍ୟାମ ସୁଆର ଫୁଲମାଳ ଦେଲେ” ।

-“ହୋ ବାବୁ, ଲେଖନ୍ତୁ, ପ୍ରୀତିଭକ୍ତି ସଙ୍ଗୀତ ଅନୁଷ୍ଠାନର ପୁଷ୍ପାର୍ଘ୍ୟ, ତା’ପରେ ନିଖିଳ ଦେବଦାସୀ ସଘଂର ଏଇ ଗୋଲାପଗୁଚ୍ଛ…”

-“ଆଜ୍ଞା, ଆମେ କିଆଁ ପଛରେ ପଡ଼ିଯିବୁ । ହେ ଟୋକା, ଗଲୁ ଦି’ ଅଣା ପାଇସାରେ ଗୋଟାଏ ପ୍ୟାକେଟ ଧୂପବତୀ…ଆଗତୁରା ଲେଖନ୍ତୁ, ଅଖିଳ ଅପମିଶ୍ରଣ ଚୋରାଖାଦ୍ୟ ସଂଗ୍ରାହକ ସଂଘ ପକ୍ଷରୁ ଧୂପଦାନ...”

-“ଲେଖ ବାବୁ, ହିନ୍ଦୁସ୍ଥାନୀ ସଙ୍ଗୀତ ମିଶାଣ ଓଡ଼ିଶୀ ଭଜନ ସମ୍ପ୍ରଦାୟର ସଭାପତି ଶ୍ରୀକାନ୍ତ ଯାଯୋଡ଼ିଆଙ୍କର ଭକ୍ତିନମ୍ରଦାନ ଏହି ତୁଳସୀମାଳ...”

ଯେ ଲେଖୁଥିଲେ, ସେ ପଚାରିଲେ, “ଏ ଲେଖା ସେ କାହାକୁ ଦେବେ, କଅଣ ବା ଏହାର ପ୍ରୟୋଜନ” ?

 

ଭିଡ଼ ଭିତରୁ ପାଟିହେଲା, “ସାମ୍ବାଦିକଙ୍କୁ ଦେଇଦିଅନ୍ତୁ, ଛାପା ହୋଇଯିବ ।” ପୁଣି ସେହିଆଡ଼ୁ ସ୍ଵର ଶୁଣାଗଲା.. “ଏବେ ତ ବିଧାନସଭା ଚାଲିଛି; କିଏ ଛାପିବ ଏ ଅବାନ୍ତର କଥାଗୁଡ଼ାକ ? ବରଂ ଋଷିଆ ଗୁପ୍ତଚରଙ୍କର ଓଡ଼ିଆରେ ଅନୁପ୍ରବେଶ ଓ ଆଡ଼୍ଡ଼ା ବଡ଼ ମୁଖରୋଚକ ହୋଇଛି ଏତେବେଳେ...”

 

ଅଟକିଥିବା ବିମାନ ଦୋହଲି ଉଠିଲା..ଚାଲିଲା ସ୍ଵର୍ଗଦ୍ଵାର ଶ୍ମଶାନ ଅଭିମୁଖେ.. ରାମ ନାମ ସତ୍ୟ.. ଈଶ୍ୱର ଆଲ୍ଲା ତେରେ ନାମ୍.. ସବ୍‌କୋ ସନ୍‍ମତି ଦେ ଭଗବାନ...

 

ଏହି ସନ୍‍ମତିରେ ଗୋଟାଏ ଦୃଶ୍ୟ...

 

ପୂଜାପଣ୍ଡା ଧରଣୀଧର ଚୁପଚୁପ କରି କହିଲେ..“ଯାଃ ଚଲିଗଲା ଲୋକଟା...ଜୀବନଯାକ ଖାଲି ଖାଣ୍ଟି ଖାଣ୍ଟି ନିରୁତା କଥା କହୁଥିଲା । କିଓ, ଆଜିକାଲି ଟିକିଏ ସଙ୍ଗୀତରେ ମିଶ୍ରଣ ନଦେଲେ, ଯିମିତି ଓଡ଼ିଶୀ ନାଚରେ ଖମ୍‍ଟା, ଜଣାଣରେ ଭାଟିଆରି, ଭଜନରେ ଠୁମୁରି, ଓଡ଼ିଶୀ ଗାନରେ ହିନ୍ଦୁସ୍ଥାନୀ ଦ୍ରୁତ ଟପ୍‍ପା...ଦାଣ୍ଡରେ ଦି’ପଇସା ମିଳିବ କି ? ଲୋକଟା ଆମ ରୋଜଗାରର ପନ୍ଥା ଅନେକଟା ବନ୍ଦ କରିଦେଇଥିଲା ହୋ...”

 

ବନ୍ଧୁ ଜଣକ କହିଲେ–“ହେଇଏ ପଣ୍ଡେ, ଲୋକଟା ଅନୁଷ୍ଠାନ ଗଢ଼ିଛି, ସରକାରଙ୍କଠାରୁ କିଛି ପଇସା ଆସେ; ତାହା ବାପ-ମା’–ଛେଉଣ୍ଡ ହୋଇଗଲା.. ମୋର ମନକୁ ଆସୁଛି ଗୋଟାଏ କଥା କହିବି ? ନିର୍ଭୟରେ କହିବି ?”

 

-କହ ସାଙ୍ଗ ।

 

-ମାଡ଼ିବସିବା ।

 

-କିରେ କାହାକୁ ?

 

-ଠିକ୍, ମୁଁ ହେବି ସଭାପତି ।

 

-ମୁଁ ହେବି ସମ୍ପାଦକ ।

 

-ପାର୍ଷଦବର୍ଗ ?

 

-ଲୋକ ମିଳିବେ ।

 

-ତେବେ ଏତିକି...ଲୋକଟା ମରୁ ନାମରୁ ଏମିତି ଆମେ ଡାହାଣା ହୋଇଯିବା ନା ?

 

-ଆଗରୁ ତ ଚିନ୍ତା କରିବା କଥା ?

 

-ହଉ, ଚାଲ୍, ଶବ ପଛେ ପଛେ ଯିବା-ଉପରକୁ ଠିକ୍ ରଖି ଚାଲ୍, ଭିତରଟା ଯାହା ହେଉ....

 

ମହାତୀର୍ଥ ଶ୍ମଶାନରେ ସାଧକଙ୍କର ଚିତାଗ୍ନି ଜଳିଉଠିଲା.. ସେ ପୋଡ଼ି ପାଉଁଶ ହୋଇଗଲେ....

 

ଘରବହୁଡ଼ା ଶୋକାକୁଳ ଜୀବିତ ପ୍ରାଣୀମାନେ ଶୁଣୁଥିଲେ ମାଇକରେ ପ୍ରଚାରିତ ସ୍ତୋତ୍ର...

 

‘ଯାବତ୍ ପବନୋ ନିବସତି ଦେହେ

ତାବତ୍ ପୁଚ୍ଛତି କୁଶଳଂ ଗେହେ

ଗତବତି ବାୟୌ ଦେହାପାୟେ

ଭାର୍ଯ୍ୟା ବିଭ୍ୟତି ତସ୍ମିନ୍ କାୟେ ।

ଭଜ ଗୋବିନ୍ଦଂ ଭଜ ଗୋବିନ୍ଦଂ ଗୋବିନ୍ଦଂ ଭଜ ମୂଢ଼ମତେ ।’

 

ହେ ବନ୍ଧୁ, ଦେହରେ ପ୍ରାଣପବନ ଥିବାଯାଏ ଘରର ଲୋକେ ତୋ’ର କୁଶଳ ପୁଚ୍ଛା କରୁଥିବେ । ମାତ୍ର ତାହା ଉଡ଼ିଯିବା ପରେ ନିଜ ସ୍ତ୍ରୀ ମଧ୍ୟ ତୋ’ର ଦେହକୁ ଦେଖି ଭୟକରିବ ।

 

ହେ ବନ୍ଧୁ, ପୁନଃ ପୁନଃ ଜନ୍ମ, ପୁନଃ ପୁନଃ ମୃତ୍ୟୁ, ଜନନୀ ଜଠରରେ ପୁନଃ ପୁନଃ ଶୟନ…ଏହିଭଳି ପୁନରାବର୍ତ୍ତିତ ଦୁସ୍ତର ସଂସାର-ସାଗରରୁ, ହେ ମୁରାରି, ମତେ ଉଦ୍ଧାର କର…

 

-ଆଜ୍ଞା ଚାନ୍ଦା ?

 

-କି ଚାନ୍ଦା ?

 

-ସ୍ୱର୍ଗତ ସଙ୍ଗୀତ ସାଧକଙ୍କର ଶୋକସଭା ପାଇଁ କିଛି ଚାନ୍ଦା ।

 

-ଉଦ୍ଦେଶ୍ୟ ?

 

-ଦରିଦ୍ରନାରାୟଣ ଭୋଜନ…

 

-ଠିକ୍ ଅଛି, ନିଅ…

 

-ଧନ୍ୟବାଦ, ଆପଣଙ୍କର ସୌଜନ୍ୟ ବିରଳ ।

 

ସମାଦୃତ ସୌଜନ୍ୟର କେତେଗୁଡ଼ିଏ ଅର୍ଥ ଆଦାୟ ହୋଇଗଲା । ଶୋକସଭାର ସ୍ଥାନ ସେହି ସିଂହଦ୍ୱାରର ଚକଡ଼ା..ଭଲ ଜାଗାଟିଏ…ପତିତପାବନଙ୍କର ଆଖିଆଗରେ ସାଧକଙ୍କ ପାଇଁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯିବ ।

 

ମାଇକ୍, ଆଲୁଅ, ରେକର୍ଡ଼, ରିକ୍‍ସା, ଫଟୋ, ଫୁଲମାଳ, ଧୂପବତୀ… ନିରୂପିତ ସମୟରେ ଘଣ୍ଟାଏ ପରେ ସବୁ ଆସିଗଲା…

 

ସ୍ୱଚ୍ଛାସେବକମାନେ ଚିତ୍କାର କଲେ…

 

ଉଠ, ଉଠ; ଆବେ ଶୋଇଛ କଅଣ ? ତମେ ସବୁ ଜାଣନା ଯେ ଆମର ପ୍ରିୟ ସାଧକ ଚାଲିଗଲେ ? ତାଙ୍କ ପାଇଁ ଏଠି ଶୋକସଭା ହେବ ? କିରେ ରାମ, ମୁଦୁଲି, ତମକୁ କଅଣ କୁହାଯାଇଥିଲା, ଆଉ ତୁମେ କରିଛ କଅଣ ?

 

ଚଉତରା ଉପରେ ମାଳମାଳ ଲଙ୍ଗଳା, ଅଧଲଙ୍ଗଳା କୁଷ୍ଠରୋଗୀ ରୋଗିଣୀ । ଛିଣ୍ଡା କନ୍ଥା, ଭଙ୍ଗା ଆଟିକାରେ ତାଙ୍କର ସର୍ବସ୍ୱ ସମ୍ପାଦିତ ମାନବତ୍ଵ ଶୋଭାପାଉଛି ।

 

ମାଇପିଟିଏ-ସ୍ତନ ଥାଇ ନିଃସ୍ତନା; ତାକୁ ରେକୁଟି ଖାଉଛି ଛଅମାସର ମଣିଷଛୁଆ । ସେ ସ୍ତ୍ରୀଲୋକ ପାଟି କରୁଛି, ମୋ ପେଟକୁ ମାରୁଛି-ମତେ ଟିକିଏ ପାଣି ଦିଅ, ମୁଁ ଉଠିପାରୁନି । ମରିଗଲି, ମରିଗଲି…

 

କୁକୁର ଦୁଇଟା ଚଳନଶୀଳ ସେହି ମଣିଷ ରୂପର ପ୍ରାଣୀମାନଙ୍କୁ ଶୁଙ୍ଘିଯାଇଛନ୍ତି ସେମାନେ ।

 

ବୁଢ଼ା କୁନ୍ଥାଉଛି, ତା କାନରେ ସ୍ଵଚ୍ଛାସେବୀମାନଙ୍କର ଚିତ୍କାର ଶୁଭୁଛି । ସେ କହିଲା–ଆମେ ଆଉ କୁଆଡ଼େ ଯିବୁ ? ମଠର ମାହାର୍ଦ ଆସିଯିବ ।

 

କିନ୍ତୁ ମିଟିଂର ଉଦ୍ୟୋକ୍ତାମାନଙ୍କ ପକ୍ଷରେ ଗୁରୁକର୍ତ୍ତବ୍ୟ ଥିଲା ଶୋକସଭାର ପ୍ରସ୍ତୁତି…ବିଳମ୍ବ ହୋଇଗଲାଣି, ତେବେ ଆତ୍ମା ଅତୃପ୍ତ ରହିଯିବ–ସଭାପତି ଆସିଗଲେଣି । ବକ୍ତାଗୁଡ଼ାକ ଶୋକ ଝରାଇବା ପାଇଁ ମନେ ମନେ ଭାଷଣ–ପ୍ରସ୍ତୁତିରେ ଲାଗିଛନ୍ତି ।

 

କିଏ ଖଣ୍ଡିଏ ବାଉଁଶ ଧଡ଼ା ନେଇ ଆସିଲା । ନେଃ…ଦିଟା କଷିଦେ…ଏଗୁଡ଼ାକ ଉଠିଯିବେ ।

 

କଣ୍ଠଶିଳ୍ପୀ–ସାଧକଙ୍କର ନିଜ କଣ୍ଠର ରେକର୍ଡ଼ ନିନାଦିତ ହେଲା ‘କ୍ଷମାନୁକମ୍ପା…’

 

କ୍ଷମା ? କାହାକୁ ?

 

ହୋ-ହଲ୍ଲା କରି, ବାଉଁଶବାଡ଼ି ଉଠେଇ ଯେଉଁ ଯୁବକମାନେ ଏହି କୁଷ୍ଠରୋଗୀ, ରୋଗିଣୀ, ବୁଢ଼ା, ଭିକାରି, ସ୍ତନଟଣା ଶିଶୁ ଓ ପେଟମରା ସ୍ତ୍ରୀ ସହିତ ସେମାନଙ୍କର ସାଥୀ ଶ୍ୱାନମାନଙ୍କୁ ତଡ଼ିନେଇଗଲେ, ସେମାନେ ଏକ ମହାକର୍ତ୍ତବ୍ୟ ସାଧନ କରିଛନ୍ତି ବୋଲି ଭାବି ଶୋକସଭାପାଇଁ ପରିଷ୍କାର ଭାବରେ ସତରଞ୍ଚି ବିଛାଇଲେ ।

 

ସ୍ଥାନଟି ଶୋଭନ ଦେଖାଗଲା । ତଡ଼ାଖାଇ ଗଲାବେଳେ ସେ ସ୍ତ୍ରୀ ଲୋକଟି ଝଲକାଏ ବାନ୍ତି କରିଦେଲା । ଅପୂର୍ବ ନୈପୁଣ୍ୟ ଦେଖାଇ ଜଣେ ସ୍ୱେଚ୍ଛାସେବୀ ପାଖ ଡାକ୍ତରଙ୍କ ଦୋକାନରୁ ଫିନାଇଲ ମlଗିଆଣି ତାହା ଉପରେ ଢାଳିଦେଲେ । ବାନ୍ତିର ସ୍ତୁପ ଓ ଫିନାଇଲ ପାଣି ମିଶି ତାହା ଯେଉଁ ସୁଗନ୍ଧ ବିତରଣକଲା ତାହା ସମୀରରେ ମିଶି ବହିଗଲା ।

 

ବର୍ତ୍ତମାନ ସବୁ ପରିଷ୍କାର…ନିର୍ମଳ

 

ଝରଝର ଶୋକାପ୍ଳୁତ ଭାଷଣ…

 

ଝରଝର ସଙ୍ଗୀତ ପରିବେଷଣ ।

 

ସଭା ଶେଷବେଳକୁ ଦେଖାଗଲା, କାହା ହୃଦୟରେ ଆଉ ଶୋକ ନାହିଁ । କାରଣ, ଭାଷଣ ଓ ଗାନରେ ତାହା ଦୂର ହୋଇଯାଇଛି । ଏଣିକି ରାଜନୀତି, ଚୋରା କାରବାର, ପଞ୍ଚାୟତ ନିର୍ବାଚନ ପ୍ରଭୃତି ଯେତେକ ଶୁଭକlର୍ଯ୍ୟରେ ଯୋଗଦେବାକୁ ହେବ । ପେଟପାଟଣା ଚିନ୍ତାକରିବାକୁ ହେବ ତ !!

 

ଯିଏ ମଲେ, ସିଏ ଗଲେ…

 

ଯିଏ ରହିଲେ, । ସେ ଅମରତ୍ୱର ସ୍ୱପ୍ନ ଦେଖିଲେ…

 

ପର ପ୍ରଭାତର ନୀଳଚକ୍ର ବାନା ଦେଖିଲା, ଆଉ ମନ୍ଦିର ଯାତ୍ରୀମାନେ ଦେଖିଲେ ଉତ୍କଳମଣିଙ୍କ ବିଗ୍ରହ ତଳେ ମରିଯାଇ ମଡ଼ା ହୋଇଯାଇଛନ୍ତି ସେଇ ସ୍ତ୍ରୀଲୋକ ଓ ତାହାର ସନ୍ତାନ, ଯିଏ ଶୁଖିଲା ଚମକୁ ମୁହଁରେ ଟାଣି ସେଥିରୁ ଅମୃତ ଝରିବ ବୋଲି ଏବଂ ତାହାରି ଝରଣାରୁ ନିଜେ ବଞ୍ଚିଯିବ ବୋଲି ସ୍ୱପ୍ନ ଦେଖି ମା’ ଛାତି ଉପରେ ଲେପଟିରହିଥିଲା ।

 

ଏ ଦୁଇ ପ୍ରାଣୀଙ୍କର ଶୋକସଭା କରିବାକୁ ଏ ବିପୁଳ ପୃଥିବୀରେ କେଉଁ ଚଉତରା ରହିଛି ? କିଏ ଏହାର ଉତ୍ତର ଦେବ ?

 

ସମାଜସେବୀ ଡାକ୍ତର !

 

ସମାଜସେବୀ କମିଟି ମେମ୍ବର !

 

ସମାଜସେବୀ ରାଜନୈତିକ କର୍ମୀ…ସମସ୍ତଙ୍କର ଚଲାପଥ ଉପରେ ଦୁଇଟି ଶବ…କାହାର ଆଖି ଏ ଦୃଶ୍ୟ ଦେଖି ଚକିତ ହେଲାନି, କାହା ହୃଦୟରେ ସାମାନ୍ୟ କମ୍ପନ ହେଲାନାହିଁ ।

 

ସିଂହଦ୍ୱାରର ଦୁଇଟି ବଳବନ୍ତ ସିଂହ ଚାହିଁ ରହିଥିଲେ । କେଉଁ ଯୁଗରୁ ସେ ଚାହାଣି ସେମିତି ଅଛି ।

 

ପାଷାଣ ଚକ୍ଷୁର ଚାହାଣି…

 

ପଥର…ପଥର…ପଥର…ସର୍ବତ୍ର ରୁକ୍ଷ କଠିନ ପାଷାଣ ।

Image

 

ପବିତ୍ରଲିପି

 

କେଉଁକାଳୁ ଆଖିରେ ଚଷମା ଉଠିଲାଣି । ଦାନ୍ତମାଢ଼ିର ଅବସ୍ଥା ଶୋଚନୀୟ; କେତୁଟା ତୀକ୍ଷ୍ମ ହୋଇ ଝୁଲୁଛି, କେତୁଟା ସ୍ଥାନଚ୍ୟୁତ । ଏ ଜନ୍ମରେ ଆଉ ଦେଖାହେବନି । ତୀକ୍ଷ୍ମ ଦାନ୍ତଗୁଡ଼ାକ କଳପଟିକି ଚିରିଦଉଛନ୍ତି । ମୁଖଗହ୍ୱର କ୍ରମେ ବିକୃତ ହେବାକୁ ବସିଲାଣି ।

 

ଦିନେ ଯାହାର ମାଂସଳ ବକ୍ଷ ଥିଲା, ଯାହାର ଚଉଡ଼ା ପରିପାଟିରେ ପୌରୁଷର କାନ୍ତି ଝଟକୁଥିଲା, ସାଉଁଳିଦେଲେ କେଉଁଠି ହାତ ଅଟକି ଯାଉନଥିଲା; ଯିମିତି ମାଂସଳ ସିମିତି ମସୃଣ, ସେ ବକ୍ଷ ଆଜି ଜୀର୍ଣ୍ଣ । ପଞ୍ଜରା ଅସ୍ଥିମାଳରେ ତାହା ଆଉ ପୂର୍ବ ବୈଭବ ରଖିନାହିଁ ।

 

ମେରୁଦଣ୍ଡ ସିଧାସଳଖ ହୋଇ ରହିନାହିଁ । ମେରୁର ନାଡ଼ୀସକଳ ଶୁଷ୍କ । ସେଥିରେ ପ୍ରବାହ ନାହିଁ । ବାଙ୍କିହୋଇ ଆସୁଥିବା ଏଇ ମେରୁହାଡ଼ ସୂଚାଇ ଦେଉଛି ଜୀବନର ଶେଷ ବଙ୍କିମ ଗତି ଶେଷ ପାନ୍ଥଶାଳା ପାଖରେ…

 

ସେହିପରି ହାତ, ପାଦ, କେଶ, ଚକ୍ଷୁ କ୍ରମେ ଶକ୍ତି ହରାଉଛନ୍ତି । ଆଖିର ମଣି ଦୁଇଟି ଯାହା ଯାହା ଏ ବିଶ୍ୱକୁ ଦେଖି ଶିହରିତ ହୋଇ ଜଣାଇଦେଉଥିଲା ଏ ବିଚିତ୍ର ଭୁବନରେ କି ଅପରୂପ ରୂପ ରହିଛି, କେହି କଳନା କରିପାରିବେ ନାହିଁ । ଦୁଇଟି ଆଖି ସତ, ମାତ୍ର ତୃତୀୟ ଲୋଚନ ଥାଏ କବି, ଶିଳ୍ପୀଙ୍କର…ସେହି ଲୋଚନର ଲୀଳାୟିତ ଦୃଷ୍ଟିଭଙ୍ଗୀରେ ଯାହା ଧରାଦିଏ ତାହା ଅନିର୍ବଚନୀୟ-

 

ସେହି ଆଖି ଦୁଇଟି ଉପରେ ଚଷମା ଲାଗିଛି । ଚଷମାର କାଚ ବର୍ଷକରେ ଦୁଇଥର ବଦଳାଇବାକୁ ପଡ଼େ; କାରଣ ଆଖିର ତେଜ କ୍ରମେ ମଉଳିଯାଉଛି । ଅଥଚ ଏଇ ନୟନର ମଣି ମାଣିକ୍ୟ ସହିତ ସେମାନେ ଆଖି ମିଳାଇ କେତେ କଅଣ କହି ନଥିଲେ ! ! କେଉଁ କାବ୍ୟଗ୍ରନ୍ଥରେ ତାହା ହୁଏତ ରସାଳ ହୋଇ ଲେଖାଯାଇନାହିଁ; ହେଲେ ବି ସେ କୂଜନ ସେମାନଙ୍କର ଆଜି ବି ହୃଦୟର ମଣି-କୋଠରିରେ ସଂଚିତ ରହିଛି ।

 

ଜୀବନ ଏମିତି, ସବୁ ଶେଷ ହୋଇଯାଏ, ସ୍ମୃତି କିନ୍ତୁ ପ୍ରଖର । ମହାକାଳର ଗୋଟାଏ ଗନ୍ତାଘର ଅଛି । ସେଥିରେ ସଂଚିତ ରହିଯାଏ ଏହି ଛୋଟବଡ଼ ସ୍ମୃତିର ନିର୍ମାଲ୍ୟ । ବିଚିତ୍ର ଏମାନଙ୍କର ସନ୍ତରଣ । ଶରୀର ଅବଶ ହୋଇଆସିଲେ, ମୃତ୍ୟୁର ଶୀତଳସ୍ପର୍ଶ କ୍ରମେ ସର୍ବାଙ୍ଗ ଜଡ଼ିଭୂତ କରିବା ବେଳେ ଦୁଇଟି ବନ୍ଦନୀୟ ସ୍ରୋତ ହୃଦୟରୁ ଉଚ୍ଚାରିତ ହେଉ ବୋଲି ବୟଃଭାରରେ ଆନତ ଶିଳ୍ପୀ ଶ୍ରୀକାନ୍ତ ଭଗବାନଙ୍କୁ ପ୍ରାର୍ଥନା କଲେ…

 

ସେ ଥିଲା ସନ୍ଧ୍ୟାର ନୀରାଜନା ବେଳ । ଆଲମାରିରେ ଖଚିତ ରହିଛି ଅଜସ୍ର ଗ୍ରନ୍ଥ । ଜୀବନଯାକର ଅଧ୍ୟୟନ ଐଶ୍ୱର୍ଯ୍ୟ । କାହିଁ କାଳିଦାସ, କାହିଁ ଶେକ୍‍ସପିୟର, କାହିଁ ଶଙ୍କରାଚାର୍ଯ୍ୟ, କାହିଁ ବେଦବ୍ୟାସ, କାହିଁ ଗଙ୍ଗାଧର ମେହେର…ସମସ୍ତେ ଏବେ ବି ବାଣୀ ଶୁଣାଉଛନ୍ତି । ଶାଶ୍ଵତୀ ଭାରତୀ । ସେମାନେ ବି ଆସିଥିଲେ ଦିନେ ଏ ପୃଥିବୀକୁ… ବିଶ୍ଵଲୀଳାକୁ ଦେଖୁ ଦେଖୁ ତୃତୀୟ ନୟନ ଫିଟିଗଲା । ମାନବ ଜୀବନର ଜାହ୍ନବୀ ସ୍ରୋତରୁ ଛାଣିଆଣିଲେ କେତେ କଅଣ ବିଚିତ୍ର ଅନୁଭବ । ମହାକାଳର ମହାକୋଷ ସମ୍ଭବ ହେଲା ।

 

ଦୁଇଟି ବନ୍ଦନୀୟ ସ୍ତୋତ୍ର…ଗୋଟିଏ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ଅନ୍ୟଟି ସେହିମାନଙ୍କ ଉଦ୍ଦେଶ୍ୟରେ ଯେଉଁମାନେ ଶିଳ୍ପୀର ପ୍ରତିଭାକୁ ପ୍ରଣାମ କରି ପୁଷ୍ପମାଳା ରଚନା କରିଥିଲେ, ପବିତ୍ର ଲିପିମାଳାରେ ।

 

ଶ୍ରୀକାନ୍ତ ଜାଣନ୍ତି, ପ୍ରତିଭା ତାଙ୍କର ନାହିଁ । ଯାହା ଥିଲା ତାହା ସାମୟିକ ଆବେଗର ମସୀ ରୂପାନ୍ତର । ଏହା ବି ଜାଣନ୍ତି, ଅଜସ୍ର ପାଣ୍ଡୁଲିପି ତାଙ୍କର ତାଙ୍କ ଅନ୍ତେ ଧୂଳିରେ ମିଶିଯିବ । କିଏ ପ୍ରକାଶ କରିବ ? କେଉଁ ପ୍ରକାଶକ ସହାନୁଭୂତିଶୀଳ ହେବ ?

 

ବିଚିତ୍ର ଏ ସଂସାର ଘୂରୁଛି ତାର ପରିଧିରେ । ଗଣ୍ୟମାନ୍ୟ ନହେଲେ କ୍ଷମତା ଓ ଅର୍ଥ ଦୃଷ୍ଟିରେ, ଯେତେ ପ୍ରତିଭାବନ୍ତ ଲୋକ ହେଉ, ତାର ସୃଷ୍ଟି ସଂକଳନର ପ୍ରକାଶ ସମ୍ଭବ କି ?

 

ଅବନ୍ତୀ ଆସିଲା ଧୂପବତୀ ଜାଳିବା ପାଇଁ…ଏ ଅବନ୍ତୀ ମାହାତ୍ମ୍ୟର ପୂଜାରିଣୀ । ଶେଷ ସ୍ତିମିତ ସୂର୍ଯ୍ୟାଲୋକ ତଳେ ଏ ଆସିଛି ଶ୍ରୀକାନ୍ତକୁ ହାତଧରି ନେଇଯିବେ ଚିତାଗ୍ନିର ଝଲକ ପାଖକୁ-। କାହିଁକି ଏ ଆସିଛି ? କି ସମ୍ଭୋଗ ଏ ପାଇବ ଏହି ସ୍ଥବିର ଶ୍ରୀକାନ୍ତଠାରୁ ?

 

-କଅଣ ଭାବୁଛନ୍ତି ?

 

-ନା, ଭାବିବାର କଅଣ ଅଛି ? ଶ୍ରୀକାନ୍ତ କହିଲେ ।

 

-ମୁଁ ସଜାଡ଼ି ରଖିଛି । ଗହଣା ଯେତିକି ଅଛି ମୋ ଦେହରେ ତାକୁ ବିକି ଆପଣଙ୍କର ଏ ରାଶି ରାଶି ପାଣ୍ଡୁଲିପିକୁ ଛାପିବି । ଆଗ ଛାପିବି ଏ ପବିତ୍ର ଲିପିମାଳାକୁ । ଯେଉଁମାନେ ଅନବଦ୍ୟ ଭାଷାରେ ଆପଣଙ୍କର ସାଧନାକୁ ପ୍ରଶସ୍ତି ଜଣାଇ ଏତେ ପତ୍ର ଲେଖିଯାଇଛନ୍ତି ସେମାନେ କିଏ, କେଉଁଠି, ମୁଁ ଜାଣେନା । ତେବେ ସେମାନେ ଏ ଜାତିର ନମସ୍ୟ । କାରଣ ତାଙ୍କର ଲିପିମାଳାରେ ଏପରି କିଛି ଜନ୍ମୟତା ରହିଛି ଆପଣଙ୍କର ଜୀବନକୁ ଘେନି ଯେ, ତାହା ଯଦି ପ୍ରକାଶ ନପାଏ, ତେବେ ଗୋଟାଏ ସାଧକ ଜୀବନର ବହୁ ବିଚିତ୍ର ଗବାକ୍ଷ ଚିରଦିନ ପାଇଁ ବାରିତ ରହିଯିବ ।

 

ଶ୍ରୀକାନ୍ତ ଚାଲିଗଲେ ଅତୀତର ବନାନୀ ଭିତରକୁ । କେତେ ଲତା, ଗୁଳ୍ମ, ପତ୍ର ଓ ପୁଷ୍ପରେ ସେ ଅରଣ୍ୟ ଶୋଭିତ । ସତେ ତ, ବନାନୀ !! ସେ କାହିଁକି ଆସିଥିଲା । ଅବନ୍ତୀ ? ଅବନ୍ତୀ ମୂକ । ତେବେ ବନାନୀ ବୋଲି ଜଣେ କେହି ନାରୀ ଶ୍ରୀକାନ୍ତଙ୍କୁ ଶ୍ରଦ୍ଧା ଜଣାଇଛି । ତାର ଲିପିମାଳା ? ଅଛି, ସବୁ ସଜ୍ଜିତ ଅଛି । ନୀଳରଙ୍ଗ କାଳିରେ ଗୋଲ ଗୋଲ ଅକ୍ଷର । ଅବନ୍ତୀକୁ ସଙ୍କେତ ଦେଇ ଶ୍ରୀକାନ୍ତ କହିଲେ–ଏସବୁ ମହାକାବ୍ୟ ନୁହେଁ, କବିତା ନୁହେଁ, ନାଟକ ନୁହେଁ, ଗୋଟାଏ ଭାବୋଚ୍ଛ୍ଵାସିତ ତରୁଣୀ ମତେ ଅର୍ଘ୍ୟ ନିବେଦନ କରିଥିଲା । କିନ୍ତୁ ଆଜି ସେ କାହିଁ ? ଅବନ୍ତୀ, ଆକାଶରେ କେତେ ନକ୍ଷତ୍ର । ଟିପି ଟିପି ହସୁଥାନ୍ତି । ପ୍ରଭାତରେ ସେମାନେ ନିଶ୍ଚିହ୍ନ । ସିମିତି ମୋ ଜୀବନରେ ଏ ନକ୍ଷତ୍ରମାଳିନୀ ଆକାଶ ଆଜି ମେଘମେଦୁର ।

 

-ପଢ଼ୁଛି…

 

-କଅଣ ?

 

-ପାଇଲି, ସେ ଚିଠି-ବନାନୀର…

 

-ପଢ଼ିବ ? କାହିଁକି ?

 

ତାର କାରଣ ଜୀବନ ପ୍ରତି ସେସବୁର କିଛି ସନ୍ଦେଶ ଅଛି ବୋଲି ଆପଣଙ୍କୁ ଭଲଲାଗିବ-

 

“ପୂଜନୀୟେଷୁ !

 

ଜୀବନରେ କେତେ କଅଣ ଘଟିଗଲା । ଆଉ ଯିବ । ତମର ମନେଥିବ ସେହି ବିଖ୍ୟାତ ଛବି ।

 

One star, one staring and all the rest darkness and everlasting space save that she shelters in her breast. The Travail of the race Borne through the cold and soundless with sun riding down the air. She bows, too heavenly to weep.

 

Too human to despair, and ever on her lonely string Expects the music from above. Some faint confirming whispering of fatherhood and love one star, one string and through the drift of aeons and with human cries. She waits the hand of God to lift the bandage from her eyes.

 

ଗଭୀର ଅନ୍ଧକାର ରାତ୍ରି । ଆଖିରେ ପଟି । ପୃଥିବୀ ଉପରେ ସେ ଝିଅଟି ନଇଁପଡ଼ିଛି । ହାତରେ ଥିବା ତାରଯନ୍ତ୍ରରେ କେବଳ ଗୋଟିଏ ତାର ଅବଶିଷ୍ଟ ଅଛି; ଅନ୍ୟସବୁ ଛିଣ୍ଡିଯାଇଛି । ଆକାଶରେ ଗୋଟିଏ ମାତ୍ର ତାରା । ମୋର ଖୁବ୍ ମନେପଡ଼େ ସେଇ ଛବି । ସେଇ କବିତାର କଥା-। ଆଶା ଓ ବିଶ୍ଵାସର ଏତେ ଉଜ୍ଜ୍ୱଳ ପ୍ରତୀକ । ମତେ ଖୁବ୍ ଭଲଲାଗେ ଶିଳ୍ପୀ !

ଜୀବନରେ କିଛି ହଜିବାର ନାହିଁ । ‘ସବୁ’ର ମୂଲ୍ୟ ଅଛି । ସେଇ ଏକମାତ୍ର ନକ୍ଷତ୍ର, ଗୋଟିଏ ମାତ୍ର ତାରା । ମୁଁ ବଞ୍ଚିଛି, ହାରିଯାଇନି, ନିଃଶେଷ ହୋଇନି । କଅଣ ତମ ମନକୁ ଆସୁଥିବ ମୁଁ ଜାଣେନି । ପାଖରେ ଥିଲେ ବୁଝନ୍ତି । ସେ ଆଖିକୁ ଚାହିଁ ସବୁ ମୁଁ ବୁଝିନିଅନ୍ତି । ଏତେ ଦୂରରେ ମୁଁ ଶୁଣୁଛି ସେ ଗଭୀର ଦୀର୍ଘନିଶ୍ୱାସ । କେବେ ? କେତେ ଦୂରରେ ? ପରସ୍ପରର ଦାୟଦାୟିତ୍ଵ ଆବୋରିନେବାର ସ୍ୱପ୍ନ । ଅମୃତର ସ୍ୱପ୍ନ ତଥାପି ଆମେ ଏକ ।

କହୁଥିଲ, ଆଉ ଗୋଟିଏ ବର୍ଷ । ଚାକିରିରୁ ଅବସର ନେବ । ତା’ ପରେ ମୁଁ କଅଣ ଭାବିବି ସେ କଥା ବି କହୁଥିଲ । ମୋର ତ ଆଉ କିଛି ଦରକାର ନାହିଁ କେବଳ ତମ ପରିଚୟ ।

ତମର ଜନ୍ମତିଥି ଆଜି । ସାତବର୍ଷ ହୋଇଗଲା । ଏଇ ଦିନଟିରେ ମୁଁ ଶାନ୍ତ ମନରେ ପ୍ରାର୍ଥନା କରିଆସିଛି ବିଶ୍ଵପିତାଙ୍କୁ–ଶିଳ୍ପୀକୁ ମୋର ଦୀର୍ଘଜୀବୀ କର ପ୍ରଭୁ, ଶାନ୍ତି ଦିଅ, କଲ୍ୟାଣ ଦିଅ, ସୁଖୀ କର । ଏ ଦିନଟିରେ ତୁମକୁ ପାଖରେ ପାଇଥିଲେ ମୁଁ ଖୁସି ହୋଇଥାନ୍ତି । ତମେ ଯେଉଁଠି ଥାଅ ପଛେ ସୁରକ୍ଷା ହୁଅ । ଏ ଏକତ୍ଵକୁ ସ୍ଵୀକାର କରିବାରେ ତମର କୁଣ୍ଠା ନ ଆସୁ ।

କାଲି ସମ୍ମିଳନୀ କାମ ସାରି ଶୁଭରେ ଫେରିଯାଇଥିବ । ତମର ସଭାକାର୍ଯ୍ୟ ଚାଲିଥିଲା । ମୁଁ ଚାଲିଆସିଲି । କାଲି ଲଞ୍ଚ୍‌କୁ ନିମନ୍ତ୍ରଣ ଥିଲା । ଏ ସବୁ ଭିତରେ ମୁଁ ଯାଏନି । ସତକଥା କହିବାକୁ ଗଲେ ଦଳେ ଅଭଦ୍ର, ନୀଚ ମନୋଭାବର ଲୋକଙ୍କ ଉଚ୍ଛ୍ଵାସ । ଅଶ୍ଳୀଳ ଆଲୋଚନା ଛଡ଼ା ଏଠି ଆଉ କିଛି ଅନୁଭୂତିରେ ଆସେନି । ତମ ଆଖି ସେଠି ହୁଏତ ଥରକ ପାଇଁ ମତେ ନିରୀକ୍ଷଣ କରିଥିବ, ମତେ ଖୋଜିଥିବ । ବିରାଟ ସେ କୋଠାରେ ବସି ସେତେବେଳେ ମୁଁ ଭାବୁଥିଲି ତମ କଥା । ତମ ଚଲାପଥ ପୁଷ୍ପିତ ହେଉ, ଚନ୍ଦନାସ୍ତୃତ ହେଉ-ଏତିକି କାମନା କରୁଥିଲି ।

ଉଦାସ ମନେହେଉଛି କି ମତେ ? ହଁ ସୁନା, ଏଇ ଦିନଟିରେ ମୁଁ ଉଦାସ ହୋଇଥାଏ । ସମସ୍ତ ମନ ହୃଦୟର ବ୍ୟାକୁଳତା ନେଇ ତୁମକୁ ମୁଁ ନିବେଦନ କରେ । ଆତ୍ମାର ବିଳାପ ଶୁଣେ ତମର ଉଦ୍ଦେଶ୍ୟରେ । ମତେ ନିଅ; ଏ କଦର୍ଯ୍ୟତା, ଏ ଦ୍ୱନ୍ଦ, ଏ ଇତରତା, ଅଶ୍ଲୀଳତା ଭିତରୁ ମତେ ନେଇଯାଅ । ମୁଁ ପାରୁନି । ସବୁ ଅଭିମାନ ତମର ଉଦ୍ଦେଶ୍ୟର ମୁଁ ବାଢ଼ିଦିଏ । ଅପରାଧ ତମର କରିଛି ? କାହିଁକି ଏ ଯନ୍ତ୍ରଣା ଦେଉଛ ? ମୁଁ ଠିକ୍ କ’ଣ ଚାହୁଁଛି ଜାଣିପାରୁନି । ମୋ ପାଇଁ ତମର ସ୍ନେହ ପ୍ରୀତି ଦିଅ ଏ କଥା ନୁହେଁ । କାହିଁକି ଭାବୁଛି, ତମେ ସହସ୍ରହସ୍ତ, ସହସ୍ର ମନ ହୋଇ ସାହିତ୍ୟ ସୃଷ୍ଟି କରନ୍ତନି ? ଶିକ୍ଷା, ସାହିତ୍ୟ, ଦର୍ଶନ । ଯାହା ସେଦିନ କହୁଥିଲ-Tending towards universalism । ମତେ ତମେ ଘଣ୍ଟା-ଘଣ୍ଟାଧରି କହନ୍ତ ସେସବୁ କଥା-ମୁଁ ଶୁଣନ୍ତି, ଶିଖନ୍ତି ।

ମୁଁ ଭାବିଲି ସ୍ତବ୍‍ଧ ହୁଏ ସୁନା ! ତମେ କେତେ ଜାଣ, କେତେ ବୁଝିଛ । ନା, ଲଜ୍ଜା ପାଇବାର କିଛି ନାହିଁ । ମୁଁ ଅନ୍ଧ ହୋଇନି । କିନ୍ତୁ ଏଇ ଶ୍ରଦ୍ଧା ନ ଥିଲେ ତମକୁ ବୁଝନ୍ତି କେମିତି କହିଲ ?

କଅଣ ହେଲା ତମ ଇଂରାଜୀ ବହିର କଥା ? ଆଉ ସେ ଗଳ୍ପ ଓ ପ୍ରବନ୍ଧ ସଂକଳନ ? କେହି ପ୍ରକାଶକ ନେବାକୁ କହିଥିଲେ ? ବୁଝିଥିଲ ? ନାହିଁ ତ, ସେ ଗଳ୍ପ ସଂକଳନ ପାଇଁ ମୁଁ ଟଙ୍କା ଦେବି । ଏତେ ଥର ସହରକୁ ଆସୁଛ, ବୁଝିଲେ ହୁଅନ୍ତାନି ?

ମୁଁ ପାଣ୍ଡୁଲିପି ପ୍ରସ୍ତୁତ କରିଦେଉଛି-‘ମହାପୁରୁଷ ସ୍ମରଣେ’ । ତମେ ସେ ଚାକିରିକୁ ଯିବାପରେ ସବୁ ଛାଡ଼ିଦେଲଣି । ଖାଲି କାମ, ସ୍କୁଲ, ପରିଦର୍ଶନ ଟୁର୍-କିନ୍ତୁ ମୋର ଅନେକକାହାଣୀ ଅଂଶ ଯେ ତମର ସେ ପ୍ରଥମ ପରିଚୟରେ ରହିଗଲା–ତମେ ସ୍ରଷ୍ଟା ।, ସାହିତ୍ୟିକ, ଗାଳ୍ପିକ, ବାଗ୍ମୀ, କଳାକାର....

 

ତମେ ତ ମତେ ପାଠ ପଢ଼େଇଚ । ସାହିତ୍ୟ କଅଣ ତମଠାରୁ ଶିଖିଛି । ତମର ଅଧ୍ୟାପନା ସମୟ ଭିତରେ ହଜାର ହଜାର ଛାତ୍ରଛାତ୍ରୀଙ୍କୁ ପଢ଼ାଇଥିବ । କିଏ କଅଣ ପାଇଥିବ ମୁଁ ଜାଣେନା, କିନ୍ତୁ ସାହିତ୍ୟର ଅନନ୍ତଗର୍ଭ, ଅସୀମ ଆନନ୍ଦର ଉଲ୍ଲାସ ମତେ ଯଦି କିଏ ଦେଇଥାଏ, ତେବେ ସେ ତମେ । ଏ ଅତିରଞ୍ଜନ ନୁହେଁ ବା ଖୁସି କରିବାପାଇଁ କହୁନି । ମୋର ସେ ଶିକ୍ଷାର ପ୍ରତିଦାନ ତ ଦେଇପାରିବିନି–ସେତିକି ହେଉ ମୋର ନଗଣ୍ୟ ଶ୍ରଦ୍ଧାଞ୍ଜଳି । ତମର ଲେଖା ସବୁ ପଢ଼ିଥିଲି । କିନ୍ତୁ ସମୀକ୍ଷା କରିବାପାଇଁ ଆଜି ଯେତେବେଳେ ବିଶ୍ଳେଷଣାତ୍ମକ ଦୃଷ୍ଟି ନେଇ ପଡ଼ୁଛି ସେଥିରୁ କେତେ ଅପରୂପର ସନ୍ଧାନ ଯେ ପାଇଛି ତାର ଠିକ୍ ନାହିଁ । କିନ୍ତୁ ଶିଳ୍ପୀ, ଯାହାର ଅନଭୁବ କରିବାର ଶକ୍ତି ବା କ୍ଷମତା ନଥାଏ, ତାହାହିଁ ମୋ ଅବସ୍ଥା ।

 

ଥରେ ଥରେ ତୁମେ ଅଶାନ୍ତ ବିଷର୍ଣ୍ଣ ହୋଇପଡ଼ । କାହିଁକି ? ଏତିକି ପଚାରୁଛ, ଜୀବନ ତୁମକୁ କଅଣ କିଛି ଐଶ୍ୱର୍ଯ୍ୟ ଦେଇନି ? ସଂସାର ତୁମକୁ କଅଣ କୌଣସି ବିଭବରେ ପରିପୂର୍ଣ୍ଣ କରିନି ? ଜୀବନରୁ ତମେ ଯେତିକି ଆଘାତ ପାଇଛ, ସ୍ନେହଶ୍ରଦ୍ଧା, ପ୍ରୀତି ତା ତୁଳନାରେ କମ୍ ପାଇନ । ତମର ତ ବଡ଼ ସମ୍ପଦ ତମର ଲେଖନୀ ଅଛି । ଆହୁରି ଅନେକ କାମ ତମପାଇଁ ରହିଛି । ତମେ ଲେଖାପଢ଼ାରେ ହେଳା କରନି । ସବୁ ସତ୍ତ୍ୱେ ତୁମକୁ ଆହୁରି ବଡ଼ ହେବାକୁ ପଡ଼ିବ ।

 

ବିବ୍ରତ ଅନ୍ୟମନସ୍କ ହୋଇ ସେ କାମ ସବୁରେ ହେଳା କରନାହିଁ । ‘ଜୀବନରଙ୍ଗ’ ସବୁ ରଖିଛ ନା ଦେବି ? ଏସବୁ କାମରେ ତମେ ଯେତେ ମତେ ଲଗେଇପାରିବ, ମୁଁ ସେତିକି ଖୁସି ହେବି । ଆମର ଏକତ୍ୱ ଠିକ୍ ଅଛି । ସେଥିରେ ବିଶେଷ ଅନ୍ତରାୟ ସୃଷ୍ଟି କରିବା ପରି ନର ଓ ନାରୀ କେହି କଅଣ ଜନ୍ମ ହୋଇଛି ? ପ୍ରଣାମ ଜଣାଇ ରହୁଛି ।

 

-ବନାନୀ

 

ଶ୍ରୀକାନ୍ତ ଚେତନାକୁ ଆସିଲେ–କହିଲେ, ଅବନ୍ତୀ…ଆଚ୍ଛା, ଏ ସମୁଦାୟ ଚିଠିରେ କେଉଁଠି ଏମିତି ଅଛି ‘ପ୍ରେମ’ ବା ‘ଭଲପାଏ ତୁମକୁ’ କିଛି ଅଛି ?

 

-ନା,

 

-ତେବେ ଏହାକୁ ପ୍ରଣୟଲିପି କହିବି କି ?

 

-ତାହାଠାରୁ ବେଶୀ–ଅନ୍ତର୍ଭେଦୀ ।

 

-ଏଗୁଡ଼ାକୁ ମୁଁ ଛାପିବାକୁ ଇଚ୍ଛା କରେ ।

 

ଶ୍ରୀକାନ୍ତ ହସିଲେ–କିଏ ପଢ଼ିବ ? ଏମିତି ସମସ୍ତଙ୍କ ଜୀବନରେ ଘଟିଥାଏ ।

 

ଅବନ୍ତୀ ନୀରବ ରହି କହିଲେ–ବିଶ୍ଵ ଇତିହାସରେ ଲିପିମାଳା ପ୍ରକାଶିତ ରହିଛି । ମୁଁ ଚେଷ୍ଟା କରିବି ।

 

-ପାରିବନାହିଁ ।

 

-କେମିତି ଜାଣିଲେ ?

 

-ଏଇ ଦେଖୁନ, ଆଜି ବନାନୀ କାହିଁ ?

 

କହିଥିଲା-ସେ ‘ଏକତ୍ଵ’ରେ ବିଶେଷ ବିଘ୍ନ ସୃଷ୍ଟି କରିବାପାଇଁ ନର ବା ନାରୀ କେହି କଅଣ ଜନ୍ମ ହୋଇଛି ? କିନ୍ତୁ ବନାନୀ ଉଡ଼ିଗଲା…ଚଢ଼େଇଟି ଭଳି ଉଡ଼ିଗଲା; ଆଉ ତମେ ବି ଆସିଛ ମୋ ପାଖକୁ ଗୋଟାଏ କିଛି ଆକର୍ଷଣରେ । ସମୟ ଆସିଲେ ତମେ ବି ଉଡ଼ିଯିବ ।

 

କେବଳ ବନାନୀ ନୁହଁ, ଏମିତି ସେମାନେ ଚାଲିଯାଇଛନ୍ତି ଅଥଚ ମୁଁ କହେ ଏ ପବିତ୍ର ଲିପିଗୁଡ଼ିକ ମୋ ଜୀବନକୁ ପୁଷ୍ପିତ କରି ରଖିଛନ୍ତି । ଛାୟାଟା ଚାଲିଯାଇଛି । ବୃକ୍ଷ, କୋଟରଗତ ବୃକ୍ଷ ଛିଡ଼ାହୋଇଛି…ଅବନ୍ତୀ ବିଦାୟ ନେଲା । ଅଶରୀରୀ ସେ, ଛାୟାମୂର୍ତ୍ତି ଅଳୀକ–

Image

 

Unknown

ଆନନ୍ଦବଜାର

 

ବଡ଼ଦେଉଳର ଆନନ୍ଦବଜାର ପ୍ରବେଶପଥ ଉପରେ ଛିଡ଼ା ହୋଇ ନିଃଶ୍ୱାସ ମାରିଲି । ଶ୍ରୀମନ୍ଦିରରେ ଦେବପୂଜା କରିବାକୁ ମୁଁ ପ୍ରାୟ ଆସେ ନାହିଁ । କିମିତି କେତେବେଳେ ଚାଲିଆସେ ବନ୍ଧୁ ସ୍ୱଜନଙ୍କର ଆମନ୍ତ୍ରଣ ତାଡ଼ନାରେ ।

 

ଜନଗହଳି ଥାଏ ବଡ଼ଦାଣ୍ଡ ସନ୍ଧ୍ୟାବେଳେ । ମଝିରେ ପିଚୁରାସ୍ତା ଥିଲେ ବି ଦୁଇ ପାଖେ ହୋଟେଲ, ବିପଣି, ଲଟେରୀବାଲାମାନଙ୍କର ଚିତ୍କାର ଓ ବ୍ୟବସାୟ-ଜଞ୍ଜାଳରୁ ଜନ୍ମୁ ଥିବା କୋଳାହଳ ତଥା ଧୂଳିପଟଳକୁ ଅତିକ୍ରମ କରି ବୃଷଭ ଓ ଶ୍ୱାନମାନଙ୍କର ସାମୟିକ ଅସତ୍ ଭାବରୁ ଉପଜାତ ଲଣ୍ଡଭଣ୍ଡ ଅବସ୍ଥାରେ କୌଣସି ପ୍ରକାରେ କାହାର ମନର ପରିଚ୍ଛନ୍ନତା ରହିପାରେ କି ? ରହିପାରେ ନାହିଁ ବୋଲି ମୁଁ ଜଗନ୍ନାଥଦର୍ଶନରେ ମନ ବଳାଏ ନାହିଁ । ବରଂ ଯେଉଁଠି ଥାଏ, ମନକୁ ଉର୍ଦ୍ଧ୍ୱ ପଥରେ ନେଇଯାଏ । ସନ୍ଧ୍ୟାକାଳୀନ ଜନସମାଗମରୁ ଦୂରରେ ଥିବା ଏକ ନିର୍ଜନ ସାଗର ବେଳାଭୂମି ଉପରେ ଉପବେଶନ କରି ମୁଁ ପରମପଦ ପ୍ରାର୍ଥନା କରିଥାଏ । ଏ ଯେଉଁ ସମୟ କଥା କହୁଛି, ତାହା ଥିଲା ପହିଲି ଭୋଗର ସକାଳ । ଶରତ୍ ମାସରେ ଶ୍ରୀଜଗନ୍ନାଥ ଏହି ଭୋଗ ପ୍ରତି ଆସକ୍ତ ଥିବାରୁ ପ୍ରଥମ ଭୋଗ ଉଠିଯାଏ ସକାଳୁ ସକାଳୁ । ଆନନ୍ଦବଜାର ଆନନ୍ଦମୟ ହୋଇଯାଏ-

 

ଯେଉଁମାନେ ନିତ୍ୟ ମନ୍ଦିର ବେଢ଼ା ବୁଲନ୍ତି, ଏକ ପ୍ରକାର ଅଭ୍ୟାସ ସେମାନଙ୍କର । ତାଙ୍କ ଆଖିରେ ଗୋଟିଏ ଦୃଶ୍ୟ ଧରାପଡ଼ିଯାଏ ବି ଅଧରା ରହିଯାଏ । କେବେ ଅତୀତରେ ଆସିଥିଲି ଦେବତା ଦର୍ଶନ ପାଇଁ, ମନେ ହେଉନାହିଁ, ଏଥର କିନ୍ତୁ ମୁଁ ସେ ଦୃଶ୍ୟ ଦେଖି ବିସ୍ମିତ ହେଲି ।

 

ମନ୍ଦିର ନିର୍ମାତା ଗଜପତି ଯେଉଁ ତାମ୍ରବର୍ଣ୍ଣ ପାଷାଣଦ୍ଵାରା ମନ୍ଦିର ବେଢ଼ାକୁ ବେଢ଼ାଇଥିଲେ ଏବଂ ଯାହା ବହୁକାଳ ହେଲା ଅନାହତ ଥିଲା, କ୍ରମେ ଦେଖିଲି ସେଗୁଡ଼ିକ ସେହି ମୌଳିକ ବର୍ଣ୍ଣରେ ଆଉ ଶୋଭା ପାଉନାହିଁ ।

 

ତାମ୍ରବର୍ଣ୍ଣ ତଥା ପାଷାଣର ସ୍ଵାଭାବିକ ରୂପ ପରିବର୍ତ୍ତେ ସେଠାରେ ଦେଖିଲି ବହୁ ଧଳା ମାର୍ବଲ ପଥର, ଯାହା ଉପରେ ସ୍ୱର୍ଗବାସୀ ଓ ବାସିନୀଙ୍କର ଏ ଧରିତ୍ରୀ ଉପରେ ଘଟିଥିବା ସେମାନଙ୍କ ଆଦ୍ୟ ଆବିର୍ଭାବ ଓ ଶେଷ ପ୍ରୟାଣର ତାରିଖ, ସନ…କାହାର ପୁତ୍ର, କାହାର ପିତା, କାହାର କାମିନୀ, କାହାର ସନ୍ତାନରେ ଆଖ୍ୟାତ ପ୍ରାଣୀମାନଙ୍କର ଉତ୍‍କୀର୍ଣ୍ଣ ସ୍ଥିତି ।

 

ସ୍ମୃତି…ସ୍ମୃତି…ସ୍ମୃତି…

 

ପଥର ଉପରେ ଖୋଦିତ ଏ ଶୈଳୀର ବହୁ ଭଙ୍ଗୀ ଦୃଷ୍ଟିଗୋଚର ହେଲା । ସେମାନଙ୍କର ବୟସ କେତେ ଜାଣିବା ସମ୍ଭବ ନୁହେଁ; କିନ୍ତୁ ଏକଥା ସତ୍ୟ, ସେମାନେ ଅଦେହୀ; ଅଥଚ ସ୍ନେହ ମମତା କବଳରୁ ପୃଥିବୀରେ ରହିଯାଇଥିବା ସେମାନଙ୍କର ପ୍ରିୟଜନଙ୍କର ମୁକ୍ତି ନାହିଁ ।

 

ମୋର ମନହେଲା ମନ୍ଦିରର ଉଚ୍ଚତାରୁ ଶହ ଶହ ମନ୍ଦିରକୁ ଏକ ଉପରେ ଏକ ଥୋଇ ସର୍ବୋଚ୍ଚ ଉଚ୍ଚତାକୁ ଲମ୍ବିଯାଇଛି ସ୍ନେହ-ବନ୍ଧନର ରଜ୍ଜୁ ମାଳ, ଯାହାଏ ପାଷାଣ-ଲେଖକ ସହିତ ସ୍ୱର୍ଗପ୍ରୟାତ ପ୍ରାଣୀଙ୍କୁ ଏକତ୍ର ଓ ଏକାନ୍ତ ବାନ୍ଧିରଖିଛି ।

 

ହାୟରେ ମଣିଷ ! ସ୍ମୃତିର କେତେ ଆକର୍ଷଣ ସତେ ! ସେମାନେ ପାପୀ ଥିଲେ କି ପବିତ୍ର ଥିଲେ, ସ୍ପର୍ଦ୍ଧିତ ଥିଲେ କି ନମ୍ର ଥିଲେ, ଥିଲେ ହିଂସ୍ର କି ଅହିଂସ, ଜାଣିବାର ଅବକାଶ ନାହିଁ । ହେଲେ ଏତିକି ଜାଣିହେଲା, ପ୍ରିୟଜନମାନେ ଇଚ୍ଛାକଲେ ଧର୍ମପ୍ରାଣ କୈବଲ୍ୟ ମୁମୁକ୍ଷୁ ଦେବଦର୍ଶନପ୍ରୟାସୀ ଲକ୍ଷ ଲକ୍ଷ ଲୋକଙ୍କର ରଜରେଣୁ ଏହି ଦେଉଳ ବେଢ଼ାରେ ପଥର-ରକ୍ଷିତ ପ୍ରେତମାନଙ୍କ ନାମ ବର୍ଣ୍ଣମାଳାରେ ପଡ଼ୁ ଓ ଯଦି ସେମାନେ ନରକରେ ପଡ଼ିଥାନ୍ତି, ଉଦ୍ଧାର ପାଆନ୍ତୁ । ସ୍ୱର୍ଗରେ ଥିଲେ ଆଉ ଅବତରଣ ନ କରନ୍ତୁ ।

 

ସେତେବେଳେ ମୁକ୍ତିମଣ୍ଡପ ଚକଡ଼ାରୁ ବେଦଧ୍ଵନୀ ଲହରୀ ଆସୁଥିଲା । ହାତ ହଲାଇ, ମୁଦ୍ରା ଦେଖାଇ ବୃଦ୍ଧ ଯୁବକ ବେଦବିତ୍‍ମାନେ ପରାୟଣ କରୁଥିଲେ । କଲିକତା ସହରର ମୋନୋପଲି ସୂତ୍ରରେ ସବୁ ଯାତ୍ରୀଙ୍କର ଯେ ବଡ଼ ଗୁମାସ୍ତା, ତାଙ୍କୁ ଚାହିଁ ଦେଖିଲି, ସେ ନିର୍ବିକଳ୍ପ ସମାଧିରେ ଆସୀନ । ବଙ୍ଗୀୟ ଓ ବଙ୍ଗୀୟମାନେ ତାଙ୍କ ପାଦ ପାଖରେ ନତ ହୋଇ ଯାତ୍ରୀ ଦକ୍ଷିଣା ଥୋଇବାରେ ପ୍ରତିଯୋଗିତା କରୁଛନ୍ତି ।

 

ଅନାୟାସ ଓ ଇମିତି ସ୍ୱଚ୍ଛଳ ଭାବରେ ଯେ ଅର୍ଥ ଅର୍ଜନ କରାଯାଏ, ତାହା ଏହି ଜଗନ୍ନାଥ ଦେଉଳରେ ଦେଖାଯାଏ । ଏକଥା ଯେ ମତେ ଇଙ୍ଗିତରେ ଶୁଣାଇଦେଲେ, ସେ ନିଜେ ଜଣେ ସେବକ ପିଲା । ରକ୍ତରେ ତାଙ୍କର ମନ୍ଦିର ଭାବାବେଶର ଅଣୁ ପରମାଣୁ ରହିଛି ଏବଂ ମୋର ପୂର୍ବତନ ଛାତ୍ର ଥିବାରୁ ସଂଭ୍ରମ ସହକାରେ ମୋ ସହିତ ମିଳିତହୋଇ ଆଜି ଏ ପ୍ରଭାତଟିକୁ ଆନନ୍ଦମୟ କରିବା ଇଚ୍ଛାରେ ଅନନ୍ଦବଜାରକୁ ଯିବା ପାଇଁ ସେ ଆମନ୍ତ୍ରଣ କଲେ ।

 

ସେ ପୁଣି ଶିକ୍ଷକ । ଉପର ବରଡ଼ା ପତ୍ର ଶୁଖି ଶୁଖି ଆସି ଖସି ପଡ଼ିବା ଅବସ୍ଥାରେ ତଳକୁ ଚାହିଁ ଦିନ ଗଣୁଥିବାବେଳେ ତଳ ସବୁଜ ପତ୍ରର ଏତିକି ସଂଭ୍ରମ ଓ ଭକ୍ତି ସେତେବେଳେ ମତେ ଅନବଦ୍ୟ ଓ ପାରମାର୍ଥିକ ବୋଧହେଲା ।

 

ମୁଁ ନୀରବରେ ସମ୍ମତି ଦେଲି ।

 

ସୁଦୂର ନାଗାରାଜ୍ୟରୁ ଆସିଥିବା ଦୁଇଟି ଉଦ୍‍ଭିନ୍ନଯୌବନା ନାଗା ତରୁଣୀଙ୍କ ଆଡ଼େ ମୁଁ ଲକ୍ଷ କଲି । ଗୋଟିଏ ସେଥିରୁ ନୋଟ୍‍ କରୁଥାଏ । ପାଖରେ ପଣ୍ଡା ମହାଶୟ । କ୍ଲିପ୍ ଲଗା ଫାଇଲ୍ ପଟା ଉପରେ ସେ ଲେଖୁଥାଏ, ଯାହା ଦେଖୁଛି ମନ୍ଦିର ଗାତ୍ରରେ ଅବା ଶୁଣୁଛି ସ୍ତୋତ୍ର, ଭଜନ, ସ୍ତବର ମର୍ମାର୍ଥ । ପଣ୍ଡାମହାଶୟ ଭୁଲ୍‌ନିର୍ଭୁଲ ସବୁ ପ୍ରକାର ତଥ୍ୟ ପରିବେଷଣ କରି ଚାଲିଥାନ୍ତି ସେମାନଙ୍କ ଗହଣରେ ।

 

ବିଚିତ୍ର ଏ ମନ୍ଦିରର ବେଢ଼ା ଓ ଏହା ଭିତରେ ନରନାରୀ ସ୍ରୋତର ଉଦ୍‍ବେଳ ଭାବ ! ଯଥାର୍ଥ ଆଖି ଥିଲେ, କାନ ଥିଲେ, ଅତି ନିଗୂଢ଼ ରହସ୍ୟରେ ଦୋଳାୟିତ ମନ୍ଦିରର ଜୀବନୀ ଶକ୍ତି ଦେଖାଇବ ଏମିତି କିଛି ଦୃଶ୍ୟ, ଶୁଣାଇବ ଏମିତି କିଛି ସଙ୍ଗୀତ ଯାହାର ପଟାନ୍ତର ବିଶ୍ଵର କେଉଁ ଚିତ୍ରଶାଳା ଓ ସିଂଫନିରେ ନଥିବ ।

 

ବୁଲି ବୁଲି ଆମେ ଆସିଲୁ ଆନନ୍ଦବଜାରର ପ୍ରବେଶ ପଥ ଉପରକୁ ଭଗବାନ ଆହାର କରିସାରିଛନ୍ତି, ତେଣୁ ଜନତା ପାଇଁ ଆନନ୍ଦବଜାର ଆନନ୍ଦରେ ନୃତ୍ୟ କରୁଛି ।

 

ଦୁହିଁଙ୍କର ପାଦ ହଠାତ୍ ଅଟକିଗଲା । ଆଗରେ ଅଶ୍ରୁମତୀ ତରୁଣୀ । ଦୁଇ ଆଖିରୁ ଧାର ଧାର ଲୁହ ବୋହି ଯାଉଛି । ପଣତକାନିକୁ ମୁହଁ ଉପରେ ଅଧା ଚାପିରଖି ସେ କଇଁ କଇଁ କାନ୍ଦୁଛି, କିଛି ଜାଣିପାରିଲୁ ନାହିଁ । ଅଚଳ ରହିଗଲୁ । ଦୁଇପଟେ ଦୁଇ ପ୍ରାଚୀର ଥିବାରୁ ଯିବା ମଧ୍ୟ ସମ୍ଭବ ହେଲା ନାହିଁ ।

 

ଜନତାର ସ୍ରୋତ ହଠାତ୍ ବେଗରହିତ । ଆମେ ବି ନିଶାଣ ଭାବରେ ପଥର ଉପରେ ଶିଳୀଭୂତ ।

 

କେଉଁଠି ଥିଲେ ଜଣେ ପୁଲିସ୍ ଆସି ପହଞ୍ଚିଗଲେ । କେଉଁଠି ଥିଲେ ଯୁବକ, ବୃଦ୍ଧ, ପ୍ରୌଢ଼ ସମବେଦନା ପ୍ରକାଶକାରୀ, ବହୁ ଲୋକ ଝିଅଟିର ରକ୍ଷକ ହୋଇଗଲେ ।

 

ଆମେ ରହିଗଲୁ ସହସ୍ର ନୟନ ତଳେ-ନାରୀ ପ୍ରତି ଅସଦାଚରଣ କରିଥିବା ଅପରାଧୀଯୁଗଳ ।

 

ଆମେ କାହାକୁ କଣ କହିବୁ ଅବା ସେଭଳି ଏକ ପରିସ୍ଥିତିରେ ଆମର କଅଣ କର୍ତ୍ତବ୍ୟ, କଛି ବୁଝିପାରିଲୁ ନାହିଁ । ଝିଅଟି ଆମକୁ ଛାଡ଼ି ନ ଦେବାର ଭଙ୍ଗୀ ବି ଦେଖାଇଲା ।

 

ସିପାହୀ କହିଲା–ଚାଲନ୍ତୁ ଦେଉଳ ଫାଣ୍ଡିକୁ । ନିଶ୍ଚୟ କିଛି କହିଛନ୍ତି ବା କରିଛନ୍ତି, ତାହା ନହେଲେ ଏ ଝିଅ ଏମିତି କାନ୍ଦନ୍ତା କାହିଁକି ?

 

ଜଣେ ଯାତ୍ରୀ ଗୁମସ୍ତା ଗର୍ଜିଉଠିଲେ–କହ ମା, ଏ ଟୋକା ନା ଏ ବୟସ୍କ ଲୋକ–କିଏ ୟା ଭିତରୁ–ନା ଦୁଇଜଣ ଯାକ ?

 

ଆଉ ଜଣେ ଚିତା-ତିଲକଧାରୀ ଧର୍ମାଧିକାରୀ ବାବାଜି କହିଲେ-ଓହୋ, କି ପାପ, ଦିନବେଳୁଟାରେ ଏଠାରେ…ଛିଃ…ଛିଃ…

 

ମୁଁ କେବଳ ଜଗନ୍ନାଥଙ୍କୁ ଡାକୁଥାଏ..କହୁଥିଲି, ପ୍ରଭୁ, ମୁଁ ତୁମ ପାଖକୁ ଆସେନି, ତାହା ତୁମେ ଜାଣ । ଦୂରରେ ରହି ତୁମକୁ ଡାକିଛି, ତୁମେ ବି ସେ ଡାକ ଶୁଣିଛ…ଏମିତି ଆସିଯିବା ବ୍ୟତିକ୍ରମରୁ ତୁମେ ବୋଧହୁଏ ରାଗିଗଲ ଓ ଏ ଘଟଣା ଘଟାଇଲ । କ୍ଷମାକର ପ୍ରଭୁ-ଯଥେଷ୍ଟ ହେଲା ।

 

ଝିଅଟା ଯଦି ଏତେଗୁଡ଼ାଏ ଲୁହ ନ ଢାଳି ଟିକିଏ କଥା କହି ଆମକୁ ଅଭିଯୋଗ ମୁକ୍ତ କରନ୍ତା, ତାହାହେଲେ ଏ ଜନତା, ଯିଏ ହଠାତ୍ ନାରୀ ସମ୍ଭ୍ରାମକୁ ରକ୍ଷାକରିବା ଭଳି ମଧ୍ୟଯୁଗୀୟ ଘୋଡ଼ାଚଢ଼ା ନାଇଟ ଅଭିନୟ କରିବାକୁ ଆଗେଇ ଆସୁଛନ୍ତି, ସେ ବୁଝନ୍ତେ ଆମେ କେତେ ନିର୍ଦୋଷ ।

 

ଅମ ଚଲାପଥ ଉପରେ ଜଣେ ଗୌରବର୍ଣ୍ଣା ସୁନ୍ଦରୀ ସାବଲୀଳା ଯୁବତୀ ଯଦି କାନ୍ଦି ଉଠେ ଓ ଆମକୁ ଲକ୍ଷ୍ୟକରି ସେ କ୍ରନ୍ଦନଧାରାକୁ ଆମ ପାଇଁ ନୈବେଦ୍ୟ କରେ, ତେବେ ବଚନହୀନା ଏ ନାରୀ ବିଷୟରେ ଯିଏ ଯାହା ଅନୁମାନ କରିବ ସବୁ ତ ସତ୍ୟ ହୋଇଯିବ !

 

-‘ସତ୍ୟବ୍ରତ ଏ କି କଥା ?’ ମୁଁ ପଚାରିଲି ।

 

-ସାର୍ ଟିକିଏ ଅପେକ୍ଷା କରନ୍ତୁ, ତାର କୋହ ଥମିଆସୁ । ଜଣେ ଶୁଭାକାଙ୍‍କ୍ଷୀକୁ ଦେଖି ତାର ହୃଦୟବନ୍ଧ କଟିଯାଇଛି-ମୁଁ ଯାହା ଦେଖୁଛି । ସତ୍ୟବ୍ରତ ଏତକ କହି ହସୁଥିଲା ।

 

-‘ତୁମେ ତାକୁ ଚିହ୍ନ ନା କଅଣ ?’ ମୁଁ ଅନ୍ଧାରରେ ଆଲୋକ ଦେଖିଲି । ନିଃଶ୍ୱାସ ସ୍ଵାଭାବିକ ହେଲା । ମୁଁ କହିଲି–ଭଗବାନ, ତାହାହିଁ ହେଉ, ନହେଲେ ଦେଉଳ ଫାଣ୍ଡିକୁ ଯିବା ଭାଗ୍ୟରେ ଅଛି ।

 

ସତ୍ୟବ୍ରତ କଠୋର ହେଲା–’ସୁଷମା, ଏସବୁ କଅଣ ହେଉଚି ? ଚାରିପାଖେ ମଣିଷ ଭିଡ଼ ଦେଖୁଛୁ ତ ?’

 

-‘ସତ୍ୟବାବୁ, ଆପଣଙ୍କୁ ଖୋଜି ଖୋଜି ଆସୁଛି । ବାପା ମୋର ରାତି ପାହାନ୍ତାରୁ ଡାକ୍ତରଖାନାରେ ବେହୋସ୍ ପଡ଼ିଛନ୍ତି । ଷ୍ଟ୍ରୋକ ହେଲା । ରକ୍ତଚାପ । ଅଙ୍ଗ ଅଚଳ । ହାତରେ ଟଙ୍କା ନାହିଁ, ପାଖରେ କେହି ସାହା ଭରସା ନାହିଁ । ଆମ ଘର କଥା ସବୁ ଜାଣନ୍ତି ଆପଣ । ଏକା ସାହିରେ ଘର ବୋଲି-ତା’ ଛଡ଼ା ବହୁତ ଆପଦ ବିପଦରେ ମତେ ଓ ବାପାଙ୍କୁ ସାହାଯ୍ୟ କରିଥିବାରୁ ମୁଁ ଦଉଡ଼ି ଆସିଛି ଆପଣଙ୍କ ପାଖକୁ । ଚାଲନ୍ତୁ ଡାକ୍ତରଖାନା । ବାପା ଆଉ ମୋର ବଞ୍ଚିବେ ନାହିଁ ।’

 

ଝିଅର ଲୁହ ଝରଣା ଆହୁରି ବେଗ ଧରିଲା ।

 

ମୁଁ ପଥିକ ମାତ୍ରରେ କହିପକାଇଲି–‘ମୁଁ ବି ଯିବି, ହଉ…ହଉ…’ ଏହା ପ୍ରବୋଧନା କି ଆଉ କଅଣ ମୁଁ ବୁଝିପାରିଲିନାହିଁ ।

 

ପୁଲିସର ମୁହଁ ଶୁଖିଗଲା । କହିଲା–ଛେଃ, ଭାବିଥିଲି କିଛି ଗୋଟାଏ ରୋଜଗାର ହେବ ସକାଳୁ ସକାଳୁ । ଆରେ ଏଗୁଡ଼ାକ ଚିହ୍ନାଚିହ୍ନି ହୋ…

 

‘ନାଇଁମ କିଛି ନୁହେଁ, ଏ ଝିଅଟା ତାଙ୍କର ସବୁ ଚିହ୍ନା । ତା ବାପ କେଉଁଠି ଡାକ୍ତରଖାନାରେ । ଖୋଜୁଥିଲା ଏଇ ଟୋକା ବାବୁଙ୍କୁ । ସାହି ବାଲାତ-ୟା କଅଣ ହଉନି ?’

 

ଲୋକେ ଭିଡ଼ ଭାଙ୍ଗି ଚାଲିଲେ ଯେଝା ବାଟରେ । ଗୋଟାଏ ଚକ୍ଷୁ-ରୋଚକ, ମନପୂରକ ଶୃଙ୍ଗାରତିଳକ ସୁଗନ୍ଧ ଯେ କ୍ରମେ ସଞ୍ଚରିଯାଇଥିଲା, ତାହା ଧୀରେ ପ୍ରଶମିତ ହୋଇଆସିଲ ।

 

ପହଲିଭୋଗର ସୁବାସ ଆଘ୍ରାଣ ମାତ୍ର ରହିଗଲା । ଚାଲିଲୁ ଡାକ୍ତରଖାନା । ଆଗେ ଜନସେବା; ପରେ ମହାପ୍ରସାଦ–ସେତିକି କହିଲି ସତ୍ୟବ୍ରତକୁ ।

 

ତାର ଆଖି ସ୍ୱଚ୍ଛ ହୋଇଉଠିଲା, ଆଉ ସେ ଝିଅଟି ତାର ପରିଚିତ ବନ୍ଧୁ ଯୁବକଟିକୁ ଖୋଜି ଆସି ତାର ମହା ଦୂର୍ବିପାକରେ ଦେଖିଲା ମତେ, ଯିଏ ଦିନ ଗଣୁଛି ଏମିତି ଶ୍ୱେତ ଶୁଭ୍ର ପ୍ରସ୍ତର ଉପରେ ଶ୍ରୀ ଜଗନ୍ନାଥଙ୍କ ଦୃଷ୍ଟି ତଳେ ତାର ନାମକୁ ଉତ୍କୀର୍ଣ୍ଣ କରିବା ଆଶାରେ ।

 

କିନ୍ତୁ କେହି କହିବେ ନାହିଁ, ମୁଁ ଜାଣେ । ଲକ୍ଷ ଚରଣରେଣୁ ପାଇ ଜୀବ ମୁକ୍ତି ପାଇବ, ଏ ସତ୍ୟ ଆଜିର କୁଳ-ସନ୍ତାନ ବିଶ୍ୱାସ କରେନାହିଁ । ନକରିବା ଭଲ ।

 

ସେହି ନାସ୍ତି…ନାସ୍ତି ହେଉ ମୋର ଅସ୍ତିତ୍ଵର ପରମ ଓ ଚରମ ଲକ୍ଷ୍ୟ । ସତ୍ୟବ୍ରତ ଏତିକି ଜାଣୁ, ତାର ସାର୍ ଏ ଉପଭୋଗ ଚାହାନ୍ତି ନାହିଁ, ଯାହା ଚାହାନ୍ତି, ତାହା କେବଳ ଶରଧା ବାଲି କି ସାଗର ସ୍ଵର୍ଗଦ୍ଵାରରୁ ହାତେ…ହାତେ ଭୂଇଁ ।

Image

 

କାହାକୁଡ଼ାକିବା

 

ହିନ୍ଦୁ ସଂସ୍କୃତିରେ ଅଛି, କାହାକୁ ନଡ଼ାକି ଯଦି ଅତିଥି ଅଭ୍ୟାଗତ ଆସିଗଲେ, ତେବେ ମହାପୁଣ୍ୟ ହେବ ବୋଲି ଲୋକ ବିଶ୍ୱାସ କରି ଦ୍ୱାର ଖୋଲିଦଉଥିଲେ ।

 

ଏବେ ଅତିଥି ଶବ୍ଦର ବହୁ ବ୍ୟାପକ ଅର୍ଥ ହେବାରୁ ଓ ଗୋଟିଏ ସନ୍ଧ୍ୟାରେ ଏକାଧିକ ଅତିଥିଙ୍କ ଆବଶ୍ୟକତା ପଡ଼ୁଥିବାରୁ, ବିଷୟଟି ସମସ୍ୟା ମୂଳକ ହୋଇପଡ଼ିଛି ।

 

ଶ୍ରୀ ଜୟପ୍ରକାଶ ନାରାୟଣଙ୍କର ଓଡ଼ିଶା ଅଗମନ ଓ ପ୍ରସ୍ଥାନ ପୁରୀ ଜିଲ୍ଲାର ବିଷ୍ଣୁପୁର ଗ୍ରାମବାସୀଙ୍କର ଆପାତତଃ ସମସ୍ୟା ନୁହେଁ, ଯଦିଓ ସେମାନେ ଜାଣନ୍ତି ଯେ, ତାଙ୍କ ଭଳି ଜଣେ ବ୍ୟକ୍ତି ଯେବେ ବିଷ୍ଣୁପୁର ଗାଁ କ୍ଲବଘରେ ଥିବା ଶ୍ରୀମତୀ ଇନ୍ଦିରା ଗାନ୍ଧୀଙ୍କର ଫଟୋ ପାଖେ ପ୍ରଦୀପ ଜଳାଇ ମାଲ୍ୟାର୍ପଣ କରନ୍ତେ, ତେବେ ତ ତାହା ବାର୍ଷିକ ଉତ୍ସବର ଗୌରବ ଓ ଗରିମା ବଢ଼ାଇ ପାରନ୍ତା; କିନ୍ତୁ ଶ୍ରୀମତୀ ଇନ୍ଦିରା ଗାନ୍ଧୀ ଓ ଜୟପ୍ରକାଶଙ୍କୁ ଏକା ଘାଟରେ ପାଣି ପିଆଇବା ଏକପ୍ରକାର ଅସମ୍ଭବ ବ୍ୟାପାର ବୋଧକରି କ୍ଲବର ସଦସ୍ୟମାନେ ଅନ୍ୟଆଡ଼େ ମୁହଁ ଫେରାଇ ବିଚାର ଆଲୋଚନା ଆରମ୍ଭ କରିଦେଲେ ।

 

ବାର୍ଷିକ ଉତ୍ସବ ସମୟ ଆସିଗଲା । ‘ବସନ୍ତ ଆଗମେ’ କବିତା ଆବୃତ୍ତି କରି ଝିଅମାନେ ଉଦ୍‌ବୋଧନୀ ସଙ୍ଗୀତ ଗାନ କରିବେ । ପରମ୍ପରା ଅନୁଯାୟୀ ବସନ୍ତ ଋତୁରେ ହିଁ ଏ ଉତ୍ସବ ହେବାର କଥା । ଭାଳେଣି ପଡ଼ିଲା ସଭାପତିଙ୍କର, ଯିଏ ନିଜ ଘରର ଗୋଟାଏ ବଖରାରେ କ୍ଳବ୍‌କରି ଦୁଇଟି ଚେୟାର, ଗୋଟାଏ ଟେବୁଲ, ଲୋକସମ୍ପର୍କ ବିଭାଗରୁ ଦୁଇ ତିନିଟା ଚିତ୍ର ଟାଙ୍ଗି ‘ବିଷ୍ଣୁପୁର ଯୁବକ ଶ୍ରୀ ସାମର୍ଥ୍ୟ ସଂଘ’ ନାମରେ ଅନୁଷ୍ଠାନ ଗଢ଼ିଛନ୍ତି ଓ ବାର୍ଷିକ ଚାରିହଜାର ଟଙ୍କା ସରକାରୀ ଆର୍ଥିକ ସାହାଯ୍ୟ ପାଉଛନ୍ତି ।

 

ଗାଁର ଏ ହେଉଛନ୍ତି ମାରଣା ଷଣ୍ଢ । ସମସ୍ତଙ୍କ ମନରେ ଭୟ ଉଦ୍ରେକକାରୀ ଏହି ମହାଜନ, କ୍ଷମତାସୀନ ଶାସକାଗୋଷ୍ଠୀର ସମର୍ଥକ ଓ ସଭ୍ୟ ଥିବାରୁ ବିଷ୍ଣୁପୁରର ବିଷ୍ଣୁ ମୂର୍ତ୍ତି ଭଳି ପୂଜା ଅର୍ଚ୍ଚନା ପାଇ ଗୋଟିଏ ଦରିଦ୍ର ପରିବାରର ଖଟିଖିଆ ଶ୍ରମିକ ଏଇ ବିଶ୍ଵବନ୍ଧୁ ନାୟକ ଏବେ ଧନୀ ହୋଇଯାଇଛନ୍ତି । ଆକାଶକୁ ୟାଙ୍କର ମଥା ଛୁଉଁଛି । ସଭ୍ୟମାନେ ୟାଙ୍କରି ଇଙ୍ଗିତରେ ଚଳନ୍ତି, ହେଲେ ସେଥିରେ ଗୋଟାଏ ଦୁଇଟା ଭିନ୍ନମତର ଯୁବକ ଦେଖାଦେଲେଣି; ଫଳରେ ଏକଛତ୍ରବାଦ ରହିପାରୁନି । ବିଭେଦ ଆସିଯାଇଛି ।

 

ବୈଠକ ବସିଛି । ପ୍ରଶ୍ନ.. କିଏ ପ୍ରଧାନ ଅତିଥି, ଉଦ୍‌ଘାଟକ, ସମ୍ବର୍ଦ୍ଧକ, ମୁଖ୍ୟବକ୍ତା, ଗୌଣବକ୍ତା, ଧନ୍ୟବାଦ ଦାନକାରି, ସଭାପତି, ବିବରଣୀ ପାଠକ, ଧୂପବତୀ ପ୍ରଦୀପକ, ହାରମୋନିୟମ ଗାୟକ ଇତ୍ୟାଦି ହୋଇ ଆସିବେ-ତାଙ୍କର ତାଲିକା ପ୍ରସ୍ତୁତିକରଣ ।

 

କ୍ଳବର ସଭାପତିଙ୍କ ଆଗରେ ଗୋଟିଏ ପନ୍ଥା । ସେ କହିଲେ, ବନ୍ଧୁଗଣ, ଯଦି କ୍ଲବର ଉନ୍ନତି ଚାହଁ, ଯଦି ଜୀବନରେ ବଡ଼ ହେବାପାଇଁ ଇଛାକର, ତେବେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଧାନ ଅତିଥି ଭାବରେ ବରଣ କରିବାକୁ ହେବ ।

 

ଏ ଆସିଲେ କୀ କୀ ଲାଭ ହେବ ବୋଲି ଜଣେ ସଦସ୍ୟ ପଚାରିଲେ କାରଣ ଲାଭ କ୍ଷତିର ଫର୍ଦ୍ଦ ଏବେଠୁ ତିଆରି ନ କଲେ, ଅଯଥା କର୍ମରତ ରହି ଶେଷରେ ସୁଫଳ ମିଳିବନାହିଁ ।

 

ବିଶ୍ଵବନ୍ଧୁ ନାୟକ କହିଲେ–ପ୍ରଥମେ-ମୁଖ୍ୟମନ୍ତ୍ରୀ ଆସିବେ, ଗ୍ରାମରେ ବିରାଟ ଉଦ୍‍ବେଳନ ଘଟିବ, ଯିମିତ ଗାଁ ପୋଖରୀରେ ପଥରଟାଏ ପକାଇଦେଲେ ଚାରିଆଡ଼େ ସୁଅ ଛୁଟିଯାଏ; ଅବଶେଷରେ କୂଳକୁ ସେଗୁଡ଼ାକ ଯେମିତି ଆଘାତ କରନ୍ତି, ଏ ସେମିତିକା କଥା ହେବ ।

 

ଦ୍ଵିତୀୟ, ଫଟୋ ଉଠିବ ଅଜସ୍ର-ଗାଁର ତରୁଣ ତରୁଣୀ, ବୁଢ଼ା ବୁଢ଼ୀ ସମସ୍ତଙ୍କର ଛବି ଉଠିଯିବ । କେବଳ ମୁଣ୍ଡମାଳ ଦେଖାଯିବ । ଆମ ହାତକୁ, ଗୋଟାଏ ପଇସା ପଡ଼ିବନି–ସବୁ ସରକାର କରିଦେବେ ।

 

ତୃତୀୟ, ମାଇକ୍ ବାଜା ମନକୁ ମନ ଚାଲିଆସିବ । କେତେ ମଟରକାର, ଜିପ୍, ପୋଲିସ୍, ମାଜିଷ୍ଟ୍ରେଟ୍ ଆସିଯିବେ । ଭଙ୍ଗା ରାସ୍ତାଉପରେ ଗୋଡ଼ି ପଡ଼ିଯିବ । ଖାଲ ଜମି ଢିପ ହୋଇଯିବ । ଶୂନ୍ୟରୁ ଏସବୁ ମଙ୍ଗଳ ଖସି ଆସିବ । ଆମ ଦେହରୁ ଝାଳ ବୋହିବନାହିଁ କି ତୁଣ୍ଡରୁ କଥା ଶୁଭିବ ନାହିଁ । ସବୁ କାମ ସୁରୁଖୁରୁରେ ହୋଇଯିବ ।

 

ଅମାନିଆ ଯୁବକମାନେ ଗୋଟାଏ ଦଳ କରିଛନ୍ତି । ସମର୍ଥନ ମିଳିଲାନାହିଁ ଏ ପ୍ରସ୍ତାବ ଉପରେ....

 

ରତ୍ନାକର ବେକାର ଯୁବକ; ବି.ଏ.ପାଶ୍ କରି କର୍ମଯୋଗାଣ ଫାଟକ ପାଖରେ ଶୂନ୍ୟ ଆକାଶକୁ ଚାହିଁ ଚାହିଁ କେତେଥର ଫେରି ଅଗ୍ନିଶର୍ମା ହୋଇଯାଇଛି । ଭଉଣୀ ବିବାହ-ବେଦୀକୁ ଯାଇ ପାରୁନି, ଯୌତୁକ ଡାକରେ ତାର ପରିବାର ମ୍ରିୟମାଣ । ଏ ଶାସନର ଏତେ ମଙ୍ଗଳପ୍ରଦ ଯୋଜନା ସବୁଜ ବିପ୍ଳବରୁ ଶ୍ଵେତ, କୃଷ୍ଣ, ରଙ୍ଗବେରଙ୍ଗ ସବୁ ବିପ୍ଳବକୁ ସେ ଦେଖି, ବୁଝି, ଏତିକି ସ୍ଥିରକଲା ଯେ ମନ୍ତ୍ରୀମାନଙ୍କୁ ଏ ଗ୍ରାମକୁ ଆଣି ଛେଳି କାଟି, ଓଡ଼ିଶୀ ନାଚ ଦେଖାଇ ତୃପ୍ତି ଦେବା କାମ ଏଣିକି ଆଉ ହେବନାହିଁ ।

 

ରତ୍ନାକରର ମନେପଡ଼ିଲା ତାର ଗୁରୁଦେବଙ୍କ କଥା । ଆହା, ଶାନ୍ତ ସ୍ନିଗ୍‍ଧ ସେ ବ୍ୟକ୍ତିତ୍ଵ-! ଏ ଜଗତରେ ସେ ଲୋକ ନୁହନ୍ତି । ବିଷୟବୃତ୍ତିରେ ମନ ନାହିଁ । କେବଳ ଜାତି, ସଂସ୍କୃତି, ଧର୍ମ ଘେନି ତାଙ୍କର ଚିନ୍ତା ଓ ବିଚାରଣା । ସେ ବିଷ୍ଣୁପୁରକୁ ଆସି ଯଦି କିଛି କରନ୍ତେ, ତେବେ ଅନ୍ଧକାର ଖସିଯାଇ ଆଲୋକ ଫୁଟନ୍ତା । ମଣିଷ କଣ, ତାର ଲକ୍ଷ୍ୟ କଣ, ଅଥଚ ସେ କିପରି ଅନିତ୍ୟ ଭୋଗ-ବାସନାରେ ପଥ ବାହି ଚାଲିଛି–ସେ ପଥକୁ ଗୁରୁଦେବ ଦେଖାଇ ଦିଅନ୍ତେ; ନ୍ୟାୟ ନୀତିର ଆଲୋଚନା କରନ୍ତେ । କ୍ଷମତା ଓ ଟଙ୍କାର ସେ ଦାସ ନୁହନ୍ତି ।

 

ରତ୍ନାକର ସାହସ ସଞ୍ଚୟକରି କହିଲା–“ମୋର ଏକ ପ୍ରସ୍ତାବ ଅଛି; ମନ୍ତ୍ରୀମାନେ ଏଠାକୁ ଆସିଲେ ଅକାରଣେ ଗୋଟାଏ ବିସ୍ଫୋରକ ପରିବେଶ ସୃଷ୍ଟି ହେବ; ମନ୍ତ୍ରିତ୍ଵ ସହିତ ରାଜନୀତି ଓ ଦଳୀୟ ସ୍ୱାର୍ଥ ଏପରି ମିଶାଣ ଯେ ନିର୍ମଳ ଭାବରେ କିଛି କରିବା ସମ୍ଭବ ହେବନାହିଁ । ସେମାନଙ୍କୁ ଅଣା ନ ଯାଇ ତାଙ୍କ ପରିବର୍ତ୍ତେ ଜଣେ ସ୍ଵନାମାଧନ୍ୟ ସାହିତ୍ୟିକ–”

 

ରତ୍ନାକର ଉପରେ ବିଶ୍ଵବନ୍ଧୁ ନାୟକ ଛଞ୍ଚାଣ ସମ ଝାମ୍ପିପଡ଼ିଲେ । କହିଲେ-ହେ ରତ୍ନାକର, ନ ଭାବି ନ ଚିନ୍ତି କିଛି କୁହନାହିଁ । ସାହିତ୍ୟିକଙ୍କୁ ଆଣିବ ? ହଇୟେ, ସେଗୁଡ଼ାକ କଣ କହିବେ ? ଭାଷଣ ଆରମ୍ଭରେ ଆକାଶକୁ ଚାହିଁବେ, କହିବେ, ବର୍ତ୍ତମାନ ଦିଗଦିଗନ୍ତ ଅରୁଣିମାରେ ସ୍ନାତ । ପୁଣି କହିବେ–ଉଠ, ଜାଗ୍ରତ ହୁଅ, ଯୁଗପୁରୁଷ ଡାକୁଛି । ମଝିରେ ମଝିରେ ବିବେକାନନ୍ଦ, ରାମକୃଷ୍ଣ ଆଉ ଭଗବଦ୍‍ ଗୀତାରୁ ଉଦ୍ଧୃତ ଦେଇ ଯାହା ଜନତାକୁ ଜାଗ୍ରତ କରିବେ ତ ଜଣାପଡ଼ୁଛି, ବରଂ ନୁଆଁଇ ପକାଇବେ ହେ । ସାହିତ୍ୟ ଓ ଧର୍ମରୂପକ ଅଫିମ ଖୁଆଇ ସେମାନେ ଗରମ କରିପାରିବେ ମନ୍ତ୍ରୀ ଶୁକଦେବ ପଟ୍ଟନାୟକ ଭଳି ? ତାତିଲା କରେଇ ଯିମିତ ସୋରିଷ ତେଲରେ ଫୁଟିଛି ସିମିତି ମନେହେବଟିକି ? ରତ୍ନାକର ବସିପଡ଼–ମନ୍ତ୍ରୀ ବିହୁନେ ସୃଷ୍ଟିନାଶ, ଜଳେବିହୁନେ ଶସ୍ୟନାଶ ଭଳି କଥା ହେବ ।

 

ସହ ସମ୍ପାଦକା ପୀରିତ ଦେଈ ପଣତ ସଜାଡ଼ି ଛିଡ଼ାହେଲେ–ଏ ଜଣେ ଅଗ୍ରଗାମୀ ତରୁଣୀ । ହିନ୍ଦୀରେ କୋବିଦ । ଏହାଙ୍କର ଉଗ୍ରସ୍ଵଭାବ ଯୋଗୁ ସଭାପତି ବିଶେଷ ଭରସି କରି ତାଙ୍କୁ କିଛି କହିପାରନ୍ତି ନାହିଁ ।

 

ସେ ଛିଡ଼ାହୋଇ ଅଗ୍ନି ଝରାଇଲେ । କହିଲେ, “ଶୁକଦେବ ପଟ୍ଟନାୟକ–ମନ୍ତ୍ରୀକୁ ମୁଁ ଜାଣେ । ମୋ ଭଳି ଏ ଦେଶରେ ତାଙ୍କୁ କେହି ଚିହ୍ନି ନଥିବେ । ମତେ ବାହାହେବାକୁ କହି ସେ ଠକିଛନ୍ତି । ଆପଣମାନେ ଜାଣନ୍ତି ସେ କଥା । ମୁଁ କିନ୍ତୁ ତାଙ୍କୁ ସେଥିପାଇଁ କ୍ଷମାକରିଛି । ଅଜାତଶ୍ମଶ୍ରୁ ବାଳକମାନେ ଆଜି ମନ୍ତ୍ରୀ; ସେମାନଙ୍କ ଭିତରେ ଗଭୀର ଆତ୍ମଶକ୍ତି ନାହିଁ କି ସେମାନେ ଭୋଗବିଳାସରୁ ମୁକ୍ତ ନୁହନ୍ତି । କୁମ୍ଭୀର-କାନ୍ଦଣା କାନ୍ଦି ଗରିବଙ୍କ ପାଇଁ ଯେଉଁ ଦରଦ ଦେଖାନ୍ତି, ସେଥିରେ କାଣିଚାଏ ସତ୍ୟ ଥାଏ କି ? ତେଣୁ ରତ୍ନାକରବାବୁଙ୍କ ମତକୁ ମୁଁ ସମର୍ଥନ କରୁଛି । ଏ ମନ୍ତ୍ରି ସମାଜ ତାଙ୍କ ମସ୍‌ନଦ୍‌ରେ ବସି ଶାସନ କରନ୍ତୁ । ଆପଣମାନେ ତାଙ୍କୁ ବିରକ୍ତ କରନ୍ତୁନାହିଁ । ସେମାନେ ଗାଁଗଣ୍ଡା ବୁଲନ୍ତୁ ନାହିଁ ।

 

ଜଣେ ସଭ୍ୟ ଉତ୍ତ୍ୟକ୍ତ ଭାବରେ କହିଲା–ମନ୍ତ୍ରୀମାନେ ନିର୍ବାଚନ ଜିଣି ଆସିଛନ୍ତି । ଅଗ୍ନି ପରୀକ୍ଷା ଭିତରେ ଶୁଦ୍ଧ ସୁବର୍ଣ୍ଣ ଭଳି ଝଟକି ଉଠି ଆସିଛନ୍ତି । ତାଙ୍କୁ ଏମିତି କହିବା ଠିକ୍ ହେଉନାହିଁ ।

 

ସଭାର ବାତାବରଣ କ୍ରମେ ଉତ୍ତାପ ଆହରଣ କରୁଥିଲା । ଗୋଟାଏ କଣରୁ ଶବ୍ଦ ଉଠିଲା–

 

ଆପଣମାନେ ଫଟୋ ଚାହାନ୍ତି ତ ଖବରକାଗଜର ସମ୍ପାଦକଙ୍କୁ ଡାକନ୍ତୁ; ଫଟୋହୀନ ସମ୍ବାଦ ପାଇବେ ନାହିଁ । ତେଣୁ ମୁଁ ପ୍ରସ୍ତାବ କରୁଛି ଖବରକାଗଜ ସମ୍ପାଦକଙ୍କୁ ଡକାଯାଉ ।

 

“ନାଇଁ ନାଇଁ, ଫଟୋରୁ ଆମେ କଅଣ ପାଇବୁ ? ତାଙ୍କର ଭାଷଣରେ ସଭା ଆରମ୍ଭ ଓ ଶେଷ, ବାକୀ ସମସ୍ତଙ୍କର ଭାଷଣ–ଏମିତି ଛପାହୋଇଥିବ–‘‘ଅମୁକ କହିଲେ” ଯଦିଓ ସେ ତାଙ୍କ ଅପେକ୍ଷା ଭଲ କହିଥିବେ ଓ ସାରକଥା କହିଥିବେ । ଖବରକାଗଜ ସମ୍ପାଦକ ଆସିବେ ନାହିଁ । ଯଦି କାହାକୁ ଆଣିବାର କଥା, ଆମ ଜିଲ୍ଲାର ଯେ ପାଳନକର୍ତ୍ତା ଆ.ଇ. ଏସ୍, ସେ ଆସନ୍ତୁ ।”

 

କିଏ ଜଣେ ପାଟିକଲେ–“କଅଣ ହେଲା ? ଶେଷକୁ ଜିଲ୍ଲାପାଳ ?”

 

ଉତ୍ତର ମିଳିଲା–“ତାଙ୍କ ହାତରେ ଗ୍ରାଣ୍ଟ୍ ଅଛି, ହଲାର ଲାଇସେନ୍‍ସ କରାଇ ଦେଇପାରିବେ, ଭିନ୍ନ ଭିନ୍ନ କମିଟିରେ ରଖିଦେଇ ପାରିବେ; ଅତି ଊଣାରେ ଆମ ସ୍ତ୍ରୀମାନଙ୍କୁ ଜିଲା ଜେଲର ପରିଦର୍ଶିକା କରି ପାରିବେ ।”

 

ଗୋଟାଏ ନାଲି ସିନ୍ଦୂର ଚିତା କପାଳରେ ମାରିଥିବା ଯୁବକ ଉଠିପଡ଼ି କହିଲା–ସେତିକି କଅଣ ? ଆମ ସ୍ତ୍ରୀମାନଙ୍କୁ ଡାକ୍ତରଖାନା ରନ୍ଧନଶାଳାର ଚାଖୁଣିଆ କରିଦେଇ ପାରିବେ, ହସ୍ପିଟାଲ କମିଟିରେ ସ୍ଥାନ ମିଳିବ । ହଁ ହଁ, ଜିଲ୍ଲାପାଳଙ୍କୁ ଡାକନ୍ତୁ ।

 

“ସେତ ଇଂରାଜୀରେ କହିବେ, ଗାଁରେ ଶତକରା କେତେ ବୁଝିବେ ?” ସ୍କୁଲଶିକ୍ଷକ ଗଗନବିହାରୀ ଏତକ କହି ଉତ୍ତର ଅପେକ୍ଷାରେ ସମସ୍ତଙ୍କୁ ଚାହିଁରହିଲେ ।

 

-“ଇଂରାଜୀ ଦେବଭାଷା ହୋଇଯାଇଛି । ସଂସ୍କୃତ ମୃତଭାଷା, ଓଡ଼ିଆ ଆହୁରି ମୃତ । କେହି ନ ବୁଝିଲେ ବି ଇଂରାଜୀ ଭାଷାର ଧ୍ୱନି ତ କାନରେ ପଶିବ ? “ଯୁଦ୍ଧଫେରନ୍ତା ଜଣେ ମିଲିଟାରୀ ସିପାହୀ ବଡ଼ ପାଟିରେ ଏତିକି କହିଲେ ।

 

ଏସବୁ ବିଚାର ଆଲୋଚନା ଠିକ୍ ବାଟକୁ ଆସୁନାହିଁ ଜାଣି ବିଶ୍ଵବନ୍ଧୁ ନାୟକ ଶେଷରେ କହିଲେ–

 

“ତେବେ ଜଣେ ସମାଜସେବିକା ମହିଳାଙ୍କୁ ଆଣିବା । ସେ ଏଠାରେ ଶସ୍ତା ଭୋଜନ କେନ୍ଦ୍ର ଖୋଲିବେ ଏବଂ ଏ ନିଶ୍ଚୟ ଜଣେ ମନ୍ତ୍ରୀଙ୍କ ସହଧର୍ମିଣୀ ହୋଇଥିବେ ।”

 

“ଖାଲି ମନ୍ତ୍ରୀ–ମନ୍ତ୍ରଛଡ଼ା ଆଉ କଣ ଏ ସଂସାରରେ କିଛି ନାହିଁ ? “ବିଷ୍ଣୁପୁର ଗାଁର ମଶାଣିପାଖ ପରିତ୍ୟକ୍ତ ଭଗ୍ନ ମନ୍ଦିରର ବାବାଜୀ ରାମ ଦାସ ଏତିକି କହି ଛିଡ଼ାହୋଇରହିଲେ । ମୁହଁରେ ଘନ ଶ୍ମଶ୍ରୁ, ତମ୍ବାପାତିଆ ଦେହ...ରାମଦାସ ଅନେକ ଦିନ ହେବ ଗାଁ ଛାଡ଼ି ଚାଲିଯାଇଥିଲେ-। ତାଙ୍କର ହଠାତ୍ ଆବିର୍ଭାବ ଦେଖି ସମସ୍ତେ ସ୍ତବ୍ଧ ରହିଗଲେ ।

 

ରାମ ଦାସ କହିଲେ, “ମୁଁ ବଦ୍ରିନାଥ, ହରଦ୍ୱାର, ହୃଷୀକେଶ ବୁଲିଆସିଛି । ପରମାତ୍ମା ସହିତ ଜୀବାତ୍ମାର ମିଳନ ମୁଁ ଦେଖିଛି । ମୋର ଗୁରୁ ସନ୍ନ୍ୟାସୀଙ୍କୁ ନିମନ୍ତ୍ରଣ କରି ଆଣନ୍ତୁ । ସେ ଗୃହୀ ସନ୍ୟାସୀ । ସେ କହିବେ ଏ ଦେଶର କଥା, ଦୁର୍ନୀତି କଥା, ବ୍ୟଭିଚାରର କଥା, ଶାସନର ଅପାରଗତାର କଥା; କିନ୍ତୁ ସେ ସନ୍ନ୍ୟାସୀଙ୍କର ନିଜର ଧନସମ୍ପଦ ନାହିଁ, ସ୍ଵାର୍ଥ ନାହିଁ । ରାମ ଦାସ ତାଙ୍କର ଶିକ୍ଷତ୍ଵ ଗ୍ରହଣ କରିଛି । ରାମ ଦାସ ଜଣେ ଜୀବ ନୁହେଁ, ପ୍ରାଣୀ ନୁହେଁ, ସେ ଏକ ଆତ୍ମା, ସେ ଏକ ସ୍ପୁଲିଙ୍ଗ, ତାର ଗୁରୁ ଏକ ମହାତ୍ମା, ଏକ ସୂର୍ଯ୍ୟ...ତାଙ୍କୁ ଡାକିବେ ? ବିଷ୍ଣୁପୁରକୁ ଆପଣମାନେ ଡାକିବେ ? ସେ ଆସିପାରିବେ କି ନାହିଁ ମୁଁ ଜାଣେନା, ତେବେ ଅନ୍ତର ଖୋଲି ଡାକନ୍ତୁ, ସେ ଆସିବେ ।

 

ବିଷ୍ଣୁପୁର ଲୋକାରଣ୍ୟ…

 

ବସନ୍ତ ଋତୁର ଗୋଟିଏ ସନ୍ଧ୍ୟା । ଚାରିଆଡେ଼ ମସାଲ ଜଳୁଛି…ଏ ଗାଁରେ ବିଜୁଳି ଆଲୁଅ ଥିଲା, ସଭା ବେଳକୁ ତାହା କଟିଗଲା । ଏ ସଭାର ମୁଖ୍ୟ ଅତିଥି ମନ୍ତ୍ରୀ ନୁହଁନ୍ତି ।

 

କଳାବଜାରୀ ଟାଉଟର ନୁହଁନ୍ତି ।

 

କଣ୍ଟ୍ରାକ୍ଟର ନୁହଁନ୍ତି ।

 

ନୁହଁନ୍ତି ମାଜିଷ୍ଟ୍ରେଟ… ।

 

ନୁହଁନ୍ତି ସମ୍ବାଦପତ୍ରର ଫଟୋପ୍ରିୟ ସମ୍ପାଦକ ।

 

ନୁହନ୍ତି ଶିଳ୍ପପତି, ଦୂରାଗତ ବଣିଜ ବେପାରୀ- ଯେ ମୁଖ୍ୟ ଅତିଥି, ସେ ବିଶ୍ୱର ଅତିଥି, ସେ ଲୋକନାୟକ…ଶକ୍ତି ଉତ୍ସର ମହା ପାରାବାର…

 

“ଜୟପ୍ରକାଶ” । ସେ ଆସିଛନ୍ତି ।

 

ଆଉ ମୁଖ୍ୟ ବକ୍ତା ରତ୍ନାକରର ଗୁରୁଦେବ, ତେଜସ୍ଵୀ ସାହିତ୍ୟିକ, ଶିଳ୍ପୀ ଓ ମମତାଭରା ଚୈତନ୍ୟରୂପ, ଆଗାମୀ କାଳର ଦିଗ ନିର୍ଣ୍ଣୟକାରୀ ଆଧ୍ୟାତ୍ମ୍ୟସେବୀ ପ୍ରଣବାନନ୍ଦ ସ୍ୱାମୀ ।

 

ସତ୍ୟ ଓ ପ୍ରଣବର ଅପୂର୍ବ ମିଳନ !!!

 

ଏ ମିଳନରେ ବିଶ୍ଵବନ୍ଧୁ ନାୟକ କେତେବେଳୁ ଅସ୍ତମିତ ହୋଇଯାଇଛନ୍ତି ।

 

ମନ୍ତ୍ରୀ-ମରଣା-ତାମସ ବି ଅନ୍ତର୍ହିତ ।

 

ଆଜି ଆଉ “କାହାକୁ ଡାକିବା”ର ପ୍ରଶ୍ନ ନାହିଁ । ଯାହା ସତ୍ୟ ଓ ଶ୍ରୀ, ତାହା ଆସିଯାଇଛି ଦ୍ଵାରପ୍ରାନ୍ତକୁ...

 

ତାହାହିଁ ଜୟ; ତାହା ହିଁ ପ୍ରକାଶ ।

 

ତାହାହିଁ ଆଗାମୀ ପ୍ରଭାତର ରଶ୍ମୀରେଖା…ସବୁ ହରାଇଥିବା ମଣିଷର ଟିକିଏ ସ୍ୱଳ୍ପ…ମାତ୍ର ଆଶା…

Image

 

ସୋରେଇଏ ପାଣି

 

ଶ୍ରୀଜଗନ୍ନାଥବଲ୍ଲଭ ମଠ ପ୍ରାଙ୍ଗଣରେ ଯେଉଁ ଆଧ୍ୟତ୍ମିକ ସଭା ହେଲା ଓ ସେଥିରେ ପ୍ରଭୁପାଦ ଚିଦାନନ୍ଦ ସରସ୍ୱତୀ ଯେପରି ଧର୍ମୀୟ ଭାଷଣ ଦେଲେ, ତାହା ସଚିବାଳୟର ପୌଢ଼ ଷ୍ଟେନୋବାବୁ ଶ୍ରୀ ପଙ୍କଜ ମହାନ୍ତିକୁ ବଡ଼ ଭାବ-ରସରେ ଆନ୍ଦୋଳିତ କଲା ।

 

ଇମିତି ହୋଇଥାଏ । ଯାହାଙ୍କର ହୃଦୟ ଆଗରୁ କର୍ଷିତହୋଇ ରହିଛି, ସେଠୀ ଈଶ୍ୱରଙ୍କର ନାମରୂପ ବୀଜ ପଡ଼ିବାମାତ୍ରେ ଅଙ୍କୁର ଫଳିଯାଏ । ଷ୍ଟେନୋବାବୁଙ୍କର ତାହାହିଁ ଘଟିଲା ।

 

ସେଦିନ ସନ୍ଧ୍ୟାରେ ସରସ୍ୱତୀ କଣ କହିଥିଲେ, ସାରାଂଶରେ ତାହା ଏତିକି ହେବ ଯେ, ସମଗ୍ର ଜଗତ ହେଲା ବ୍ରହ୍ମମୟ ସମୁଦ୍ର । ସେଠାରୁ ଯିଏ ଯେତେ ବାରି କଳସୀରେ, ସୋରେଇରେ, ମାଟି ହାଣ୍ଡିରେ, ପିତଳ ହଣ୍ଡାରେ ଅବା ବୋତଲ ଶିଶିରେ ଆଣିଲା, ତାହା ସେହି ଆକାରରେ ରହିଲା ସିନା; ମାତ୍ର ସେଗୁଡ଼ିକ ଭାଙ୍ଗିଲେ କି ଉଭେଇଗଲେ ସେହି ମୂଳ ପଦାର୍ଥ ଜଳରେ ହିଁ ମିଶିଯିବ ।

 

ସିମିତି ଜୀବଜନ୍ତୁ ମଣିଷ ଘଟ ଧରୁଛନ୍ତି । କାହାର କେତେ ଆକାର ପ୍ରକାର, ହେଲେ ଆମେ ପ୍ରାଣୀ ମାତ୍ରକେ ବ୍ରହ୍ମମୟ, ବ୍ରହ୍ମ । ବାରିଧିର ଜଳାଂଶ ଜଳବିନ୍ଦୁ ।

 

ଶ୍ରୀ ପଙ୍କଜ ମହାନ୍ତି ଏଭଳି ତାତ୍ୱିକ ବିଚାର କେବେ ଶୁଣିନଥିଲେ । ସେକ୍ରେଟେରିଏଟ ଚାକିରୀ, ହାକିମଙ୍କ ପାଖେ ପାଖେ ରହି ତାଙ୍କ ବକ୍ତବ୍ୟ ସବୁ ନୋଟ୍ କରନ୍ତି । ନିଜର ବକ୍ତବ୍ୟ ବୋଲି ସେ କିଛି ଜାଣନ୍ତି ନାହିଁ । ଏମିତି ଅଭ୍ୟାସ ହୋଇଗଲା ଯେ, ନିଜେ ନାସ୍ତିକ ହୋଇଗଲେ, ଅନ୍ୟର କଥାର ଅସ୍ତିତ୍ଵକୁ ସ୍ଵୀକାର କଲେ ।

 

ଆଜି ତାଙ୍କର ଆଖି ଫିଟିଗଲା । ମନର ମୂଳପର୍ଯ୍ୟନ୍ତ ହଲିଗଲା ! ଛୁଟିରେ ଆସିଥିଲେ ଜଗନ୍ନାଥ ଦର୍ଶନ କରିବାକୁ । ମଝିରେ ମଝିରେ ଏପରି ସେ କରନ୍ତି । ସେକ୍ରେଟେରୀଙ୍କ ବାସଭବନ ପୁରୀକ୍ଷେତ୍ରରେ ହୋଇଥିବାରୁ, ସେ ଆସି ନ ପାରିଲେ ଷ୍ଟେନୋବାବୁ ଆସି ଗୃହର ରକ୍ଷଣାବେକ୍ଷଣା କଥା ବୁଝିଯାଆନ୍ତି । ସେ ଘରେ ଫାଳେ ଉଡ଼ାନେଇଥିବା ବ୍ୟକ୍ତିଙ୍କଠାରୁ ଟଙ୍କା ଆଦାୟ କରନ୍ତି ।

 

କେଜାଣି କାର୍ତ୍ତିକ ଚିଦାନନ୍ଦ ସରସ୍ଵତୀଙ୍କର ପ୍ରବଚନରେ “ସୋରେଇଏ ପାଣି “କଥାଟା ତାଙ୍କୁ ବଡ଼ ମଉଜ ଲାଗିଲା ।

 

ଏହାର କାରଣ ଏବଂ ଏପରି ଅପୂର୍ବ ଯୋଗାଯୋଗ ଯେ, ଶ୍ରୀ ପଙ୍କଜ ମହାନ୍ତି ପୁରୀ ଅଭିମୁଖେ ଯାତ୍ରା କରିବା ପୂର୍ବରୁ ତାଙ୍କର ଟେବୁଲ ଉପରେ, ଫାଇଲ ଭିତରେ ‘ସୋରେଇଏ ପାଣି’ ବିଷୟଟି ରହିଛି ।

 

ବଡ଼ ଆଚମ୍ବିତ କଥା ! ଫାଇଲ୍ ରେ ସୋରେଇ ସଂକ୍ରାନ୍ତ ନୋଟ୍ ଏଣେ ଚିଦାନନ୍ଦ ସରସ୍ଵତୀଙ୍କ ପ୍ରବଚନରେ ବି ସେଇ ଏକ କଥା ସୋରେଇଏ ପାଣି ।

 

ପୂଜାଛୁଟି ପ୍ରାୟ ପାଖେଇ ଆସିଲା । ପାଖେଇ ଆସିଲା ଆତଙ୍କର ଯେତେକ ପରିପାଟୀ-। ସ୍ତ୍ରୀ ମାନମୟୀ ତ ଫର୍ଦ୍ଦ ଫର୍ଦ୍ଦ କରି ସ୍ଵାମୀଙ୍କର ପତଳା ଟାଇପ୍‌କରା କାଗଜରେ ଆଗରୁ ଲେଖିଛନ୍ତି ପଦାର୍ଥଗୁଡ଼ିକ । ଏବର୍ଷ ସେ ସବୁ କିଣିବାକୁ ହେବ ।

 

ଏଇ କାଲିଭଳି ଲାଗୁଛି । ଗୋଟାଏ ଗୋରା ତକ୍ ତକ୍ ଟୋକା ପଶୁପାଳନ ମନ୍ତ୍ରୀଙ୍କ ପାଖେ ପି.ଏ. ହୋଇଛି । ସେକ୍ରେଟେରିଏଟରେ ତାର ଚେର ନାହି କି ହେଡ଼୍ ଅଫ୍ ଡିପାର୍ଟମେଣ୍ଟରେ ତାର ପୋତା ନାହିଁ । କେବଳ ପଲିଟିକାଲ ନିଯୁକ୍ତିରେ ଏ ଟୋକା ଯାହା ରୋଜଗାର କଲାଣି, ଯିମିତି ଦାମିକିଆ ବସନରେ ଭୂଷିତ ହେଉଛି, ଯେତେ ପ୍ରକାର ମଟର ଗାଡ଼ିରେ ଚଢ଼ୁଛି, ଯେତେଥର ଅତିଥି ଆଳୟରେ ମାଂସ ପଲାଉ, ବିରିଆନି ଖାଉଛି, ଏ ଅଯୋଗ୍ୟ ସ୍ଵାମୀ ସ୍ତ୍ରୀ ପଙ୍କଜ ମହାନ୍ତି କେବଳ ‘ୟେସ ସାର୍‍’ କହି କହି ଏହାର କାଣିଚାଏ ବି ଭୋଗ କରୁନାହନ୍ତି । ଡାକିବା ମାତ୍ରେ ହାତରେ ଡିକ୍‌ଟେସନ୍ ଖାତା ଓ ଗୋଟାଏ ମୁନିଆ ପେନ୍‌ସିଲ୍ ନେଇ ହାଜର ।

 

ମାନମୟୀ ଏମିତି ଥରେ ଥରେ ସ୍ଵାମୀଙ୍କୁ ଭର୍ତ୍ସନା କରନ୍ତି । ଝିଅ ତ ଶତକରା ଶହେ ଆଧୁନିକା । ତାର ବରାଦ ଶୁଣିଲେ ଆଖି ଖୋସି ହୋଇଯିବ । ଷ୍ଟେନୋ ବାବୁ ହତଚକିତ ହୋଇ ଯାଆନ୍ତି । ଷ୍ଟେନୋ ଚାକିରିରେ ହାତ ଚିକ୍‍କଣ କରିବାର ସୁଯୋଗ ନାହିଁ । ସତେ, ଏ କଥା ବୁଝାଇଲେ ବି ଗୃହସ୍ଥଳିରେ କେହି ମାନୁ ନାହାନ୍ତି ।

 

ଶ୍ରୀ ପଙ୍କଜ ମହାନ୍ତିଙ୍କର ବାତ୍ସଲ୍ୟ ମମତା ଏକମାତ୍ର ପୁତ୍ର ଉପରେ ରହିଛି । ସୁଧାର ସୁଶାନ୍ତ ଏଇ ପୁଅ ତାଙ୍କର ନିଜ ଘରେ ରାତ୍ରିବାସ କରନ୍ତି ନାହିଁ । ଏଗାର ଶ୍ରେଣୀର ଛାତ୍ର; ଏଇ ବୟସରୁ ଏବଂ ଏଇ ଶ୍ରେଣୀରୁ ସେ ରାଜଧାନୀର ବାଳିକା-ସମାଜର କିଏ କଣ, ରୀତିମତ ଏନ୍ ସାଇକ୍ଳୋପେଡ଼ିଆ ତିଆରିକରି ରଖିଛି । ସେହି ସବୁ ପୃଷ୍ଠାରେ ଯାହାଙ୍କର ନାମାଙ୍କିତ ରହିଛି, ତାଙ୍କ ପଛରେ ଗୋଡ଼ାଇବାକୁ ତାର ଗୋଟାଏ ସାଇକେଲ୍ ଦରକାର । ଏଯାଏ ଏଇ ଅତ୍ୟାବଶ୍ୟକୀୟ କୈଶୋରୀୟ ପଦାର୍ଥ ଯେ ତାର ପିତା ପ୍ରଦାନ କରିପାରିନାହାନ୍ତି, ତାହାରି ଅଭାବ ମର୍ମଶୂଳ ହୋଇଛି ତା ପକ୍ଷରେ ।

 

ଧିକ୍ ସେ ଜନକ ! ଧିକ୍ ସେ ବାତ୍ସଲ୍ୟ ! ପୂଜାଛୁଟି ହେବା ପୂର୍ବରୁ ନୂଆ ଚକ୍ ଚକ୍ ସାଇକେଲ ଖଣ୍ଡିଏ ବାପାଙ୍କୁ ଦେବାକୁ ହେବ । ନହେଲେ ସେ ଘରେ ନିଆଁ ଲଗାଇବ, ସବୁ ପୋଡ଼ି ପାଉଁଶ କରିବ ।

 

ମାଆ ମାନମୟୀ ଏହାକୁ ସମର୍ଥନ କଲେ ।

 

କହିଲେ–ତମକୁ ଲାଜମାଡ଼ୁନି-ପୁଅ ଗୋଟାଏ କିବା ସାଇକେଲ ମାଗୁଛି–ସେକ୍ରେଟେରୀଏଟ୍ ରେ କେତେ କଣ ଲୁଟି ହୋଇଯାଉଛି...ଛାର ଗୋଟାଏ ସାଇକେଲ । ଯଦି କିଣିବାକୁ ଶକ୍ତି ଯୋଗାଇନାହଁ କଳେବଳେ କୌଶଳରେ ଗୋଟାଏ କିଛି କରିପାରୁନ ?

 

ପୁଅ ହାବୁଲ ବି କଥାଟା ପସନ୍ଦ କଲା । ଡାକନାମ ହାବୁଲ....ଭଲ ନାଁରେ କେହି ତାକୁ ନଡାକିବାରୁ ତାର ବିବାହବେଦିରେ ନାମକରଣ ହୋଇପାରେ ବୋଲି ଗୋଟାଏ ଚିନ୍ତା ଏପରି ରହିଛି ।

 

ସ୍ତ୍ରୀଙ୍କଠାରୁ ଅଯୋଗ୍ୟତା ପାଇଁ ଧିକ୍‍କାର ପୁତ୍ରମଣିଙ୍କଠାରୁ ତଦ୍ରୂପ ଧିକ୍‍କାର, ଝିଅଙ୍କଠାରୁ ସେହିପରି ଅସଦ୍‍ଭାବ ଜାଣି ଏଥର ଶ୍ରୀ ପଙ୍କଜ ମହାନ୍ତି ସ୍ଥିରକଲେ, କିଛି ଗୋଟାଏ ସେ କରିବେ । ‘କଳେବଳେ କୌଶଳେ’ ଏଇ କଥାଟା ଈଶୋପନିଷଦର ପ୍ରଥମ ‘ଶ୍ଳୋକ’ ଭଳି ତାଙ୍କୁ ଜଣାଗଲା । କାରଣ ଏହି ଶ୍ଳୋକରୁ ଚିଦାନନ୍ଦ ସରସ୍ୱତୀ ଆରମ୍ଭ କରି ସେଦିନ ସନ୍ଧ୍ୟାରେ “ସୋରେଇଏ ପାଣି” ଭାଷଣ ଦେଇଥିଲେ ।

 

ଷ୍ଟେନୋଙ୍କ ରୁମ୍ । ରାଜଧାନୀର ବିଶାଳ ସେକ୍ରେଟେରିଏଟ୍ ପ୍ରାସାଦ । ତାଙ୍କ ଟେବୁଲ୍ ଉପରେ ଖୋଲା ଫାଇଲ୍ । ସେଥିରେ ସେକ୍ରେଟେରୀଙ୍କ ପାଖରୁ ଏକ ନୋଟ୍ ଲେଖାଯାଇଛି ।

 

ହେଡ଼୍ ଆସିଷ୍ଟାଣ୍ଟ ବରଦା ବାବୁଙ୍କର ସୋରେଇ କେଉଁଦିନୁ ଭାଙ୍ଗିଯାଇଛି । ସେ ପାଣି ପିଇବା ପାଇଁ ହନ୍ତସନ୍ତ ହେଉଛନ୍ତି । ଏକଥା ଷ୍ଟେନୋଙ୍କ କର୍ତ୍ତବ୍ୟ ସେକ୍ରେଟେରୀଙ୍କୁ ଜଣାଇ ପ୍ରତିବିଧାନ କରିବା; ଅର୍ଥାତ୍‍ ଗୋଟାଏ ନୂଆ ସୋରେଇ କିଣିବା ପାଇଁ ଅର୍ଡ଼ର କରାଇଆଣିବା ।

 

ସ୍ଵାମୀ ଚିଦାନନ୍ଦ ସରସ୍ଵତୀଙ୍କର ଭାଷଣ ପରେ କେବଳ ସୋରେଇ ସ୍ୱପ୍ନ ଦେଖିଚାଲିଛନ୍ତି ଶ୍ରୀ ପଙ୍କଜ ମହାନ୍ତି । ନୋଟ୍ ନିଜେ ଲେଖିଛନ୍ତି । ସେ ବର୍ତ୍ତମାନ ଉଠିଯିବେ ସେକ୍ରେଟେରୀଙ୍କ ପାଖକୁ । ଅର୍ଡ଼ର କରାଇଆଣିବେ । ବ୍ରିଟିଶ ଅମଳରୁ ଏଇ ପଦ୍ଧତି । ସାମାନ୍ୟ ଟଙ୍କାଏ ଦୁଇଟଙ୍କାର ପଦାର୍ଥ ପାଇଁ ସର୍ବୋଚ୍ଚ ହାକିମଙ୍କର ଦସ୍ତଖତ ଓ ସମର୍ଥକ ଆବଶ୍ୟକ । ସେ ଜାତିଟା ଜାଣିଥିଲା, କିପରି ଧନ-ସମ୍ପତ୍ତିର ସତ୍ ଉପଯୋଗ କରିବାକୁ ହୁଏ ।

 

ଚାହିଁଲେ ଶ୍ରୀ ପଙ୍କଜ ସେ ସୋରେଇ ଶବ୍ଦଟାକୁ । ଚାହିଁ ଚାହିଁ, ଦୀର୍ଘକାଳ ଚାହିଁ ତାଙ୍କର ନିଜ ହାତ ଅକ୍ଷରକୁ ସେ ଚିହ୍ନି ପାରିଲେ ନାହିଁ । ତାହା ନିର୍ଗୁଣ ବ୍ରହ୍ମ ହୋଇଗଲା । ପୁଣି ନିମିଷକେ ତାହା ସଗୁଣ ଆକାରରେ ବଢ଼ି ବଢ଼ି “ସାଇକେଲ” ଆକାର ଧରିଲା ।

 

ସ୍ଵାମୀ ଚିଦାନନ୍ଦଙ୍କ ବାଣୀ “ସବୁ ସେଇ ମୂଳ ପଦାର୍ଥରୁ ନିଃସାରିତ… ।” ଏଇ ଦର୍ଶନ ଶ୍ରୀ ପଙ୍କଜଙ୍କୁ ଦମ୍ଭଦେଲା ।

 

ସେ “ବ୍ରହ୍ମ, ବ୍ରହ୍ମ” କହି ଚାଲିଲେ ସେକ୍ରେଟେରୀଙ୍କ ପାଖକୁ । ଗୋଟାଏ କଅଣ ଛୋଟକାଟର ବୈଠକ ବସିଛି ସେଠାରେ । ଅନେକ ଲୋକ । ଏହାହିଁ ସୁଯୋଗ ।

 

-କଅଣ ପଙ୍କଜ ବାବୁ ?

 

-ଆଜ୍ଞା ଗୋଟାଏ ଦସ୍ତଖତ୍ ।

 

-ଓଃ, ଦେଖୁଛ ଏତେ କାମ ।

 

-ଆଜ୍ଞା ଗୋଟାଏ ଦସ୍ତଖତ୍ ।

 

-ହେଡ଼ ଆସିଷ୍ଟାଣ୍ଟଙ୍କର ସୋରେଇଟି ଭାଙ୍ଗି ଯାଇଛି ଯେ...

 

-ଆଚ୍ଛା ।

 

ନୀଳିମ କାଳିରେ ସେକ୍ରେଟେରୀ ଦସ୍ତଖତ୍ କଲେ । ଫାଇଲଟାକୁ ଖାପ୍‌କରି କାଖପୁଟରେ ସମ୍ପାଦି ଶ୍ରୀ ପଙ୍କଜ ମହାନ୍ତି ନିଜ ଦପ୍ତରକୁ ଚାଲିଆସିଲେ ।

 

ସନ୍ଧ୍ୟାବେଳେ ଘରକୁ ଫେରି ସ୍ତ୍ରୀଙ୍କୁ ପ୍ରଥମ ପ୍ରେମମୟ ଡାକରେ ଅଭ୍ୟର୍ଥନା କରି କହିଲେ, ହାବୁଲ୍ ର ମନୋବାଞ୍ଛା ପୂର୍ଣ୍ଣ ହେବ । ମୁଁ ଜାଣି ନଥିଲି ମାନମୟୀ, ଯେ ମୋ ଭିତରେ ଏତେ ଦକ୍ଷତା ରହିଛି, ଏତେ ପ୍ରଜ୍ଞା ରହିଛି । ଯଥାର୍ଥରେ କହିଥିଲେ ଚିଦାନନ୍ଦ ସରସ୍ଵତୀ ଯେ, ମଣିଷ ହିଁ ବ୍ରହ୍ମ, ଶକ୍ତିମୟ ବ୍ରହ୍ମ, ବ୍ରହ୍ମୋସ୍ମି ।

 

ଏବେ ହାବୁଲ୍ ନୂଆ ରାଲେ ସାଇକେଲରେ ବସି ରାଜଧାନୀଯାକ ପଇଁତରା ମାରୁଛି, ରାତି ନାହିଁ ଦିନ ନାହିଁ । କେଉଁ ଝିଅ କାନ୍ଧରେ ହାତ ରଖୁଛି ତ କାହା ବେଣୀରେ ଫୁଲ ଖୋସୁଛି । କାହା ଗଣ୍ଡରେ ଚୂମାଟା ଦେଉଛି ତ, କାହା ଆଖି ଆଗରେ ନିଜ ଫଟୋ ଦେଖାଉଛି ।

 

ଶ୍ରୀ ପଙ୍କଜ ମହାନ୍ତିଙ୍କ ପରିବାରରେ ପୂଜାଛୁଟିରେ ଆନନ୍ଦ ହିଲ୍ଲୋଳ । ପୁଅ ନୂଆ ସାଇକେଲ ପାଇଛି । ପିତାର ପିତୃତ୍ଵ ଯଥାର୍ଥରେ ବିକଶିତ ହୋଇଛି । ଏହା କଅଣ ନିରାନନ୍ଦ ବିଷୟ ହୋଇପାରେ ?

 

ମାନମୟୀଙ୍କ ସହିତ ଶ୍ରୀ ପଙ୍କଜ ଏକା ଥାଳିରେ ଆଜି ଖାଇଲେ; ଏକାଠି ସିନେମା ଦେଖିଗଲେ । ଏକା ବିଛଣାରେ ରାତି ପୁହାଇବାବେଳେ ମାନମୟୀ ସ୍ନିଗ୍‌ଧ ଆନନରେ ପଚାରିଲେ–

 

-ହଇଏ, ଏତେଗୁଡ଼ାଏ ଟଙ୍କା କେଉଁଠୁ ଆଣିଲ ? ଏଇ ଯେ ନୂଆ ସାଇକେଲ ହାବୁଲ୍‍ର....

 

ଶ୍ରୀ ପଙ୍କଜ ମାନମୟୀଙ୍କ ଗଭାକୁ ହଲାଇଦେଇ କହିଲେ-କେବଳ ଟାଇପ୍ ମେସିନ୍ ଏମିତି କାମ କରିଦେଲା ଗୋ ମାନ ! ସୋରେଇ ଜାଗାରେ ‘ସାଇକେଲ’ ଟାଇପ୍ କରିଦେଲି । କିଏ କଣ ମିଳାଇ ଦେଖେ କି ?

 

ହାକିମ ତ ବଡ଼ ବଡ଼ ଯୋଜନା, ବଡ଼ ଟୁର୍ ପ୍ରୋଗ୍ରାମ, ବଡ଼ ବଡ଼ ନୌକା-ବିହାରର ଆୟୋଜନ କରିବାକୁ ବ୍ୟସ୍ତ । ଏ ଛୋଟକାଟିଆ ଚାରି ବା ପାଞ୍ଚଟା ଟଙ୍କାର ହେର୍-ଫେର୍ ରେ କଅଣ ଯାଏ ଆସେ ?

 

ଆଗଭରା ହୋଇ ସ୍ଵାମୀଙ୍କୁ ମାନମୟୀ ଗୋଟିଏ ଗଭୀର ଚୂମ୍ବନ ଦେଲେ । ଅନେକ କାଳ ହେଲା ଏପରି ଉପଚାର ସେ କରିନଥିଲେ ।

 

ଏଣେ ହେଡ଼୍ ଆସିଷ୍ଟାଣ୍ଟ୍ ନୂଆ ସୋରେଇରୁ ପାଣି ପିଉଛନ୍ତି; ମାତ୍ର ଟଙ୍କାଏ ଚାରିଅଣା ଦାମ୍ । ସେତିକି ଯାହା ଶ୍ରୀ ପଙ୍କଜଙ୍କର ବ୍ୟକ୍ତିଗତ ଖର୍ଚ୍ଚ ହୋଇଗଲା ।

 

ସ୍ଵାମୀ ଚିଦାନନ୍ଦ ସରସ୍ଵତୀ ବର୍ତ୍ତମାନ ଋଷିକେଶରେ ବିଶ୍ରାମ ନେଉଛନ୍ତି । ତାଙ୍କର ଭାଷଣ ସାର୍ଥକ ହୋଇଛି ।

Image

 

ଅରବିନ୍ଦଙ୍କ ପଦାରବିନ୍ଦ

 

କୋରାପୁଟର ଏକ ଘଞ୍ଚ ବନାନୀପରିବୃତ ଅଖ୍ୟାତ ପଲ୍ଲୀରେ ଯେଉଁଦିନ ଶୁଭଶଙ୍କରଙ୍କୁ ଶ୍ରୀ ଅରବିନ୍ଦଙ୍କର ଫୋଟୋଚିତ୍ର ସମକ୍ଷରେ ଧ୍ୟାନରତ ଥିବାର ଦେଖିଥିଲି, ତା’ ପରଠାରୁ ମହାନଦୀ ଭାର୍ଗବୀ ପ୍ରଭୃତି ନଦୀରେ ବହୁ ଜଳ ପ୍ରବାହିତ ହୋଇଯାଇଛି ।

 

ହେବାର କଥା । ସୃଷ୍ଟିର ଚିରନ୍ତନ ବିଧିରେ ଏହି ପ୍ରବହମାନତା ହିଁ ପ୍ରମାଣକରେ ଜୀବନ ସ୍ରୋତମୂଖୀ, ବହିଯିବା ହିଁ ଏହାର ସ୍ଵଧର୍ମ ।

 

କୋରାପୁଟ ପ୍ରଭୃତି ଓଡ଼ିଶାର ଦକ୍ଷିଣାଞ୍ଚଳରେ ଗୋଟାଏ ପଦବୀ ଆରୁଢ଼ ହୋଇ ମୁଁ ସରକାରୀ କାର୍ଯ୍ୟରେ ନିରତ ଥିଲି । ମୋର ଧାରଣା ନ ଥିଲା ଗିରିବାସୀ ବନଜୀବୀମାନଙ୍କର ଜୀବନ ସହିତ ଏକାନ୍ତ ହୋଇଯାଇ ପୁଣି ଶାନ୍ତ ଆକାଶ ମଧୁକ୍ଷରା ଧରିତ୍ରୀକୁ ଅଧ୍ୟାତ୍ମ ସ୍ତରରେ ସ୍ପର୍ଶକରି ଏହି ଅତି ସାଧାରଣ ଓଡ଼ିଶାର ଜଣେ ନାଗରିକ ଶ୍ରୀ ଅରବିନ୍ଦଙ୍କର ପଦତଳେ ବସି ସମୟ ଯାପନ କରୁଛନ୍ତି ।

 

କେତେ ଏମିତି ନାମ-ଗୋତ୍ରହୀନ ପ୍ରାକୃତ ମଣିଷ ଓଡ଼ିଶାର ନିଭୃତ ଗୋପନ ସ୍ଥାନମାନଙ୍କରେ ଏବେ ବି କୁଟୀର ରଚନାକାରି ସହର ଜନସୁମୁଦ୍ରଠାରୁ ବିଚ୍ଛିନ୍ନହୋଇ ଯୋଗ ସାଧନା କରୁଥିବେ । ସେମାନଙ୍କର ଇତିବୃତ୍ତ କେହି ରଚନା କରିବେ ନାହିଁ କି ସେପରି କରିବା ଶ୍ଲାଘ୍ୟ ନୁହେଁ; କାରଣ ନୀରବତା ହିଁ ସେମାନଙ୍କ ଜୀବନର ପ୍ରଥମ ଯଜ୍ଞାନୁଷ୍ଠାନ, ଯାହା ପରେ ଆଉ କିଛି ଊର୍ଦ୍ଧ୍ଵଭାବର ଆଚରଣ ସମ୍ଭବ ହେବ ।

 

ଦୀର୍ଘକାଳ ବିତିଯାଇଛି । ସ୍ମୃତିରେ ସବୁ ଭରଣା ରହିନାହିଁ । ଛୋଟ ଛୋଟ ବଉଦ ଭାସିଗଲା ଭଳି ମନାକାଶ ଯେତିକି ଆଚ୍ଛାଦିତ, ସେତିକି ସୁଦୀପ୍ତ ।

 

ମତେ ପାଛୋଟି ନେଲେ ଆଶ୍ରମର ଦ୍ଵାରପ୍ରାନ୍ତରୁ ଶୁଭଶଙ୍କର । ସେ ରୂପ, ସେ ଶରୀର ଓ ଭାବାନୁଷଙ୍ଗ ଦେଖିଲେ ମନେହେବ ସାଧାରଣ ଦେହଧାରୀ ମଣିଷଠାରୁ ଏ ଲୋକ ନିଶ୍ଚିତରେ ଉପରକୁ ଯାଇଛନ୍ତି । ତାହାହିଁ ତ ଶ୍ରୀ ଅରବିନ୍ଦଙ୍କର ନିର୍ଦ୍ଦେଶ; ଚେତନାକୁ ପ୍ରସାରକର । ଉପରୁ ଯେଉଁ ଭଗବଦ୍ ଚାପ ଆସୁଛି, ତାହାକୁ ସର୍ବ ଆସ୍ପୃହାରେ ପ୍ରାଣମୟ ଆକୃତିରେ ଗ୍ରହଣ କରିନିଅ । ସେଥିପାଇଁ ହୃଦୟ-ପାତ୍ର ରହୁ ପରିଷ୍କାର; କାରଣ ମଳିନତା ହିଁ ବିଷଦୃଶ, ସାଧନାର ଅନ୍ତରାୟ ।

 

କକ୍ଷ ଭିତରେ ପଶିଯିବା ମାତ୍ରେ କି ଅନନ୍ତ ପ୍ରଶାନ୍ତି ହୃଦୟର ପ୍ରତ୍ୟେକ ଅନୁଭବରେ ସୁରକ୍ଷିତ ହୋଇଗଲା । ଫୁଲ ପତ୍ରର ବିରାଟ ଆୟୋଜନ । ପ୍ରଦୀପ ବତିର ସୁଗନ୍ଧି ଚାରିଆଡ଼େ ସଞ୍ଚାରିତ ହେଉଛି । ନିର୍ମଳ ପରିବେଶ । ଗ୍ରନ୍ଥାଗାରରେ ଅରବିନ୍ଦ ରଚନାବଳୀ ।

 

ପ୍ରତ୍ୟେକ ବୁଧବାର ସନ୍ଧ୍ୟାରେ ପାଠଚକ୍ର ହୁଏ । ଆରଣ୍ୟକ ଅଶିକ୍ଷିତ ଆଦିବାସୀ ପରିବାର ଠୁଳହୁଅନ୍ତି ସେହି ସ୍ନିଗ୍ଧଶ୍ୟାମ ବନଛାୟା ତଳେ । ବୁଝନ୍ତୁ ନ ବୁଝନ୍ତୁ, ସେମାନେ ଚାହିଁ ରହନ୍ତି ଯୁଗ୍ମମୂର୍ତ୍ତି ଶ୍ରୀ ଅରବିନ୍ଦ ଓ ଦିବ୍ୟଜନନୀଙ୍କ ମୂର୍ତ୍ତିଆଡ଼େ ।

 

ଏ ସବୁର ଉଦ୍‍ଗାତା ଶୁଭଶଙ୍କର । ପ୍ରବର୍ତ୍ତକ ସେହି । ଗୌରବର୍ଣ୍ଣ ରାଜକୁମାର ସମ ଏହାଙ୍କର ଶାରୀରିକ କାନ୍ତି ଓ ମାନସ ଦୀପ୍ତି ମୋତେ ସେଦିନ ଲୋଭାତୁର କରିଥିଲା, ଜୀବନରେ ଯେପରି ୟାଙ୍କ ସଙ୍ଗ-ବର୍ଜିତ ନ ହୁଏ ।

 

ସତ୍‍ସଙ୍ଗର ଏପରି ଏକ ପ୍ରଭାବ, ଟିକିଏ ମନ ମୁକୁଳିଗଲେ, ସେହି ଦିବ୍ୟ ପଥ ଦେଇ ତେଣିକି ଆସିବ ପୂର୍ଣ୍ଣାଙ୍ଗ ସମର୍ପଣ, ମହାବୋଧିର ପ୍ରକାଶ ।

 

କେଉଁ ମସିହାର ରାଜନୈତିକ ନିର୍ବାଚନ, ମୋର ମନେନାହିଁ । ତେବେ ଶୁଭଶଙ୍କର ଆଶ୍ରମ ପରିଦର୍ଶନ ପର ଘଟଣା, ବହୁକାଳ ପରେ ବୋଧହୁଏ । ଓଡ଼ିଶାରେ ରାଜନୈତିକ ଅସ୍ଥିରତା ତ ଲାଗିରହିଛି ।

 

ସିନେମାଦେଖା ବା ଖେଳ ପଡ଼ିଆର ଖେଳାଳି ବଦଳି ଭଳି କି ଉଠା–କାବିନର ଉଠାପଡ଼ା, ଭଙ୍ଗା ଓ ପୁନର୍ନିର୍ମାଣ ରୀତି ସଦୃଶ ଓଡ଼ିଶାରେ ନିର୍ବାଚନ-ତାମସା ଗୋଟାଏ ଦେହସୁହା ବ୍ୟାଧିରୂପେ ରାଜ୍ୟ-ଶରୀରରେ ଦେଖାଦେଇ ଆସିଛି । ଆଗକୁ ବି ସେଇଆ ହେବ । ସେଥିରୁ ଜନଗଣଙ୍କର ନିସ୍ତାର ନାହିଁ ।

 

ପଣ୍ଡିଚେରୀରୁ ଶ୍ରୀଅରବିନ୍ଦଙ୍କ ଆଶ୍ରମକୁ ଭକ୍ତି ନୈବେଦ୍ୟ ଢାଳିବାକୁ ଯାଇଥାଏ ସେ ଥର-। ସେ ପୁଣ୍ୟଭୂମିରେ ଟିକିଏ ପାଦଚାରଣା କରିଦେଲେ ଓ ସମାଧି କରରେ ଆଣ୍ଠୁମାଡ଼ି ପ୍ରଣତ ହୋଇଗଲେ, ଯାହା ଆଧ୍ୟାତ୍ମ ସ୍ପନ୍ଦନ ସଞ୍ଚିତ ହୋଇଯାଏ, ପୁନର୍ବାର ମୋହଗ୍ରସ୍ତ ସଂସାର-ଜଞ୍ଜାଳ ବିଷରେ ଘାରିହେବାବେଳେ ତାହା ଅବ୍ୟର୍ଥ ନିଦାନ ମନେହୁଏ ।

 

ବସିଥିଲି, ଓଡ଼ିଆ ସାଧକ ତ୍ୟାଗୀ କୃଷ୍ଣବନ୍ଧୁଙ୍କ ପ୍ରକୋଷ୍ଠରେ । ପଚାରି ବୁଝୁଥିଲି ତାଙ୍କ କାର୍ଯ୍ୟାଳୟ ଓ ଓଡ଼ିଶାର ପାଠଚକ୍ରର ପ୍ରସାର ଓ ବିକାଶ କିପରି ସମାହିତ ହେଉଛି ।

 

ହଠାତ୍ କେହି ଜଣେ ଗୋଟିଏ ଟେଲିଗ୍ରାମ୍ ଆଣି କୃଷ୍ଣବନ୍ଧୁଙ୍କର ଟେବୁଲରେ ରଖିଦେଇଗଲେ । ସେ ତାହା ଫିଟାଇ ଆଖି ବୁଲାଇଦେବା ମାତ୍ରେ ପୁଣି ସେ ଆଖି ଦୁଇଟିକୁ ମୁଦ୍ରିତ କରି ଦୀର୍ଘଶ୍ଵାସ ପକାଇ ନୀରବ ହୋଇଗଲେ ।

 

ମୁଁ ସଂସାରବାସୀ । ଟେଲିଗ୍ରାମ ମାନେ ଭୟ ଓ ଆଶଙ୍କାର ରକ୍ଷଦୂତ ବୋଲି ଆମେ ଭାବୁ...ଏହା ହିଁ ସଂସ୍କାର ହୋଇଆସିଛି । ତେଣୁ ମୁଁ କହିଲି–

 

‘କଅଣ ଅଶୁଭ ଖବର ?’

 

କୃଷ୍ଣବନ୍ଧୁ ଧୀରେ ଆଖି ଫିଟାଇ କହିଲେ–

 

‘ମୁଁ ବୁଝିପାରୁନି, ଶ୍ରୀମା’ ଶ୍ରୀ ଅରବିନ୍ଦଙ୍କୁ ଧାରଣ କରି ଏମାନେ କିପରି ଏଭଳି କୁକର୍ମ କରିପାରନ୍ତି । ମୂଳ ଚେତନା ତ ଏତେ ବିଷାକ୍ତ ରହିଛି, ସେଠାରେ ଊର୍ଦ୍ଧ୍ଵ ପ୍ରସାରଣ ସମ୍ଭବ ହେବ କୁଆଡ଼ୁ ? ଅଥଚ ଏମାନେ ଆସନ୍ତି ଆଶ୍ରମକୁ ପ୍ରତି ମାସରେ, ପରିବା କାଟିବାକୁ ଅନୁମତି ମାଗନ୍ତି, ଧ୍ୟାନ କରୁ କରୁ ଶୋଇପଡ଼ନ୍ତି, ହଲେଇଲେ ଉଠନ୍ତିନାହିଁ । ସବୁ ପେଖନା । ଆଚରଣରେ ତ ଶୁଦ୍ଧଭାବ ଆସିଲାନାହିଁ ? ଶେଷକୁ ଦିବ୍ୟଜନନୀଙ୍କୁ କଅଣ ରାଜନୀତି ଅଙ୍ଗନକୁ ଟାଣି ନେଇଯିବ ? ମୂର୍ଖ...’

 

ହସ ଓ କ୍ରୋଧର ଯୁଗପତ୍ ଭଙ୍ଗିମା ଏହି ସାଧକଙ୍କର ମୁହଁରେ ପରିସ୍ଫୁଟ ହୋଇଯିବା ମାତ୍ରେ ଆମେ ସମସ୍ତେ ଯେଉଁମାନେ ବସିଥିଲୁ ଆତଙ୍କରେ ଶୀଘ୍ର ସ୍ଥାନ ତ୍ୟାଗକରିବାକୁ ମନେକଲୁ-

 

କିନ୍ତୁ ମୋର କୌତୁହଳ ହେଲା ଟେଲିଗ୍ରାମ୍‍ରେ କଅଣ ଏପରି ବକ୍ତବ୍ୟ ଅଛି ଯେ ସାଧକଙ୍କର ସ୍ଵାଭାବିକ ଅତି ପରିଚିତ ପ୍ରଶାନ୍ତ ଓ ଆନନ୍ଦଘନ ମୁଖମଣ୍ଡଳରେ ଏତେ ବିରକ୍ତି ଓ ବିତୃଷ୍ଣାର ପ୍ରଲେପ ?

 

ପଚାରିଦେଲି–

 

‘ଟେଲିଗ୍ରାମଟା କିଏ ପଠେଇଛନ୍ତି ଓ କଅଣ ବକ୍ତବ୍ୟ ?’

 

କୃଷ୍ଣବନ୍ଧୁ ହସିଲେ–ଏ ହସ ଯେପରି କଳାଛାଇଟାକୁ ଅପସାରଣ କରି ଗୋଟାଏ ବିଦ୍ୟୁତ୍-ସମ୍ଭାର ଥୋଇଦେଲା ଆମ ସମସ୍ତଙ୍କ ହୃଦୟରେ ।

 

“ଶୁଭଶଙ୍କର ତାର କରିଛି ଯେ ସେ ମନିଅର୍ଡ଼ରରେ ଶହେଟଙ୍କା ମାଆଙ୍କୁ ପ୍ରଣାମି ପଠଉଛି ପ୍ରାର୍ଥନା କରି, ସେ ଯିମିତି ନିର୍ବାଚନରେ ଜୟଯୁକ୍ତ ହୋଇ ଗୋଟିଏ ଏମ୍. ଏଲ୍. ଏ. ହେବ ଓ ତାଆରି ମାଧ୍ୟମରେ ଦେଶସେବା କରିବ । ଓଃ, କି ଦେଶସେବକ ସତେ ?” ଏତକ କହି କୃଷ୍ଣବନ୍ଧୁ ଟେଲିଗ୍ରାମଟାକୁ ଫାଇଲ କରି ରଖିଦେବାପାଇଁ ନିର୍ଦ୍ଦେଶ ଦେଲେ ଓ ଆମକୁ ଚାହିଁ କହିଲେ–” ଛାଡ଼, ଦିବ୍ୟଜନନୀ ସବୁ ଜାଣନ୍ତି । ଫୁଲ ଭିତରେ ମୃତ୍ୟୁପାଣ୍ଡୁର କୀଟଟି ବି ସମର୍ପିତ ହୋଇଯାଏ ତାଙ୍କ ପାଖରେ । ଫୁଲର, ପାଖୁଡ଼ା ଫୁଟିଥିଲା, ସେତିକି ଯାହା ସତ୍ୟ; ବାକୀ ସବୁ ଅନୃତ, ତେଣୁ ପରିବର୍ଜନୀୟ ।

 

ଚମତ୍କାର ଦର୍ଶନ । ତରୁଣ ବୟସରୁ ଘର-ସଂସାର ଛାଡ଼ି, ବିବାହ ବନ୍ଧନରେ ଜଡ଼ିତ ନ ହୋଇ ଅରବିନ୍ଦ ପାଦବନ୍ଦନ ତଳେ ଯେ ଯେ ଆତ୍ମା ପ୍ରତିନିୟତ ସମର୍ପିତ, ତାଙ୍କ କଣ୍ଠରୁ ଏ ଦର୍ଶନର ଉଚ୍ଛ୍ଵାସ କଅଣ ଲୋକଙ୍କୁ ମୁଗ୍ଧ ନ କରିବ ?

 

ଆମେ ସମସ୍ତେ ଆଚ୍ଛନ୍ନଭାବରେ କ୍ଷଣମାତ୍ର ରହିଗଲୁ ।

 

ବିଦାୟ ନେଇ ଫେରିଆସିବା ପରେ ମୋର ମନେହେଲା ଆଶ୍ରମ ସମ୍ବନ୍ଧୀୟ ଯାହା ତତ୍ତ୍ଵ ମୋର ଆଜିଯାଏ ହୃଦୟ କକ୍ଷ ଭିତରେ ଆବଦ୍ଧ ଥିଲା, ତାହା ସହିତ ଆଉ ଗୋଟିଏ ବିଚାର ସଂଲଗ୍ନ ହେଲା । ଶୁଭଶଙ୍କର ତେବେ ଆଜି ରାଜନୈତିକ ଜଗତକୁ ଚାଲିଆସିଛନ୍ତି । ଭଲ କଥା, ଜୀବନ ଯେତେବେଳେ ସର୍ବୋଦୟ ପାଇଁ ଆମନ୍ତ୍ରିତ, ସେତେବେଳେ ରାଜନୀତି କାହିଁକି ଏହି ଉଦୟ ଭିତରେ ନୂତନ ସ୍ଵାଦ ନ ଦେବ ?

 

କିନ୍ତୁ ଦୁଃଖ ମୋର ଅପରିମିତ । ଯାହାକୁ ପଦ୍ମାସନରେ ଦେଖିଆସିଥିଲି ଶ୍ରୀଅରବିନ୍ଦ ବିଗ୍ରହ ସମକ୍ଷରେ, ସେ ଆସନ ଆଉ ପଦ୍ମମଣ୍ଡିତ ରହିବ ତ ? ସେହି ଶୁଭଶଙ୍କର, ଆଉ ସେ ଶୁଭଶଙ୍କର ଥିବ ତ ଶେଷ ପର୍ଯ୍ୟନ୍ତ ?

 

ସବୁ ଭୁଲିଗଲି । ନିର୍ବାଚନ ଗଲା, ଆସିଲା । ତେବେ ଏତିକି ଜାଣିଲି ଶୁଭଶଙ୍କର ହାରିଯାଇଛନ୍ତି । ଶ୍ରୀମା’ଙ୍କର କୃପାକଟାକ୍ଷ ପରିବର୍ତ୍ତେ ସେ ପାଇଲେ ରୋଷଦୀପ୍ତ ନୟନ ଈକ୍ଷଣ ? ଅର୍ଥ ଦେଇ ଭାଗବତୀଙ୍କୁ ବି ଅଧୀନା କରିବା ପ୍ରବୃତ୍ତି ! ହୟରେ ମଣିଷ, ଯଥାର୍ଥରେ ତୁ ମଣିଷ ।

 

ଏହିସବୁ କଥା ମନଭିତରେ ବିଚାର ଆଲୋଚନା କରୁଥିବାବେଳେ ରେଡ଼ିଓରୁ ବାର୍ତ୍ତା ପ୍ରସରିଆସିଲା :

 

‘ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶୁଭଶଙ୍କର ମିଶ୍ର ଦିଲ୍ଲୀରୁ ଉଡ଼ାଜାହାଜ ଯୋଗେ ଆଜି ରାଜଧାନୀରେ ପହଞ୍ଚି ଭଞ୍ଜନଗର ଯାଇଛନ୍ତି । ସେଠାରେ ଦୁଇହଳ ରାଜନୈତିକ କର୍ମୀ ଭୀଷଣ ଠେଙ୍ଗା ପାହାରରେ ଆହତ ହୋଇଥିବାରୁ ସେ କିଛି ଗୋଟାଏ ସମାଧାନ କରିବେ ଓ ତତ୍‌ପରେ ଜୟପୁର ଯାଇ ମନ୍ତ୍ରୀଙ୍କ ସଭାରେ ତାଙ୍କରି ଦଳର ଲୋକେ ଫୁଲମାଳ ପରିବର୍ତ୍ତେ ଯୋତାମାଳ କିପରି ଉପହାର ଦେଲେ, ତାହାର ତଦନ୍ତ କରି, କିଏ କିଏ ଏପରି କଲେ, ଶାସ୍ତି ବିଧାନ ଦେଇ ଫେରିଆସିବା ପରେ ପୁଣି ଦିଲ୍ଲୀ ଯିବେ । କାରଣ ସେଠାରେ ବିଭିନ୍ନ ରାଜ୍ୟର କଂଗ୍ରେସ ପ୍ରାଦେଶିକ ସଭାପତିଙ୍କ ମେଳନରେ ଭାଷଣ ଦେଇ ଫେରିଆସି ରାଜ୍ୟ ଅତିଥି ଆଳୟରେ ବିଦେଶୀ ରାଷ୍ଟ୍ରଦୂତଙ୍କ ସମ୍ମାନାର୍ଥେ ପ୍ରଦତ୍ତ କକଟେଲ୍‍ ପାର୍ଟିରେ ଯୋଗଦେବେ’ ।

 

ଆଶ୍ଵସ୍ତ ହେଲି । ଶୁଭଶଙ୍କର ଜୀବନ ପରିଧି ବେଶ୍ ଲମ୍ବା ଚଉଡ଼ା ହୋଇଛି ୟା ମଧ୍ୟରେ-!

 

ବାଃ....ବେଶ୍ !

 

ଗୋଟିଏ ସୁବାସିତ ପ୍ରଦୀପଦୀପ୍ତ ବର୍ଣ୍ଣାଳୀ ପୁଷ୍ପଗୁଚ୍ଛ–ସମ୍ଭାରରେ ପ୍ରାଣମୟ କକ୍ଷଭିତରେ ଶ୍ରୀ ଅରବିନ୍ଦ ଚିତ୍ରପଟ ତଳେ ବ୍ରାହ୍ମଣ ଶୁଭଶଙ୍କରଙ୍କ ଧ୍ୟାନଦୃଷ୍ଟି ଓ ତାଙ୍କ ସହିତ ବନାନୀ–ବନ୍ଧୁ ଆଦିବାସୀ ନରନାରୀଙ୍କ ନୀରବ ଉପବେଶନର ଚିତ୍ର ମୋ ଆଖିରେ ଶତ କମଳ-କଳି ଭଳି ଫୁଟିଗଲା ସ୍ମୃତିର କେଉଁ ଅତଳସ୍ପର୍ଶୀ ପୀଠଦେଶରୁ; ଆଉ ତା’ ସହିତ ସୁରାପାନରତ, କକ୍‌ଟେଲ ପାର୍ଟିର ନାୟକ, ବାହୁ ରାଜନୈତିକ କମିଟି କମିଶନର ସଭ୍ୟ, ସଭାପତି, ସମ୍ପାଦକ, ଉଡ଼ାଜାହାଜ, ହେଲିକେପ୍‍ଟର ତଥା ଷ୍ଟେଟ୍‍ କାରର ଯାତ୍ରୀ । ‘ମୋର ସମୟ ନାହିଁ, ସମୟ ନାହିଁ, ବଡ଼ କାର୍ଯ୍ୟବ୍ୟସ୍ତ’ର ପ୍ରଚଣ୍ଡ ରାଜନୈତିକ ତୁଙ୍ଗନେତା ଶୁଭଶଙ୍କରର ଚିତ୍ର ସତେ କେତେ ଅମେଳ !

 

ହୁଏ ଏମିତି ।

 

ପୁଣି କେତେକାଳ ଚାଲିଗଲା ସମୁଦ୍ର-ହୃଦୟ ତଳେ…

 

କୋରାପୁଟ ପିଲାଏ ଡାକିଲେ ଭଞ୍ଜଜୟନ୍ତୀର ସଭାରେ କିଛି କହିବାକୁ । ମାନି ଗଲି । ଅରଣ୍ୟ ପ୍ରକୃତି ମତେ ନିମନ୍ତ୍ରଣ କଲେ । ଅମଳିନ ଥିଲା ଶୁଭଶଙ୍କରଙ୍କର ସେ କ୍ଷୁଦ୍ର ଅରବିନ୍ଦ ଆଶ୍ରମ ସ୍ମୃତି ।

 

ଭାବିଲି ଆଜି ସେ ବଡ଼ କଂଗ୍ରେସୀ ନେତା ହୋଇ ହଟଚମଟ୍ କାର୍ଯ୍ୟରେ ରତ ଥିଲେ ବି ନିଃସ୍ଵ ନୁହଁନ୍ତି । ତାଙ୍କର ହୃଦୟଦେବତା ଅରବିନ୍ଦଙ୍କର ସେ ବଣ୍ୟ-ଗୃହକୁ ଏବେ ବାହୁ ଅର୍ଥ ଲଗାଇ ସୁରମ୍ୟ କରିପାରିଥିବେ ।

 

ଆଳୟର ଭୂଷଣ ଓ ଆଭିଜାତ୍ୟ ବେଶ୍ ଆକର୍ଷଣୀୟ ହୋଇଥିବ ଏବଂ ସେଠାରେ କିଛି ସମୟ ଅତିବାହିତ କରିପାରିବି...ଏଇ ଜୀବନ୍ତ ଉଦ୍‌ବୋଧନ ମତେ କୋରାପୁଟକୁ ଟାଣିନେଇଥିଲା-

 

ସମ୍ବାଦପତ୍ର ପୃଷ୍ଠାରେ....

 

ଶାନ୍ତିକାମୀ ଶୁଭଶଙ୍କର ଆଜି ମସ୍କୋ ରୱାନା ହେଲେ, ବିଶ୍ଵଶାନ୍ତି ପରିଷଦରେ ଯୋଗଦେବେ ।

 

ଆଜି ପୁଣି ଜି. ଡ଼ି. ଆର. ଜର୍ମାନୀରେ.. ବିଶ୍ଵ ଶିଶୁଉତ୍ସବରେ ପ୍ରଧାନ ପୁରୋଧା ଶୁଭଶଙ୍କର ।

 

ଷ୍ଟେଟ୍‌ସରେ…ଭାରତୀୟ ଶୁଭେଛୁ ଦଳର ଅଧିନାୟକ ଶୁଭଶଙ୍କର । ସବୁ ପଢ଼େ, ସବୁ ବୁଝେ ।

 

ସବା ଶେଷରେ ମୁଁ ଇଚ୍ଛା ପ୍ରକାଶକଲି ଶୁଭଶଙ୍କରଙ୍କର ଅରବିନ୍ଦ ଆଶ୍ରମ ଦେଖିବି ।

 

ସେଠାର ଲୋକେ ସବୁ ଆୟୋଜନ କଲେ; କିନ୍ତୁ ମନେହେଲା କାହାର ଯିମିତି ଆଗ୍ରହ ନାହିଁ । ଅତିଥି ବୋଲି ମତେ ସହ୍ୟ କରିନେଲେ ।

 

ଯେ ଘରେ ଦୀର୍ଘକାଳପୂର୍ବେ ମୁଁ ପଶିଯାଇ ପ୍ରଶାନ୍ତି ଓ ଆନନ୍ଦ ଅନୁଭବ କରିଥିଲି, ସେ ଘର ସିମିତି ଥିଲେ ବି କେତେକ କନ୍ୟାଶ୍ରମର ଛାତ୍ର ସେଠାରେ ମେସ୍ କରିଥିବାର ଦେଖିଲି ।

 

ମଲା କୁକୁଡ଼ାର ପର, ଅଇଁଠା ବାସନ ଓ କେତୁଟା ଲୁଙ୍ଗି ପଡ଼ିଥିଲା ଏଣେତେଣେ ।

 

ଜିପଟା ପଛକୁ ଫେରିଲା । ମୁଁ ତା’ ସହିତ !

Image

 

ଲାବଣ୍ୟର ଲବଣ

 

-ଖାଲି ଲୁଣ ?

-ହଁ ବାବୁ; ତୁଚ୍ଛା ଲୁଣ ।

-ଭାତ ?

-ଭାତ ନାହିଁ, ପଖାଳ; ବେଲା ତଳରେ ଧାପେ ଭାତ । ଗୋଳେଇ ଦିଏ, ପିଇ ଦିଏ ।

-ଭୋକ ମରେ ?

-ମରିବ କିମିତି, ଯୋଉ ନିଆଁକୁ ସେଇ ନିଆଁ ।

-ଏମିତି କେତେ ବର୍ଷ ଚାଲିଛି ? ମନ ଖୋଲି କହ ।

-ପିଲା ବଅସରୁ ଯୁବତୀ ହେଲି । ଗୋଟାଏ ଓଳି ଖାଏ, ଓଳି ତଳ ବେରେଣ୍ଡାରେ ଶୁଏ; ଖରା, ବରଷା, କାକର ସବୁଥିରେ ସେଇ ଏକା ଜାଗା, ଏକା ମାଟି ଉପରେ ଶୋଇଚି । ବାଘ ହେଣ୍ଟାଳ ଡେଇଁ ଚାଲିଯାଏ, ହରିଣ ଚିଲାମାରେ । ଶୋଇ ଶୋଇ ଭାବେ, ନ ମରି ବଞ୍ଚିଛି କିଆଁ ?

ଲବଣ୍ୟର ଆଖି ତଳେ ଲୁହ ଜକେଇ ଆସିଲା । ଏ ଲୁହର ସ୍ଵାଦ ସହିତ ପଖାଳ ଲୁଣର ଲୁଣିଆ କେତେ ଥର ମିଶିଛି । ଆଖି ଦୁଇଟା ତ ଭଗବାନ ତିଆର କରିଛନ୍ତି କେବଳ ଲୁହ ଢାଳିବା ପାଇଁ ।

ଫୁଲବାଣୀର ଘନ ଜଙ୍ଗଲ ଭିତରେ ବାସନା ଫୁଲ ମହକ ଆଉ ଝର ଝର ଝରଣା-ପ୍ରକୃତି ଯେଉଁଠି ସାଜିଛି ଅନୁପମ ଶୋଭା ମଣିଷକୁ ପାଗଳ କରିବା ପାଇଁ, ସେ ଆରଣ୍ୟକ ନିଭୃତ ବସୁନ୍ଧରା ଉପରେ ଲାବଣ୍ୟ ବାନ୍ଧିହୋଇ ରହିଛି, ତାର ମୁକ୍ତି ନାହିଁ । ଦେହଟା ମାଟିରେ ମିଶିଗଲେ ଅବା ସେ ଏ ବନ୍ଧନରୁ ମୁକୁଳିଯିବ ।

 

ଗଭାରେ ଗଭାଏ ବଣଫୁଲ, ଆଖିତଟରେ ଯୌବନର ତୂଳୀରେ ମେଞ୍ଚାଏ କୁହୁକ କଳା-। ପୀନବକ୍ଷ ଉପରେ ଅଙ୍ଗୀ ଖଣ୍ଡକର ଅସଜଡ଼ା ବନ୍ଧନୀ । ଛବିଟି ଦୋହଲୁଛି । ଓଠ ଖୋଲିଲେ ସୁଷମାର ଢେଉ । କ୍ରମଭାରୀ ଦେହର ସୋପାନେ ସୋପାନେ ସାର୍ଥକ ଯୌବନର ଲୀଳା । ଶ୍ୟାମା ହୋଇ ସେ ବି ରୂପବତୀ ।

 

ଏ ରୂପକୁ ଲୁଟିନେବା ପାଇଁ ବଣ-ଜଙ୍ଗଲରେ ବି ହେଣ୍ଟାଳ ମାରୁଥିବା ବାଘର ଅଭାବ ନାହିଁ । ଲାବଣ୍ୟ କିନ୍ତୁ ଏଯାଏ ନିଜକୁ ବଞ୍ଚାଇ ଆସିଛି । ବାବୁ ଜଣକ ସବୁ କଅଣ ଲେଖୁଥିଲେ କାଗଜ ଉପରେ । ରାଜଧାନୀ ସହରରୁ ଆସିଛନ୍ତି । ଚାରିଆଡ଼େ ଲୋକ, ଆଦିବାସୀ ଭାଇ ବନ୍ଧୁ । ଲାବଣ୍ୟର ସାହସ ଦେଖି ସମସ୍ତେ ଆବାକାବା ହୋଇଯାଇଛନ୍ତି । ଯୁବତୀ ଝିଅ ମୁହଁ ଖୋଲି ସବୁ କଥା କହିଯାଇଛି ।

 

-କେତେ ଟଙ୍କା ତୋ ବାପର ବାପା ସାହୁକାରଠୁ କରଜ ନେଇଥିଲା ?

 

-ମୋଟେ କୋଡ଼ିଏଟା ଟଙ୍କା ।

 

-ଦେଇପାରିଲାନି ?

 

-ନା ।

 

-ବାପା ବି ଦେଇପାରିଲାନି ?

 

-ସେ ତ ମାରିଯାଇଛି, କହୁଥିଲା କିଛି ଶୁଝିଛି ।

 

-କେତେ ଦିନ ଏମିତି ଏଠି ପଡ଼ିରହିଥିବୁ ?

 

-ମରିବାଯାଏ ।

 

ଅବିବାହିତ ମାଜିଷ୍ଟ୍ରେଟ୍ ମିହିର କୁମାର ଲାବଣ୍ୟର ଜମାନବନ୍ଦୀ ନେଉ ନେଉ ଆତ୍ମବିସ୍ମୃତ ହୋଇଯାଇଥିଲେ । ଏତେ ସ୍ପଷ୍ଟଭାବରେ ଏମିତି ସହଜ ସରଳ ଭଙ୍ଗୀରେ କେହି ଯୁବତୀ କଥା କହିବାର ସେ ଜାଣିନାହାନ୍ତି ।

 

ଅଥଚ ତାର ଆଖି ନାଚୁନାହିଁ । ଅଧର ନିମନ୍ତ୍ରଣ କରୁନାହିଁ । କଟୀର ଦୋଳନ ନାହିଁ । ବେପରୁଆ ।

 

ମୁଗ୍‍ଧ ହେଲେ ମିହିରକୁମାର ।

 

-ଆଚ୍ଛା, ସେ ଗଛଛାଇରେ ତୁ ଟିକିଏ ବସ୍ ।

 

ଆସିଲେ ଡକା ହୋଇ ବଳିୟାର ସିଂହ । କନେଷ୍ଟବଳ ଡାକିଆଣି ହାକିମଙ୍କ ଆଗେ ଛିଡ଼ା କରାଇଲା । ଛିଡ଼ା ହେଉ ହେଉ ସେ ପାଟିକଲେ :

 

-ମୁଁ ସବୁ ବର୍ଷ ପାର୍ଟିକୁ ଚାନ୍ଦା ଦିଏ, ମାଗଣ ଦିଏ । ମତେ ଧମକେଇ ପାରିବନି ।

 

ମିହିରକୁମାର କହିଲେ-ଆସ୍ତେ, ମୁଁ ସେ କଥା ଜାଣେନାହିଁ । ମୁଁ ପଚାରୁଛି ଏ ଯୁବତୀ ଝିଅକୁ ଏଇ ମୁହୂର୍ତ୍ତରେ ତୁମେ ଛାଡ଼ିଦେବ କି ନାହିଁ ? ମାନେ ସେ ଆଉ ତମ ପାଖରେ ତମ ଘରେ ଦାସୀବୃତ୍ତି କରିବନାହିଁ । ରାଜି ?

 

ବଳିୟାର ସିଂହ ମୁହଁ ଫୁଲାଇଲେ । ନିଶ ପଟାକ ଫୁଲିଗଲା । କହିଲେ :

 

-ତାର ପୂର୍ବପୁରୁଷ କରଜ ନେଇଥିଲେ ଟଙ୍କା । ସର୍ତ୍ତ ଥିଲା ସୁଧ-ମୂଳ ନ ଶୁଝିଲେ ତାର କେହି ନା କେହି ବେଠି ଖଟିବ । ଚବିଶ ଘଣ୍ଟା ଘରେ ରହି କାମ କରିବ । ତେଣୁ ନିୟମ କହୁଛି, ତାକୁ ମୁକୁଳାଇବା ପାଇଁ କେହି ସମର୍ଥ ନୁହନ୍ତି । ଅକାରଣେ ଆପଣ ଏଠି ଗୋଟାଏ ଭିଡ଼ ଜମାଇଛନ୍ତି କାହିଁକି ? –ଏ ଲାବ, ଯାଃ, ଜଙ୍ଗଲ ସାଫ୍ କର, ନ ହେଲେ ଏକ ନାତ୍ ଦେବି ଯେ...

 

ମିହିରକୁମାର କନେଷ୍ଟବଲ୍ ଠାରୁ ହାତକଡ଼ି ନେଇଆସି ପିଲା କଣ୍ଢେଇ ଖେଳିଲା ଭଳି ହାତ ଉପରେ ନଚେଇଲେ ।

 

-ବଳିୟାର ସିଂହ ! ଲାବଣ୍ୟକୁ କଅଣ ଖାଇବାକୁ ଦେଇ ଆସିଛ ଏତେ ବର୍ଷ ଭିତରେ ?

 

-ହେଃ ହେଃ, ଯାହା ଆମେ ଖାଉ ।

 

-କଅଣ ତମେ ଖାଅ ?

 

-ମାଉଁସ, ଭାତ, କ୍ଷିରୀ, ତରକାରି, ପିଠା । ଆମ ଘର ଖାନଦାନ ଘର, ଅଭାବ ନାଇଁ । ଦେଖୁଥିବେ କିମିତି କୋଶ କୋଶ ଦୂରଯାଏ ଲମ୍ବିଯାଇଛି ମୋର କ୍ଷେତ ଖମାର, ଗାଈ ଗୁହାଳ, ଘର ବୁନିଆଦି ।

 

ମିହିର ହସି ହସି କହିଲେ-ଲାବଣ୍ୟ କହୁଥିଲା ସେ ପଖାଳ ଆଉ ଲୁଣ ପିଆଜ ଖାଇ ଖାଇ ପିଲାଟି ବଅସରୁ ଏବେ ଯୁବତୀ ହୋଇଛି । କଅଣ ସତ ?

 

-ସବୁ ମିଛ ।

 

-ମିଛ ?

 

-ମିଛ ନୁହେଁ ? ପଖାଳ ଖାଇ ଖାଇ ଏମିତି ଯୁଆନ ଯୁବତୀ କିଏ ହୋଇପାରେ ?

 

ଜମିଥିବା ଲୋକେ ଆଖି ଠରାଠରି ହେଲେ । ଗୋଟାଏ ମଧୁର ଗୁଞ୍ଜନ ସଞ୍ଚରିଗଲା ।

 

ମିହିରକୁମାର ଆନମନା ହୋଇଗଲେ । ଚାହିଁଲେ ଲାବଣ୍ୟ ଆଡ଼େ...ଆଶ୍ଚର୍ଯ୍ୟ...ଏକ କଳା ମୁଗୁନିପଥର ଖୋଦେଇ ନାରୀମୂର୍ତ୍ତି ସେଠି ବସି ନଖରେ ଦାଗ କାଟୁଛି ବଣୁଆ ଘାସ ଉପରେ-। ପ୍ରକୃତି ଗନ୍ତାଘରର ଗୋଟିଏ ସୁରକ୍ଷିତ ମାଣିକ୍ୟ ବିଭବ, ଯାହା ଉପରେ ଆକାଶରୁ ବର୍ଷିଆସିଛି ଚନ୍ଦ୍ରମା କିରଣ, ସୂର୍ଯ୍ୟ ସ୍ଵର୍ଣ୍ଣାଭା ଅଜାଡ଼ିଛି ଯାହାର କୁନ୍ତଳ କଲ୍ଲୋଳରେ । ବନଶୋଭାର ସବୁଜିମା ଯାହାର ଅଙ୍ଗରାଜିରେ ରୋପଣ କରିଛି ଶ୍ୟାମଳ ପରିପୋଷଣ ।

 

-ବୁଝିଲ ବଳିୟାର ସିଂହ ! ତୁମର ସେଥିରେ ବାହାଦୂରୀ ନାହିଁ । କେବଳ ପଖାଳ ଜାଉ ଖାଇ ବି ଏମାନେ ହୋଇଯିବେ ରୂପବତୀ । କାରଣ ପ୍ରକୃତି ଏମାନଙ୍କୁ ସଜେଇଦେବ ନିଜ ଆଧାରରେ ମଧୁ ମିଶ୍ରଣ କରି । ଛାଡ଼, ମୁଁ ସେଥିପାଇଁ ଆସିନାହିଁ ।

 

-କଅଣ ପାଇଁ ଆସିଛନ୍ତି ଆଜ୍ଞା ? ୟାକୁ ନେଇଯିବେ ?

 

-ବଳିୟାର ସିଂହ, ତମର ଇଜ୍ଜତ ମୁଁ ବୁଝିପାରୁଛି । ଲାବଣ୍ୟର ଗୋଡ଼ରେ ଯେ ବେଡ଼ି ପଡ଼ିଛି ସେ ବେଡ଼ିକି ମୁଁ ମୁକୁଳେଇଦେବି, ଆଉ ସେହି ଲୁହା ଜଞ୍ଜିରକୁ ତୁମେ ଅମାନିଆ ହେଲେ ତୁମ ହାତଗୋଡ଼ରେ ପକାଇ ତୁମକୁ ଜେଲଖାନାକୁ ପଠାଇଦେବି ।

 

ସମସ୍ତେ ମାଜିଷ୍ଟ୍ରେଟଙ୍କ କଥା ଶୁଣି ତଟସ୍ଥ ହୋଇଗଲେ ।

 

-ଆଚ୍ଛା, ଆଉ ଗୋଟାଏ ପ୍ରଶ୍ନ । ୟାକୁ ମାରଧର କେବେ ତୁମେ ବା ତୁମର ପରିବାର କେହି କରିନାହାନ୍ତି ?

 

ତୁଣ୍ଡରୁ ଏତିକି କଥା ବାହାରୁ ବାହାରୁ ଲାବଣ୍ୟ ଦଉଡ଼ି ଆସି ପିଠିପଟ ଲୁଗାକୁ ଖୋଲି ଦେଇ ଚିତ୍କାରକଲା :

 

–ଦେଖ ବାବୁ ଦେଖ, ଚିଆଁ...ଚିଆଁ-ଦାଆକୁ ତତେଇ ଏଇ ଚିଆଁ ଦାଗ ଦେଖ...

 

ମିହିର ଗର୍ଜି ଉଠିଲେ–ଅମଣିଷ ଜାନୁଆର, ଏ କଅଣ କରିଛି ? ଏତେ ନିର୍ମମ ? ନିଜ ଝିଅ ହୋଇଥିଲେ ଏମିତି କରିପାରିଥାନ୍ତ ?

 

ବଳିୟାର ସିଂହ ପାଟିକଲେ–ପ୍ରମାଣ, ମୁଁ, ମାନେ, ଆମେ କରିଛୁ ବୋଲି ପ୍ରମାଣ ?

 

-ଆଉ କଅଣ ସେ ନିଜ ପିଠି ଉପରେ ନିଜେ ଚିଆଁ ଲଗେଇଚି ? ମାଜିଷ୍ଟ୍ରେଟ୍ କହିଲେ ।

 

ସେତିକିବେଳୁ ଲାବଣ୍ୟ ଛିଡ଼ାହୋଇଛି ପିଠିକୁ ଖୋଲିରଖି... ଚାରିଗୋଟି କଳା ଲାଞ୍ଛିତ ଦାଗ ତାର ପୃଷ୍ଠଦେଶକୁ ସିଆର ସିଆର କରି କାଟିଦେଇଛି । ଉନ୍ନତ ବକ୍ଷର ସମାତଟଯାଏ ଖସିଆସିଥିବା କଳଙ୍କ ରେଖାକୁ ଦେଖୁ ଦେଖୁ ମିହିର କେଉଁ ସ୍ଵପ୍ନରାଜ୍ୟକୁ ଉଡ଼ିଗଲେ । କନକଦୋଳାରେ ଲାବଣ୍ୟକୁ ବସାଇ ତାର ଏ ଶ୍ରୀବତ୍ସ-ଲାଞ୍ଛନକୁ ସ୍ପର୍ଶ କରୁଥିଲେ ଏବଂ କହୁଥିଲେ, ପ୍ରିୟତମେ, ଭୁଲିଯାଅ ଏ ଦାଗକୁ । ତମ ଅନ୍ତରରେ ଏ ମ୍ଳାନିମା ନାହିଁ, ଯାହା ଅଛି ବାହାରେ । ସେ ଆଉ...ମୋର ସେଥିରେ ଯାଏ ଆସେ ନାହିଁ । ତୁମେ ଆଉ ମୁଁ…

 

ସ୍ଵପ୍ନଡ଼ୋର ଛିଣ୍ଡିଗଲା ।

 

-ହଉ ଯା, ବସ୍ ସେଠି । ଶୁଣ ବଳିୟାର ସିଂହ ! ଯୁଗ ପାଲଟିଛି । ଅନ୍ଧାରରୁ ଆଲୁଅକୁ ଆସ । ଏ ରାଜ୍ୟରେ ପୁରୁଣାକାଳିଆ ଦାଦନ ଶ୍ରମିକ ରହିବେ ନାହିଁ । ତୁମେ ସବୁ ସାହୁକାର ମହାଜନ । ସାମାନ୍ୟ ଋଣ ଦେଇ ଏମାନଙ୍କୁ ଖଟେଇ ଖଟେଇ ମାରୁଛ । ତମ ନାଁରେ ଆହୁରି ଅଭିଯୋଗ ଅଛି । ତୁମେ ମହାଜନୀ କାରବାର ଚଳେଇଛ; ଦୁଃଖୀ ରଙ୍କୀଙ୍କ ସମ୍ପତ୍ତି ନେଇଛ । ବିଚାରା ଏମାନେ ପଶୁଭଳି ତୁମ ଘରେ ଖଟୁଛନ୍ତି । କୋରଡ଼ା ଖାଇଛନ୍ତି । ଜର ରୋଗରେ ପଡ଼ିଲେ ବି ପାଣି ଟିକିଏ ଏମାନଙ୍କ ତୁଣ୍ଡରେ ଦେବାକୁ, ଆହା ଟିକିଏ କରିବାକୁ କେହି ନାହିଁ । କୁକୁରଟାକୁ ମୁଠାଏ ଅଇଁଠା ଫୋପାଡ଼ିଦେବା ଭଳି ଏମାନଙ୍କୁ ଅଇଁଠା ଖାଇବାକୁ ଦେଉଛ । ତମେ କଅଣ ଭୁଲିଗଲ ଏମାନେ ମଣିଷ ନୁହନ୍ତି ?

 

ସବ୍ଇନିସପେକ୍ଟରଙ୍କୁ ହାକିମ କହିଲେ-ହାତକଡ଼ା ଲଗାଅ ! ଏଇ ବଳିୟାର ସିଂହକୁ ହାତକଡ଼ା ଲଗାଅ । ଗୋଟାଏ ଗୋଟାଏ ଗାଁରୁ ଏମିତି ଗୋଟାଏ ଗୋଟାଏ ନରପିଶାଚଙ୍କୁ ଦେଖି ଥାନାକୁ ପଠାଇଦେଲେ ବାକୀ ସମସ୍ତେ କ୍ରୀତଦାସମାନଙ୍କୁ ମୁକ୍ତ କରିଦେବେ... ଲଗାଅ…

 

...ବାବୁ, ବାବୁ, ନାଁ, ନାଁ ବାବୁ, ପେଜ ଦେଉ, ପଖାଳ ଦେଉ, ମାଡ଼ ମାରୁ, କୋରଡ଼ାରେ ପିଠି ଫଟଉ, ତାର ଲୁଣ ଖାଇଛି ବାବୁ ପିଲାଟି ଦିନରୁ । ତାର ପିଲାଙ୍କୁ କାଖେଇଚି, ଖେଳେଇଚି, ତାର ବଳଦ, ମଇଁଷି, ଚରେଇଚି, ତାଙ୍କ ମୁହଁକୁ ତୋରାଣି ଦେଇଚି । ଅଧର୍ମ ହେବ । ମୁଁ ଲୁଣ ଖାଇଛି ବାବୁ ! ହଁ, ବାବୁ ମୁଁ ଜାଣେ । ରେଡ଼ିଓରୁ ଶୁଣିଛି ଏବେ ମୋ ଭଳି ନାରୀମାନଙ୍କୁ ସରକାର ମୁକୁଳେଇ ଦେଉଛନ୍ତି । ମତେ ମୁକୁଳେଇ ଦିଅ ବାବୁ, ହେଲେ ବଳିୟାର ସିଂହ ବାବୁଙ୍କୁ ଜେଲକୁ ପଠାଅନି । ହାତରେ ବେଡ଼ି ଦିଅନି । ଅଧର୍ମ ହେବ, ବାବୁ, ମୁ ଲୁଣ ଖାଇଚି ।

 

ଅଶ୍ରୁମତୀ ଲାବଣ୍ୟ । ସେ ମୁକ୍ତି ପାଇବ, ଆନନ୍ଦର ଅଶ୍ରୁ, ତାର ଖାଉଁନ୍ଦ ଦେଖିଯିବ, ଦୁଃଖର ଅଶ୍ରୁ ...ଏଭଳି ଅଭୁତ ଲୁହ ଝରଣାର ଗଙ୍ଗୋତ୍ରୀ କିଏ କେବେ ଦେଖିଛ ?

 

ସେଦିନ ଫୁଲବାଣୀର ଘନ ଅରଣ୍ୟ ମଧ୍ୟରେ ଯେଉଁ ଦୃଶ୍ୟ ଅଭିନୀତ ହୋଇଗଲା, ତାର ସ୍ପର୍ଶ ଓ କମ୍ପନ ଲାଗିଥିଲା ପତିତପାବନ ଶ୍ରୀଜଗନ୍ନାଥଙ୍କର ରକ୍ତଧ୍ଵଜାରେ...

 

ମନ୍ଦିର ଶାସକ ଚନ୍ଦ୍ରନାଥ ବାବୁ ସରକାରୀ କର୍ମଚାରୀଙ୍କୁ ହସି ହସି କହିଲେ-ଆଣିଲ ରେଜିଷ୍ଟ୍ରାରଟା, ଗତ ଦୁଇ ଦିନ ଭିତରେ କେତେଜଣ ଯୁବକ ଯୁବତୀ ଶ୍ରୀମନ୍ଦିର ପ୍ରାଙ୍ଗଣରେ ପରସ୍ପରକୁ କର ସମର୍ପଣ କରି ନବଜୀବନ ଆରମ୍ଭ କରିଛନ୍ତି, ଦେଖିବା ।

 

-ପ୍ରାୟ ତିନିଶ । ଉତ୍ତର ମିଳିଲା ।

 

-ଅଦ୍ଭୁତ କଥା । ପ୍ରଶାସକ ଚିନ୍ତାମଗ୍ନ ହୋଇ ଏତିକି କହିଲେ ।

 

ସହକାରୀ କହିଲେ-ସାର୍, ଏଣିକି ବାଟ ଫିଟିଗଲା, ଅଳ୍ପ ଖର୍ଚ୍ଚରେ ବିବାହ କାର୍ଯ୍ୟ ଶ୍ରୀମନ୍ଦିରରେ ଚଳଣୀ ହୋଇଯିବ । ବାଜା ନାହିଁ, ରୋଷଣୀ ନାହିଁ, ଖାଇବା ଖୁଆଇବା ଧୁମ୍ ଧାମ୍ ନାହିଁ, ଶାନ୍ତି ଓ ଆନନ୍ଦରେ ବାହାଘର ହୋଇଯାଉଛି । ଯୌତୁକ ନେବା ଦେବା ପ୍ରଶ୍ନ ଆଉ ନାହିଁ ।

 

ଚନ୍ଦ୍ରନାଥ ଖାତା ଉପରେ ଆଖି ବୁଲାଇ ଆଣୁ ଆଣୁ କହିଲେ-ଗୋଟାଏ ନୂଆ ଯୁଗ ଆରମ୍ଭ ହୋଇଛି । ଦେଖୁନ, ସବୁଆଡ଼େ ପ୍ରଗତିର ଚିହ୍ନ...ଗୋଟାଏ ନବ ଉନ୍ମାଦନା । ବଞ୍ଚିବାର ସ୍ଵପ୍ନ ଯିମିତି ସାର୍ଥକ ହେବାରେ ଲାଗିଛି...ଆରେ ଇଏ କଅଣ ? ଆମ ମିହିର ବାବୁ ଯେ...କନ୍ୟା ଲାବଣ୍ୟ ଦେବୀ...ବଡ଼ ଚାଲାଖ୍ ଲୋକ ତ । କାହାକୁ ନ ଜଣେଇ ମାଜିଷ୍ଟ୍ରେଟ୍ ମିହିରବାବୁ ବାହା ହୋଇ ପଡ଼ିଲେ ? ଠିକ୍ ଅଛି । ତାଙ୍କୁ ଅଭ୍ୟର୍ଥନା କରିବା ଆମର କର୍ତ୍ତବ୍ୟ । ଏହିଭଳି ଶିକ୍ଷିତ ଯୁବକ...ଆରେ ଇଏ ପୁଣି କଅଣ ? କନ୍ୟାର ଘର ଫୁଲବାଣୀ, କଅଣ ଗାଁ ନାଁଟା ପଢ଼ିହେଉନାହିଁ । ପ୍ରଭୁ ଜଗନ୍ନାଥ ! ଖୁବ୍ ଲୀଳା ଲଗାଇଛ !!

 

ସମୟର ଚଳନ୍ତି ସୁଅ । ସେପଟେ ମଧୁଯାମିନୀର ମଧୁର ପରିବେଶ । ପୁଷ୍ପିତ ପୁଷ୍ପର ଘନ ଆସ୍ତରଣ ଉପରେ ବସିଛନ୍ତି ଡେପୁଟି କଲେକ୍ଟର ମିହିରକୁମାର । ଶଯ୍ୟାପ୍ରାନ୍ତରେ ଅରଣ୍ୟ ଭିତରେ ସଞ୍ଚରଣଶୀଳା ସୂର୍ଯ୍ୟ, ଚନ୍ଦ୍ର, ଆକାଶ ଓ ବାରିପାତରେ ମନ ଓ ଶରୀରକୁ ଯେ ପ୍ରକୃତିର ତାଣ୍ଡବ ଓ ଲାସ୍ୟ ଉଭୟ ନର୍ତ୍ତନରେ ସୁକୁମାର ଓ କର୍କଶ କରିଛି ସେଇ ମୁକ୍ତ ବନଜୀବିନୀ କାମିନୀ ଲାବଣ୍ୟ ।

 

ଟିକିଏ ଦୂରରେ ପତିତପାବନଙ୍କର ରାଜବେଶର ଫଟୋଚିତ୍ର । ଧୂପ, ପୁଷ୍ପ, ଚନ୍ଦନର ସମ୍ମିଳିତ ବାୟୁପ୍ରବାହର ସୁଗନ୍ଧରେ ଦୁଇଜଣଙ୍କର ଜୀବନ ମଧୁଚନ୍ଦ୍ର ଆଜି ପବିତ୍ର ଓ ସୁରଭିତ ।

 

ଲାବଣ୍ୟ ଓଢ଼ଣାକୁ ଦୀର୍ଘ ଟାଣିଆଣି ମିହିରଙ୍କର ପାଦଯୁଗଳ ଉପରେ ନଇଁପଡ଼ିବା ବେଳକୁ ମିହିର ଧରି ପକାଇ କହିଲେ-ନାଁ, ନାଁ ଲାବଣ୍ୟ, ମୁଁ ନୁହେଁ, ଆଗେ ଦେବତା । ତମରି ନୀଳମାଧବ, ବିଶ୍ଵାବସୁଙ୍କର ଆଦରର, ଭକ୍ତିର ନିଧି, ଆଦିବାସୀର ଆଦିଦେବତା ଶ୍ରୀଜଗନ୍ନାଥ, ତାଙ୍କର ପାଖେ ଆଗ ଢଳିଯାଅ । ମୁଁ ପରେ ।

 

କଳାଡ଼ୋଳା ସହିତ ଡୋଳା ମିଳାଇ ଲାବଣ୍ୟ ପ୍ରାର୍ଥନା କରିଥିଲା-ପ୍ରଭୁ ନୀଳାଚଳ ନାଥ, ଏ ଜୀବନକୁ ଏମିତି ନୂଆରୂପ ଦେଲ ? କିପରି କଲ ?

 

ଆଖି ଦୁଇଟିରୁ ବହି ଆସିଥିବା ଦୁଇ ଟୋପା ଲୁହକୁ ପୋଛି ଆଣି ଲାବଣ୍ୟ ମିହିରଙ୍କ ପାଦତଳେ ପ୍ରଣାମକରି ଛିଡ଼ାହୋଇ ପଚାରିଥିଲା-

 

ବଳିୟାର ସିଂହଙ୍କର ଖବର କଅଣ ?

 

ମିହିର କହିଲେ-ଦୁଃଖ କରନି, ତାଙ୍କୁ ଜେଲ୍ ହୋଇଯାଇଛି । ଆଇନ୍ ତା ବାଟରେ ଯିବ ଲାବଣ୍ୟ, କେହି ରୋକି ପାରିବେନାହିଁ । ପୁଣି ଯେତେବେଳେ ନୂଆଯୁଗ ଆରମ୍ଭ ହୋଇଛି, ନୂଆ ସଳିତା ଜଳୁଛି, ସେତେବେଳେ ଆଇନ୍ ଆହୁରି କଠୋର ହୋଇ ସମସ୍ତଙ୍କୁ ନ୍ୟାୟ ଆଉ ମୁକ୍ତି ଦେବ-। ତା ନ ହେଲେ ମୁଁ ତମକୁ ପାଇଥାନ୍ତି କିମିତି ?

 

ଆଉ ଥରେ ଲାବଣ୍ୟ ସ୍ଵାମୀଙ୍କ ପାଦତଳେ ଲୋଟି ପଡ଼ିବାବେଳେ ପ୍ରଦୀପ ଲିଭିଯାଇଥିଲା । ଆକାଶର ଦିଗ୍‌ବଳୟ ଛାଡ଼ି ଉଠିଆସୁଥିଲେ ଚନ୍ଦ୍ରମା । ନିର୍ମଳ ନଭରେ ନବ ଚନ୍ଦ୍ରର ଉଦୟ ଉତ୍ସବ ।

Image

 

ଶ୍ଵାନ ସଂସ୍କାର

 

ପ୍ରିୟାନନ୍ଦ ସ୍ଵାମୀ ଭାଷଣ ଦେଉଥିଲେ । ଆକାଶରେ ଆଲୋକିତ ଜ୍ୟୋସ୍ନାର ତରଙ୍ଗ । ବଡ଼ ମଧୁମୟ ପରିବେଶ ।

ସହର କିନ୍ତୁ ଉଜ୍ଜ୍ଵଳ ବିଦ୍ୟୁତ୍ ଆଲୋକରେ । ବିପଣିମାଳାରେ ବିଭିନ୍ନ ପ୍ରକାର ବିଜୁଳିବତୀର ସମାରୋହ । ଯାହା ହୋଇଥାଏ ସହର ବଜାରରେ । ଲୋକ ଗହଳି ଯିବା ଆସିବାର ଗତିଛନ୍ଦ ।

ମନକୁ କଅଣ ଆସିଲା, ମୁଁ ଚାଲିଗଲି ଉପରକୁ । ସ୍ଥାନଟି ଗୋଟିଏ ମଠାଧୀଶଙ୍କର ମଠ-। ସେହିଠାରେ ପ୍ରିୟାନନ୍ଦ ସ୍ଵାମୀ ‘ଜୀବନରେ ଧର୍ମ’ ସମ୍ପର୍କରେ ପ୍ରବଚନ ଦେଉଥିଲେ ।

ଶ୍ରୋତାମାନେ ଅଭିଭୂତ ଅବସ୍ଥାରେ ଶୁଣିବାପାଇଁ ଯେତେ ମନୋଯୋଗ ଦେଉଥିଲେ, ଶୁଣିପାରୁ ନଥିଲେ । ଶୁଣୁ ଶୁଣୁ ସେମାନେ ବ୍ୟସ୍ତ ବିରକ୍ତ ହୋଇ ଉଠୁଥିଲେ । ଅଥଚ କେହି ପ୍ରତିବନ୍ଧକକୁ ଦୂର କରିବାପାଇଁ ଯତ୍ନ କରୁନଥିଲେ । ଆଶ୍ଚର୍ଯ୍ୟ...

ମୁଁ ଏକମାତ୍ର ଶ୍ରୋତା ଥିଲି, ଯିଏ ଏଡ଼େ ସୁନ୍ଦର ଭାଷଣକୁ ଶୁଣୁ ଶୁଣୁ ଉତ୍ତ୍ୟକ୍ତ ହୋଇଉଠିଥିଲା; ମାତ୍ର ମୋର ନିଷ୍ଫଳ କ୍ରୋଧ ମତେ ହିଁ ଶେଷରେ ଧିକ୍କାର ଦେଲା, ମୁଁ ଧର୍ମସଭାରୁ ଯାହା ଶିକ୍ଷା ନ କଲି, ଅନ୍ୟ ଏକ ପରିସ୍ଥିତିରେ ତାହାଠାରୁ ମହାଶିକ୍ଷା ଓ ଜ୍ଞାନ ଲାଭକଲି ।

ଘରକୁ ଫେରିଆସି ଭାବିଲି, ଜୀବନରେ ଏମିତି କ୍ଵଚିତ୍ ସତ୍‍ସଙ୍ଗ ମିଳେ । ପୁଣି ସନ୍ନ୍ୟାସୀମାନଙ୍କର ପ୍ରବଚନ ମଣିଷର ମୋହବନ୍ଧ କାଟିଦିଏ, ସେତିକିବେଳେ ମନେହୁଏ ଏହି ବକ୍ତା ସ୍ଵାମୀଜୀଙ୍କ ପଛେ ପଛେ ମୁଁ ଚାଲିଯିବି କି ? ସେ ଭଗବାନଙ୍କୁ ସାକ୍ଷାତ୍ କରିଛନ୍ତି ବୋଲି ସିନା ଅନୁଭବସିଦ୍ଧ କଥା କହି ଆମ ମନର କଳୁଷ କାଟିଦେଇଛନ୍ତି । ଛିଃ ଏ ସଂସାର ଆସକ୍ତିରେ ମାତି ଆମେ ସତ୍ୟସ୍ୱରୂପକୁ ଭୁଲିବସିଛୁ ।

ବୈରାଗ୍ୟ ରସରେ ମନ ପୂର୍ଣ୍ଣ ହୋଇଗଲା । କ୍ରମେ ତାହା ନିଷ୍ଫଳ ଅବସ୍ଥାକୁ ଆସିଗଲା-। ଯଦି ସମଗ୍ର ଭାଷଣଟି ଶୁଣିବାରେ ବାଧା ଆସିନଥାନ୍ତା, ତେବେ କେତେ ପୁଣ୍ୟ ଯେ ସଞ୍ଚିତ ହୋଇପାରିଥାନ୍ତା, ତାର କଅଣ କଳନା ଅଛି ?

ମନେପଡ଼ିଲା ସ୍ଵାମିଜୀ ସେହି ବିରକ୍ତ ପରିବେଶ ଭିତରେ ଅସୀମ ଧୈର୍ଯ୍ୟ ଧରି ପ୍ରବଚନ ଦେଉଥାନ୍ତି । ମୁଖମଣ୍ଡଳ ପ୍ରଦୀପ୍ତ । ଗଳାରେ ପୁଷ୍ପହାର । ପଦ୍ମାସନ । ମେରୁ ଅସ୍ଥି ସ୍ଥିର । ଅଧର ଦୁଇଟିରୁ ସ୍ଫୁରିଆସୁଥାଏ ଅମିୟ ବଚନମାଳା ।

ସେ କହୁଥିଲେ–ଦେଖ ବନ୍ଧୁଗଣ ! ରେଳଯାତ୍ରାକରି ଦୂରପଥ ଯିବାକୁ ବସିଛ । ସାଙ୍ଗରେ ସାମାନ୍ ଧରିଛ । ମୁଣ୍ଡରେ ଲଦିଛି ବିସ୍ତରା, ଗୋଟାଏ ହାତରେ ସୁଟକେଶ । ଆର ହାତରେ ଜଳଖିଆର ଟିଫିନ୍ କ୍ୟାରିୟର୍ ଓ ପାଣି ବୋତଲ ।

ରାୟ ବସିପଡ଼ିଲେ ରେଳ ଡବାରେ । ତୁମ ସ୍ଥାନରେ ବସି ବି ତୁମେ ଓହ୍ଲାଉନାହଁ, ତମର ମଥା ଉପରେ ଲଦା ହୋଇଥିବା ବିସ୍ତରାକୁ । ହାତରୁ ଖସାଉନାହଁ ପାଣି ବୋତଲ, ସୁଟକେଶ, ଆଉ ଜଳଖିଆ ଥାଳ; କିନ୍ତୁ ତୁମେ ଜାଣୁଛ ଦୀର୍ଘକାୟ ଏହି ରେଳଗାଡ଼ି । ଏ ସବୁ ସାମାନକୁ ରଖିବା ପାଇଁ ତାର ଗର୍ଭରେ ଅକୁଳନ ସ୍ଥାନ ଅଛି । ତୁମେ କିନ୍ତୁ ଧରିବସିଛ ଏଗୁଡ଼ାକୁ । ପାଖଛଡ଼ା କରୁନା କାହିଁକି-?

ସ୍ଵାମିଜୀଙ୍କର ଆଖି ସ୍ଫୀତ ହୋଇଗଲା । ଶ୍ଵାସ ଖର ହେଲା । ସେ କହିଲେ, କାହିଁକି ? ତୁମ ମନରେ ଭୟ ଯେ ତୁମର ପ୍ରିୟ ବସ୍ତୁଗୁଡ଼ାକୁ ତୁମେ କାଳେ ହରାଇ ବସିବ ।

ତୁମର ଏତେଦୂର ଆସକ୍ତି ରହିଛି ଏହି ସବୁ ପଦାର୍ଥ ଉପରେ ଯେ ସେଗୁଡ଼ାକୁ ଛାଡ଼ି ତୁମେ ମୁକ୍ତ ଓ ହାଲୁକା ଭାବରେ ରେଳଡବାରେ ବସିପାରୁନ, ବୋଧହୁଏ ତୁମର ଯାତ୍ରା ଶେଷ ହେବାଯାଏ ତୁମେ ତୁମର ଦେହ ମୁଣ୍ଡରେ ଏ ସବୁ ଧରି ରଖିଥିବ । ଓଜନ ଯୋଗୁ କଷ୍ଟ ପାଉଥିବ, କ୍ଳାନ୍ତହେବ, ଯାତ୍ରା ତୁମର ଆନନ୍ଦମୟ ହେବନାହିଁ ।

ପୁଣି ସେହି ପ୍ରତିବନ୍ଧକ । ଶୁଣି ହେଉନାହିଁ ଭାଷଣ । ମଝିରେ ମଝିରେ ମନ ପ୍ରିୟାନନ୍ଦଙ୍କ ବ୍ୟକ୍ତିତ୍ୱରୁ ଖସି ଆସି ଆଉ କୁଆଡ଼େ ଚାଲିଯାଉଛି । ଏକାଗ୍ରତା ଆସୁନାହଁ । ବିରକ୍ତ ହେଲି । କେହି କଣ ନାହାନ୍ତି ଏ ଆପଦଟାକୁ ଦୂର କରିଦେବା ପାଇଁ ? ସମସ୍ତେ ସହିଯାଉଛନ୍ତି ? ଏ କେମିତି କଥା-?

ସ୍ଵାମିଜୀ ହସିଲୋ ପୁଣି ଆରମ୍ଭ କଲେ । ଆଃ ତାଙ୍କର କି ଉଦ୍ରିକ୍ତ ହସ । ଅନାବିଳ ମ୍ଳାନିମାର ସହିତ ସେ ଦିବ୍ୟ ହସ ।

ସେ କହିଲେ, “ଟ୍ରେନରୂପୀ ଭଗବାନଙ୍କୁ ନିଜର ସମସ୍ତ ଭାର ସମର୍ପଣ କରି ମାନବ ଆସକ୍ତିଶୂନ୍ୟ ହୋଇ ରହି ପାରୁନାହିଁ ଏ ସଂସାରରେ । ଏହାହିଁ ଆଶ୍ଚର୍ଯ୍ୟ ! ସେ ପ୍ରଭୁ ଯେ କେଡ଼େ ଉଦାର, କେଡ଼େ ଦୟାଳୁ, ମଣିଷକୁ ଯେ ସେ କେତେ ଭଲପାଆନ୍ତି...”

ହଠାତ୍ କେହି ଜଣେ ପାଟି କଲେ-କିଏ ଏମିତି ଗୋଳମାଳ କରୁଛି, କର୍ମକର୍ତ୍ତା କଅଣ କରୁଛନ୍ତି ? ବନ୍ଦ କରିପାରୁ ନାହାନ୍ତି ?

ମୁଁ ଶୋଇ ପଡ଼ିଲି । ହରିନାମ ସ୍ମରଣ କରୁ କରୁ ନିଦ୍ରା ଗଲି । ତା’ ପରେ...ସ୍ଵପ୍ନ...ଅପୂର୍ବ ସ୍ଵପ୍ନ । ରୋମାଞ୍ଚକର ସ୍ଵପ୍ନ...

 

ମଠ ତଳେ ଅନ୍ଧାର ଗର୍ତ୍ତ । ଚନ୍ଦ୍ରମା ସେଠାରେ ଅନୁପସ୍ଥିତ । ଏକ ଭୂଗର୍ଭ କୋଟର । ପାଉଁଶ, ମଳ, ଆବର୍ଜନା ଓ ମାଟିର ଏହି ଗର୍ତ୍ତ ଭିତରକୁ ଆସିଲା ଗୋଟିଏ କୁକୁରୀ । ତାର ଦେହଯାକ କ୍ଷତ । ଲାଞ୍ଜଟା ଅଧେ ଛିଣ୍ଡି ଯାଇଛି । ଆସିଲା ସେ । ଆସିବା ମାତ୍ରେ ତାର ଜିଭ ଲମ୍ବିଗଲା, ଲମ୍ବିଗଲା ସେଇଆଡ଼େ, ଯେଉଁଠି ତାର ଗର୍ତ୍ତର ଜୀବନୀସତ୍ତା ରୂପପାଇଛି ଗୋଟିଏ ଶିଶୁ ବିଗ୍ରହରେ ।

 

ଶିଶୁଟି ଏଇ ପକ୍ଷେ ବି ହେବନି । ତାର ଆୟୁ ଆଘ୍ରାଣରୁ ଜାଣିଲା ତାର ମା ଆସିଛି । ସ୍ନେହ ନେଇ ଆସିଛି । ଅସରନ୍ତି ଚୁମ୍ବନ ନେଇ ଆସିଛି । କ୍ଷତବହୁଳ ତାର ଦେହରେ ଯେତିକି ଲୋମ ଥିଲା ସନ୍ତାନ ସ୍ପର୍ଶରେ ତାହା ଜାଗ୍ରତ ହେଲା । ବାତ୍ସାଲ୍ୟନୁଭବରେ ସେଗୁଡ଼ିକ ସିଧା ଛିଡ଼ାହୋଇଗଲା ।

 

କୁକୁରୀ ଦୁଇ ହାତ ଦୁଇ ଗୋଡ଼ରେ ଗାତଟାର ପରିସରକୁ ଖୋଳି ବଢ଼ାଇ ଦେଲା । ପଶିଗଲା ସେଇ ଖୋଳାସ୍ଥାନ ଭିତରକୁ । ଲମ୍ବିଗଲା ଚଉକାତ ହୋଇ । ତାର ଏକ ଏକ ସ୍ତନରୁ ଝରିଆସିଲା କ୍ଷୀରଧାର । ଆନନ୍ଦରେ ସେ ଆଖି ବୁଜିଦେଲା । ଦିନକର କ୍ଳାନ୍ତି ଯେପରି କ୍ଷଣକରେ ନିର୍ବାପିତ ହୋଇଗଲା । କେବଳ ଚଅଁ ଚଅଁ ଶବ୍ଦ । ମାତୃ ସ୍ତନରୁ ଶ୍ଵାନ ଶିଶୁର କ୍ଷୀର ଟାଣିବାର ଅମିୟ ଛନ୍ଦ । ପୂଜାରେ ହରିନାମ କୀର୍ତ୍ତନରେ ଯେଉଁ ସଙ୍ଗୀତ ନଥାଏ, ତାହାଠାରୁ ଅତୁଳନୀୟ ଏ ସ୍ଵର୍ଗୀୟ ସଙ୍ଗୀତର ପ୍ରବାହ ।

 

ମୁଁ ଶୁଣୁଥାଏ । କୁକୁରୀ ଛୁଆକୁ ଚାଟି ଚାଟି କହିଲା–ଜାଣୁରେ ଲିଟି (ନାଁ ଦେଇ ଦେଇଛି, ଏକୋଇଶା ହୋଇନାହିଁ) ଏ ଉପର ମହଲାରେ ବାବାଜୀ ଜଣେ ଧର୍ମ କଥା କହୁଛନ୍ତି । ଘଣ୍ଟାଏ ହେଲା, ତୁ କେଁ କେଁ ହୋଇ ଯେ ସାଂଘାତିକ ଚିତ୍କାର କଲୁ ନା, ଆଉ କେଉଁ ସଭା ହୋଇଥିଲେ, ଲୋକ ଗୁଡ଼ାକ ମାଡ଼ି ଆସି ତୋର କଅଁଳ ବେକକୁ ଟେକି ମୋଡ଼ି ଭାଙ୍ଗି ଏ ଗାତରୁ ସେ ରାସ୍ତା ତଳ ନର୍ଦ୍ଦମାକୁ ପକାଇ ଦେଇଥାନ୍ତେ । ରକ୍ଷାହେଲା, ସେଇଟା ଧର୍ମସଭା । ଆଉ ଯେଉଁମାନେ ଶୁଣୁଥିଲେ, ସେମାନେ ସମସ୍ତେ ଧୀର ବ୍ୟକ୍ତି । ତେଣୁ ତୁ ବଞ୍ଚିଗଲୁ ।

 

ମୋର ଡେରି ହେଇଗଲା ଧନ ! କଅଣ କହିବି ? କିଛି ନିଜେ ଖାଇଲେ ତ ପୁଣି ହଜମ ହୋଇଯିବା ଆଗରୁ ତୋ ପାଖରେ ବାନ୍ତି କରିଦେବି । ଏତିକିବେଳୁ ତତେ ନ ଶିଖେଇଲେ ତୁ ପରର ଅଇଁଠା, ବାନ୍ତି ଭୁଞ୍ଜିବୁ କେମିତି ? ଅବଶ୍ୟ ମୋ ଥନରେ ଏବେ ବି କ୍ଷୀର ଅଛି, ହେଲେ ଆଉ କେତେ ଦିନ ?

 

ଲିଟି ଚଅ ଚଅଁ ଦୁଧ ପିଇବା ଭିତରେ କହିଲା–ମାଆ, ମାଆ ମ, ମତେ ଭାରି ଭୋକ ହେଲା । ଆଉ ଏ ଉପର ମହଲାରେ କଣ ଗୋଟାଏ ବାଜାବାଜିଲା ଯେ ମୁଁ ଡରିଗଲି-ମୁଁ ତ ଆଗରୁ ଶୁଣି ନଥିଲି । ଭାରି ଡରମାଡ଼ିଲା । ମାଆ ମ, ଆମେ ତ ପଶୁଜାତି-ମଣିଷଙ୍କୁ କଣ ଭୋକ ଲାଗେ ?

 

ମୁଁ ଦେଖିଲି ସ୍ଵାମିଜୀ ଖୁବ୍ ହସୁଛନ୍ତି । ହସି ହସି ବେଦମ୍ । କହିଲେ-ଭକ୍ତଗଣ ! ଦେଖ, ଶ୍ଵାନଶିଶୁ ବର୍ତ୍ତମାନ ଶାନ୍ତ । କେତେ ସମୟ ଚିତ୍କାର କରିବ ? ଆହା ବିଚାରା ! ଭୋକ କରୁଥିଲା, ମାଆ ପାଖରେ ନାହିଁ । ମାଇକର ଗର୍ଜନ । ବାହାଘର ରୋଷଣି ଏଇ ବାଟେ ଗଲା । ଡରିବନି ? ତମ ପିଲା ଏଇ ପରିସ୍ଥିତିରେ କଅଣ କରିଥାନ୍ତା ? ମରିଯାଇଥାନ୍ତା, ସକ୍ ରେ ମରିଯାଇଥାନ୍ତା; କିନ୍ତୁ ପଶୁ ବୋଲି ଈଶ୍ଵର ତାକୁ ସହିବାର ଶକ୍ତି ଦେଇଛନ୍ତି ।

 

ପ୍ରିୟାନନ୍ଦ ସ୍ଵାମୀ କହିବାକୁ ଲାଗିଲେ-ଭୋକ ହେଲେ ଥରେ ଖାଇଦେଲେ ପଶୁ ତୃପ୍ତ ହୋଇଯାଏ । ତେଣିକି ସେ ଅନାସକ୍ତ । ପୁଣି ଅପେକ୍ଷା କରେ ବୁଭୁକ୍ଷା ଜାଗ୍ରତ ହେବାଯାଏ; କିନ୍ତୁ ମଣିଷ କଥା ଭିନ୍ନ । ଭୋକ ନ ଥିଲେ ବି ସେ ଖାଏ, ଖାଇବ, ଅତୃପ୍ତି ତାର ଚିରନ୍ତନ । ତେଣୁ ଆମେ ପଶୁ, ପାଶବିକ ଆମର ପ୍ରବୃତ୍ତି । ଶ୍ଵାନ ଛୁଆଟି ଶାନ୍ତ ହୋଇଗଲା । ତମେମାନେ କେତେ ବିରକ୍ତ ହେଉନଥିଲ ? ପ୍ରକାଶ୍ୟରେ ସ୍ଥିତପ୍ରଜ୍ଞ ଭାବ ଦେଖାଇଲେ ବି ମୁଁ ଜାଣିଥିଲି ତମ ଭିତରୁ ଅନେକ ଶ୍ଵାନଶିଶୁର ରୋଦନରେ ବିଚଳିତ ହେଉଥିଲ । ରୋଦନ କାହାର ନାହିଁ ?

 

-ମାଆ ମ, ମାଆ, ଯାହା ଖାଦ୍ୟ ପାଇଛୁ, ଜମେଇ ରଖୁନୁ କିଆଁ ? ସବୁଦିନ ଏମିତି ହଇରାଣ ହେଉଛୁ କହିଁକି ? ଏ ଗାତରେ ଆଉ ଟିକିଏ ଖୋଳି ଜାଗା କରିନେ… ।

 

ଲିଟି ମାଆର ମୁହଁ ପାଖରେ ମୁହଁ ରଖି ଏତକ କହିଲା–କୁକୁରୀ ଦାନ୍ତ ଦେଖାଇ ବୋଧହୁଏ ହସିଲା । କହିଲା–ମୁଁ କଅଣ ମଣିଷ ହେଇଚି କିରେ ! ସଞ୍ଚୟ କରିବି ? ଆମ ଜାତିର ଖୋଲା ମନ, ଖୋଲା ସ୍ଵଭାବ । ହଠାତ୍ ରାଗିଯିବୁ...ଖେଁ ଖେଁ ହେବୁ କିଛି ସମୟ, ତା ପରେ ପ୍ରୀତି, ପରସ୍ପରକୁ ଚୁମ୍ବନ ଦେବୁ । ଭଲ ପାଇବୁ । ମଣିଷ ଏମିତି କରେନାହିଁ । ସେ ଯୁଦ୍ଧ କରେ । ଶାନ୍ତି ଶାନ୍ତି ବୋଲି ଉପରକୁ କହୁଥାଏ । ତାଙ୍କର ପୁଣି ଗରମ ଯୁଦ୍ଧ ଅଛି, ଥଣ୍ଡା ଯୁଦ୍ଧ ଅଛି । ଚାଲିଥାଏ ଏମିତି ହିଂସା...ଶେଷ ହୁଏନି ।

 

ସ୍ଵାମିଜୀ ମଟରରେ ଚଢ଼ିଲେ । ଭକ୍ତମାନେ ବିଦାୟ ଦେବାକୁ ରାସ୍ତା ଉପରକୁ ଆସିଗଲେ । ହଠାତ୍ ତାଙ୍କର ମନେପଡ଼ିଲା, ସେ କୁକୁରୀ ଛୁଆଟି କେଉଁଠି ଆର୍ତ୍ତନାଦ କରୁଥିଲା । ଦେଖିବାକୁ ଇଚ୍ଛାହେଲା । ସମଗ୍ର ଭାଷଣବେଳେ ତାର ତୀବ୍ର ରବ ଅସହ୍ୟ ଥିଲା ।

 

କିନ୍ତୁ ଆଶ୍ଚର୍ଯ୍ୟ କଥା, କେଉଁଠି ସେମାନେ ଅଛନ୍ତି, ସ୍ଥାନ ନିରୂପଣ ହୋଇପାରିଲାନାହିଁ । ସମସ୍ତେ ଖୋଜିଲେ...ପାଇଲେ ନାହିଁ ।

 

ସ୍ଵାମୀ ପ୍ରିୟାନନ୍ଦ ତଦ୍‌ଗତ ହେଲେ । ମଟରକାରରୁ ଅବତରଣ କଲେ । ସର୍ବାଙ୍ଗ ଗୈରିକ ବସନ ଜଡ଼ିଥିବାରୁ କ୍ରୋଧ ସଂଜାତ ହେଲା ।

 

ଅସ୍ପଷ୍ଟ ଚନ୍ଦ୍ରାଲୋକରେ ମାଡ଼ି ଆସିଲେ କେଉଁଠୁ କେଜାଣି ଶ୍ଵାନବାହିନୀ....

 

ଚିତ୍କାର, ଆକ୍ରମଣ କରିବା ଉପରେ...

 

ପ୍ରିୟାନନ୍ଦ ସ୍ଥିର ରହିଗଲେ ।

 

ହସିଲେ...ଅମ୍ଳାନ ହସ ।

 

କହିଲେ–ବାଃ, କିଛି ଶାନ୍ତ ହୋଇନାହିଁ । ସର୍ବତ୍ର ଆର୍ତ୍ତନାଦ...ଏହାହିଁ ମଣିଷର ଭାଗ୍ୟଲିପି, ପଶୁର ଅଦୃଷ୍ଟ, ଜୀବମାତ୍ରକେ ଲଲାଟଲିଖନ । ଏହା ଚାଲିଥିବ ଯେପର୍ଯ୍ୟନ୍ତ ମଣିଷ ଆତ୍ମସତ୍ୟ ପାଇନାହିଁ ।

 

ସହସା ମୋର ନିଦ ଭାଙ୍ଗିଗଲା, ତାହା ସଙ୍ଗେ ସଙ୍ଗେ ରୁଦ୍ଧ ହୋଇଗଲା ସ୍ଵପ୍ନର ଦ୍ଵାର । ପ୍ରିୟାନନ୍ଦ ଅଦୃଶ୍ୟ ହୋଇଗଲେ ।

 

ଦେଖିଲି ନବବର୍ଷର ସ୍ଵର୍ଣ୍ଣଦୀପ୍ତ ସୂର୍ଯ୍ୟର ନବୀନ କିରଣ ଧାରା…

 

ଉପଚକିତ ଚାରିଆଡ଼େ...ଆର୍ତ୍ତ ଚିତ୍କାରର କ’ଣ ଶେଷ ନାହିଁ ? ଶଯ୍ୟାରେ ବସି ଚିନ୍ତାକଲି ।

Image

 

ଭକ୍ତନାମାବଳୀ ଖାତା

 

ଓଁ ପ୍ରକାଶ ନାରାୟଣ ମାରୱାରବାସୀ ହେଲେ ବି ଓଡ଼ିଶାକୁ ତାଙ୍କର ଦ୍ଵିତୀୟ ଜନ୍ମଭୂମି ଭାବରେ ଗ୍ରହଣ କରିନେଇଛନ୍ତି । ଆଜିର କଥା ନୁହେଁ, ତାଙ୍କର ପୂର୍ବପୁରୁଷମାନେ କେବେ ଆସି ଜଗନ୍ନାଥ ଧାମ ପରିକ୍ରମା କରି କଟକ ସହରରେ ବସତି କଲେ, କେହି କହିପାରିବେନାହିଁ ।

 

ସେ ବଂଶର ବ୍ୟବସାୟ ପୈତୃକ ଓ ପୁରାତନ ସତ, କିନ୍ତୁ ପ୍ରୌଢ଼ ଓଁ ପ୍ରକାଶ ନାରାୟଣ ଏହାକୁ ଏକମାତ୍ର ସମ୍ବଳକରି ଓଡ଼ିଶାର ପ୍ରଖ୍ୟାତ ହୋଇନାହାନ୍ତି, ସେ ଏ ରାଜ୍ୟର ଧର୍ମଚେତନା ଓ ସାଂସ୍କୃତିକ ଜାଗରଣ ସହିତ ନିଜକୁ ଓ ପରିବାରକୁ ମିଶାଇଦେଇଛନ୍ତି ।

 

ପ୍ରକାଶ ନାରାୟଣ ଏକପ୍ରକାର ସର୍ବଦା ଅସ୍ଥିର ବ୍ୟକ୍ତି । ବ୍ୟବସାୟ ବୁଝିବାକୁ ତାଙ୍କର ଏ ଅସ୍ଥିରତା ପ୍ରତିବନ୍ଧକ ସୃଷ୍ଟି କରେନାହିଁ । ଅନ୍ୟ ଲୋକ ଅଛନ୍ତି, ବ୍ୟବସାୟ ବୁଝନ୍ତି । ଓଁ ପ୍ରକାଶ କେବଳ ଧର୍ମ, ସଂସ୍କୃତି ଓ ସଭାସମିତି ଡାକିବା ଓ ସେ ବିଷୟରେ ତତ୍‍ପର ହେବାକୁ ଜୀବନରେ ବ୍ରତ ବୋଲି ଧରିନେଇଛନ୍ତି ।

 

ଲୋକଟି, ସୁନ୍ଦର ସୁଷ୍ଠୁ ରୂପର ବ୍ୟକ୍ତିତ୍ଵସମ୍ପନ୍ନ । ଅଧରରେ ହସ ଲାଗିରହିଥାଏ । ଅନ୍ୟ କେହି ପ୍ରଣାମ କରିବା ପୂର୍ବରୁ ସେ ଆଗନ୍ତୁକଙ୍କୁ ଦୁଇହାତ ଦୂରରୁ ଦେଖି ଏକପ୍ରକାର ଆତ୍ମ-ବିସ୍ତୃତ ଚିତ୍କାର କରନ୍ତି–‘ରାମ୍-ରାମ୍, ଓଁ ଶିବାୟଃ ନମଃ, ଭଜ ହରି ଗୌର...ନମସ୍କାର...ନମସ୍କାର...’

 

ଆଗନ୍ତୁକ ଆପ୍ୟାୟିତ ହୁଅନ୍ତି । ନ ହେବେ କିପରି ? ଲକ୍ଷପତି ଓଁ ପ୍ରକାଶ, ତାଙ୍କ ତୁଣ୍ଡରୁ ଯେତେବେଳେ ପ୍ରଣବ ଝଙ୍କାର ଝରିପଡ଼େ, ସେତେବେଳେ ବିଧର୍ମୀ ବ୍ୟକ୍ତି, ନାସ୍ତିକ ଲୋକ ବି ଈଶ୍ଵର ଚିନ୍ତନରେ ନିମଗ୍ନ ହୋଇ ପଡ଼ନ୍ତି । ଏପରିକି ଏଇ ‘ରାମ୍...ରାମ୍...ନମସ୍କାର’ ଟିକିକ ପାଇଁ ମନ୍ତ୍ରୀମାନଙ୍କର ଫିଆଟ୍ ଗାଡ଼ି, ଅଟକିଯାଏ ରାସ୍ତା କଡ଼ରେ । ଖସ୍ ଖସ୍ ଓହ୍ଲାଇ ପଡ଼ନ୍ତି ସେମାନେ । ଆଉ ଚାଲେ ଧାର୍ମିକ ଆଳାପ, ଯୋଜନାର ବିଚାର...କାହିଁ ଆଉ ସେକ୍ରେଟାରୀୟେଟ୍ ଆଡ଼େ ଆସୁନାହାନ୍ତି ବୋଲି । ଓଁ ପ୍ରକାଶ ପ୍ରତି ମନ୍ତ୍ରୀମାନଙ୍କର ଅଭିମାନ ଓ ଆଡ଼ରୁଷାର ଯେଉଁ ବାକ୍ୟାଳାପ ଚାଲେ, ତାହା ବାଟର ବାଟୋଇମାନଙ୍କ ପାଇଁ ଆମୋଦଦାୟକ ହୋଇଥାଏ ।

 

ସେତିକି ନୁହେଁ, ଜଗନ୍ନାଥ ଧାମକୁ ଆସି ସମୁଦ୍ର ତଟରେ ବିହାର କରି ପୁରୀ ନିବାସରେ ଗୃହ ରଚନା କରି ଦେବଦର୍ଶନ ତଥା ବଣଭୋଜିରେ ଆପ୍ୟାୟିତ ହେବାକୁ ପୁଣି କୋଣାର୍କର ପାଷାଣ ମିଥୁନ ମୂର୍ତ୍ତିଗୁଡ଼ିକର ଫଟୋ ନେବାପାଇଁ ଉତ୍ସୁକ ଭାରତବର୍ଷର ବିଭିନ୍ନ ରାଜ୍ୟ ଓ ପ୍ରାନ୍ତରୁ ଯେଉଁ ଅତିଥିମାନେ ଓଡ଼ିଶା ଆସିବାକୁ ମନ ବଳାନ୍ତି, ସେମାନଙ୍କର ସତ୍କାର ପାଇଁ ଓଁ ପ୍ରକାଶ ନାରାୟଣଙ୍କର ବହୁ ଏଜେଣ୍ଟ୍ ବର୍ଷସାରା ଆକୁମାରୀ ହିମାଚଳ କାର୍ଯ୍ୟରତ ଥାନ୍ତି । ତାହାର ଅର୍ଥ, ଏସବୁ ଉପଭୋଗ ପାଇଁ ଏକମାତ୍ର ସାର୍ଥକ ବ୍ୟକ୍ତି ହେଉଛନ୍ତି ଓଁ ପ୍ରକାଶ ନାରାୟଣ ଯିଏ ବମ୍ବେର ଇଣ୍ଡିଆ ଗେଟ୍ ସଦୃଶ । ତାଙ୍କରି ମାଧ୍ୟମରେ, ପାଖ ଦେଇ, ଅଭ୍ୟନ୍ତର ଦେଖିଆସି ପାରିଲେ ଯେକୌଣସି ବ୍ୟକ୍ତିର ଓଡ଼ିଶା ରହଣୀ ଏକ ସ୍ମାରକୀ ଭାବରେ ଚିରଜୀବନ ରହିଯାଏ ।

 

ଓଁ ପ୍ରକାଶ ନିଜ କାର ନିଜେ ଚଳାଇ ବଡ଼ ଉଦ୍‍ବିଗ୍ନ ଚିତ୍ତରେ ସେକ୍ରେଟାରିଏଟ୍ ଗେଟ୍ ପାଖରେ ଅଟକିଗଲେ । ଅବତରଣ କଲେ ଗାଡ଼ିଟିକୁ ପାର୍କିଂ କରିବାପରେ । ଜାପାନୀ କଣ୍ଢେଇର କଳ କବ୍ଜା ଭଳି ତାଙ୍କର ଯନ୍ତ୍ରଗୁଡ଼ିକ ସ୍ଵେଚ୍ଛାକୃତ କାମକରେ । ପ୍ରହରୀକୁ ଦୂରରୁ ଦେଖି ଓଁ ପ୍ରକାଶ ଅଭ୍ୟର୍ଥନା କଲେ-

 

‘ରାମ୍...ରାମ୍, ଓଁ ଶିବାୟ ନମଃ..ନମସ୍କାର ନମସ୍କାର ।’

 

ପ୍ରହରୀ କୃତ୍ୟକୃତ୍ୟ ହେଲା । ମନ୍ତ୍ରୀମାନଙ୍କର କରୁଣାରୁ ଓଁ ପ୍ରକାଶଙ୍କର ପରମାନେଣ୍ଟ ପାଶ୍ ରହିଛି । ଏ କଥା ପ୍ରହରୀମାନେ ଜାଣନ୍ତି, ରିସେପସନିଷ୍ଟ ଜାଣନ୍ତି, ଜାଣନ୍ତି ସର୍ବୈବ ଜନତା ସେକ୍ରେଟେରୀୟଟ୍‍ର ।

 

ସେ ପଶିଗଲେ ବ୍ୟସ୍ତ ବିଭ୍ରାନ୍ତ ହୋଇ ଜଣେ ମନ୍ତ୍ରୀଙ୍କ ଖାସ୍ କାମରାକୁ... । ‘ରାମ୍...ରାମ୍ ଓଁ ଶିବାୟ ନମଃ-ନମସ୍କାରଂ ନମସ୍କାରଂ’ର ଧ୍ୱନି ତରଙ୍ଗାୟିତ ହୋଇ ସେ କକ୍ଷଟିକୁ ଅପାର୍ଥିବ ଗୁଞ୍ଜନରେ ଗୁଞ୍ଜରିତ କଲା ।

 

ମନ୍ତ୍ରୀ ପଚାରିଲେ–ଓଁ ପ୍ରକାଶଜୀ...ଏଇଟା କେଉଁ ମାସ ମାନେ ସିଜିନ୍ ?

 

-ରାମ୍...ରାମ୍ ଆଜ୍ଞା, ଏଇଟା ଶୀତ ସମୟ...ପ୍ରଚୁର କୋବି ଓ ଆଳୁର ତାଜା ବଜାର ।

 

-ତେବେ ଏ ସିଜିନରେ ଭାରତବର୍ଷରୁ କି କି ପଦାର୍ଥ ବେଶି ଆମଦାନୀ ହୋଇ ଏ ରାଜ୍ୟକୁ ଆସେ ?

 

-ରାମ୍...ରାମ୍ ଆଜ୍ଞା ! ସାଧୁ, ସନ୍ଥ, ଭଗବତ ପ୍ରଚାରକ, ତ୍ରିନାଥ ମେଳାର ସାଧକ, ଏକଗୋଡ଼ିଆ ବାବା, ତ୍ରିନେତ୍ର ବାବାଜୀ, ବନଚାରୀ ତାନ୍ତ୍ରିକ, ଜନନୀ ସାଧିକା, ବାମାକ୍ଷେପାର ଦକ୍ଷିଣପ୍ରସ୍ତ, ମୁନୀମାନେ ଇତ୍ୟାଦି...ଇତ୍ୟାଦି...

 

ମନ୍ତ୍ରୀ ହସିଲେ–କହିଲେ ଓ ପ୍ରକାଶଜୀ ଆପଣଙ୍କୁ ପରୀକ୍ଷା କରୁଥିଲି..…ଶୀତ ମାସରେ ଆମଦାନୀ ରପ୍ତାନୀର ହିସାବ ଆପଣଙ୍କ ପାଖରେ ଅଛି କି ନାହିଁ । ଦେଖିଲି, ଅଛି । ବଡ଼ ବିଚିତ୍ର ଭାବରେ ଅଛି । ଦେଖ ଶରତ୍ ପଡ଼ିଗଲାଣି, ଗୋରୁ ଖାଇବା ପର୍ଯ୍ୟନ୍ତ କୋବିପତ୍ର ଓ ଫଳକୁ ଯେଉଁମାନେ ଅପେକ୍ଷା କରିବେ, ସେମାନେ ହେଲେ ଦାରିଦ୍ର୍ୟର ସୀମାରେଖା ତଳର ଲୋକଗୁଡ଼ାକ, କିଣିବାର ଶକ୍ତି ନାହିଁ । ଗୋରୁ କୋବିର ଫଳେ ଅଂଶକୁ ଟାଣୁଥିବାବେଳେ ଅନ୍ୟ ଫାଳକ ଏମାନେ ଟାଣିବେ । ସେ ଚିତ୍ର ଆମେରିକା ଫଟୋ ଉଠାଇ ବିକ୍ରି କରୁଛି ତାଙ୍କ ବଜାରରେ ।

 

କୁକୁରର ଦାନ୍ତନିକୁଟା ଭୁକିବା ସହିତ ମଣିଷ ପିଲାର ସଂଗ୍ରାମ ପଚା ମହାର୍ଦ ଉପରେ ଝିଙ୍କାଝିଙ୍କି ଫଟୋ ତ ବ୍ରିଟିଶ ବଜାରରେ ବିକ୍ରି ଚାଲିଛି । ସେଗୁଡ଼ାକ ଆମର ଧ୍ୟେୟ ନୁହେଁ । ଦେବୋତ୍ତର ବିଭାଗର ଦାୟିତ୍ଵ ନେଇ ମୁଁ ଚାହେଁ କିପରି ଶୀଘ୍ର ଶୀଘ୍ର ଦାରିଦ୍ର୍ୟର ସୀମାରେଖା ତଳେ ଥିବା ହଜାର ହଜାର ଲକ୍ଷ ଲକ୍ଷ ଲୋକଙ୍କ ମନରେ ଧାର୍ମଭାବ ଉଦିତ ହେବ, ଯାହା ଫଳରେ ସେମାନେ ବୁଝିବେ ଅଦୃଷ୍ଟ ଦୋଷରୁ ଅବା ପୂର୍ବଜନ୍ମର ଦୁଷ୍କୃତ ପାପରୁ ଆଜି ସେମାନେ ଓଡ଼ିଶା ଭୂଇଁରେ କୁକୁର, ମାଙ୍କଡ଼, ଗୋରୁ ସହିତ ଲଢ଼େଇ କରୁଛନ୍ତି । ଥରେ ଏ ଧାରଣା ବଦ୍ଧମୂଳ ହୋଇଗଲେ, ସେମାନେ ଶାସନକୁ ବିରକ୍ତ କରିବେନାହିଁ କି ଦରଖାସ୍ତ ଦେଇ ତାଙ୍କୁ ଦାରିଦ୍ର୍ୟର ସୀମାରେଖା ତଳୁ ଅସୀମତ ଆଡ଼କୁ ଝିଙ୍କି ଉଠାଇବାକୁ ଆମମାନଙ୍କୁ ହଇରାଣ କରିବେନାହିଁ । ବୁଝିଲେ ତ ?

 

ଆମ୍ଭେ ବୁଝିଗଲୁ...ରାମ୍...ରାମ୍...ଏତିକି ବୁଝିବୁନାହିଁ ? ତେବେ ଆପଣଙ୍କର ଏ ଉଦ୍ଦୀପନାମୟ ଭାଷଣର ଏତିକି ସାରାଂଶ ହେଲା ଯେ ଆମ୍ଭେ ଶୀଘ୍ର ଗୋଟାଏ ଧର୍ମସଭା ଆୟୋଜନ କରିବୁ ଯେଉଁଥିରେ ଯଜ୍ଞ ଆହୁତିରେ ଲକ୍ଷେ ଟଙ୍କା ଖର୍ଚ୍ଚ ହେବ ଏବଂ ଜଣେ ମହାପୁରୁଷ ଧରନ୍ତୁ ବିଶ୍ଵାନନ୍ଦ, ଗ୍ରାମାନନ୍ଦ, ସପୁରାନନ୍ଦ ବା ପର୍ବତ ଗିରି-ନଦୀ...ଗିରି କି ସମୁଦ୍ରାନନ୍ଦଙ୍କୁ ଆଣି ପ୍ରବଚନ ଶୁଣାଇବୁ । ହବ, ସବୁ ହବ । କେବଳ ଆପଣଙ୍କର କୃପାଦୃଷ୍ଟି ରହିଲେ ହେଲା । ବ୍ୟବସାୟ ତ ମାନ୍ଦା ଚାଲିଛି, ପୁଣି ମୋ ବ୍ୟବସାୟ ଆହୁରି ମାନ୍ଦା । କାରଣ ମୁଁ ଆପଣମାନଙ୍କ ସେବାରେ ରହି ଜାତିର ପୁଣ୍ୟ ସଞ୍ଚୟ ଉଦ୍ଦେଶ୍ୟରେ ବାରମାସରେ ତେର ଧର୍ମାନୁଷ୍ଠାନ କରୁଛି । କାହିଁକି ? ମୋର ବିଶ୍ଵାସର ଦାରିଦ୍ର୍ୟ ସୀମାରେଖା ତଳେ ପଡ଼ିଥିବା ଜନଗଣଙ୍କୁ ଧର୍ମାମୃତ ଚଖାଇବା ପାଇଁ । ତେବେ ବିଦାୟ ଦିଅନ୍ତୁ । ଦେଖିବେ ପନ୍ଦର ଦିନ ମଧ୍ୟରେ ସ୍ଵାମୀଜିଙ୍କର ଆଗମନ ଓ ପ୍ରବଚନରେ ସହର ବିକମ୍ପିତ ହେବ । ଏତିକି କହି ଓମ ପ୍ରକାଶ ଆଉ ଥରେ ରାମ୍ ରାମ୍ ଉଚ୍ଚାରଣ କଲେ । ମନ୍ତ୍ରୀ ଟିକିଏ ଭାବିଲେ–କହିଲେ–ଏଥର ଗୋଟାଏ ରେଜିଷ୍ଟର ରଖ ଯଜ୍ଞଶାଳାରେ । ଭକ୍ତମାନେ ସେ ଖାତାରେ ନାମ, ପିତାଙ୍କ ନାମ, ଗ୍ରାମ, ପୋଷ୍ଟ ଅଫିସ, ଜିଲ୍ଲା ଇତ୍ୟାଦି ଲେଖିଦେବେ । କାରଣ ନିର୍ବାଚନ ସମୟରେ ହାତ ବଢ଼ାଇଲାବେଳକୁ ଲକ୍ଷାଧିକ ଲୋକଙ୍କର ଠିକଣା ଆମକୁ ଜଣାଥିବ । ସୁବିଧା କଣ ଏଥିରୁ ଉତ୍ପନ୍ନ ହେବ, ତୁମେ ତ ବୁଝିପାରୁଥିବ-

 

ଓଁ ପ୍ରକାଶ ନାରାୟଣ ତିନିବାର ରାମ୍ ରାମ୍ କହି ଅନ୍ତର୍ହିତ ହୋଇଗଲେ ଶୀତତାପ ନିୟନ୍ତ୍ରିତ କକ୍ଷ ଭିତରୁ...

 

ବର୍ତ୍ତମାନ ତାଙ୍କ ଆଗରେ ଉଜ୍ଜ୍ଵଳା ପୃଥିବୀ । ଗୋଟାଏ କରିବାର କାମ ଜୁଟିଗଲା । ସେ ତୃପ୍ତହୋଇ ଇଣ୍ଟରଭିଉଟା ଯେ ଚମତ୍କାର ହେଲା, ଭାବି ଗାଡ଼ି ଚଳାଇ ଆଣି ନିଜ ତ୍ରିତଳ ପ୍ରସାଦ ମୁହଁ ଆଗରେ ପାର୍କିଂ କରିଥିଲେ ।

 

॥ ୨ ॥

 

ଜଣ ଜଣ କରି ଭକ୍ତ ସଭା ଆରମ୍ଭ ପୂର୍ବରୁ ନିର୍ଦ୍ଦିଷ୍ଟ ରେଜିଷ୍ଟ୍ରି ଖାତାରେ ନାମ ଦସ୍ତଖତ କରି ସ୍ଵାମୀ ବିଶ୍ଵାନନ୍ଦ ପରମହଂସଙ୍କ ଚରଣସ୍ପର୍ଶ କରୁଥିଲେ, ତା’ପରେ ଆସନ ଗ୍ରହଣ କରୁଥିଲେ । ଓଁ ପ୍ରକାଶ ନାରାୟଣଙ୍କର ତନ୍ମୟ ଓ ତଦ୍‍ଗତ ଅବସ୍ଥା ଦେଖି ଲୋକେ ଅବାକ୍ ହୋଇଗଲେ ।

 

ସ୍ଵାମୀ ବିଶ୍ଵାନନ୍ଦ ପ୍ରବଚନ ଆରମ୍ଭ କରି କହିଲ–ଭକ୍ତଗଣ, କାହିଁକି ଆପଣମାନେ ଏତେ ସଂଖ୍ୟାରେ ପ୍ରତି ସନ୍ଧ୍ୟାରେ ମୋ କଥା ଶୁଣିବାକୁ ଆସୁଛନ୍ତି, ମୁଁ କହିପାରିବି ନାହିଁ । ମୁଁ ଆସିଛି କେବଳ ଭଗବାନଙ୍କର ନାମ ନେବାପାଇଁ ଓ ସେହି ନାମ ମାହାତ୍ମ୍ୟ ସମସ୍ତଙ୍କୁ ଶୁଣାଇବା ପାଇଁ ।

 

ପୁଣି ସେ କହିଲେ–କେହି କେହି ପ୍ରଶ୍ନ କରୁଛନ୍ତି ମୁଁ କାହିଁକି ଏରୋପ୍ଳେନ୍‍ରେ ଭାରତ ସାରା ବୁଲୁଛି, ମୁଁ କାହିଁକି ବଡ଼ ବଡ଼ ହୋଟେଲରେ ରହୁଛି, ମୁଁ କାହିଁକି ରାଜା ମହାରାଜା, ମନ୍ତ୍ରୀ, ରାଜ୍ୟପାଳ, ଶିଳ୍ପପତିଙ୍କର ଆତିଥ୍ୟ ଗ୍ରହଣ କରୁଛି, ଅଥଚ ଲକ୍ଷ ଲକ୍ଷ ଗରିବ ପାଦ ଛଡ଼ା କୌଣସି ଯାନରେ ଏଯାଏ ଯାଇନାହାନ୍ତି । ଏସବୁ ପ୍ରଶ୍ନ ମୋତେ ବାଧୁଛି, ଏହାର ଉତ୍ତର ସେହିମାନେ ଦେଇପାରିବେ, ଯେଉଁମାନେ ଆମମାନଙ୍କ ଭଳି ସନ୍ନ୍ୟାସୀଙ୍କୁ ଆଗରେ ଥୋଇ, ଆମମାନଙ୍କୁ ବାଦସାହୀ ଖାନା ଦେଇ ଅବଶ୍ୟ ନିରାମିଷ, ପ୍ଲେନ୍‍ରେ ଉଡ଼ାଇ ସଭା ସମିତି ପ୍ରଚାର ପତ୍ରରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି । ଏଇ ଦେଖନ୍ତୁନା ଓଁ ପ୍ରକାଶ ନାରାୟଣ କି ଚମତ୍କାର ଭାବରେ ମୋର ସ୍ଵାଗତ ପାଇଁ ଆୟୋଜନ କରୁଛନ୍ତି ।

 

ରଙ୍ଗମଞ୍ଚରେ ଆଲୋକ ଜଳୁଛି । କୋଡ଼ିଏଟା ମାଇକ୍ ମୋର ଭାଷଣକୁ ସହରର ସବୁ ପ୍ରାନ୍ତକୁ ଘେନିଯାଉଛି । ଭାଷଣ ପରେ ସଂସ୍କୃତିକ କାର୍ଯ୍ୟ ରହିଛି, ତାହାର ବି ଖର୍ଚ୍ଚ ଅଛି ।

 

ପରମହଂସ ପୁଣି କହିଲେ–ମୁଁ ଯେଉଁ ଜନତାକୁ ଏଠାରେ ଦେଖୁଛି, ଏହା କଅଣ ନିର୍ମଳ ଜନତା ? ଏମାନେ କଅଣ ସଂକଳ୍ପ କରି ମତେ କହିପାରିବେ ଯେ ମୋର ଭାଷଣ ଶୁଣି ସେମାନଙ୍କର ଅନ୍ତର ଭଗବତ୍ ବିଶ୍ଵାସରେ ପୂର୍ଣ୍ଣ ହୋଇଯିବ କିମ୍ବା ଏଣିକି ତାଙ୍କ ଜୀବନରେ କେବଳ ଆଧ୍ୟାତ୍ମିକ ଚିନ୍ତା ଛଡ଼ା ବୈଷୟିକ ଭାବ ରହିବନାହିଁ ?

 

ମୋର ଗୋଟିଏ ବାକ୍ୟ ଶୁଣନ୍ତୁ–କ୍ରୋଧ, ମୋହ, ଗର୍ବ ଓ ଅହିଷ୍ଣୁତା ଆଦି କୁପ୍ରବୃତ୍ତିଗୁଡ଼ିକୁ ମନରେ ସ୍ଥାନ ଦିଅନ୍ତୁନାହିଁ । ଦେଲେ ଆପଣମାନେ ବିପଥକୁ ଚାଲିଯିବେ । ଏହି କୁପ୍ରବୃତ୍ତି ପରିହାର କରି ମନକୁ ନିର୍ମଳ ତଥା ସତ୍‌ଚିନ୍ତାରେ ମଗ୍ନ କରିପାରିଲେ ବ୍ୟକ୍ତିତ୍ଵର ପୂର୍ଣ୍ଣାଙ୍ଗ ବିକାଶ ସାଧିତ ହେବ ।

 

ପୁଣି ଦେଖନ୍ତୁ ଏଇ ଐତିହାସିକ କଟକ ସହର ଅବା ପୁଣ୍ୟକ୍ଷେତ୍ର ପୁରୀଧାମ ଯୁଗ ଯୁଗ ଧରି ସନ୍ଥ ସନ୍ନ୍ୟାସୀମାନଙ୍କର ପ୍ରବଚନ ଶୁଣି ଆସିଛି । ମତେ କୁହନ୍ତୁ ଶ୍ରୋତୃଜନତାର କେତେ ଭାଗ ଏସବୁ ଶୁଣି ପରମାର୍ଥୀ ହୋଇ ପାରିଛନ୍ତି ?

 

ଓଁ ପ୍ରକାଶ ନାରାୟଣ ଯିଏ କି ଆଜିର ଆୟୋଜନରେ ସିଦ୍ଧହସ୍ତ ଓ ମୁକ୍ତହସ୍ତ ସେ କହିପାରିବେ କି ସେ କେତେ ନିର୍ମଳ ? ଯଦି ନୁହନ୍ତି ତେବେ କହିବାକୁ ହେବ ପାରାୟଣ ପ୍ରବଚନ ସବୁ ଉପରକୁ ଉଡ଼ିଯାଇଛି । କିଛି ରହୁନାହିଁ, କାହାକୁ ସ୍ପର୍ଶ କରୁନାହିଁ ।

 

ପ୍ରବଚନ ଶେଷହେଲା । ପରମହଂସଙ୍କର ବାଣୀ ଯେ ଏମିତି ଅଡ଼ୁଆ ଅସଫା ହୋଇଯିବ, ଓଁପ୍ରକାଶ ଜାଣି ନ ଥିଲେ । ମନଟା ତାଙ୍କର ଖରାପ ହୋଇଗଲା । ମନେ ମନେ ପ୍ରତିଜ୍ଞା କଲେ ଆଉ ସେ ଗୋଡ଼ ପୂରାଇବେନାହିଁ ଏ ସବୁ ଧର୍ମ ସଭା ଆଡ଼େ । ନିଜ ବ୍ୟବସାୟ ବୁଝିଲେ, ତାହା ବଢ଼ିବ । ଲକ୍ଷ୍ମୀ ଘରକୁ ଆସିବେ ।

 

ବର୍ଷେ ବିତିଯାଇଛି । ସ୍ଵାମୀ ବିଶ୍ଵାନନ୍ଦଙ୍କ ପରେ ଶୁଦ୍ଧାନନ୍ଦ ଆସିଛନ୍ତି । ଲୁଗା ମଇଳା ହେଲେ ପୁଣି ତାହା ସାଫାହୋଇ ରଜକ ଘରୁ ଆସେ, ସେହିପରି ମନର ମଇଳା ହୁଏତ କିଛି ବିଶ୍ଵାନନ୍ଦ ସ୍ଵାମୀ ଧୋଇ ଦେଇଥିଲେ । ମାତ୍ର ଶୁଦ୍ଧାନନ୍ଦ ଆସିବା ପୂର୍ବରୁ ତାହା ଯେଉଁ ମଇଳାକୁ ସେହି ମଇଳା । ଆସିଲେ ଅସୀମାନନ୍ଦ, ସେ ବି ଗୀତା ଯଜ୍ଞ, ଭାଗବତାଧିଷ୍ଠାନ କଲେ । କିଛି ଅସାରତା ପୋଛିଲେ, ମାତ୍ର ଗମ୍ଭୀରାନନ୍ଦ ଆସିବା ବେଳକୁ ମନ ଓ ହୃଦୟରେ ପୁଣି ଜମିଗଲା କେତେ ମଇଳା । ଶେଷକୁ ଆଉ ସଭା ହୋଇପାରିଲାନାହିଁ ।

 

ବର୍ଷ ବର୍ଷ ଏହିପରି ବିତିଗଲା । ଯେତେ ସଂଖ୍ୟାରେ ସନ୍ନ୍ୟାସୀ ପ୍ରବଚନ ଦାତା, ତ୍ରିଦଣ୍ଡ ସ୍ଵାମିଗଣ ସହରକୁ ଆସିଲେ, ସେତିକି ସର୍କସ ଖେଳ ଦେଖିବା ଭଳି ଆଗ୍ରହ ନେଇ ଲୋକେ ବିନା ଟିକଟରେ ରଙ୍ଗ ରହସ୍ୟ ଦେଖିବାକୁ ଆସିଲେ ।

 

ଜଣେ ଶ୍ରୋତା କହିବାର ଶୁଣାଗଲା–ଏ ଗମ୍ଭୀରାନନ୍ଦ ଯାହା କହିଲେ, ଗୃହସ୍ଥ୍ୟ ହୋଇ ଆମ ସାର୍ ତ ତାଙ୍କ ଭାଷଣରେ ଏଇଆ କହିଥାନ୍ତି; ମାତ୍ର ଏଠାରେ କେହି ବୁଝନ୍ତୁ ବା ନବୁଝନ୍ତୁ ଏମିତି ‘ହାୟ ହାୟ ଓଃ...ଓଃ କି ଅମୃତ’ ଏମିତି କାହିଁକି କହୁଛନ୍ତି ? ଲୋକ ଦେଖାଣିଆ ନୁହଁ କି ?

 

ପଡ଼ୋଶୀ ଶ୍ରୋତା ଜଣଙ୍କ ଉତ୍ତର ଦେଲେ–ସାର୍‍ଙ୍କ ଭାଷଣ ଶୁଣିଛି । ବରଂ ମୁଁ କହିବି ସେ ଯେଉଁ ଆନ୍ତରିକତା ଓ ନିଷ୍ଠାର କଥା କୁହନ୍ତି, ସେଥିରୁ ଅଂଶ ମାତ୍ର ଏମାନଙ୍କର ନାହିଁ । ତଥାପି ଏମାନଙ୍କ ଗୋଡ଼ତଳେ ଯେ ଭକ୍ତମାନେ ପଡ଼ିଯାଉଛନ୍ତି ତାର କାରଣ...

 

ଅନ୍ୟ ଜଣକ ପଚାରିଲେ କାରଣ ? ପ୍ରଥମ ବ୍ୟକ୍ତି ଉତ୍ତରଦେଲେ-କାରଣ ହେଉଛି ଏମାନଙ୍କର ବେଶ, ବାଗ୍ମିତା ଓ ବୈଭବ । ବେଶର ଗୋଟିଏ ଆକର୍ଷଣ ଅଛି, ଆପାଦମସ୍ତକ ଲାଲ ଆଖି ଖୋଲା କପାଳରେ ଚନ୍ଦନର ଜମାଟ ପ୍ରଲେପ ଭିତରେ ଧଳାରଙ୍ଗର ତ୍ରିଭୁଜ ଅଙ୍କନ, ସେମିତି କେତେପ୍ରକାର ଚିତ୍ର ସଙ୍ଗଠନ...ଏଇଗୁଡ଼ାକ ସାମାନ୍ୟ ଚେତନା ବିଶିଷ୍ଟ ଲୋକଙ୍କୁ ସାମୟିକ ମୁହ୍ୟମାନ କରିଦିଏ । ମାତ୍ର ଆଚରଣରେ କି ଚେତନାରେ କିଛି ପରିବର୍ତ୍ତନ ହୁଏନାହିଁ ଏମାନଙ୍କର ।

 

ଦୃଶ୍ୟ ପରିଦର୍ଶନ ହୋଇଯାଇଛି । କଟକ ଲାଲବାଗ ଥାନାରେ ଯେଉଁ ସାମଗ୍ରୀଟି ଯୋଗୁଁ ରାଜ୍ୟର ଗୋଟାଏ ବଡ଼ ଖୁଣି, ଡକାଏତ୍ ଓ କେତୁଟା ଚୋରୀ ମାମଲାର ସୂତ୍ର ମିଳିଲା, ସେ ପଦାର୍ଥଟି ଅତିବାଞ୍ଛିତ ହୋଇ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଥିଲା । ସେ ଆଉ କିଛି ନୁହେଁ, ଗୋଟିଏ ରେଜିଷ୍ଟର ଖାତା । ଏହି ଖାତାରେ ଦସ୍ତଖତ୍ କଲାବେଳେ କେହି ଜାଣି ନ ଥିଲେ ଯେ ଅପରାଧୀମାନେ ସେଠାରେ ଛାଡ଼ିଯାଇଛନ୍ତି ସେମାନଙ୍କ ଆଙ୍ଗୁଳିର ସ୍ପଷ୍ଟ ଚିହ୍ନ । କୁକ୍‌କୁରୀ ‘ହୀରା’ ଏଇସବୁ ସଂକେତକୁ ଆଘ୍ରାଣ କରି ଭକ୍ତମାନଙ୍କର ବିଶ୍ୱାନନ୍ଦ ପ୍ରେମକୁ ସାବ୍ୟସ୍ତ କରିଦେଲା ।

 

ପ୍ରଥମ ଅପରାଧୀ ଓଁ ପ୍ରକାଶ ନାରାୟଣ ନିଜେ ଯାହାଙ୍କର ପ୍ରରୋଚନାରେ ତାଙ୍କ ଭ୍ରାତୃବନ୍ଧୁଙ୍କୁ ହତ୍ୟା କରାଯାଇଛି, ଭକ୍ତଶିରୋମଣି ଡାକ୍ତର ରସିକବିହରୀ ପଟ୍ଟନାୟକ ବର୍ତ୍ତମାନ ଜେଲ୍ ଫାଟକ ସେପଟରେ । ତାରିଖ ଗଡ଼ିଯିବା ପରେ ବି ଔଷଧ ବିକ୍ରୟ ଓ ପ୍ରତିଷ୍ଠିତ ଡାକ୍ତରଖାନାରୁ ତାଙ୍କ କ୍ଲିନିକକୁ ଔଷଧ ଚୋରା ଚାଲାଣ ଅପରାଧରେ ତାଙ୍କର କାରଗାର ବାସ ।

 

ଅତିବଡ଼ି ବୈଷ୍ଣବ ମହାମାତୀ ନୀରୋଦ ଆଚାର୍ଯ୍ୟଙ୍କ “ବାର୍ତ୍ତଟ୍ ସୋ” ହୋଟେଲର ରୁଦ୍ଧ ୧୭ ନମ୍ବର କକ୍ଷରେ ଶାରଦା, ନର୍ମଦା ଓ ବନମାଳତୀ ତରୁଣୀଙ୍କର ଦେହ ଦାନରୁ ଅର୍ଥ ଅର୍ଜନ । ଏହି ମହାଜ୍ଞାନୀ ବୈଷ୍ଣବ ପୁଙ୍ଗବଙ୍କୁ ଗଦ୍ ଗଦ୍ ହୋଇ କେବଳ ହଜାରେ ଟଙ୍କାର ଫୁଲମାଳରେ ସାତରାତ୍ରି ମହୋତ୍ସବରେ ସନ୍ନ୍ୟାସୀମାନଙ୍କର ଗଳାଦେଶ ମଣ୍ଡନ କରୁଥିଲେ ।

 

ଆଉ କୁମାରୀ ପାର୍ବତୀ ପ୍ରତି ସନ୍ଧ୍ୟାରେ ଉଦ୍‌ବୋଧନ ସଙ୍ଗୀତ ଗାଇ ଗାଇ ଯେତେବେଳେ କ୍ଳାନ୍ତି ବରଣ କରିଥିଲେ, ଆଖି ତାଙ୍କର ବୁଜି ହୋଇ ଆସୁଥିଲା, ତାଙ୍କୁ ଜିପ୍‌ରେ ଟେକି ନେଇ ଯେଉଁ ଭକ୍ତଚୂଡ଼ାମଣି ମହେଶ୍ୱର ବାରିକ ମଦ ବ୍ୟବସାୟୀ ବାବାଙ୍କର ଚରଣାଶ୍ରିତ ‘ବନ୍ଦେ ପୁରୁଷୋତ୍ତମ’ ଗାୟିକ ପାର୍ବତୀର ସର୍ବନାଶ କରିଥିଲେ, ସେ ବି ଯାବଜ୍ଜୀବନ କାରାବାସରେ ରହିଗଲେ ଜାଗ୍ରତ ପୃଥିବୀର ଦୂରରେ ।

 

“ଭକ୍ତର ଆସନ ତଳେ ମାଟିର ଶକ୍ତି ଯଦି ଏଇଆ ଜନ୍ମଦିଏ, ତେବେ ସେ ମାଟିକୁ ଶତକୋଟି ନମସ୍କାର” ଏତିକି କହି ଲାଲବାଗ ଥାନାର ଯେ ଇନିସ୍‌ପେକ୍‌ଟର ଇନ୍ଦ୍ରଜିତ୍ ମିଶ୍ର କେତେଗୁଡ଼ାଏ ବଡ଼ ଧରଣର ଅପରାଧୀଙ୍କୁ ଯେ ଆଲୋକକୁ ଆଣିପାରିଛନ୍ତି, ଭାବି ସ୍ଵସ୍ତିରେ ନିଃଶ୍ୱାସ ମାରିଲେ ।

 

“-କିନ୍ତୁ” ଅପର ଇନିସ୍‍ପେକଟର ପ୍ରବଣ ମୁଖାର୍ଜି କହିଲେ, “କିନ୍ତୁ ଧର୍ମସଭା ଭକ୍ତନାମାବଳୀ ରେଜିଷ୍ଟରରୁ ଯେ କୁଖ୍ୟାତ ଦାଗୀ, କଳାବଜାରୀ, ହତ୍ୟାକାରୀ ଓ ଅସାମାଜିକ ପାଷଣ୍ଡଙ୍କର ସନ୍ଧାନ ମିଳିବ, ଏକଥା କେହି କଅଣ ବିଶ୍ୱାସ କରୁଥିଲା ? ଧର୍ମ ଓ ଅପରାଧ କେହି କାହାକୁ ଊଣା ନୁହନ୍ତି ।

 

ଫାଟକ ସେପଟେ କାରାଗାରର ଏକ ନିଭୃତ କକ୍ଷରେ ଶୁଣାଯାଇଥିଲା, ପରିଚିତ କଣ୍ଠର ସେହି ସ୍ଵର “ରାମ୍ ରାମ୍, ଓଁ ଶିବାୟ ନମଃ, ନମସ୍କାର…ନମସ୍କାର ।” ଏହା ନ ଥିଲା ଭଲ ମଣିଷର ମର୍ମାନ୍ତକ ଶବ୍ଦ । କେହି ଏ ଶବ୍ଦ ଶୁଣି କୃତକୃତ୍ୟ ହେଉ ନଥିଲେ ସେତେବେଳେ । ଆହା ! ତାହା ପାଷାଣ ପ୍ରାଚୀର ଭେଦକରି ଦୂରକୁ ଯାଇପାରୁନଥିଲା । ସେହି ଚତୁର୍ଦ୍ଦିଗ ପ୍ରାଚୀର-ଘେରା କକ୍ଷଭିତରେ ରାମ୍ ରାମ୍ ଶବ୍ଦ ଘୂରିବୁଲୁଥିଲା ।

 

ଏହି ନାମକୀର୍ତ୍ତନ କଅଣ ଯଥାର୍ଥ ମୁକ୍ତି ଦେବନାହିଁ ?

Image

 

Unknown

ମାର୍ଗ-ବନ୍ଧନୀ

 

ଏରାକା ଫ୍ରାଙ୍କ୍‌ଠାରୁ ଯେତେବେଳେ ଏଆର୍ ମେଲ୍ ଇନ୍‌ଲ୍ୟାଣ୍ଡ ଚିଠିଟି ପାଇ ପଢ଼ିଲି ମୁଁ ଏକପ୍ରକାର ସ୍ତମ୍ଭୀଭୂତ ହୋଇଗଲି ।

 

ଚିଠିଟି ଆସିଛି ୧୩୧, ଦି’ ଗ୍ରୁଭ ଏଲିଣ୍ଡ୍, ଲଣ୍ଡନ ଠିକଣାରୁ । ଗୋଲ ଗୋଲ ମଧୁର ସୁନ୍ଦର ଇଂରାଜୀ ଅକ୍ଷର । ପରିଷ୍କାର ଲେଖା ।

 

ମୋ ନାମ ଧରି ସମ୍ଭାଷଣ ଜଣାଇଛନ୍ତି କୁମାରୀ ଏରାକା ଫ୍ରାଙ୍କ୍ ।

 

ମୋର ସ୍ତବ୍‌ଧ ହୋଇଯିବାର କାରଣ, ମୋର ପରିଚୟ ଓ ବଂଶାବଳୀ ଏବଂ କୁମାରୀ ଫ୍ରାଙ୍କ୍‌ର ଲଣ୍ଡନ ସହରରୁ ମୋ ଜାତିର ଦେବତାକୁ ଜାଣିବା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ ।

 

ଲଣ୍ଡନରେ ପ୍ରଚୁର ମିଳୁଛି ମାଂସ, ରୁଟି । ଶରୀରକୁ ରକ୍ଷା ଓ ସୁନ୍ଦର ତଥା ଲାବଣ୍ୟମୟ କରିବାକୁ ଲଣ୍ଡନ ସହରରେ ପୁଷ୍ଟିକର ଖାଦ୍ୟର ଅଭାବ ନାହିଁ । ମଣିଷକୁ ଆରାମରେ ରଖିବାପାଇଁ ଯନ୍ତ୍ରରୁ ଉତ୍‌ପନ୍ନ ସାମଗ୍ରୀରେ ପୂର୍ଣ୍ଣ ହୋଇ ରହିଛି ସହର ବଜାର । ଯଦି କିଏ ଆଳସ୍ୟକୁ ବାଛି ନେଇ ବିଳାସରେ ମଜ୍ଜି ରହେ, ସେଥିପାଇଁ ସେଠାରେ ଉପାଦେୟ ବ୍ୟବସ୍ଥା ରହିଛି । ଯଦି କେହି କର୍ମଯୋଗର ଯୋଗୀ ହୋଇଯାଏ, ସେଥିପାଇଁ କୋଇଲା ଖଣି ରହିଛି ଓ ରହିଛି ବାସନକୁସନ ମାଜି ପ୍ଲେଟ ଗିନାକୁ ସଫାକରି ହୋଟେଲକୁ ରୁଚିସମ୍ପନ୍ନ କରିବାପାଇଁ । ସବୁ ସେଠାରେ ଅଛି ।

 

ମୋର ଗର୍ବ ଯେ ମୁଁ ଓଡ଼ିଶାରେ ଜନ୍ମନେଇଛି; ତତୋଽଧିକ ଅହମିକାଗ୍ରସ୍ତ ଯେ ମୁଁ କାଳକାଳଧରି କେଉଁ ଅନାଦି ସମୟରୁ ବହୁ ଧର୍ମଗୁରୁଙ୍କ ଚରଣରେଣୁପୂତ ବଡ଼ଦାଣ୍ଡ ଉପରେ ଚଳପ୍ରଚଳ କରୁଛି । କାରଣ ଜାଣିଛି ଶାସ୍ତ୍ର କହେ ଯେ ଯିଏ ଶ୍ରୀକ୍ଷେତ୍ର ପୁରୀ ଧାମରେ ଜନ୍ମନେଇ ଦେହଧାରଣ କରେ, ତା’ର ଅନିଚ୍ଛା ସତ୍ତ୍ୱେ ବି ଅମରଧାମକୁ ଯିବାପାଇଁ ପଥ ସୁଗମ ହୋଇଥାଏ ।

 

ଶୀତଋତୁର ଅପରାହ୍‌ଣ । କନକ କିରଣରେ ଦିଗନ୍ତ ଉଦ୍‌ଭାସିତ ହୋଇ ଉଠିଛି । ସୂର୍ଯ୍ୟ ଢଳଢ଼ଳ । ବାହୁଡ଼ିଯିବେ ବୋଲି ରଙ୍ଗମୟ ବିଚିତ୍ର ରଥ ରଜ୍ଜୁ ଟାଣି ସ୍ଵୟଂ ସାରଥୀ ସାଜିଛନ୍ତି ସବିତା-

 

ପରମ ଆକର୍ଷଣୀୟ ଏହି ସ୍ଵର୍ଣ୍ଣ ପ୍ରହରରେ ମୋର ମତି ଧୃତି କ୍ରମେ ଅବୋଧ ହୋଇଉଠୁଛି । ବିଶ୍ଵଲୀଳାର ଏ ଅଦ୍ଭୁତ ଉପଭୋଗକୁ ହୃଦୟର କେଉଁ ନିଭୃତ କକ୍ଷରେ ସଂପାଦି ରଖିବି ଭାବି ଆନମନା ହୋଇଗଲାବେଳେ ଦେଖିଲି, ହଠାତ୍ ଜଣେ ସୌମ୍ୟ ଶ୍ୱେତାଙ୍ଗ ପୁରୁଷ ରିକ୍‌ସାରୁ ଅବତରଣ କରି ହାତରେ କାମେରା, କାନ୍ଧରେ ଗୋଟାଏ ବ୍ୟାଗ୍, ମୁହଁରେ ସ୍ଵର୍ଗସୁଷମାର ହସଲହରୀ ଖେଳାଇ ମୋ ପାଖରେ ମୁଣ୍ଡ ତଳକୁ କରି ଉଚ୍ଚାରଣକଲେ-

 

“ନ-ମ-ସ୍ତେ…ଆପଣ ମହାନ୍ତି ?” ତେଣିକି ଇଂରେଜୀରେ କଥାଭାଷା ।

 

ମୁଁ ଆସନ ଦେଖାଇଦେଲି । ଆସିବା ଆଗରୁ ସେ ସବୁ ଜିନିଷ ତଳେ ଥୋଇଦେଇ ଯୋତା କାଢ଼ି ଦେଇଥିଲେ ।

 

ହଠାତ୍ ତାଙ୍କର ହସ ନିଷ୍ପ୍ରଭ ହୋଇଆସିଲା । ସେ ମଥା ତଳକୁ କରି ଅସ୍ପଷ୍ଟ ସ୍ୱରରେ କହିଲେ, “ମହାତ୍ମା ଗାନ୍ଧି, ଶ୍ରୀମା’ ଡିଭାଇନ୍‌ ମଦର, ଲର୍ଡ଼ ଜଗନ୍ନାଥ, ଯୋଗୀ ଅରବିନ୍ଦ, ସଦାଶିବ, ଯିସସ୍‌ କ୍ରାଏଷ୍ଟ୍, ପରମହଂସ ଯୋଗାନନ୍ଦ, ଠାକୁର ରାମକୃଷ୍ଣ, ଓଁ….ଓଁ…ଓଁ….”

କହିରଖେ ଏମାନେ ମୋର ପ୍ରକୋଷ୍ଠରେ ବିରାଜମାନ କରୁଛନ୍ତି ଚିତ୍ରବିଗ୍ରହ ଧାରଣକରି-। ସାହେବ ନତମସ୍ତକ ହୋଇ ଏମାନଙ୍କୁ ପ୍ରଣାମ କଲେ । ତା’ପରେ ନିର୍ଦ୍ଦିଷ୍ଟ ଆସନରେ ବସି ନିଜର ପରିଚୟ ଦେଲେ…

“ମୁଁ ଫର୍ଗସ୍‌ ସ୍ମିଥ…ରମଣମହର୍ଷି ଆଶ୍ରମରେ ରହିଥାଏ । ଲଣ୍ଡନ ମୋର ଘର, ବୃତ୍ତି ମୋର ଯାଯାବର ଜୀବନ... ଇଣ୍ଡିଆକୁ ମୁଁ ଭଲପାଏ । ସତ୍ୟ ଅନୁସନ୍ଧାନରେ ମୁଁ ବାରମ୍ବାର ଭାରତକୁ ଆସୁଛି । ତଥାପି ତୃଷ୍ଣା ମେଣ୍ଟୁ ନାହିଁ । କି ସୁନ୍ଦର ଏ ଦେଶ ! କି ବିଚିତ୍ର ଏହାର ଜନ-ଜୀବନ ଓ କାରୁକଳାର ସମାରୋହ ।”

ମୁଁ ଅପଲକ ନେତ୍ରରେ ଏହି ସୁଠାମ ଗୌରବର୍ଣ୍ଣୋଜ୍ଜ୍ଵଳ ମାତ୍ର ବତ୍ରିଶ ବର୍ଷ ବୟସ୍କ ବିଦେଶୀୟ ଯୁବକର ଜ୍ଞାନପିପାସାକୁ ପରିମାପ କରିବାରେ ତନ୍ମୟ ଅବସ୍ଥାରେ ରହି ପଚାରିଲି–ମୁଁ କିଛି ସାହାଯ୍ୟ କରିପାରେ ?

-ହଁ ନିଶ୍ଚୟ, ସେଇ ଲକ୍ଷ୍ୟ ନେଇ ତ ମୋର ଯାତ୍ରା ଏଇ ପୁରୀଧାମକୁ । ଆଚ୍ଛା, କୁହନ୍ତୁ ତ, ଏପରି ବିଭବମୟ ଦେବତାଙ୍କର ବିଗ୍ରହଗୁଡ଼ିକୁ ଆପଣ ସୁରକ୍ଷିତ ରଖିଛନ୍ତି ମନ୍ଦିର ଅଭ୍ୟନ୍ତରେ । ହିନ୍ଦୁଧର୍ମ ଗ୍ରହଣ ନ କରିଥିବା କିନ୍ତୁ ବିଶ୍ଵାସୀ ବ୍ୟକ୍ତିମାନଙ୍କୁ ଆପଣ କାହିଁକି ମନ୍ଦିର ଭିତରେ ପ୍ରବେଶ କରିବାକୁ ଅନୁମତି ଦିଅନ୍ତିନାହିଁ; ଅଥଚ ଏଣେ କୁହନ୍ତି ଯେ ସର୍ବଘଟେ ନାରାୟଣ । ଈଶ୍ୱର ସର୍ବ ଜୀବରେ ବିଦ୍ୟମାନ । ହିନ୍ଦୁଧର୍ମ ପ୍ରତି ମୋର ଆସକ୍ତି ନଥିଲେ, ହିନ୍ଦୁଧର୍ମର ସାରତତ୍ତ୍ୱକୁ ଜାଣିବାକୁ ମୋର ଆଗ୍ରହ ନଥିଲେ, ଦେବତାମାନଙ୍କର ରୂପ, ଶ୍ରୀମନ୍ଦିରର ପୂଜାନୀତି, ଏଥିରେ ଥିବା ସ୍ଥାପତ୍ୟ ଭାସ୍କର୍ଯ୍ୟଗୁଡ଼ିକର ଇତିବୃତ୍ତି ଜାଣିବାକୁ ପ୍ରଗାଢ଼ ଆକାଙ୍‌କ୍ଷା ନ ଥିଲେ ମୁଁ କାହିଁକି ହଜାର ହଜାର ମୁଦ୍ରା ଖର୍ଚ୍ଚ କରି ନାନା ସ୍ୱାଚ୍ଛନ୍ଦ୍ୟ ଅସ୍ୱାଚ୍ଛନ୍ଦ୍ୟ ଭିତରେ ଲଣ୍ଡନ ସହରରୁ ଏ ଧାମକୁ ଆସନ୍ତି ? ତେଣୁ ଆପଣଙ୍କୁ ପ୍ରାର୍ଥନା, ଆପଣ ମତେ ସାହାଯ୍ୟ କରନ୍ତୁ, ମୋର କେତୋଟି ପ୍ରଶ୍ନର ଉରରେ ଦିଅନ୍ତୁ ।

ଏତିକି କହି ମିଷ୍ଟର ସ୍ମିଥ୍ ବ୍ୟାଗ ଭିତରୁ ଗୋଟିଏ ପ୍ରଶ୍ନାବଳୀ ବାହାର କରି ପାଠକଲେ ।

ମୁଁ ହସି ହସି କହିଲି–ମିଷ୍ଟର ସ୍ମିଥ୍, ଆଗେ ଚା’ ପର୍ବ ଶେଷହେଉ । ତା’ପରେ ଅନ୍ୟାନ୍ୟ ବିଷୟ ।

ସେ କଅଣ ଭାବି କହିଲେ–ଧନ୍ୟବାଦ । ଆଚ୍ଛା, ଏରାକା ଫ୍ରାଙ୍କ୍‍ଠାରୁ କିଛି ଚିଠି ପାଇଛନ୍ତି କି ? ଆମ ସଂଗଠନର ସେ ଜଣେ ବୁଦ୍ଧିମତୀ ତରୁଣୀ ।

ମୁଁ ଆଶ୍ଚର୍ଯ୍ୟ ହେଲି । କହିଲି–ହଁ ପାଇଛି । ତାଙ୍କର ଚିଠି ପଢ଼ି ମୁଁ ସ୍ତବ୍‌ଧ ଅବସ୍ଥାରେ ଥିବାବେଳେ ଆପଣ ଆସି ପହଞ୍ଚିଗଲେ । ମୋର ପ୍ରଶ୍ନ, ମତେ କିମିତି ଜାଣିଲେ ? ମୁଁ ତ କୌଣସି ଗୁଣରେ ଅସାଧାରଣ ନୁହଁ ।

ସ୍ମିଥ୍ ହସିଲେ, କହିଲେ–ମିଷ୍ଟର ମହାନ୍ତି, ଆପଣଙ୍କ କଥା ଛାଡ଼ନ୍ତୁ, ପୁରୀ ମନ୍ଦିରକୁ ଯେଉଁମାନେ ମହାପ୍ରସାଦ ଭୋଗପାଇଁ କୁଡ଼ୁଆ ଯୋଗାଇଥାନ୍ତି, ସେମାନଙ୍କର ନାମ ଓ ବଂଶ ପରିଚୟ ଆମ ପାଖରେ ଅଛି । ପୁରୀର ଦେବଦାସୀଙ୍କ ଇତିହାସ ଓ ସେମାନଙ୍କ କଳାର କ୍ରମବିକାଶ ଆପଣମାନେ ଯେତେ ଜାଣି ନ ଥିବେ, ଆମମାନଙ୍କୁ ତାହା ସେତେ ଜଣା । ତେଣୁ ଆପଣଙ୍କୁ ଜାଣିବାରେ ଆମକୁ ଅସୁବିଧା ହୋଇନି । ଆଚ୍ଛା, ଏରାକା ଫ୍ରାଙ୍କ୍ ନିଶ୍ଚୟ କିଛି ପ୍ରଶ୍ନାବଳୀ ପଠାଇଛି ?

ତାହାହିଁ ମୋ ବିସ୍ମୟର କାରଣ ଥିଲା । ସ୍ୱର୍ଣ୍ଣ ଅପରାହଣ ମଉଳିବା ସଙ୍ଗେ ସଙ୍ଗେ ଗୋଧୂଳିର ସ୍ପର୍ଶରେ ମୋ ପ୍ରକୋଷ୍ଠର ଚିତ୍ରଗୁଡ଼ିକ ନିକଟରେ ଜଳିଉଠିଲା ଗନ୍ଧମୟ ଧୂପବତି । କକ୍ଷଟି ସୁରଭିତ ହୋଇଗଲା ଧୂପଗନ୍ଧରେ । ପୁଣି ଥରେ ଏହି ଅବକାଶରେ ଛିଡ଼ାହୋଇ ସ୍ମିଥ୍ ନମସ୍କାର କଲେ ପ୍ରତ୍ୟେକଟି ଚିତ୍ରପାଖକୁ ଯାଇ ।

 

ବିସ୍ମୟ ପରେ ବିସ୍ମୟ ଘଟିଯାଇଛି । ମୁଁ ଅଭିଭୂତ । ମୋ ଚକ୍ଷୁରେ ଏହି ବିଧର୍ମୀଠାରୁ କେଉଁ ସ୍ୱଧର୍ମୀ ହିନ୍ଦୁ ଏତେ ଉଚ୍ଚ ଆସନ ଓ ଅନୁଭବକୁ ଯାଇଛି ? କେବଳ ମାଳା, ତିଳକ ଓ କୌପୀନ ଧରିଲେ କଅଣ କିଏ ଧର୍ମପ୍ରବର ହୋଇପାରିବ ?

 

ମୁଁ ପ୍ରକୃତିସ୍ଥ ହୋଇ ପଚାରିଲି, “ମିଷ୍ଟର ସ୍ମିଥ୍, ଏରାକା ପଚାରିଛନ୍ତି ରାମଚଣ୍ଡୀ ସାହିର ଶିବ ମନ୍ଦିରରେ ଥିବା ସ୍ତମ୍ଭର କାମ କଅଣ ? ପୁଣି ପଚାରିଛନ୍ତି, ପିତୃସ୍ତମ୍ଭ ଓ ସାରକସ୍ତମ୍ଭ ଭିତରେ ପାର୍ଥକ୍ୟ କଅଣ ? ଜଗନ୍ନାଥଙ୍କ କଣ୍ଠ ଦେଶରେ ଅଜସ୍ର ପୁଷ୍ପମାଳ ବିଳମ୍ବିତ ହେଉଥିଲେ ବି ସେ ସବୁ ମାଳରେ ମନ୍ଦାର ଫୁଲ ଥାଏ କି ? ଯଦି ଥାଏ, କେବେ କେଉଁଦିନ ସେ ମାଳା ଲାଗିକରାଯାଏ ଦେବତାଙ୍କୁ ।

 

“ଇଉରେକା” କହି ମିଷ୍ଟର ସ୍ମିଥ୍ ଉଠିପଡ଼ିଲେ–କହିଲେ, “ଫ୍ରାଙ୍କ୍ ବହୁତ ଷ୍ଟଡ଼ି କରୁଛି । ଆପଣମାନେ ଏହି ପବିତ୍ର କ୍ଷେତ୍ରର ବାସିନ୍ଦା । ସବୁ ଜାଣିଥିବେ; କିନ୍ତୁ କୁହନ୍ତୁ ତ, ଏହି ମନ୍ଦାର ଫୁଲର ବିଷୟ…” ଘରଯାକ ବୁଲିଗଲେ ମିଷ୍ଟର ସ୍ମିଥ୍ ।

 

ମୁଁ ଏକପ୍ରକାର ଆତ୍ମ-ବିସ୍ମୃତ…ମନ୍ଦାର ଫୁଲ ତାହାହେଲେ କଅଣ ସବୁଦିନେ ସବୁ ପୁଷ୍ପମାଳାରେ ନଥାଏ ? କେଉଁ ବିଶିଷ୍ଟ ଦିନରେ ତାହା ଲାଗିରହେ ?

 

ମୋ ମନକଥା ଜାଣିବା ଭଳି ମିଷ୍ଟର ସ୍ମିଥ୍ କହିଲେ–ମିଷ୍ଟର ମହାନ୍ତି-ଛାଡ଼ନ୍ତୁ, ଆମେ ଜାଣୁ ଏ ଫୁଲ ଗୋଟିଏ ଦିନ ମାତ୍ର ବର୍ଷକରେ ଜଗନ୍ନାଥଙ୍କୁ ଲାଗିକରାଯାଏ, ସେ ପୁଣି ଅଳ୍ପ ସମୟପାଇଁ ।

 

ଏ ତରୁଣ ସାହେବର ବୁଦ୍ଧିଦୀପ୍ତ ଚକ୍ଷୁଜ୍ୟୋତିକୁ ମୁଁ ସେଦିନ ପ୍ରାୟ ଅନ୍ଧକାରରେ ଦେଖିପାରିଥିଲି । ସଙ୍ଗେ ସଙ୍ଗେ ସେ ପ୍ରଶ୍ନ କଲେ–

 

ମଶାଣି ଚଣ୍ଡୀଙ୍କର ରୂପବୈଭବ କଅଣ ? ପୁରୀରେ କେତେ ସ୍ଥାନରେ ମଶାଣି ଚଣ୍ଡୀ ଅଛନ୍ତି ? ଦଶମହାବିଦ୍ୟାରୁ ଏ କେଉଁ ଦେବୀ ? ଲକ୍ଷ୍ମୀ କି ?

 

ମୁଁ ନିର୍ବାକ୍ । ପୁଣି ସେ ମୁଣି ଭିତରୁ ଗୋଟିଏ ଫଟୋଚିତ୍ର ବାହାର କଲେ, କହିଲେ-ଦେଖନ୍ତୁ ତ ଏ କାହାର ଚିତ୍ର ?

 

ମୁଁ କହିଲି–ଏ ଚିତ୍ର ତ ଜଗନ୍ନାଥଙ୍କର…

 

ସେ କହିଲେ, ନା ଏହା ଜଗନ୍ନାଥଙ୍କର ନୁହେଁ, ଯଦିଓ ସେହି ବିଗ୍ରହ ଭଳି ଦେଖାଯାଉଛି-। ଏହା ବମ୍ବେ ମାର୍କେଟରେ ତିଆରି ହେଉଛି । ହଜାର ହଜାର ସଂଖ୍ୟାରେ ତାହା ବିକ୍ରି ହୁଏ । ପ୍ରକୃତ ଜଗନ୍ନାଥଙ୍କର ନାନାବିଧ ବେଶର ଫଟୋଚିତ୍ର ଉଠାଇବାକୁ ଆପଣମାନେ ଯଦି ଅନୁମତି ଦିଅନ୍ତେ, ତେବେ ଏ ଅସତ୍ୟ ଛବି ବଜାରକୁ ଆସନ୍ତା ନାହିଁ । ବିଶ୍ଵ ଚାହିଁରହିଛି ପୃଥିବୀ ବିଖ୍ୟାତ ଶ୍ରୀମନ୍ଦିରର ସ୍ଥାପତ୍ୟକୁ ଶ୍ରଦ୍ଧାର ସହିତ ନମସ୍କାର କରିବ । ଏବେ ଲକ୍ଷ୍ମୀ ମନ୍ଦିରର ପ୍ଲାଷ୍ଟର ଖୋଳାଯାଇ ଯେ ଅପୂର୍ବ ସ୍ଥାପତ୍ୟ-କଳା ମନ୍ଦିରରୁ ଆଲୋକକୁ ଆସୁଛି, ତାକୁ ଦେଖିବ କିଏ ? ବିଶ୍ୱପ୍ରେମିକମାନେ ତ ବଞ୍ଚିତ ହେଉଛନ୍ତି…ଆଚ୍ଛା, ନୀଳମାଧବ ମୂର୍ତ୍ତି କେତେ ପୁରୁଣା ? ଦେଉଳ ଭିତରେ କେଉଁଠି ଅଛନ୍ତି-? ତାଙ୍କୁ ପୂଜା କରାଯାଏ କି ସ୍ଵତନ୍ତ୍ର ନୀତିରେ ? କହିପାରିବେ ?

 

ମୁଁ କହିଲି, ଶ୍ରୀଜଗନ୍ନାଥଙ୍କ ସିଂହାସନରେ ବିଗ୍ରହର ଠିକ୍ ପଛପଟକୁ ସେ ମୂର୍ତ୍ତି ରହିଛନ୍ତି-

 

ସ୍ମିଥ୍ ହସିଲେ-କହିଲେ, ସେ ବିଗ୍ରହର ପ୍ରାଚୀନତା ବିଷୟରେ ଆମେ ଜାଣୁ । ଦେଖନ୍ତୁ ମିଷ୍ଟର ମହାନ୍ତି, ଆପଣମାନେ ଅପୂର୍ବ ସମ୍ପଦର ଅଧିକାରୀ । ଈଶ୍ୱରାନୁଗ୍ରହରୁ ଭାରତୀୟମାନେ ଐଶ୍ୱର୍ଯ୍ୟମଣ୍ଡିତ-ଧର୍ମରେ, କର୍ମରେ, କଳ୍ପନାରେ, ଚିନ୍ତାରେ । କିନ୍ତୁ ଅନେକ କିଛି ଗୁପ୍ତ ରହିଯାଇଛି, ଯାହା ବିଷୟରେ ଆପଣ ଜାଣିନାହାନ୍ତି । ଯାହା ବା ଜାଣନ୍ତି ତାହା ଅଧିକାଂଶ ସ୍ଥାନରେ ବିକୃତ । ଯାହା ବା ବାହାର ଦୁନିଆକୁ ଜଣାଇଛନ୍ତି, ତାହା ବି ବିକୃତ; ସତ୍ୟ ନୁହେଁ ।

 

ଜଣେ ଲଣ୍ଡନବାସୀ ଯୁବକର ଏଭଳି ସତ୍ୟ-ପ୍ରକାଶ ଓ ନିର୍ଭୀକ ମତଖ୍ୟାପନକୁ ମୁଁ ଶ୍ରଦ୍ଧାର ସହିତ ଗ୍ରହଣକଲି । ମୁଁ ଜାଣେ ବହୁ ବ୍ୟକ୍ତି ବିକୃତ ଓ ମିଥ୍ୟା ଭାଷଣ ଦେଇ ଶ୍ରୀମନ୍ଦିରର ତତ୍ତ୍ଵ ଓ ତଥ୍ୟକୁ ବିଦେଶୀମାନଙ୍କ ନିକଟରେ ପ୍ରକାଶ କରୁଛନ୍ତି ।

 

ହଠାତ୍ ସ୍ମିଥ୍ କହିଲେ–ଆପଣ ଏରାକା ଫ୍ରାଙ୍କ୍‌ର ଚିଠିର ଉତ୍ତର ଦେବେ । ସେ ବିଚାରି ସେହି ସୁଦୂର ଲଣ୍ଡନ ସହରରୁ ଶ୍ରୀମନ୍ଦିରର କେତନକୁ ଚାହିଁବସିଛି ।

 

-ନିଶ୍ଚୟ, ତେବେ ମତେ କିଛିଦିନ ତଥ୍ୟ ସଂଗ୍ରହ କରିବାକୁ ପଡ଼ିବ । ଏଥିମଧ୍ୟରେ ଚାହା ପର୍ବ ଶେଷ ହୋଇଯାଇଛି ।

 

ସ୍ମିଥ୍ ଗୋଟିଏ ନୋଟ୍ ବୁକ୍ କାଢ଼ିଲେ ଏବଂ ମନକୁ ମନ କହିଲେ–“ଭୋଗର ମୁରୁଜକଟା ଯନ୍ତ୍ରଟା କିପରି ହୋଇଥାଏ, କଳାହାଟ ଦ୍ଵାର ମଧ୍ୟଭାଗରେ କି ପ୍ରକାର ଭାସ୍କର୍ଯ୍ୟ ରହିଛି, ଆଉ ବ୍ରହ୍ମ ପରିବର୍ତ୍ତନ କେଉଁ ତିନିଜଣ କରିଥାନ୍ତି ?

 

ଜାଣନ୍ତି ମିଷ୍ଟର ମହାନ୍ତି, ଏରାକା ଫ୍ରାଙ୍କ୍ ଏଇ ତିନିଜଣଙ୍କ ନାଁ ଜାଣେ ।

 

ମୁଁ ଭୀତତ୍ରସ୍ତ ଭାବରେ ଚିତ୍କାର କଲି, “ନା, ସ୍ମିଥ୍, ଅସମ୍ଭବ । ଏ କାର୍ଯ୍ୟ ଏପରି ଗୁପ୍ତଭାବରେ ହୁଏ ଯେ କାହାର ଜାଣିବା ଦେଖିବା ଏକାବେଳେକେ ଅସମ୍ଭବ ।

 

ସ୍ମିଥ୍ ହସିଲେ–କହିଲେ, ଶ୍ରୀମନ୍ଦିରର ପୁଜକମାନେ ଅଛନ୍ତି, ଯେଉଁମାନେ ଏ ବିଷୟ ଜାଣନ୍ତି; କିନ୍ତୁ କହିବେ ନାହିଁ । ଆମେ ଜାଣିଛୁ । ଆଚ୍ଛା, କଳାହାଟ ଦ୍ଵାର ମଧ୍ୟସ୍ଥଳରେ ଗୋଟାଏ ମିଟର ବାକ୍‌ସ ଅଛି ନା ? ତା’ରି ପାଖରେ ଅନୁପମ ଭାସ୍କର୍ଯ୍ୟ ରହିଛି । କେହି ଦେଖିଛନ୍ତି ?

 

ମୁଁ ଭାବିଲି ଏସବୁ ଏମିତି ଭୀତପ୍ରଦ ବିଷୟ ଯେ ସ୍ମିଥ୍‌ଙ୍କୁ ଯଦି ମୁଁ ବାରଣ ନ କରେ, ତେବେ ସେ ଗୋଟାଏ ପରେ ଗୋଟାଏ ପ୍ରଶ୍ନ ପଚାରି ମତେ ଉଦ୍‌ଭ୍ରାନ୍ତ କରିଦେବେ ।

 

ସଂଭ୍ରମରେ ମୋର ମଥା ନଇଁ ଆସିଲା । ଏମାନେ ଯଥାର୍ଥରେ ଗବେଷକ, ଜିଜ୍ଞାସୁ । ଏମାନଙ୍କର ସଙ୍ଗଠନ କେବଳ ଅଦୃଶ୍ୟକୁ ଦୃଶ୍ୟ କରିବାରେ, ଅଜ୍ଞେୟକୁ ଜ୍ଞେୟ କରିବାରେ ଯିମିତି ଉତ୍ସର୍ଗୀକୃତ; ଅଥଚ ଆମେ ଏହିଠାରେ ଜନ୍ମିଛୁ, ପୁଣି ଏଇଠି ମାଟି ଦେଖିବୁ । ଯାହା କେବଳ କୁହାଟ ପକାଇ ଥରେ ଥରେ ଡାକିଦେଉଛୁ-‘ହେ ବଳୀୟାରଭୁଜ, ହେ ଚକାଡ଼ୋଳା, ମାଗୋ ମାଆ ବିମଳା, କମଳା… ।’

 

ସ୍ମିଥ୍ ଉପରକୁ ଅନାଇଁଲେ । ପୁଣି ଦୃଷ୍ଟି ତାଙ୍କର ଅବନତ ହେଲା ନିମ୍ନକୁ । ପଚାରିଲେ–

 

-ଶ୍ୱେତକୁଷ୍ଠ ଦେଖିଛନ୍ତି ?

 

-ହଁ, ରୋଗ ।

 

-ଅର୍ଥାତ୍ ମଣିଷର ମୂଳ ତ୍ୱକ୍ ଉପରେ ଶ୍ୱେତବ୍ୟାଧିର ପ୍ରସାର । ଦେଖିବାକୁ ସୁଖଲାଗେ କି ?

 

ହଠାତ୍ ଏପରି ବ୍ୟାଧି ବିଷୟରେ ପ୍ରଶ୍ନ କାହିଁକି ?

 

ମୁଁ କହିଲି–ଖୋଲି କରି କହନ୍ତୁ ତ ? କଅଣ ଆପଣଙ୍କର ମନରେ ଅଛି ?

 

ସ୍ମିଥ୍ କହିଲେ–ଆପଣମାନେ ଯୁକ୍ତି ବାଢ଼ନ୍ତି ଯେ ମନ୍ଦିରର କିଛି ଆୟ ହେଉଛି; କିନ୍ତୁ ଗୋଟିଏ କଥା ଲକ୍ଷ୍ୟ କରନ୍ତୁ । ପୁରାକାଳର ନରପତିମାନେ ଇଚ୍ଛା କରିଥିଲେ ମାର୍ବଲ ପଥର ମନ୍ଦିରଯାକ ଚଟାଣରେ ବିଛାଇ ଦେଇଥାନ୍ତେ । ନା, ତାହା କରିନାହାନ୍ତି । ଯେଉଁ ସୁନ୍ଦର ତାମ୍ରବର୍ଣ୍ଣର ଶିଳାକୁ ଆପଣମାନେ ତାଡ଼ି ଉଠାଇ ଦେଇ ସ୍ୱର୍ଗପ୍ରାପ୍ତ ନରନାରୀଙ୍କର ମାର୍ବଲ ଫଳକ ଠାଏ ଠାଏ ଖଞ୍ଜୁଛନ୍ତି ତାହା ସୁସ୍ଥ ସୁନ୍ଦର ଶ୍ରୀମନ୍ତ ଚର୍ମଉପରେ ଶ୍ୱେତ କୁଷ୍ଠର ଆକ୍ରମଣ ବୋଲି ଭାବୁନାହାନ୍ତି କି-?

 

ମୁଁ କ୍ଷୁଣ୍ଣ ଭାବରେ ଉତ୍ତର ଦେଲି–ବିଶ୍ୱାସ କେନ୍ଦ୍ର ଗୋଟାଏ କଥା ଅଛି । ବହୁ ଲୋକଙ୍କର ପଦରଜ ପଡ଼ି ସେ ନାମଫଳକର ଅଧିକାରୀ, ପୁରୁଷ ବା ମହିଳା ହେଉ, ନିର୍ବାଣ ପାଇଯାଏ ।

 

ସ୍ମିଥ୍ ଗମ୍ଭୀର ହେଲେ–କହିଲେ, ମତେ କ୍ଷମା କରିବେ । ମୁଁ କେବଳ ଏସ୍‍ଥେଟିକସ୍ ବିଚାରରୁ କହୁଥିଲି । ମୁଁ ତତ୍ତ୍ୱପାଇଁ ଆସିନାହିଁ, ସତ୍ୟପାଇଁ ଅନ୍ଵେଷଣ କରୁଛି ସେହି ଭାବସମ୍ପଦକୁ ।

 

ସନ୍ଧ୍ୟା କେତେବେଳୁ ଉତ୍ତୀର୍ଣ୍ଣ ହୋଇଯାଇଛି । ସ୍ମିଥ୍ ବିଦାୟ ନେବାକୁ ବସିଲେ ।

 

ଯିବା ପୂର୍ବରୁ ଛିଡ଼ାହୋଇ କରମର୍ଦ୍ଦନ କରିବା ଅବସରରେ କହିଲେ–ଈଶ୍ଵର ଓଡ଼ିଆ ଜାତିକୁ ପରିପୂର୍ଣ୍ଣକରି ଗଢ଼ିଛନ୍ତି; ଆବଶ୍ୟକ ହେଉଛି, ତା’ର ସମ୍ପତ୍ତିର ସୁରକ୍ଷା ଓ ପ୍ରଚାର । ମୋର ଆଶା ଆପଣମାନେ ତାହା କରିପାରିବେ । ହଁ, ମନେ ପଡ଼ିଲା ଫ୍ରାଙ୍କ୍‌ର ଅନୁରୋଧ । ସେ ଜାଣେ ଆପଣ ଆର୍ଯ୍ୟକୃଷ୍ଟିର ଜଣେ ପରମ ଶ୍ରଦ୍ଧାବାନ୍ ସେବକ । ସେଥିପାଇଁ ମତେ କହିଛି ଲଣ୍ଡନରୁ ବିଦାୟ ନେଲାବେଳେ ଆପଣଙ୍କୁ ଦୁଇଟି ଉପହାର ଦେବାପାଇଁ ।

 

ପ୍ରଭାତ ହେଲେ ଆଉ ଗୋଟିଏ ବର୍ଷର ଜନ୍ମ ହେବ । ନବ ସୂର୍ଯ୍ୟର ନବ ଉନ୍-ମିଳନ । ନବବର୍ଷର ଶୁଭେଚ୍ଛା ଆମମାନଙ୍କର ଗ୍ରହଣ କରନ୍ତୁ ।

 

ଦେଖିଲି ଗୋଟିଏ ଆଲୋକଚିତ୍ର । ଏକ ଲାବଣ୍ୟମୟୀ ଶ୍ୱେତାଙ୍ଗିନୀ ତରୁଣୀ ଦାରୁବ୍ରହ୍ମ ଜଗନ୍ନାଥ ବିଗ୍ରହ ତଳେ ଉପବେଶନକରି ଚାହିଁରହିଛି, ଧ୍ୟାନସ୍ତିମିତ ଦୁଇଟି ଚକାଡ଼ୋଳାକୁ । ଏ. ଫ୍ରାଙ୍କ୍‌.... ।

 

ଅନ୍ୟଟି.... ।

 

ଦେଖିଲି କୋଣାର୍କର ସୂର୍ଯ୍ୟମୂର୍ତ୍ତିଆଡ଼କୁ ଅପଲକ ଯୋଗଦୃଷ୍ଟି ଦେଇ ବସିରହିଛି ପଦ୍ମାସନରେ ଏହି ହିନ୍ଦୁ କୃଷ୍ଟି ପ୍ରେମୀ ଶ୍ୱେତାଙ୍ଗ ଯୁବକ ଫର୍ଗତ୍ସ ସ୍ମିଥ୍‌ । ସତେ ଯେପରି ମନ, ପ୍ରାଣ, ହୃଦୟରେ ସେ ପ୍ଲାବିତ ହୋଇଯାଇଛି କଳିଙ୍ଗର ଶତାଦ୍ଦୀବାହୀ ଜୀବନ-ସିନ୍ଧୁ ଭିତରେ ।

 

ମୁଗ୍‌ଧ ହେଲି; ଅଭିଭୂତ ହେଲି । ଆହା, ମାନବ ଦେଶ କାଳ ସୀମା ଯେଉଁଠାରେ ବି ଆବିର୍ଭୂତ ହୋଇଥାଉ, ସେ ଯେ ଚେଷ୍ଟାକଲେ ବିଶ୍ୱଭୂମାରେ ସଂଲଗ୍ନ ରହିପାରିବ, ଏହି ବିଶ୍ୱାସକୁ ଦୃଢ଼ପ୍ରତିଷ୍ଠ କରିଦେଇଗଲେ ସେ ଯାମିନୀରେ ମିଷ୍ଟର ଫର୍ଗସ୍‌ ସ୍ମିଥ୍‌ ମୋରି ଗୃହାଭ୍ୟନ୍ତରରେ... ।

 

ସତେ ଯାଯାବର...ଉପରେ ଆକାଶ, ତଳେ ଧରିତ୍ରୀ...ଭିତରେ ଆତ୍ମାକୁ ଚିହ୍ନିବାର ପ୍ରୟାସ । ଆସ କୁମାରୀ ଏରାକା ଫ୍ରାଙ୍କ୍...ତା’ର ଈକ୍ଷଣଶକ୍ତିର ମାର୍ଗବନ୍ଧନୀ...ପୁରୀ ରାମଚଣ୍ଡୀ ସାହି; ଆଉ ଲଣ୍ଡନ ସହର... ଆଶ୍ଚର୍ଯ୍ୟ... ।

Image

 

ମୁଖାପିନ୍ଧା ମଣିଷ

 

ଚନ୍ଦ୍ରକାନ୍ତ ଦେଖିଲେ ତାଙ୍କ ପାଖରେ ଯେ ବସିଛନ୍ତି, ଖାଲି ବକର ବକର ହେଉଛନ୍ତି । କିଛି ଶୁଣାଇ ଦେଉନାହାନ୍ତି ଧେତ୍‌ କହି ସେ ଟିକିଏ ଅପସରିଗଲେ ।

 

ସକାଳ ! ସୂର୍ଯ୍ୟ ଦିଗ୍‌ବଳୟ ଛାଡ଼ି ଉପରକୁ ଯାଉଛନ୍ତି ଲୋହିତ ପିଣ୍ଡ କ୍ରମେ ଜଳନ୍ତା ସହସ୍ର ଚୁଲି ଆକାର । ସେହି ଚକ୍ରବାଳକୁ ଛୁଉଁଛି ଅଶାନ୍ତ ସାଗର ।

 

ପାଦ୍ରିଜଣକ ଖ୍ରୀଷ୍ଟଧର୍ମ କଥା ନାନା ଗଳ୍ପଛଳରେ ବୁଝାଉଛନ୍ତି । ତା ପୂର୍ବରୁ ମୁସଲମାନ ମୌଲବୀ ପ୍ରଫେଟଙ୍କ କଥା କହିସାରିଛନ୍ତି । ଚନ୍ଦ୍ରକାନ୍ତ ଦେଖିଲେ, ସେ ଲୋକଟା ପୁଣି ଘୁଞ୍ଚିଆସି ବକର ବକର ଆରମ୍ଭ କରିଛି ।

 

ଏତେ ଲୋକ ଥାଉ ଥାଉ ଚନ୍ଦ୍ରକାନ୍ତଙ୍କ ପାଖ ଛାଡ଼ୁନାହିଁ ସେ କାହିଁକି ? ବୁଝି ହେଉନାହିଁ-। ଅଲେଖ ଅବଧୂତ ଗୋସାଇଁ କଅଣ କହିବେ ବୋଧହୁଏ । ମାଇକ୍‌ ଖଞ୍ଜାଯାଇଛି ତାଙ୍କ ମୁହଁ ପାଖରେ । ତାଙ୍କ ଦେହ ଉଲଗ୍ନ । ଯଥାର୍ଥରେ ସେ କୌପୀନବନ୍ତ । ତାଙ୍କ ମଣ୍ଡଳୀ ଅଲେଖ ଭଜନ ଗାଇସାରିଛନ୍ତି । ବଡ଼ ପରିପାଟୀରେ ଗାଇଲେ, ଅଣାକାର ଅଲେଖ ସଂଗୀତ ।

 

“-ଆଜ୍ଞା, ଆପଣ କାଲି ସନ୍ଧ୍ୟାର ବକ୍ତା ଥିଲେ ନାଁ ?”

 

ଚନ୍ଦ୍ରକାନ୍ତ ବିରକ୍ତ ହେଲେ । କହିଲେ, “ଆପଣ ତ ଦେଖିଥିବେ ଶୁଣିଥିବେ, ପଚାରୁଛନ୍ତି କାହିଁକି ?”

 

ଲୋକଟି ଗାଇଲା–“କାଲି ଯେ ରାଜେନ୍ଦ୍ରାସନେ ଆଜି ସେ ଫକୀର । କାଲି ଯେ ଆପଣଙ୍କ ଛାତିରେ ଦୋହଲୁଥିଲା, ସେ ତାରକସି କାମର ଲକେଟ୍‌; ଆଜି କାହିଁ ନାହିଁ ?”

 

ଏ ଲୋକଟା ସୀମା ଛାଡ଼ିଯାଇଛି ବୋଧହୁଏ ।

 

ଚନ୍ଦ୍ରକାନ୍ତ ଅନ୍ୟମନସ୍କ ହୋଇ କିଛିକ୍ଷଣ ଭାବିଲେ । ଏ କଅଣ କହିଲା–କାଲି ଯେ ରାଜେନ୍ଦ୍ରାସନେ... ଏହାର ତାତ୍ପର୍ଯ୍ୟ କଅଣ ?

 

ଅବଧୂତ ଅଲେଖ ଗୋସାଇଁ ପ୍ରବଚନ ଦେଇଛନ୍ତି...ସତ୍ୟ ଶୁଦ୍ଧ ଚେତନ ନିରଞ୍ଜନ ଅଲେଖ ବ୍ରହ୍ମ । ଗୋଟାଏ ବାକ୍ୟର ଅନେକଗୁଡ଼ାଏ ଶବ୍ଦ ।

 

“-ଦେଖନ୍ତୁ, କାଲି ସନ୍ଧ୍ୟାରେ ଆପଣ ମଞ୍ଚ ଉପରେ ବସିଥିଲେ, କେତେ ଆଦର ଆପ୍ୟାୟନ ପାଇଲେ, ଛାତିରେ ଲକେଟ୍‌ ଝୁଲିଲା । ଭାଷଣ ଦେଲାବେଳେ ଲୋକେ ଉଲ୍ଲସିତ ହୋଇ ହାତତାଳି ଦେଲେ, ଏବେ ଆପଣ ବାଲି ଉପରେ ବସିଛନ୍ତି । ଛାତିରେ ଗହଣା ନାହିଁ । ସବୁ ମିଛ, ମାୟା; କାଲି ଥିଲା, ଆଜି ନାହିଁ; କେଉଁ ଦିନ ବି ନଥିଲା, କେବେ ବି ରହିବନାହିଁ ।”

 

ଲୋକଟି ଆନନ୍ଦରେ ଏତିକି କହି ଦୋହଲିଗଲା ।

 

ପାଖ ନାରୀମାନେ ଆଲୋଚନା କରୁଛନ୍ତି...ଶଙ୍କରାଚାର୍ଯ୍ୟ କଅଣ ଖାଆନ୍ତି ? ହାଣ୍ଡିଶାଳର କଥା ତାଙ୍କର ବୋଧିରେ ନୃତ୍ୟକରୁଛି ।

 

ଚନ୍ଦ୍ରକାନ୍ତ ଦେଖିଲେ ଶୁଣିଲେ-ସେ ଆରପାଖକୁ ଉଠିଯିବେ କି ? ଚାହିଁ ଦେଖିଲେ, ସେଠାରେ ଯେଉଁମାନେ ବସିଛନ୍ତି, ତାଙ୍କ ଭିତରୁ ଦୁଇ ଚାରିଜଣଙ୍କୁ ସେ ଜାଣନ୍ତି...ଏକ ନମ୍ୱର ଗଣେଶ ପାତ୍ରେ, ନାମଯାଦା ଚୋରା ବ୍ୟବସାୟୀ; କିନ୍ତୁ ଏ କି ବେଶ ? ଲଲାଟରେ ଭସ୍ମର ତ୍ରିବଳୀ ରେଖା...

 

ଆଉ ସେ ଜଣକ...

 

“ଶଙ୍କରାଚାର୍ଯ୍ୟ ଖାଲି କଖାରୁ ଖାଆନ୍ତି । ସିଝା କଖାରୁ ମ ? କେଡ଼େ ଚାଲାକ୍‌, ମାଳ ମାଳ ହୋଇ ଯେଉଁ ଲେମ୍ବୁମାଳ ତାଙ୍କ ବେକରେ ପଡ଼ୁନି, ସବୁ ପରା ଚାଲାଣ ହୋଇଯାଏ ଆଚାର ହେବାପାଇଁ ।”

 

“ଚୁପ୍‌ଚୁପ୍‌, କିଏ ଶୁଣିବ ।”

 

“ମଲା ମୋର, ଏଠି କଅଣ ବିଚାର ହେଉଛି ନା, ୟାର ଖାଲି କିଏ କଅଣ ଖାଇଲା, ପିଇଲା ।”

 

“ପିଇଲା କଥାରୁ କହୁଛି, ଅପା ମ, ଏ ଯେଉଁ ତେଲୁଗୁଲୋକଟା ଫଟ ଉଠଉଛି ମ, କେତେ ପିଇଚି କିଓ ? ଗୋଡ଼ ଠିକ୍‌ ରହୁନି...”

 

ଆଲୋକଚିତ୍ର ଉଠୁଛି । ଯେ ଉଠୋଉଛି ତାର ଗୋଡ଼ ଠିକ୍‌ ପଡ଼ୁନାହିଁ । ଆଉ ଯିଏ ତାକୁ ନିର୍ଦ୍ଦେଶ ଦେଉଛନ୍ତି, ସେ ବି...ପବିତ୍ର ଅପବିତ୍ରୋ ବା...ସମସ୍ତେ ଏଠି ରୁଣ୍ଡ...

 

ସେ ଲୋକଟା କିମିତି ମନକଥା ବୁଝିପାରିଲା, କହିଲା–ଆପଣ ଏଠାରୁ ଉଠିଯିବାକୁ ବସିଛନ୍ତି ନା ? ହାଃ ହାଃ...ଯେଉଁଆଡ଼େ ଯାଆନ୍ତୁ, କେବଳ ଧୂ ଧୂ ଧୂସର ମରୁବାଲି, ଜଳ ପାଇବେନି-। ମୁଖାପିନ୍ଧା ମଣିଷ ଦେଖିବେ, ବିଚିତ୍ର ସେମାନେ, ନିଜକୁ ଠକୁଛନ୍ତି, ଅନ୍ୟକୁ ଠକାଉଛନ୍ତି, ମୁଖା ପିନ୍ଧା ଅସଲ ମୁହଁକୁ ହରେଇଦେଇଛନ୍ତି ।

 

ପ୍ରତିଦିନ ଦୁଇଥର ବୈଠକରେ ସେ ମୁଣ୍ଡିତମସ୍ତକ ବୋଧହୁଏ ମହନ୍ତ ଚେଲା ଯେ ବସୁଛନ୍ତି, ତାଙ୍କ ଉପରେ ସମସ୍ତଙ୍କ ଆଖି ପଡ଼ୁଥାଏ । ପଦେ କେବେ ସେ କହିନାହାନ୍ତି, ଆସନ୍ତି, ଯାଆନ୍ତି । ନାସାରୁ ଶିରଯାଏ ତ୍ରିରଙ୍ଗାର ଚିତା । ବୟସ ହୋଇନାହିଁ ମଞ୍ଚ ଉପରେ ବସିବାକୁ । ତଥାପି ସେ ବସୁଥିଲେ ।

 

ଚନ୍ଦ୍ରକାନ୍ତ ସେଇକଥା ଭାବୁଥିଲେ । ଯେଉଁ ଅଧିକାରରୁ ସେ ସଦା ମଞ୍ଚସ୍ଥ, ଏଇ ଚେଲା...ଯୁବକ ରାମାନନ୍ଦୀ ।

 

ଲୋକଟି ଆଙ୍ଗୁଠି ଦେଖାଇ ସେଇ ଆଡ଼େ କହିଲା–ମୁଁ ଜାଣିଛି, ଆପଣ କଅଣ ଭାବୁଛନ୍ତି...ସେଇ ଚେଲା କଥା ତ ? ସେ ତ ବସିବେ; କାରଣ ସେ ମଠର ମହନ୍ତ...ଗୋଟିଏ ରକ୍ଷିତା ଆଉ ଆଳସ୍ୟରେ ଖାଇବା ପାଇଁ ଭୋଗ ଉପଭୋଗ ତାଙ୍କର ପର୍ଯ୍ୟାପ୍ତ...ଧର୍ମ ତାଙ୍କର ଜନ୍ମ-ଜନ୍ମାନ୍ତରରୁ ଅର୍ଜିତ ହୋଇସାରିଛି । ସେତିକି ନୁହେଁ, କାଲି ଦେଖିଛି ଫଟ ଉଠିବାବେଳକୁ ଝୁଣ୍ଟିପଡ଼ିବା ଭଳି ଶଙ୍କରାଚାର୍ଯ୍ୟଙ୍କୁ ଧରିପକାଇଲେ... ଫଟ ଉଠିଗଲା ।

 

ଚନ୍ଦ୍ରକାନ୍ତ ବିସ୍ମିତ ହେଲେ...ଲୋକଟା କିଏ ? ମନକଥା ଜାଣୁଛି କେମିତି ? ଏ ସଭାର ପ୍ରକୃତ ମର୍ମ ଦର୍ଶନରୁ, ସେ କହିଯାଇଛି ।

 

ଅଲେଖ ସଂପ୍ରଦାୟଙ୍କର ଭଜନ ଭାଷଣ ଶେଷହେଲା ।

 

ଶଙ୍କରାଚାର୍ଯ୍ୟ ମଞ୍ଚ ଉପରକୁ ଆସିଗଲେ । କ୍ଷଣକ ପାଇଁ ସହସ୍ର ଜନତାର ହୃଦୟ ଉଦ୍‌ବେଳିତ ହୋଇଉଠିଲା... ।

 

ଛୁଇଁବେ, ପ୍ରସାଦ ନେବେ, କଅଣ କହିବେ ତାଙ୍କୁ... ।

 

-ଦଶଖଣ୍ଡ ସୁନା ଇଟା ଗୋପନରେ ରଖିଛି, ପ୍ରଭୁ ରକ୍ଷାକର !

 

-ଗୋଦାମ ତଳେ, ଗହୀରରେ ଛୋଟ ଛୋଟ ଗୋଦାମ, ନିବୁଜ, ନିବିଡ଼...ସେଇଠି ଅପମିଶ୍ରଣ ଚାଲେ । ବ୍ୟାଙ୍କରେ ଦଶଲକ୍ଷ ରହିଗଲେ, ମୁଁ ଛାଡ଼ିଦେବି ବ୍ୟବସାୟ, ପ୍ରଭୁ ଶଙ୍କର ରକ୍ଷାକର !

 

-ପ୍ରତି ସହରରେ ନାମୀ ବେନାମୀ କ୍ଲିନିକ ରଖି, ଭ୍ରୃଣହତ୍ୟା କରି ଚାଲିଛି, ହେ ଶଙ୍କର ! ପାଦରେ ସ୍ଥାନ ଦିଅ, ବ୍ୟବସାୟର ଆଉ ଟିକିଏ ଉନ୍ନତି ହୋଇଗଲେ, ଛାଡ଼ିଦେବି, ଆର୍ଶୀବାଦ କର-

 

-ହାଇକୋର୍ଟରେ ଦୁଇଡ଼ଜନ ମକଦ୍ଦମା, ମର୍ଡ଼ର ଗୋଟାଏ ଅଧେ ରହିଛି ତା ଭିତରେ...କଅଣ ସେ ଧଳା ଖଇ ବିତରଣ ଆପଣ କରୁଛନ୍ତି, ତାକୁ ଟିକିଏ ସ୍ପେସିଆଲ ମନ୍ତୁରିଦେଇ ଦିଅନ୍ତୁ, ପ୍ରଭୁ ଶଙ୍କର, ଯିମିତି ସବୁଥିରୁ ମୁକୁଳିଯିବ ।

 

-ସ୍ୱାମୀ-ପରିତ୍ୟକ୍ତା ମୁଁ, ଯାଉ ସେ ଅଲକ୍ଷଣା, ହେଲେ ଆଉ ଜଣେ କିଏ ଆସି ମୋ ଦେହ-ମନରେ ବସନ୍ତ ବୁହାଇବନି ? ପ୍ରଭୁ ଶଙ୍କର...ସେ ଭୋଗ ବେଲପତ୍ର ଟିକିଏ ଦିଅନ୍ତୁ...ଯିମିତି ମନ-କାମନା ପୂର୍ଣ୍ଣ ହୋଇଯାଏ ।

 

ଲକ୍ଷ ଲକ୍ଷ କୋଟି କୋଟି ଆର୍ତ୍ତ ଚିତ୍କାର । ଆମର ପାପକୁ ସମର୍ଥନ କର ହେ ଦେବଦୂତ, ଆମର କାମନାକୁ ଆହୁରି ଶାଣିତ କର, ଆହୁରି ଜଳାଅ ।

 

‘ସ୍ୱାମୀ, ଆଉ ସ୍ତ୍ରୀ ଗୋଟାଏ ଯାନର ଦୁଇଟା ଚକ୍ର, ଗୋଟାଏ ଭାଙ୍ଗିଗଲେ ଯିମିତି ଗାଡ଼ିଟା ଅଚଳ ହୋଇଯାଏ, ସିମିତି ପୁରୁଷ ବା ସ୍ତ୍ରୀ ଏକମନ...ଏକ ଧ୍ୟାନ ନ ହେଲେ ସଂସାରର ଗାଡ଼ି ଅଚଳ ହୋଇଯିବ ।

 

ଶଙ୍କରାଚାର୍ଯ୍ୟଙ୍କ ବାଣୀ...ମୁଗ୍‌ଧ ହୋଇ ସମସ୍ତେ ଶୁଣୁଥିଲେ ।

 

ପ୍ରଭାତର ଅରୁଣିମା ତଳେ ସେଦିନ ଶଙ୍କରଙ୍କର ପ୍ରଥମ ପ୍ରବେଶ ସହର ଉପକଣ୍ଠରେ । ଚନ୍ଦ୍ରକାନ୍ତ ଦେଖିଲେ ଦୁଇପଟର ପୋଲିସ୍‌ ଘେର ଭିତରେ ଧର୍ମଗୁରୁ କେଉଁଠି ଉଚ୍ଚ ଆସନରେ ଛିଡ଼ାହୋଇ ଦର୍ଶନ ଦେଉଛନ୍ତି ତ କେଉଁଠି ରାଜପଥ ଉପରେ ସମସ୍ତଙ୍କୁ ସଂଭାଷଣ ଜଣାଉଛନ୍ତି ।

 

ହଠାତ୍‌ ସେ ଘେର ଭାଙ୍ଗି ଜଣେ ବୃଦ୍ଧ ଭିକ୍ଷୁକ ତଳେ ଲୋଟିଗଲା...ହାତରେ ଟିଣପାତ୍ର, କାନ୍ଧରେ ଅଖା ଖଣ୍ଡେ...ଅଣ୍ଟାରେ ଛିଣ୍ଡା କନା…ସେ କଅଣ କହିବାକୁ ଯାଉଥିଲା... ଅଟକିଗଲା ।

 

ହାଃ ହାଃ, କଅଣ ବା କହିବ ? କହିଥାନ୍ତା ମୈ ଭୁଖା ହୁଁ...ଖାନା ଦୋ... ତା ପୂର୍ବରୁ ଦେଖିଛନ୍ତି ତ କିପରି କେତେ ଯୋଡ଼ା ପୁଲିସ ବୁଟ୍‌ ତା ଉପରେ ବର୍ଷିଗଲା । ତାକୁ ଝାମ୍ପିନେଲେ ରକ୍ଷୀମାନେ...ଶଙ୍କରାଚାର୍ଯ୍ୟ କହୁଥିଲେ-’ମତ୍‌ ମାରୋ, ମତ୍‌ ମାରୋ…’

 

ଆଶ୍ଚର୍ଯ୍ୟ ଏ ଲୋକ । କିମିତି ଜାଣୁଛି ମନକଥା ? ହଁ ସେଇ ଦୃଶ୍ୟ ମନେପଡ଼ୁଛି...ଚନ୍ଦ୍ରକାନ୍ତ ଅସ୍ଥିର ହେଲେ, କହିଲେ ଆପଣ କିଏ ?

 

ଲୋକଟା ପ୍ରଥମଥର ପାଇଁ ଶାନ୍ତ ନୀରବ ହୋଇଗଲା । କହିଲା–ମୁଁ ଏକମାତ୍ର ବ୍ୟକ୍ତି ଯାହାର ମୁହଁ ଉପରେ ରଙ୍ଗ ବେରଙ୍ଗର ମୁଖା ନାହିଁ । ଅବଶିଷ୍ଟ ସମସ୍ତେ ଆସିଛନ୍ତି ମୁଖା ପିନ୍ଧି...ଚେତନା ଉପରେ ମୁଖା, ପ୍ରାଣ ଉପରେ ମୁଖା, ହୃଦୟ ଉପରେ ମୁଖା...ସତ୍ୟର ବହୁ ଦୂରରେ ସେମାନେ । କହି ପାରିବ, ଏ ବିଶ୍ୱଧର୍ମସଭା ଜଣକର ତିଳେମାତ୍ର ଚେତନାକୁ ଊର୍ଦ୍ଧ୍ୱାୟତନ କରିପାରିଛି କି ? ନା ପାରିବ ? କେବଳ ଲେମ୍ବୁ, ଗଜ, ଧେନୁ ଓ ବିଚିତ୍ର ସନ୍ନ୍ୟାସୀ ସନ୍ନ୍ୟାସିନୀଙ୍କର ବେଶଭୂଷା ଗୈରିକ କୌପୀନରେ ହିଁ ରହିଗଲା ଏହାର ବିସ୍ତୃତି ଓ ଗଭୀରତା ।

 

ଚନ୍ଦ୍ରକାନ୍ତ କହିଲେ–କିଛି କଅଣ ଏତେ ବଡ଼ ଆୟୋଜନର ତାତ୍ପର୍ଯ୍ୟ ନାହିଁ ?

 

‘-ଅଛି, ଯାହାପାଇଁ ଅଛି, ସେ କୋଟିକରେ ଗୋଟିଏ, ସେ ତ ପ୍ରତିମୁହୂର୍ତ୍ତରେ ବିଶ୍ୱଧର୍ମକୁ ତାର ହୃଦୟର ଅଭ୍ୟନ୍ତରରେ ଲାଳନପାଳନ କରୁଛି... ଲୋକଟି ଏତିକି କହି ଉଠିପଡ଼ିଲା...

 

ବିଶ୍ୱ ହେଉ ବା ଅବିଶ୍ୱ ହେଉ, ଧର୍ମ ଧାରଣ କଲା କେତୋଟି ସନ୍ଧ୍ୟା ଓ ସକାଳକୁ; ଅନୁରଞ୍ଜିତ ହେଲା ପାରମାର୍ଥିକ ଭାବ-ପ୍ରବାହରେ...

 

ଚନ୍ଦ୍ରକାନ୍ତ ମଣ୍ଡପରୁ ଯାଉ ଯାଉ ଦେଖିଲେ, ଆଗରେ ନିର୍ମିତ ଭୋଜନାଳୟ ପାଖରେ ଅଇଁଠା ପତ୍ର କେତୁଟା । ସେଥିରେ ମାଛିଙ୍କର ଆନନ୍ଦ ଉଲ୍ଲାସ । ସେଇଠି ଶୁଣିଲେ...

 

‘ଆରେ ଯା ମ, ଆଉ କହନା, ଏଇଟା ପରା ବ୍ରାହ୍ମଣଙ୍କର ସଭା, ଦେଖେଇଲୁ ସେ ବକ୍ତାଙ୍କ ଲିଷ୍ଟରେ ଗୋଟାଏ ମାହାନ୍ତି କି ପଟ୍ଟନାୟକ ବକ୍ତା ଅଛନ୍ତି କି ?

 

ଆଉ ଜଣେ ଉତ୍ତେଜିତ ହୋଇ କହିଲେ-ଦେଖ, କେଡ଼େ ବିରାଟ ରାଜନୀତିର ଚାଲ ଖେଳିଗଲେ । ସାପ ମଲା ନାହିଁ କି ବାଡ଼ି ଭାଙ୍ଗିଲା ନାହିଁ ।

 

ଚନ୍ଦ୍ରକାନ୍ତ କାନ ଦୁଇଟାକୁ ବନ୍ଦ କରିବା ଆଗରୁ ମୁହଁ ଉପରକୁ ମାଡ଼ି ଆସୁଥିବା ମାଛିପଲକୁ ତଡ଼ିଦେବା ପାଇଁ ହାତ ଉଠଉ ଉଠଉ କିଏ ଜଣେ ଧରିପକାଇ ସେ ହାତ ଦୁଇଟାକୁ କହିଲେ...ଏହାଠାରୁ ଆହୁରି ସଂକୀର୍ଣ୍ଣ ସାଘାଂତିକ କଥା ଶୁଣିବେ ଆପଣ...କେତେ ମାଛି ଉଡ଼େଇବେ ? ଯେତିକି ଉଡ଼େଇବେ, ସେତିକି ସେମାନେ ଆସିବେ; କାରଣ କିଛି ବଦଳି ନାହିଁ କି ବଦଳିବ ନାହିଁ ଯେ ପର୍ଯ୍ୟନ୍ତ ମଣିଷ ନିଜ ଇଚ୍ଛା ଓ ସଂକଳ୍ପରେ ଦିବ୍ୟ ହେବାକୁ କୃତନିଶ୍ଚୟ ନ ହୋଇଛି ।

 

ଏ ସେହି ଲୋକ । ତାଙ୍କର ସ୍ଥିତି କେଉଁଠି କେହି ଜାଣିଲେ ନାହିଁ । ସାଗର ତାର ଚିରାୟିତ ଗତିରେ ତରଙ୍ଗାୟିତ ହେଉଛି । ସବିତାର ଉଦୟ ଅସ୍ତ... ସେ ବି ସ୍ୱାଭାବିକ । ମଝିରେ ମୁଖା ପିନ୍ଧି ମଣିଷର ଚଳ-ପ୍ରଚଳ, ତାର ପ୍ରବଚନ, ତାର ଧର୍ମ, ସବୁ ବିଭଙ୍ଗ, ବାଚାଳ ।

Image

 

ପତ୍ରାବଳୀ ଓ ମୋ ମନର ପ୍ରସ୍ତୁତି

 

ଶରତ୍‌ ଆସିଛି । ପତ୍ର-ପୁଷ୍ପେ ତାର ମନୋହର ରୂପ । ଆକାଶ ଘନ ନୀଳିମ । ଦିଗନ୍ତ ସ୍ୱଚ୍ଛ । ଶୈଳଶିଖରେ ଶାରଦୀୟ ସୂର୍ଯ୍ୟର ଉଦୟ ଉତ୍ସବ; ପୁଣି ଅସ୍ତବର୍ଣ୍ଣର ବିଚିତ୍ର ଆଭା । ମଣିଷ ଆତ୍ମାରେ ଦେବୀ ଦୁର୍ଗାଙ୍କର ଆବାହନ ସଙ୍ଗୀତର ମୂର୍ଚ୍ଛନା ।

 

ସେଇ ମୃଣ୍ମୟ ପ୍ରତିମା । ତାହାରି ପୂଜା ଆଳତି ଷୋଡ଼ଶୋପଚାର । ଘୂରିଆସିଛି ଗୋଟିଏ ଚକ୍ର । ଏ ଚକ୍ରର ଘୂର୍ଣ୍ଣନରେ ଆଶା-ନିରାଶାର ଛନ୍ଦ ବିଛନ୍ଦରେ କେତେ ସୁର ଓ ସୁରାହତ ରାଗିଣୀ । ମଣିଷ ଚାଲିଛି । ଚାଲିବାରେ ତାର ଶାନ୍ତି ନାହିଁ । ଥକିପଡ଼ୁଛି, ପୁଣି ଚାଲିଛି ।

 

ଏ ଚାଲିବା ଓ ଥକିପଡ଼ିବା ଭିତରେ ତାର ମନେହେଉଛି ଅହେତୁକ ଏ ପୂଜା ପାର୍ବଣ... ଏ କୋଳାହଳ, ଏ ଅସ୍ଥିର କର୍ମନୈପୁଣ୍ୟ...ଜୀବନ ସହିତ ଏହାର ସମ୍ୱନ୍ଧ ବା କଅଣ ? ମୃତ୍ୟୁ ସହିତ ଏହାର ପ୍ରତ୍ୟୟ କେଉଁଠି ? ଆକାର ଆରୋପ କରି ସର୍ବଶକ୍ତିମୟୀ ଭବାନୀରୂପରେ ଏକ ଦୈତ୍ୟକୁ ସଂହାର କରିବାର ଚିତ୍ର ଲେଖିଛି ଶିଳ୍ପୀ । ମନେହେଉଛି ଏ କୌଶଳତଳେ ସେଇ ତାମସିକ ରାଜସିକ ଭୋଗବିଳାସର ଗୋଟାଏ ନଗ୍ନ ଭାବ ପ୍ରକଟୁଛି ।

 

ଦେଉଳ ଦୁଆରେ ଅଗଣିତ ଜନସମାଗମ । ଦୁର୍ଗାମଣ୍ଡପ ତଳେ ଲୋକ-ଲହରୀ । କାହିଁକି ଏମାନେ ଆସିଛନ୍ତି ? ହଠାତ୍‌ କଅଣ ଏମାନେ ଆଧ୍ୟାତ୍ମିକ ହୋଇଗଲେ ? ନା ହୋଇ ନାହାନ୍ତି; ହୋଇଥିଲେ, ଶୃଙ୍ଖଳା ରହିଥାନ୍ତା । ଦୁର୍ଗାଙ୍କର ବକ୍ଷଉପରେ ଯେତେ ତୀକ୍ଷ୍‌ଣ ଦୃଷ୍ଟିର ପ୍ରହାର, ସେ ତମୋମୟ ଲଲାଟ ଉପରେ ଚକ୍ଷୁତ କାହିଁ ଥୟ ଧରୁନାହଁ ? ସେଇଠି ପୁଣି ନାରୀ ଭର୍ତ୍ସିତା ହେଉଛି ବହୁ ପ୍ରକାରେ । ସେ ଯେ ଭକ୍ତବେଶରେ କଅଣ ସ୍ତୋତ୍ର ପଢ଼ୁଛନ୍ତି, ତାଙ୍କର ପାଖରେ ଅନ୍ୟ କାହାର ଚୋରା ଅର୍ଥ; ମୁହଁରୁ ସୁରାଗନ୍ଧ ଭାସିଆସୁଛି ।

 

ଥିବେ, ଏମିତି ରହିଥିବେ । କାଳକାଳକୁ ଥିବେ, ଏଇ ଆଶ୍ୱାସନା ଘେନି ଆମେ ବାଟ ଚାଲୁଛୁ ।

 

ମାତ୍ର ଧ୍ୟାନ କାହିଁ ? ଏ ଯେ କଅଣ ଘଟିଛି, କାହିଁକି ଘଟୁଛି, କିମିତି ଘଟୁଛି, ସେ ବିଷୟରେ ଧ୍ୟାନ କାହିଁ ? ସମାଜ ଆଜି କଳଙ୍କିତ ସବୁ ବିଷୟରେ । ଭଲ-ମନ୍ଦର ବ୍ୟବଧାନ ନାହିଁ । ମନ କ୍ଷୋଭରେ ପରିପୂର୍ଣ୍ଣ ହୋଇଯାଇଛି । ପିଲାମାନେ ଜୋର୍‌କଲେ ବେଶି ଚାନ୍ଦା ଦେବାପାଇଁ; ସେମାନେ ଦେବୀମୂର୍ତ୍ତି ଗଢ଼ୁଛନ୍ତି ମାଇକ୍‌ ବଜାଇବେ, ଅସଲ ଯାତ୍ରାପାର୍ଟି ଆଣୁଛନ୍ତି, ଏପରିକି କଲିକତାରୁ ତାରକା ଆଣିବାକୁ ମୋଟା ଅଙ୍କର ବହିନା ଦେଇଛନ୍ତି ।

 

ଏମାନଙ୍କୁ ଦେଖି ଭାବୁଥିଲି କି ସୁନ୍ଦର ଏ ତାରୁଣ୍ୟର ପ୍ରବାହ ! ! କଅଣ କହି ଏ ଲୋକଙ୍କୁ ବୁଝାଇବି ? ଅନୁଭବ କରିଛି ଭଲ କଥା ଦୁଇପଦ କହିଲେ ଲୋକେ ବୁଝନ୍ତି; ଧର୍ମକଥା, ସଂସ୍କୃତିର କଥା । ବାଟ ଭୁଲିଗଲା ଭଳି ସେମାନେ ଶୋଚନା କରନ୍ତି, ସେମାନେ ବାଟ ଭୁଲିଲେ କାହିଁକି ? ଯୁବକ ଆଜି ବିରକ୍ତ । ପ୍ରଚଳିତ ଜୀବନଧାରା ଘେନି ସମ୍ମାନିତ ବ୍ୟକ୍ତିଙ୍କୁ ସେମାନେ ଅଟକ ରଖି ନିଜର ଦାବୀ ପୂରଣ କରୁଛନ୍ତି । ପୂର୍ବର ଅତ୍ୟାଚାରୀ ଶାସକମାନଙ୍କର ଅତ୍ୟାଚାରଠାରୁ ବଳିଯାଇଛି । ଘଣ୍ଟା ଘଣ୍ଟା ଅଟକ ରଖି ପାଣି ମାଗିଲେ, ସେମାନେ ପାଣି ପିଇବାକୁ ଦେଉନାହାନ୍ତି । ପାଣିଗ୍ଲାସ ଆସୁଛି, ଅଥଚ ସେମାନେ ପିଇଯାଉଛନ୍ତି ବିଦ୍ରୂପ କରି; ତୀବ୍ର ତୃଷାର୍ତ୍ତ ଜଳ ପାଉନାହିଁ ।

 

ଏଥିରେ ମାନବ-ସଂସ୍କୃତି ମାଟିରେ ମିଶିଯାଇଛି । ହତଚକିତ ହେବା ଛଡ଼ା ଆଉ କିଛି ନାହିଁ । ଯେତେ ବଡ଼ଲୋକ ହେଉ, ବଡ଼ ଏଇ ଅର୍ଥରେ ଯେ ସମ୍ମାନିତ ହେବା ଭଳି ଲୋକ ସେ ଦୁଇ ଦଣ୍ଡରେ ଅପହସିତ ହୋଇଯାଉଛି । ଏ କ୍ରୁଦ୍ଧ ଯୁବଗୋଷ୍ଠୀ କଅଣ ଚାହାନ୍ତି ବୁଝାଯାଉନାହିଁ । ପ୍ରବୀଣ କୁଳକୁ ସଂହାର କରିବା ଯଦି ଅଭିପ୍ରାୟ ଥାଏ, ତେବେ ତାହା ସମ୍ଭବ ନୁହେଁ; କାରଣ ପ୍ରବୀଣର ମୁଷ୍ଟିର ଶକ୍ତି ନ ଥାଇପାରେ କି କଣ୍ଠରେ ମୁର୍ଦ୍ଦାବାଦର ଧ୍ୱନି ନ ଥାଇପାରେ, ଅଛି ତାହାର ଅନୁଭବ, ଯତ୍‌କିଞ୍ଚିତ୍‌ ପ୍ରଜ୍ଞା । ଏ ପ୍ରଜ୍ଞା ତାଙ୍କୁ ବଞ୍ଚେଇରଖିଛି ବିଶ୍ୱାସଉନ୍ମୁଖ କରି, ନ ହେଲେ ସେ ଟଳିପଡ଼ିଥାନ୍ତେ ଅକାଳରେ...ଏଇ ବିଶ୍ୱାସ ଓ ଊର୍ଦ୍ଧ୍ୱ ଶକ୍ତି ଉପରେ ଏଇ ପ୍ରତ୍ୟୟ ଯାହାକି ଆଧୁନିକ ଯୁଗରେ ପ୍ରାୟ ନାହିଁ, ବଞ୍ଚାଇ ରଖିଛ ଓ ଯାତ୍ରା କରିବାକୁ ସାହସ ଦେଉଛି ।

 

ଖଣ୍ଡିଏ ଚିଠି ପାଇଥିଲି । ସେଥିରେ ଲେଖାଥିଲା–“ସ୍ୱାଧୀନତାର ଏକବିଂଶତମ ଐତିହାସିକ ଗୌରବମୟ ସ୍ମରଣୀୟ ଦିବସରେ, ଜାତିର ପ୍ରାଣରୂପୀ ସମ୍ୱାଦପତ୍ରରେ “ମାନବ-ସଂସ୍କୃତି” ଶୀର୍ଷକ ଲେଖା ପ୍ରତି ମନ ଆକୃଷ୍ଟ ହେଲା । ବିଜ୍ଞାନ ପ୍ରତିମୁହୂର୍ତ୍ତରେ ପ୍ରଚଣ୍ଡ ଆଘାତ ଦେଉଛି ଆମର ସଂସ୍କାର ଉପରେ । ଜୀବନ ଏକ ଅର୍ଥହୀନ ଦୁର୍ଘଟଣା ନୁହେଁ । ଏହା ଏକ ପ୍ରବହମାନ ଧାରା, ଯାହା ଇଚ୍ଛା ପୂରଣ ଓ କର୍ମ ପ୍ରକୃତିଦ୍ୱାରା ପରିଚାଳିତ । କର୍ମ ଅନୁସାରେ ଦୁଃଖ ଏବଂ ସୁଖ ଭୁଞ୍ଜିବାକୁ ହେବ । ଈଶ୍ୱରଙ୍କ କରୁଣାରୁ ମଣିଷଠାରେ ଭଲ ମନ୍ଦ ବିଚାର କରିବାର ପ୍ରବୃତ୍ତି ରହିଛି । ଏହି ଶକ୍ତିର ବିନିଯୋଗରେ ମଣିଷ ତାହାର ଅସଂଖ୍ୟ କାମନାଭିତରେ ଗୋଟିଏ ଶୃଙ୍ଖଳା ଆଣିପାରେ...

 

ଏତକ ମୋର ଗୋଟିଏ ପ୍ରବନ୍ଧର କେତେକ ଅଂଶ । ପୁଣି ସେ ଚିଠିରେ ଲେଖାଥିଲା-ଉପସଂହାରରେ ଜାତୀୟ ଶିକ୍ଷାନୀତି ଅନୁସୃତ ହେଉ, ଯାହା ବୀର୍ଯ୍ୟବତ୍ତାର ବାହକ ହେବ ଏବଂ ଈଶ୍ୱର, ମାନବ ଓ ପ୍ରକୃତିର ସର୍ବପ୍ରକାର ଐଶ୍ୱର୍ଯ୍ୟକୁ କୋଟି କୋଟି ଅନ୍ତେବାସୀଙ୍କର ଅନ୍ତରରେ ରୂପାୟିତ କରିବାକୁ କ୍ଷମ ହେବ । ତା’ ପୂର୍ବରୁ ପର୍ବତପ୍ରମାଣ ଅସହିଷ୍ଣୁତା, ଅନାଚାର, ହତ୍ୟା, ଲୁଣ୍ଠନ ଓ ହିସାଂରେ ସମଗ୍ର ଦେଶର ନାଭିଶ୍ୱାସ ପ୍ରବାହିତ ।

 

ନିବିଷ୍ଟଭାବରେ ଚିନ୍ତାକଲେ ଆପଣଙ୍କ କରଣୀରେ ଅଯଥାର୍ଥ ଯୁକ୍ତି, ଭାବ ବା ଲେଖାର ଶୈଳୀ କଳ୍ପନାନ୍ତର ନୁହେଁ, ଯାହା ବାସ୍ତବ, ଯାହା ସତ୍ୟ ଏବଂ ଦୈନନ୍ଦିନ ଜୀବନରେ ପ୍ରତିପନ୍ନ, ତାହା ପ୍ରକଟିତ ଓ ପରିସ୍ଫୁଟ ।

 

ସେ ପତ୍ର ଲେଖକ ପୁଣି ଲେଖିଛନ୍ତି-ଆଜି ଆପଣଙ୍କର ‘ମାନବ-ସଂସ୍କୃତି’ ପ୍ରବନ୍ଧର ଭାଷା, ଭାବ, ଶୈଳୀର ପ୍ରାଚୁର୍ଯ୍ୟ, ଐଶ୍ୱର୍ଯ୍ୟ ତଥା ଗାମ୍ଭୀର୍ଯ୍ୟ ବୋଧନରେ ବିସ୍ମୟ ଓ ଆନନ୍ଦରେ ଅଭିଭୂତ ହେଲୁ । ଏଣୁ ଆମ୍ଭମାନଙ୍କ ପକ୍ଷରେ ସୌଭାଗ୍ୟର ବିଷୟ । ତେଣୁ ସ୍ଵତଃ ମନରେ ଏଇ ଭାବ ଉଦ୍ରେକ ହୁଏ ଯେ, ସତ୍ୟ, ଶିବ,ପରମେଶ୍ଵରଙ୍କର ଆପଣ ଆଶୀର୍ବାଦ ଲାଭକରି ଶତାୟୁ ହୋଇ ଆମ୍ଭମାନଙ୍କର କଲ୍ୟାଣକାମନାରେ ରହି ଉଦ୍‌ଯୋଗ ପଥର ପ୍ରଦର୍ଶକ ହୁଅନ୍ତୁ । ଆପଣଙ୍କର ଅଭୀଷ୍ଟ ସେହି କ୍ଷେତ୍ରରେ ଜନନାରାୟଣ ସେବାରେ ଚରିତାର୍ଥ ହେଉ ।

 

ମୁଁ ସେ ଲିପି–ଲେଖକଙ୍କୁ ନମସ୍କାର କରୁଛି । ତାଙ୍କ ହୃଦୟର ବ୍ୟଥା ମୁଁ ବୁଝୁଛି; ମାତ୍ର ମୁଁ ଏକାକୀ କଅଣ କରିପାରିବି ?

 

ଆଉ ଜଣେ ଲେଖିଛନ୍ତି- ‘‘ଆପଣଙ୍କର ସନ୍ଦର୍ଭ ‘ଶିକ୍ଷା-ସଂସାର ଓ ପ୍ରାଶାସନିକ କଠୋରତା’ ପଢ଼ିଲି । ଆପଣ ଠିକ୍ ଠିକ୍ ଲକ୍ଷ୍ୟ କରିଛନ୍ତି । ଯାହା ସବୁ ତ୍ରୁଟି ରହିଛି, ସେଥିରୁ ସମସ୍ତେ ନ ହେଲେ ଅନେକଟା ଉଚ୍ଚ ପରିଦର୍ଶକଙ୍କର ବ୍ୟକ୍ତିତ୍ୱର ପ୍ରଭାବରେ ସୁଧୁରିପାରନ୍ତା । ବିଦ୍ୟାଳୟରେ ସାଂସ୍କୃତିକ ଅନୁଷ୍ଠାନ, ଶିକ୍ଷକମାନଙ୍କର ପାଠଟୀକା ପ୍ରସ୍ତୁତି, ପ୍ରଧାନ ଶିକ୍ଷକଙ୍କ ଶ୍ରେଣୀ ପରିଦର୍ଶନ, ପରିଚାଳନାସମିତିର ସଭ୍ୟ ପରିଦର୍ଶନ ଆଦି କେତେଗୁଡ଼ିଏ ପରିଦର୍ଶକଙ୍କ ନିର୍ଦ୍ଦେଶ ପରାମର୍ଶ ଫଳରେ ବିଧାନ କରିହୁଅନ୍ତା । ଉପରୁ ଶିଥିଳତା ତଳକୁ ସଞ୍ଚରିଯାଇଛି । ନିହାତି ଆସ୍ଥାବାନ୍ ପୁରୁଷ ନ ହୋଇଥିଲେ ଠକିବା ବା କାର୍ଯ୍ୟରେ ଶିଥିଳ ହୋଇଯିବା ବୋଧେ ବ୍ୟକ୍ତିର ସ୍ଵଭାବନିହିତ ଦୁର୍ବଳତା । ସ୍ୱାଧୀନତା ପରେ ସରକାରୀ କଳରେ ଯେଉଁ ନିଷ୍କ୍ରିୟତା ଦେଖାଦେଇଛି, ତାହା ସ୍କୁଲଗୁଡ଼ିକରେ ଆଚରଣୀୟ କୋଠାରତାକୁ କାଟିଦେଇଛି ।”

 

ସେ ପୁଣି ଲେଖିଛନ୍ତି-“ସରକାରୀ କର୍ମଚାରୀମାନେ ଯେଭଳି କେତେ ବର୍ଷ ବ୍ୟବଧାନରେ ସ୍ଥାନାନ୍ତରିତ ହୁଅନ୍ତି, ସ୍କୁଲର ଶିକ୍ଷକମାନେ ବିଶେଷତଃ ପ୍ରଧାନ ଶିକ୍ଷକ ସେହିପରି ସ୍ଥାନାନ୍ତରିତ ହେବା ବିଧେୟ । ଗୋଟିଏ ସ୍ଥାନରେ ଏକାଦିକ୍ରମେ କିଛି ବର୍ଷ ରହିଗଲେ, କେତେକ ସ୍ଵାର୍ଥ, କେତେକ ଦୁର୍ବଳତା, କିଛି ଶତ୍ରୁତା ଆସିଯିବା ଅସ୍ଵାଭାବିକ ନୁହେଁ । ଶିକ୍ଷାପୀଠରେ ଯେଉଁସବୁ ରୋଗ ଅଛି, ସେଥିରୁ କେତୋଟିର କାରଣ କର୍ମକ୍ଷେତ୍ରରେ ଏ ଅବାଞ୍ଛନୀୟ ସ୍ଥିରତାରେ ଦେଖିବାକୁ ହେବ; କିନ୍ତୁ ଶିକ୍ଷାକ୍ଷେତ୍ରରେ ଯେଉଁ ବିଭାଗ-ଭେଦ ସୃଷ୍ଟି କୌଶଳରେ ରଖାଯାଇଛି, ସେଥିରେ ଏହା କ’ଣ ସମ୍ଭବ ? ପରିଚାଳନା ସମିତିରେ ଯୋଗ୍ୟ ବ୍ୟକ୍ତି ରହନ୍ତିନାହିଁ । ଯେଉଁମାନେ ଆସନ୍ତି, ସେମାନେ କେଉଁଠି କେଉଁଠି ପଦ-ଲାଳସାରେ ପ୍ରଧାନ ଶିକ୍ଷକଙ୍କ ହାତରେ ଖେଳଣା ହୁଅନ୍ତି ଓ କେଉଁଠି ଦଳବଦ୍ଧ ହୋଇ ଶିକ୍ଷକମାନଙ୍କୁ ହଇରାଣ କରନ୍ତି । ସ୍କୁଲରେ ରାଜନୀତି ପ୍ରବେଶ କରାନ୍ତି, ଅଯଥା ହାକିମି ଦେଖାନ୍ତି । ପ୍ରାଇମେରୀ ସ୍କୁଲରେ ଶିକ୍ଷକତା କରି ହାଇସ୍କୁଲରେ ପରିଚାଳନା ସମିତିର ସଭ୍ୟ ଅଛନ୍ତି; ସେକ୍ରେଟେରୀ ବି ହେଉଛନ୍ତି । ଏହାକୁ ଇନସପେକଟ୍‌ରମାନେ ଅନୁମୋଦନ କରୁଅଛନ୍ତି ।

 

ସେ ପୁଣି ଲେଖିଛନ୍ତି–“ପାଠପଢ଼ାରେ ଯାହା ତ୍ରୁଟି ଦେଖୁଛନ୍ତି ତାହା ଠିକ୍ । ଦାବୀ ତୁଳନାରେ କର୍ତ୍ତବ୍ୟଜ୍ଞାନ ବୃଦ୍ଧି ପାଇନାହିଁ । ଦେଖନ୍ତୁ ତ, ହାଇସ୍କୁଲପାଇଁ ସାହିତ୍ୟ ବହି ! କୋଉ କାଳରୁ ଖଣ୍ଡିଏ ବହି ଚଳୁଛି, ଏପରିକି ସେଥିରେ ନିର୍ଦ୍ଧାରିତ ବିଷୟଗୁଡ଼ିକ ମଧ୍ୟ ଯୁଗେ ହେଲା ଚଳିଲାଣି । ଆମ ସାହିତ୍ୟର ଅଗ୍ରଗତି ସହିତ ପାଠ୍ୟପୁସ୍ତକ କି ବିଷୟ ନିର୍ବାଚନର ଯେପରି କିଛି ସମ୍ପର୍କ ନାହିଁ । ଇଂରାଜୀ ବହିର ବିଷୟ ବି ସେହିଭଳି । କେତେଗୁଡ଼ିଏ ବଛା ହୋଇଛି, ଯାହା ସହିତ ଆମ ପିଲାଙ୍କର ଆତ୍ମିକ ସଂଯୋଗ, ଯେତେ ପଢ଼ାଇଲେ ବି ବଢ଼ିବନାହିଁ । କାହିଁକି ? ଆମ ଭାରତୀୟ ବିଷୟବସ୍ତୁକୁ ନେଇ ଉଚ୍ଚ ଇଂରାଜୀ ଲେଖା କଅଣ ନାହିଁ ? ରାଜଗୋପାଳଚାରୀ କି କେ. ଏମ୍. ମୁନିସିଙ୍କ ଲେଖାରୁ କେତୋଟି ପଢ଼ା ହେଉଥିଲେ କି ସୁନ୍ଦର ନ ହୋଇଥାନ୍ତା; ଆପଣଙ୍କ ଲେଖା ପଢ଼ି ମୋ ମନକୁ ଯାହା ସ୍ପର୍ଶକରୁଛି ଲେଖିଲି ।”

 

ଆଉ ଖଣ୍ଡିଏ ଚିଠି । ଆଦ୍ୟ ପ୍ରାନ୍ତ ପଢ଼ି ମୁଁ ମୁଗ୍‌ଧ ହୋଇଗଲି । ପତ୍ରଲେଖକ ଲେଖିଛନ୍ତି–‘‘ପ୍ରଣିପାତ ଗ୍ରହଣ କରିବେ । କେତେଦିନ ତଳେ ଆପଣଙ୍କଦ୍ଵାରା ଲିଖିତ କେତେକ ପ୍ରବନ୍ଧ ପଢ଼ିବାର ସୌଭାଗ୍ୟ ହୋଇଥିଲା । ସମ୍ବାଦପତ୍ରରେ ସେ ପ୍ରବନ୍ଧ ଲେଖିବା ଏବଂ ତା’ର ଉଦ୍ଦେଶ୍ୟ ସାଧିତ ହେବାରେ ମୁଁ ସନ୍ଦିହାନ । କାରଣ ସମ୍ବାଦପତ୍ରର ଜନ୍ମ ଓ ମୃତ୍ୟୁ ଗୋଟିଏ ଦିନ । ତେଣୁ ଏ ଭାବ-ତରଙ୍ଗ ଲକ୍ଷ୍ୟ ବା ଅଲକ୍ଷ୍ୟରେ ରେଖାପାତ କରିବାରେ ଖୁବ୍ ସମୟ ପାଇ ନ ଥାଏ-। ଆଜି ଶିକ୍ଷାକ୍ଷେତ୍ରରେ ଏତାଦୃଶ ଅବସ୍ଥା କାହିଁକି ହୋଇଛି ଏବଂ ଏହାକୁ କିପରି ସୁଧୁରାଇହେବ, ଏ ସଂପର୍କରେ ବହୁ ଆଲୋଚନା ହେଉଛି । ସମ୍ଭବତଃ ଆପଣମାନେ ବୁଝିପାରିଛନ୍ତି ଯେ ଭାରତୀୟ କୃଷ୍ଟିକୁ ଉନ୍ନତି କରିବାକୁ ହେଲେ ଲୁପ୍ତ ରତ୍ନର ଉଦ୍ଧାର କରିବାକୁ ହେବ । ଏହା ସତ୍ୟ କଥା; କିନ୍ତୁ କି ଉପାୟ ନିର୍ଦ୍ଧାରଣ କରିବାକୁ ହେବ ସେ ସଂପର୍କରେ ପାଣ୍ଡିତ୍ୟଗତ ଯୁଦ୍ଧ କଟୁକ୍ତି ବିନିମୟ ଚାଲିଛି । ଶ୍ରୀ ରାମକୃଷ୍ଣଦେବ ଉପଦେଶଛଳରେ କହିଛନ୍ତି–ପାଞ୍ଜିରେ ଏତେ ପାଣି, ଏତେ ବାୟୁ ସବୁ ଲେଖାଥାଏ, ହେଲେ ପାଞ୍ଜିକୁ ଚିପୁଡ଼ିଦେଲେ ଠୋପାଏ ପାଣି ପଡ଼େନାହିଁ ।

 

କିଛିଦିନ ତଳେ ପୁରାତନ ସଂସ୍କୃତିପୃଷ୍ଟର ବେଲୁଡ଼ସ୍ଥ ବିଶିଷ୍ଟ ଚିନ୍ତାନାୟକମାନଙ୍କ ସହିତ କିଞ୍ଚିତ୍ ଆଲୋଚନାର ସୌଭାଗ୍ୟ ହୋଇଥିଲା । ସେମାନେ ସ୍ୱାମୀଜୀ ବିବେକାନନ୍ଦ ପ୍ରଦର୍ଶିତ ସୁଚିନ୍ତିତ ଶିକ୍ଷାମାର୍ଗରେ ଗଭୀର ଭାବରେ ବିଶ୍ଵାସୀ । ମୋର ମନେହୁଏ ଆପଣଙ୍କର ଆବେଗର ବାଟ ଫିଟିଯିବ । ସଭାସମିତି ଅପେକ୍ଷା ଆତ୍ମୋନ୍ନତି ପଥ ଏହି ବିବେକାନନ୍ଦଙ୍କ ମାର୍ଗ ଯୁଗ ଦର୍ଶନ ବାସ୍ତବିକ ଚିନ୍ତନୀୟ । ଡକ୍ଟର ତ୍ରିଗୁଣା ସେନ ମଧ୍ୟ ଏଥିରେ ବିଶ୍ଵାସୀ । ମୋର ଏତିକି ନିବେଦନ ଆପଣ ଗଭୀରଭାବରେ ଅଧ୍ୟୟନ କରି ଶିକ୍ଷାକ୍ଷେତ୍ରରେ ପ୍ରତିଫଳିତ କରିବାକୁ ଉଦ୍ୟମ କରନ୍ତୁ । ସ୍ଵାମୀ ରଙ୍ଗନାଥାନନ୍ଦ, ସ୍ଵାମୀ ତେଜସାନନ୍ଦ ପ୍ରମୁଖ ବହୁ ଚିନ୍ତାନାୟକ ନିଶ୍ଚୟ ସହାୟକ ହେବେ ।

 

ପ୍ରଚଳିତ ସମାଜରେ ଭାରତୀୟ ସଂସ୍କୃତି ବା ବୈଦିକ ସଂସ୍କୃତି ପ୍ରବର୍ତ୍ତନ କରାଯାଇପାରିବ । ବେଦର ଜ୍ଞାନକାଣ୍ଡକୁ ଉପନିଷଦ୍ ଏବଂ ବେଦାନ୍ତ ହେଲା ଅନ୍ତ । ନିକଟରେ ଉଦ୍‍ଘାଟିତ ଅଥର୍ବ ବେଦରେ “ଆଲ୍ଲାଲ୍ଲୋତ୍ୟାଦି ଖ୍ୟାତଃ ନାବନୋପାସ୍ୟଃ ପରମେଶ୍ଵର’–ଶଦ୍ଦ କଳ୍ପଦ୍ରୁମଃ ଆଲ୍ଲା ଉପନିଷଦ୍ ପଢ଼ିଥିବେ ନିଶ୍ଚୟ ।

 

ପ୍ରଶ୍ନ ହେଲା ଏହି ଉପନିଷଦ୍ ବା ଗୀତା ଯାହାକି ବିଦେଶରେ ଖ୍ୟାତ, ଆମର ସମସ୍ତ ଜୀବନରେ କିପରି ପ୍ରବର୍ତ୍ତିତ ହେବ, ଦେଖିବା ଆବଶ୍ୟକ । ବିଶେଷତଃ ଓଡ଼ିଶାରେ ଏପରି ଉଦ୍ୟମ ହୋଇନାହିଁ । ଏକ ଧର୍ମଜୀବନ ଅନୁସରଣ କରି ଉପନିଷଦ୍, ଗୀତା, କୋରାନ୍ ପ୍ରଭୃତିକୁ ଛାତ୍ରଧର୍ମି କରି କେତେ ଗୁଡ଼ିଓ ପୁସ୍ତକ ରଚନା କରିଛି । ଏ ପର୍ଯ୍ୟନ୍ତ ଗୋଟିଏ ଉତ୍କୃଷ୍ଟ ଜାତୀୟ ସଂହତିସଂପନ୍ନ ପ୍ରାର୍ଥନା ପୁସ୍ତକ ପ୍ରସ୍ତୁତ ହୋଇପାରିନାହିଁ ।

 

ମୋର ଏହାହିଁ ନିବେଦନ ଯେ ଏ ପ୍ରକାର ପ୍ରଭାବ ପକାନ୍ତୁ ସମସ୍ତେ ଦାନ ଅପେକ୍ଷା ଧର୍ମଦାନ ସର୍ବଶ୍ରେଷ୍ଠ । ଈଶ୍ୱର ନିଶ୍ଚୟ ସହାୟ ହେବେ ।”

 

ମୋ ଲେଖା ପଢ଼ି ମନର ସ୍ପର୍ଶ କଥା କହୁଛନ୍ତି ଏହିପରି ଅନେକ । ଆତ୍ମପୌଢ଼ି ମୁଁ ପ୍ରକାଶ କରୁନାହିଁ; ମାତ୍ର କହୁଛନ୍ତି ।

 

ଡକ୍ଟର ତ୍ରିଗୁଣା ସେନ ଡକ୍ଟର ପ୍ରାଣକୃଷ୍ଣ ପରିଜାଙ୍କ ଚରଣଧୂଳି ନେଲେ । ଡକ୍ଟର ସଦାଶିବ ମିଶ୍ର ଡକ୍ଟର ପରିଜାଙ୍କ ଚରଣ ସ୍ପର୍ଶ କଲେ । ଶିକ୍ଷାମନ୍ତ୍ରୀ ବନମାଳୀ ପଟ୍ଟନାୟକ ସମସ୍ତଙ୍କ ଚରଣରଜ ଗ୍ରହଣ କଲେ । ଏ ଦୃଶ୍ୟାଭିନୟ ନୁହେଁ; ଏହା ଏ ଦେଶର ମାଟିରେ ସଂଜାତ ତଥା ପ୍ରୋତ୍‍ଥିତ ଐଶ୍ୱର୍ଯ୍ୟର ଏକ ଅଂଶର ପରିସ୍ଫୁଟନ-ତିନି ପୁରୁଷର ଜୟଯାତ୍ରାର ଶଙ୍ଖଧ୍ୱନି ।

 

ଏଇଠି କଅଣ ଅର୍ଗଳ ପଡ଼ିଯିବ ? ତେଣିକି ଆଉ ଯିବାର ରାସ୍ତା ନାହିଁ । ଏଣିକି ଯେଉଁ ମାର୍ଗ ଖୋଲିଯାଉଛି, ତାହା ଅବିନୟର ମାର୍ଗ, ଅସହିଷ୍ଣୁତାର ପଥ, ଅଶୋଭନୀୟର ପଥ । ଆମେ ପ୍ରବୀଣ ଏଇ କଥା କହୁଛୁ ବୋଲି ତମେ ତରୁଣଗଣ କଅଣ ସତରେ ଆମ ଉପରେ ରକ୍ତଚାଉଳ ଚୋବାଉଛ ?

 

ଅନ୍ଧାରରେ କାହା ଉପରେ ଟେକାଟା ପକାଇ ଦେଇ ପଳାଇଯିବାର ବୀରତ୍ଵ ଇତିହାସର ବୀରତ୍ୱ ନୁହେଁ । ଏ ବୀରତ୍ଵପାଇଁ ଯେଉଁ ସାଧନା କରୁଛ, ତାହା ଏତେ ସାଧନାର ଅପେକ୍ଷା ରଖେନାହିଁ, ଯେ କୌଣସି ପଶୁକୁ ଅନୁସରଣ କଲେ ତାହା ମିଳିପାରିବ । ସେଥିପାଇଁ ଏତେ ସ୍କୁଲ କଲେଜର ଦରକାର ନାହିଁ କି ଏପରି ସମାରୋହ କରି ଜନଗହଳି ସୃଷ୍ଟି କରିବାରେ ଅର୍ଥ ନାହିଁ ।

 

ଭାବୁ ଭାବୁ ଅନେକ କଥା ଭାବିଯାଉଛି; ଆନନ୍ଦ ଓ ଉତ୍ତାପରେ ମୋର ଗବାକ୍ଷ ଦେଇ ଲୋକେ ଯାତ୍ରା କରୁଛନ୍ତି ଦେବୀଦର୍ଶନରେ; ମହିଷାସୁରକୁ ସଂହାର କରିବାରେ ସେଇ ଶକ୍ତିର ଅପରାଜେୟ ମାହାତ୍ମ୍ୟ ହୃଦ୍‌ବୋଧ କରିବାକୁ । ନା ତ, ସେଆଡ଼େ ସେମାନେ ଯାଇନାହାନ୍ତି । ପାଶ୍ଚାତ୍ୟ ଭଙ୍ଗୀରେ ବିବସନା ବା ନିର୍ବସନା ଯେଉଁ ମୃଣ୍ମୟୀ ନାରୀ ଅଙ୍ଗ-ଲାବଣ୍ୟକୁ ଝରାଇ ଛିଡ଼ାହୋଇଛି, ସେଇଆଡ଼େ; ମାତୃମୂର୍ତ୍ତି ଭବାନୀ ଆଜି ତରୁଣୀମୂର୍ତ୍ତି ଲାଳସା ପାଖେ ଅବଲୁପ୍ତ; ଅଥଚ ଦଶହରା ଉତ୍ସବର ଆଟୋପ ବର୍ଷକୁ ବର୍ଷ ବଢ଼ୁଛି, ସଂଖ୍ୟାରେ, ବିଚିତ୍ର ରଙ୍ଗ ତୂଳୀରେ ଓ ନିର୍ବସନ ଶୋଭାରେ–

 

ସେଦିନ ସନ୍ଧ୍ୟାରେ ଡକ୍ଟର ହରେକୃଷ୍ଣ ମହତାବ୍ ଓ ଆମେ କେତେ ଜଣ ସାହିତ୍ୟଧାରା ବିଷୟରେ ଚିନ୍ତା କରୁଥିଲୁ । ହୃଦୟ ଆମର ସେତେବେଳେ ଚିନ୍ତାକୁଳ ଥିଲା । ଆମେ ସାହିତ୍ୟ ସୃଷ୍ଟି କରୁଛୁ, ଅଥଚ ସାଧାରଣ ଲୋକଙ୍କ ପାଖେ ତାହା ପହଞ୍ଚି ପାରୁନାହିଁ । ସେମାନେ ଆମ ଲେଖାରେ ସ୍ପନ୍ଦିତ ହେଉନାହାନ୍ତି; ହୁଏତ ଆମ କଥା ବୁଝୁ ନାହାନ୍ତି । ଗୁରୁଗମ୍ଭୀର ଭାଷାରେ ଲେଖିଲେ ସେମାନେ ପଢ଼ି ସ୍ଵାଦ ପାଇନାହାନ୍ତି, ତରଳ ସରଳ ଲେଖିଲେ ସେଥିରେ ବି ବିପଦ ଅଛି; କାରଣ ଜନତା ଚାହେଁ ସଭ୍ୟ ଓ ତାହା ହିରଣ୍ମୟ ପାତ୍ରର ଆବରଣମୁକ୍ତ ସତ୍ୟ ହେବା ଉଚିତ । ବସି ବସି ଚିନ୍ତାକଲୁ ଲେଖାରେ ଗଳ୍ପର ସରସତା ଓ ଶୈଳୀ ରହୁ ଅଥଚ ଗଳ୍ପ ନୋହୁ; ଲେଖାରେ ଭାଗବତ ବାଣୀ ରହୁ, ଅଥଚ ପୂର୍ଣ୍ଣାଙ୍ଗ ଭାଗବତ ନ ହେଉ; ଲେଖାରେ ଆମ ହୃଦୟଟା ଜଳଧାରା ଭଳି ଉଛୁଳିଉଠୁ, ଅଥଚ ଅତିମାତ୍ରାରେ ତାରଳିକ ହୋଇ ଯେମିତି ଭାସିନଯାଉ । ରମ୍ୟ ଓ ରଚନା, କରିଦେବା ମାତ୍ରେ ବା ପଢ଼ିବାକ୍ଷଣରେ ସ୍ଵକୀୟ ଆକର୍ଷଣୀ ଶକ୍ତିରେ ତାହା ପାଠକର ମନଭିତରେ ସ୍ପନ୍ଦନ ସୃଷ୍ଟି କରୁ ।

 

କାମରେ ଏ ଚିନ୍ତା ଦେଖାଇବାକୁ ଅତି କଷ୍ଟ, ତାହା ମୁଁ ବୁଝୁଛି; ତଥାପି ଚେଷ୍ଟା କରିଛି, ଆରମ୍ଭ ହେଲା–“ଶରତ୍‌ ଆସିଛି, ପତ୍ର-ପୁଷ୍ପେ ତା’ର ମନୋହର ରୂପ” ଶେଷରେ ରହିବ, “ବିଶ୍ଵାସ ଓ ବାସନା, ସାହିତ୍ୟରେ ତାହାହିଁ ପ୍ରତିଫଳିତ ହେଉ ସତ୍ୟର ଉଜ୍ଜ୍ୱଳ ଶକ୍ତି ଘେନି” ଆଜି ଶକ୍ତିମୟୀର ଉପାସନାରେ ପ୍ରଣତ ହୃଦୟର ସେତିକି ଅର୍ଚ୍ଚନା…

 

ଯେଉଁ ଲିପିକାରମାନଙ୍କର ପତ୍ର ମୁଁ ଏଥିରେ ବ୍ୟବହାର କରିଛି, ସେମାନେ ଯଥାକ୍ରମେ ହେଉଛନ୍ତି ଶ୍ରୀ ଗୌତମ ରାଉତ, ଆଠମଲ୍ଲିକ; ଶ୍ରୀ ବୈକୁଣ୍ଠ ନାଥ ରଥ, ପ୍ରଧାନ ଶିକ୍ଷକ ମଧୁପୁର ଉଚ୍ଚବିଦ୍ୟାଳୟ ଓ ଶ୍ରୀ ଯୋଗିନ୍ଦ୍ର ପଟ୍ଟନାୟକ, ରାଇରଙ୍ଗପୁର ।

Image

 

ହୃଦୟ

 

ଦିନ ନିକଟ ହୋଇଆସୁଛି । ପ୍ରାନ୍ତର ସଫା ହେଉଛି । କୋଠାଘର ଧଉଳୁଛି । ଖାଲ, ଢିପ, ଅରମା ବଣ ରୋଲର୍ ତଳେ ସମତୁଲ ହୋଇ ଯାଉଛି । ଶହେଯାଏ ତମ୍ବୁ ପଡ଼ିଆ ଉପରେ ମୁଣ୍ଡ ଟେକିଲେଣି । ଚିଠି, ଟେଲିଗ୍ରାମ୍ କେତେ କଅଣ ? ଠିକ୍ କେବେ ଆସୁଛନ୍ତି ? ଘଣ୍ଟା, ମିନିଟ୍ ଓ ସେକେଣ୍ଡ ଠିକ୍ କେତେବେଳେ ଓହ୍ଲେଇବେ ? ଉଡ଼ାଜାହାଜ ନା କାର୍‌ରେ ବା ହେଲିକ୍‌ପଟରରେ ?

 

ଶହ ଶହ ମାଇଲରୁ ଜନତାର ସ୍ରୋତ । ମହୁକୁ ପିମ୍ପୁଡ଼ି ଠାବକଲାଭଳି ଏ ଆକର୍ଷଣ । ମିଠାର କରାମତି । କର୍ତ୍ତବ୍ୟ ଛାଡ଼ି ଚାକିରି କମେଇ କରି, ରୋଗୀସେବା ଭୁଲି, ମାନ-ଇଜ୍ଜତ୍‌କୁ ଭ୍ରୂକ୍ଷେପ ନ କରି, କରଜ-ଦାମ୍‌ରେ ବୁଡ଼ି ଲୋକେ ଚାଲିଛନ୍ତି ଏକମୁଖୀ ରାସ୍ତା ଉପରେ, ଯେଉଁ ରାସ୍ତା ସିଧା, ସଳଖ ପଡ଼ିଯାଇଛି ଗୋଟାଏ ଆଳୟର ପାବଚ୍ଛଶ୍ରେଣୀ ପର୍ଯ୍ୟନ୍ତ ।

 

ଚିଫ୍ ସେକ୍ରେଟେରୀଙ୍କ ଘର । ଏଇ ଘର ଅଗଣାରେ ନୂତନ ବିରାଟ ମଣ୍ଡପ ତିଆରି ସରିଛି । ଯଜ୍ଞକୁଣ୍ଡ ଅନତିଦୂରରେ । ଭୋଜନଶାଳା ପଚାଶ ହଜାର ଲୋକଙ୍କ ଉଦର ଶାନ୍ତିପାଇଁ ପାଞ୍ଚମାଇଲ୍ ଯାଏ ଲମ୍ବିଯାଇଛି । ପାଚକମାନେ ଭାରତବର୍ଷର ବିଶିଷ୍ଟ ଉପାନ୍ତରୁ ଆସିଛନ୍ତି । ସେମାନେ ପର୍ଯ୍ୟବେକ୍ଷଣ କରୁଛନ୍ତି ହଣ୍ଡା, କଡ଼ା ଓ ବିବିଧ ରନ୍ଧନପାତ୍ରମାନଙ୍କୁ । ବଡ଼ ବଡ଼ ଉଦରଧାରୀ ଏହି ପାଚକମାନେ ସମସ୍ତଙ୍କୁ କଟ୍‌ମଟ୍‌ ହୋଇ ଚାହୁଁଛନ୍ତି, ହୁଏତ କଳନା କରୁଛନ୍ତି କିଏ କେତେ ପରିମାଣରେ ଖାଇବେ ।

 

ଅଦ୍ଭୁତ ଏ ଆୟୋଜନ । ଏତେ ଲୋକ ଶୋଇବେ କେଉଁଠି, ରହିବେ କିପରି, ଚାଲିବେ କେଉଁଆଡ଼େ, ବସିବେ କିମିତି, ଛିଡ଼ା ହୋଇ କଅଣ ଦେଖିବେ । ସବୁ ଯିମିତି ଅନିଶ୍ଚିତ, ଅନିର୍ଦ୍ଦିଷ୍ଟ । ତଥାପି ଗୋଟାଏ କଅଣ ହେଉଛି ବା ହେବାକୁ ଯାଉଛି, ଯାହା ବିରାଟତ୍ଵର ପରିଧିରେ ପଡ଼ିଯାଇଛି, କେବେ ବା ଶୂନ୍ୟକୁ ଉଠିଯାଇଛି ।

 

ଏ ମହିମାମୟ ବ୍ୟକ୍ତି ଯେ ଆସୁଛନ୍ତି ଓ ଯାହାକୁ ଦେଖିବାକୁ ଲୋକେ ଉଚ୍ଛନ୍ନ ହୋଇ ଦଉଡ଼ୁଛନ୍ତି, ସେ ଯେଉଁଠି ଶୋଇବେ, ଯେଉଁଠି ରହିବେ ଓ ଯେପରି ବସିବେ ତାହାର ସୁବ୍ୟବସ୍ଥା ହୋଇଛି । ଚିଫ୍ ସେକ୍ରେଟେରୀ ରାଜ୍ୟର ପ୍ରଧାନ ନାୟକ ହୋଇଥିବାରୁ ତାଙ୍କ ଆଦେଶରେ ପୋଲିସ, ଗୃହରକ୍ଷୀ, ଜଳଯୋଗାଣକାରୀ, ବିଦ୍ୟୁତ୍ ପ୍ରବାହକ, ଅରଣ୍ୟ ଅଫିସର, ଗୁପ୍ତ ଗୋଇନ୍ଦା, ବେଦପାଠାଭିଜ୍ଞ ବ୍ରାହ୍ମଣସମାଜ, ପ୍ରଚାର ସଂସ୍ଥାର ସେବକମାନେ ଇତ୍ୟାଦି ଜନଗୋଷ୍ଠୀ ଅଷ୍ଟପ୍ରହର ଜାଗ୍ରତ ହୋଇ କାର୍ଯ୍ୟ କରୁଛନ୍ତି ।

 

ସୃଷ୍ଟିରେ ପ୍ରଳୟ ହେବ, ନ ହେଲେ ତା’ରିଭିତରୁ ଆଉ ଗୋଟାଏ ଅନବଦ୍ୟ ସୃଷ୍ଟି ବାହାରିବ, ଏଭଳି ଏକ ଭାବନା ତଥା କଳିଯୁଗର ଶେଷ ସେକେଣ୍ଡକୁ ଦେଖିବାପାଇଁ ଏ ଜନତାର ମରଣମୂର୍ଚ୍ଛା ପ୍ରଣିଧାନ ସତେ ବଡ଼ ଅବାକ୍ ବିଷୟ ।

 

ସରକାର ଲକ୍ଷେ ଟଙ୍କା ଦାନ କରିଦେଲେ । ଗବ୍ୟଘୃତ ସେଥିରେ କିଣାଯାଇ ଦଗ୍‍ଧ ହେବ । ସେଥିରୁ ଯେଉଁ କୃଷ୍ଣକୁଣ୍ଡଳୀ ଜନ୍ମନେବ, ତାହା କ୍ରମେ ଧୂମାୟିତ ହୋଇ ସଚରାଚର ବ୍ୟାପିଯିବ । ତାହାରି ଆଘ୍ରାଣ ପାଇ ଯେଉଁ ଭାଗ୍ୟବାନ ଭାଗ୍ୟବତୀ ସୁଯୋଗ ଅପେକ୍ଷାରେ ଥିବେ, ସେମାନେ ଆଉ ଉତ୍‌କଳରେ ଜନ୍ମ ହେବେନାହିଁ । ଏଭଳି ନିର୍ଦ୍ଧନ, ନିର୍ଲ୍ଲଜ୍ଜ, ନିପୀଡ଼ିତ ରାଜ୍ୟରେ ସେମାନଙ୍କର ପୁନର୍ଜନ୍ମ ହେବନାହିଁ । ସେମାନେ ନିର୍ବାଣ ପାଇଯିବେ ।

 

ସ୍ତ୍ରୀଲୋକମାନଙ୍କର ଭୂମିକା ଓ ଦାୟିତ୍ଵ ବଢ଼ିଯାଇଛି । ଛଅମାସ ହେଲା ସେମାନଙ୍କର ସ୍ଵାମୀମୁଖ ଦର୍ଶନ ହୋଇନାହିଁ । ଯେଉଁମାନଙ୍କ ସହିତ ତାଙ୍କର ଦର୍ଶନ ହେଉଛି, ସେମାନେ ସମସ୍ତେ ଆତ୍ମୀୟ ନହେଲେ ବି ଆତ୍ମୀୟଠାରୁ ହଜାର ଗୁଣ ପ୍ରୀତିବନ୍ଧୁ, ଗୁରୁଭାଇ ।

 

କିଏ ଅଞ୍ଚଳ ଭିଡ଼ିଲେ, କିଏ ଆଖି ଠାରିଲେ, କିଏ ଥଟ୍ଟା ଟାପରା କଲେ । ସେ ସବୁର ଦ୍ରବ୍ୟଗୁଣ ଏତେ ବେଶି ଯେ ସେଥିରେ ଚିନ୍ତା କରିବାର କିଛି ନାହିଁ; କାରଣ ମହିଳାମାନେ ନିବେଦିତପ୍ରାଣା, ଏକ ସୂତ୍ରେ ଗୁନ୍ଥାମାଳା ଭଳି ଏମାନେ ପୁରୁଷ ସହିତ ବନ୍ଧନରେ ପଡ଼ି ସେହି ମହିମାମୟ ବ୍ୟକ୍ତିଙ୍କର ଆବିର୍ଭାବ ଲୀଳାର ଲୀଳାସଙ୍ଗିନୀ ଭାବରେ ସ୍ୱେଚ୍ଛାସେବିକା ଭୂମିକା ତଥା ନାନାବିଧ ଅପରାଧର ଦାୟୀତ୍ଵ ଘେନି ଯେତେବେଳେ ପ୍ରାନ୍ତର ଉପର ଦର୍ଶନ ମଣ୍ଡପକୁ ଘେରିଯାଇଛନ୍ତି, ସେ ଶୋଭା କେବଳ ଅମରାବତୀ ସହିତ ତୁଳନୀୟ ହୋଇପାରେ, ଅନ୍ୟତ୍ର ନୁହେଁ-

 

ସେକ୍ରେଟେରୀଏଟ୍ ଛୁଟି, ସ୍କୁଲ କଲେଜ ବନ୍ଦ, ବଜାର ହାଟ ମାନ୍ଦା, ସବୁଆଡ଼େ ଉତ୍‌ସୁକତା, କେତେବେଳେ ଆସିବେ, ସମୟଟା ପୁଣି ଏମିତି ଅଟକିଯାଏ । ହଁ ଆସୁଥିବେ । ପୂଜାର୍ଘ୍ୟ, ପୁଷ୍ପଦାନି, ଚାମର, ଛତି, କାହାଳୀ, ବାଦ୍ୟ, ସବୁ ଠିକ୍ ଅଛି ତ ? ଟିକିଏ ଏପଟ୍ ସେପଟ୍ ହୋଇଗଲେ ଜିତେନ୍ଦ୍ରିୟ ସେହି ମହିମାମୟ ବ୍ୟକ୍ତି କ୍ରୋଧରେ ଫାଟିପଡ଼ିବେ । ସେ କଅଣ ଆସୁଛନ୍ତି ତାଙ୍କ ସ୍ଵାର୍ଥ ପାଇଁ ? ତମେମାନେ ଏକାବେଳକେ ତାଙ୍କର ସହସ୍ରନାମ ଜପ କଲ, ସ୍ମରଣ କଲ; ତେଣୁ ତାଙ୍କ ସିଂହାସନ ହେଲା ଟଳମଳ । ସେ ଆସିବାକୁ ମନ ବଳାଇଲେ ।

 

କାହିଁକି ଆସିଛ ? କଅଣ ଦେଖିବ ? ନାଁ, ଏ ଆକାଶବାଣୀର ଇଣ୍ଟରଭିଉ ନୁହେଁ-ମନ ପଚାରୁଛି ଚୈତନ୍ୟକୁ–ହେ ଚୈତନ୍ୟ ! କହିଲୁ ଭଲ, ଗୋଟାଏ ଲୋକକୁ ଦେଖିବାକୁ ଏ ମଣିଷପଟାଳି, ସାପ ନବଖଣ୍ଡ ହୋଇଯିବ, ଏ ଜନତାର ଭିଡ଼ କାହିଁକି ?

 

ଚୈତନ୍ୟ କହିଲା–ବୁଝିଲୁନାହିଁକି ଭାଇ, ଜୀବନରେ ଥରେ ସୁଯୋଗ ଆସେ । ତରିଯିବୁ, ମରଣ, ପୁନରପି ଜନମ ପୁନରପି ମରଣରୁ–ତ୍ରାହି ପାଇଯିବୁ । ସେ ଯେ ଭଗବାନ…ଅଦ୍ୱିତୀୟ ଏକତମ ବା ଦ୍ୱିତୀୟ । ତାଙ୍କ ଛଡ଼ା ଆଉ ଭଗବାନ ନାହାନ୍ତି । ସେ ସେହି ।

 

ମନ ପଚାରିଲା–ହଇରେ, ଭଗବାନ କଅଣ ଖୋଜି ଲୋଡ଼ି ଚିଫ୍ ସେକ୍ରେଟେରୀଙ୍କ ଘରକୁ ଆସନ୍ତି ? ଗରିବ ଘରକୁ ଯାଆନ୍ତି ନାହିଁ, ପିଅନ ଘରେ ପାଦ ଦିଅନ୍ତି ନାହିଁ, ସେଠି ବି ଏଇ ବୁର୍ଜୋୟା ବିଚାର, ଆରିଷ୍ଟ୍ରୋକ୍ରେସିର ଉତ୍‌ପୀଡ଼ନ; ବଡ଼ ବଡ଼ ଲୋକଙ୍କ ଘର ବ୍ୟତୀତ ଏ ମହିମାମୟ ଭଗବାନଙ୍କର ବିଶ୍ରାମ ବା ଦର୍ଶନ ସ୍ଥାନ ଆଉ କେଉଁଠି ନାହିଁ ?

 

ମନ ଚୈତନ୍ୟ ଏମିତି ଭାବ ବିନିମୟ କରୁ କରୁ ଚତୁର୍ଦ୍ଦିଗରୁ କୋଳାହଳ-ସିନ୍ଧୁ ଉଛୁଳିପଡ଼ିଲା–ଆସିଗଲେ–କାହିଁ, କେଉଁଠି, କି ରୂପରେ ଆସୁଛନ୍ତି ? ମଣିଷଶରୀର ତ ? କଳ୍‌କି ପରେ ଶାସ୍ତ୍ର କଅଣ କହୁଛି, ଆଉ ଅବତାର ଅଛି କି ? କେଉଁ ଆକାରରେ ଭଗବାନ ଆସୁଛନ୍ତି ?

 

ଦେଖ, ଶୁଣ, କଥା କିମିତି କହୁଛି, ଭଗବାନଙ୍କର ପୁଣି ରୂପ କଅଣ ? ସେ କଅଣ ନର ହୋଇଛନ୍ତି ? ଭଗବାନ ଭଗବାନ ରୂପରେ ଆସିବେ, ଆଗମନ କରିବେ, ଶୟନ କରିବେ, ଦୃଶ୍ୟ, ଅଦୃଶ୍ୟ ସବୁ ଅବସ୍ଥାରେ ସେ ଚଳପ୍ରଚଳ ହେବେ । ପୁଣ୍ୟ ଥିଲେ ତମେ ଦେଖିପାରିବ, ସଫା ନଦେଖି ପାରିଲେ ସୂଚନାରେ ପାଇବ ।

 

କୋଳାହଳ ବଢ଼ିଲା । ସେ ଆସିବା ପୂର୍ବରୁ କିମିତି ପବନରେ ସୁଗନ୍ଧ ବୋହିଆସିଲା । କୋଟି ଚମ୍ପକମାଳାର ଗନ୍ଧ, ଅୟୁତ ମଲ୍ଲୀର ସୁରଭି-ନିଶ୍ଚିତରେ ଆସିଗଲେ । ଅନେକେ ଉପରକୁ ଚାହିଁଲେ, ଅନେକେ ପାଖ ଲୋକର ଦେହକୁ ଆଙ୍ଗୁଠିରେ ଗେଞ୍ଜି ଦେଇ ସେହି ଆଙ୍ଗୁଠିକୁ ନାସିକା-ପାଖକୁ ନେଇ ଆଘ୍ରାଣ କଲେ; ସତେ ତ ଲକ୍ଷେ ଗୋଲାପର ମତୁଆଲା ସୁବାସ । ଆଗେ ତାହା ହେଲେ ବସନ୍ତ ଆସିବା ପୂର୍ବରୁ ଯେପରି କୋକିଳକୁହୁ ଆସିଯାଏ,ସେମିତି ତାଙ୍କର ଆସିବା ଆଗରୁ ସୁଗନ୍ଧ ବିତରିଗଲା । ଧନ୍ୟ ଭଗବାନ, ଧନ୍ୟ ତୁମ ମହିମା !

 

କୋଳାହଳ ଫାଟିପଡ଼ିଲା–ଦେଖ, ଦେଖ, ମହୁ ବୋହିଯାଇଛି, ସେ ଯେ ବିରାଟ ଫଟ ତାଙ୍କର ଅଛି ସଭାମଣ୍ଡପରେ, ସେଥିରୁ ମହୁ ନିର୍ଗତ ହେଉଛି । ଉତ୍କଳ ଧନ୍ୟ ହେଲା । ଭଗବାନ, ଟିକିଏ କ୍ଷୀପ୍ରଭାବରେ ଏ ମହୁଧାରାକୁ ବୁହାଇ ଦିଅ; ଏ ଦେଶରେ ବଡ଼ ନଦୀ ମହାନଦୀ, ସେଠାରେ ଆଉ ପୁରୁଣା ଜଳସମ୍ଭାର ନ ଥୋଇ ତାକୁ ପରିଣତ କରିଦିଅ ମହୁରେ ଆଉ ବାକୀ ରହିଲା ଘିଅ ।

 

କିଏ ଜାଣେ ପାଟି କଲେ–ବନ୍ଦ କର ଏ ତାମସା, ଓଡ଼ିଶାରେ କେବେ ଘିଅ ମହୁ ଭାସିବ-? ବରଂ ସେ ମହିମାମୟ ଭଗବାନଙ୍କୁ କହିଦିଅ, ନଦୀମାତକା ଏ ଦେଶରେ ବହୁ ଜଳଧାରା ରହିଛି, ଭୋକିଲା ଓଡ଼ିଆ ଅଧ ପେଟରେ ପାଣି ଦି’ଚଳ ପି ଦେଇ ଶୋଇପଡ଼ିବ, ଏବେ ବି ଶୋଇପଡ଼ୁଛି । ମହୁ ପେଟରୁ ନ ଝରାଇ ଦୟାକରି ଯଦି ବାତ୍ୟାବିପନ୍ନ ଓଡ଼ିଆ, ଗୋରୁ ଓ ଗୃହପାଳିତ ପଶୁଙ୍କ ପାଇଁ ଚାଉଳ ଓ କୁଣ୍ଡା ଝରେଇ ପାରନ୍ତି ଭଗବାନ ଶୂନ୍ୟରୁ, ତେବେ ଏ ଦରିଦ୍ର ସରକାର ମାଥ୍ୟୁ ବା ପିଥୁ କେଉଁ ଭଗ୍ୟବାନ ଅଫିସରଙ୍କୁ ରିଲ୍‌ଫ୍ ବଣ୍ଟନ ପାଇଁ ପଠାନ୍ତାନାହିଁ । ତେଣୁ ପ୍ରତି ରନ୍ଧ୍ର ତଳେ ତୁମେ ଭଗବାନ ଛୁଟାଇଦିଅ ତଣ୍ଡୁଳ ପ୍ରବାହ, ଦିଅ ବସ୍ତ୍ରସମ୍ଭାର ଓ ବଞ୍ଚିବାପାଇଁ ଅତ୍ୟାବଶ୍ୟକୀୟ ବହୁ ଦ୍ରବ୍ୟ ।

 

ଝୋଲାମାରି ବସିଯାଇଥିଲେ ଥୋକେ ସେକ୍ରେଟରିଏଟ କର୍ମଚାରୀ । ସମସ୍ତଙ୍କର ଲଲାଟରେ ଗୁରୁଚିତା, ତ୍ରିକଲି । ଭକ୍ତ ଏମାନେ; ଭଜନ ଗାୟକ ଭାବରେ ଏମାନଙ୍କର ସୁନାମ ଅଛି-। ପ୍ରତି ଗୁରୁବାରରେ ଏହାଙ୍କର ଚାହିଦା ବଢ଼ିଯାଏ….ଏମାନେ ଭଜନ ଗାନକରନ୍ତି । ତାଳମାନ ଓ ଲୟ ସହିତ ଏମାନଙ୍କର ଗାୟନପଦ୍ଧତି ବଡ଼ ସୁନ୍ଦର ।

 

ପଚରାପଚରି ହେଉଥିଲେ ପରସ୍ପର ଭିତରେ ଗଗନ ବାବୁ, କାହାନ୍ତି ବାବା ? କଅଣ ଆସିବେ ନାହିଁ କି ?

...କି କଥା କହୁଛ, ପରମାଣିକ ବାବୁ, ଛଅମାସ ହେଲା ଚାନ୍ଦା କରି କରି ମୁଁ ଏକା ଗୋଟିଏ ଲୋକ ଦଶହଜାର ଟଙ୍କା ଉଠେଇଛି । ମୋ’ ଭଳି ଶହେ ଲୋକ ଚାନ୍ଦା ଆଦାୟକାରୀ ଅଛନ୍ତି । ଲକ୍ଷ ଲକ୍ଷ ଟଙ୍କାର ଅର୍ଜନ ହୋଇଛି । ସରକାରଙ୍କର ଦେୟ ଲକ୍ଷେ ଟଙ୍କା ଛାଡ଼ି ଯେଉଁ ମୂଳଧନ ସେହି ଧନକୁ ଦେଖି ଦେଖି, କିଞ୍ଚିତ୍ ମାତ୍ର ଚାଖି ଚାଖି, ଭକ୍ତମାନେ ନିରାଲମ୍ବ ହୋଇଯିବେ, ଜୀବନମୁକ୍ତ ତଥା ଲୋଭମୁକ୍ତ ହୋଇଯିବେ । ସନ୍ନ୍ୟାସ ନେବେ । ଏଇ ହେଲା ପ୍ରବୃତ୍ତି ଓ ନିବୃତ୍ତିତର ଏକତ୍ର ଯୋଗମାର୍ଗ ।

 

ଆରେ ଶୁଣୁଛ, ସେ ପୁଅ ଦେଇଦେବେ,

 

ସେ ପୁଣି ରୋଗ ଭଲ କରିଦେବେ,

 

ସେ ଉପଯୁକ୍ତ ପାତ୍ର ସହିତ ପାତ୍ରୀର ବିବାହ କରିଦେବେ; କେତେ କଅଣ ।

 

ଭଗବାନଙ୍କର ଐଶ୍ଵର୍ଯ୍ୟକୁ ଆମେ କଅଣ କଲନା କରିପାରିବା ? ...ଲୋକେ ଏହିଭଳି କୁହାକୁହି ହେଉଥିଲେ ।

 

ଚନ୍ଦ୍ରଶେଖର ବାବୁ ଆସିଲେ, ବଡ଼ ମାନ୍ୟଗଣ୍ୟ ବ୍ୟକ୍ତି । ସେ ବହୁ ବାବାଙ୍କର ସାକ୍ଷାତ୍‌କାର ପାଇଛନ୍ତି । ବହୁ ମାତାଙ୍କର ସାନ୍ନିଧ୍ୟ ପାଇଛନ୍ତି । ତୀର୍ଥାଟନ କରିଛନ୍ତି । ସର୍ବତ୍ର ସେ ଦେଖିଛନ୍ତି ଗୋଟାଏ ଆପାତ ଧାର୍ମିକ ଓ ପାରମାର୍ଥିକ ଆବରଣ ତଳେ ଲୁଣ୍ଠନ, ଉତ୍ପୀଡ଼ନ, ଧନଗର୍ବ, ସମ୍ଭୋଗ ଓ ବ୍ୟଭିଚାର କାଚଦର୍ପଣ, ଯାହା ଉପରେ ସମାଜ ପ୍ରତିବିମ୍ବିତ ହେଉଛି, ତଥାପି ଲୋକେ ବାରମ୍ବାର ମୂଢ଼ ହୋଇ ପ୍ରତାରିତ ହୋଇଯାଇଛନ୍ତି ।

 

ଚନ୍ଦ୍ରଶେଖର ବାବୁ ଭାଷଣ ଆରମ୍ଭ କଲେ…ଦେଖ ବନ୍ଧୁଗଣ, ବାବାଙ୍କର ଆସିବାକୁ ବିଳମ୍ବ ଅଛି, କିମ୍ବା ସେ ନ ଆସି ପାରନ୍ତି । ବାର୍ତ୍ତା ପଠାଇ କହିପାରନ୍ତି ଯେ ଉତ୍କଳୀୟମାନଙ୍କୁ ସେ ପରୀକ୍ଷା କରୁଥିଲେ ଏବଂ ସେମାନଙ୍କର ଧର୍ମଭାବ ଅତିମାତ୍ରାରେ ସବ୍‍ଷ୍ଟାଣ୍ଡାର୍ଡ଼ ଥିବାରୁ ସେ ଆସିବେ ନାହଁ । ଆଉ କିଛିଦନ ଭଜନ କୀର୍ତ୍ତନ କର; ଦେଖାଯିବ ତେଣିକି ।

 

ଉତ୍ସୁକ ଜନତା କଥା ଶୁଣୁଥିଲେ । କ୍ରମେ ସମୟ ଆଖର ହେଲାଣି । ଛଅମାସର ପ୍ରସ୍ତୁତି ମଉଳିଯିବା ଉପରେ । କ୍ରମେ ବରକ୍ତିଭାବ ଆସିଯାଇଛି; ତଥାପି ଭଗବଦ୍ ତ୍ରାସ ଥିବାରୁ ଏବଂ ସ୍ଵୟଂ ଭଗବାନ ଆସିବାକୁ ବିମାନ ଆରୋହଣ କାଳେ କରୁଥିବେ ଏଇ ସମ୍ଭାବନା ଯୋଗୁ ସମସ୍ତେ ପୁଣି ନିଶ୍ଚଳ ଭାବରେ ଭୂମି ସଂଲଗ୍ନ ହୋଇ ବସିପଡ଼ିଲେ ।

 

-ଆପଣମାନେ କୁହନ୍ତୁ, କି ଇଚ୍ଛା କରି ଖର୍ଚ୍ଚାନ୍ତ ହୋଇ କାୟା କ୍ଳେଶ କର, ବେକାର ସାଜି ଏଠାକୁ ଆସିଛନ୍ତି; କଅଣ ଆପଣଙ୍କର ଇଚ୍ଛା ?

 

ଚନ୍ଦ୍ରଶେଖରଙ୍କର ପ୍ରଶ୍ନ କରିବାର ଭଙ୍ଗୀ ଦେଖି ଜଣେ ପ୍ରୌଢ଼ କହିଲେ–ମୋର ଦୁଇଟି ଅଭିଳାଷ ଅଛି । ଏକ ମୋର ପ୍ରମୋଶନ, ଦୁଇରେ ମୋ ସ୍ତ୍ରୀର ବାତରୋଗର ପ୍ରଶମନ ।

 

ଆଉ ଆପଣ !

 

ଅନ୍ୟ ଜଣେ ମଝିଲା ବୟସର ବ୍ୟକ୍ତି କହିଲେ-

 

ମୋର ସେହି ପ୍ରମୋଶନ ଓ ସ୍ତ୍ରୀଙ୍କ ଜାଗାରେ ପୁଅର ବେରାମ ଅର୍ଥାତ୍ ମଦ୍ୟପାନର ନିଶା, ତାହା କିପରି ନରାକୃତ ହେବ–ସେହି ବିଷୟରେ ବାବାଙ୍କୁ ପଚାରିବି ।

 

ଚନ୍ଦ୍ରଶେଖର ବାବୁ ଠୋ ଠୋ ହସିଲେ–କହିଲେ, ବନ୍ଧୁଗଣ ! ଏସବୁ ବେରାମ ଆରାମ ବିଷୟରେ ଛୋଟିଆ ଛୋଟିଆ ଭଗବାନଙ୍କୁ କହିଲେ ଭଲ ଫଳ ହେବ; ସ୍ଵୟଂ ଖୋଦ ଭଗବାନଙ୍କୁ ଜଣାଇ ଲାଭ କଅଣ ? ଓଡ଼ିଶାରେ କେତେ ସରକାରୀ ଚାକରିଆ ନ ଅଛନ୍ତି । ସମସ୍ତଙ୍କର ପର୍ସନାଲ ଫାଇଲ ଦେଖି ବାବା ଯଦି ଗଣନା କରିବେ ତେବେ ସେ ସମଗ୍ର ବିଶ୍ଵର ଫାଇଲ କେବେ ଦେଖିବେ ?

 

ଆକାଶର ଏକ ପ୍ରାନ୍ତରେ କ୍ଷୁଦ୍ର କୁଙ୍କୁମ ବିନ୍ଦୁ ଭଳି ଗୋଟାଏ ଛୋଟ କେନ୍ଦ୍ର ଦେଖାଗଲା । ସହସା ଲକ୍ଷ କଣ୍ଠରୁ ନିର୍ଗତ ହେଲା–ବାବା ଆସିଗଲେ...ଆସିଗଲେ, ଜୟ ଭଗବାନଙ୍କୁ ଜୟ...ସବାରିରେ ଆସୁଛନ୍ତି...ତଫାତ୍ ହୁଅ, ତଫାତ୍ ହୁଅ..

 

ଦେବକୀ ଜଠରେ, ନନ୍ଦ ଘରେ, ଯଶୋଦା କୋଳରେ, ମାଛକାତି ତଳେ, ଶୂକର ଶ୍ରୋଣୀରେ, ବାମନ ଯଷ୍ଟି ତଳେ, କଚ୍ଛପ ପୃଷ୍ଠରେ ଯେଉଁ ଭଗବାନ ଯୁଗସନ୍ଧି ବେଳେ ଜନ୍ମ ନେଇଥିଲେ, ସେହି ଭଗବାନ ବିମାନ କକ୍ଷରେ ବସି ଆସୁଛନ୍ତି–ଭକ୍ତମାନଙ୍କୁ ପ୍ରମୋଶନ ଦେବେ, ବ୍ୟାଧି ହରଣ କରିବେ, ଡକାଏତି ଓ କଳାବଜାରୀ କଲାବାଲାଙ୍କୁ ଉତ୍ତମ ଡକାଏତ ଓ ଉତ୍ତମ କଳାବଜାରି କରିବେ । ଏଇ ତେବେ କଅଣ ଆଧୁନିକ ଭଗବାନଙ୍କର ଭୂମିକା ?

 

ସ୍ଵେଚ୍ଛାସେବିକା ଗୁଡ଼ିକ ଛଅମାସଯାକ ପ୍ରଭାତରେ ଫୁଲ ତୋଳି, ମଧ୍ୟାହ୍ନରେ ମାଳା ଗୁନ୍ଥି, ସଞ୍ଜରେ ଦେବ ବନ୍ଦନା ଯାଏ ସେ ମାଳାକୁ ପ୍ରତିପୋଷି ପାଳି ନିଷ୍ଠାରେ ଯେ କର୍ତ୍ତବ୍ୟ କରୁଥିଲେ, ତାହାର ପ୍ରତିକ୍ରିୟା ସ୍ଵରୂପ ଯେ ଯେଉଁଠି ପାରିଲା ଶୋଇଯାଇଥିଲେ । ସ୍ଵାମୀଙ୍କୁ ଭୁଲିଛନ୍ତି, ଘରରେ ତାଲା ପଡ଼ିଛି, ପୁଅ ଝିଅ କେଉଁଆଡ଼େ ଗଲେ, ଚିନ୍ତା ନାହିଁ । ଏମିତ ନିଷ୍ଠା ଓ ବିସ୍ମୃତି ତ ସହଜ କଥା ନୁହେଁ ? ବିଚାରା ଶୋଇଯାଇଛନ୍ତି; ଯାଆନ୍ତୁ ।

 

ଜଣେ କିଏ ପଚାରୁଛନ୍ତି….ଆଜ୍ଞା, ଏ କେତେ ପ୍ରକରଣର ବାବା ?

 

ଅର୍ଥାତ୍ ଉତ୍ତ୍ୟକ୍ତ ଗଳାରେ କହିଲେ ଅନ୍ୟ ଭଦ୍ରଲୋକ । ମୁଁ ପଚାରୁଥିଲି-ଏ ପ୍ରଥମ ଗୁରୁ କି ଦ୍ଵାଦଶ ?

-ଏ ଷଷ୍ଠ….

-ଗଣନା କରନ୍ତୁ..

-ବେଶ୍…ପ୍ରଥମେ ଅଭିରାମ, ଦ୍ୱିତୀୟରେ ଜଳୌକା, ତୃତୀୟରେ ପରମହଂସ, ଚତୁର୍ଥରେ ମଇଳା ବାବା, ପଞ୍ଚମରେ ଉଡ୍ଡୀୟମାନ ଓ ଚାରି ଷଷ୍ଠରେ ଏଇ….ମାନେ ଏଇ ଭଗବାନ…

-କାହାଠୁ କଅଣ ପାଇଲେ ?

-ପ୍ରଥମ ଦେଲେ କନ୍ୟା, ଦ୍ୱିତୀୟ-ତାକୁ ବିବାହ କରାଇଲେ, ତୃତୀୟ ରକ୍ଷାକଲେ ମତେ-ମୁଁ ଲାଞ୍ଚ ନେଉଥିଲି, ଧରାପଡ଼ିଲି ନାହିଁ । ଚତୁର୍ଥ-ଶତ୍ରୁ ନିଧନ କଲେ, ପଞ୍ଚମ ମତେ ଦେଲେ ପ୍ରମୋଶନ-ମୁଁ ମୋ ଉପରବାଲାର ଫାଇଲକୁ ପୋଡ଼ିଦେଲି, ଷଷ୍ଠ-ଏପର୍ଯ୍ୟନ୍ତ କିଛି ଦେଇନାହାନ୍ତି; ତେବେ ମୋର ଇଚ୍ଛା ଏଇ ଯେ ଭଗବାନ ଆସୁଛନ୍ତି, ସେ ମତେ ଦେବେ ଗୋଟିଏ ସ୍କୁଟର ଓ ଗୋଟିଏ ଜର୍ସି ଗାଈ…

କାମନା, ବାସନା, ଛୋଟ ଅଳି ଓ ପ୍ରାର୍ଥନାର ବିଶ୍ଵପ୍ରାଙ୍ଗଣ ସତେ ଯେମିତି ମୁଖରିତ ହୋଇଗଲା । ଅଲିଅଳ ପିଲାଏ ଯିମିତି ମାଗନ୍ତି ହାତ ଯତେଇ….ସିମିତି ହଜାର ହଜାର ଲୋକ ମାଗୁଛନ୍ତି; ଭୌତିକ ବିକାରରେ ବିକୃତ ପ୍ରାର୍ଥନା ସବୁ ଝରିପଡ଼ୁଛି ତାଙ୍କ ମୁଖରୁ, ଚକ୍ଷୁରୁ, ଚାହାଣିରୁ ।

ଜଣେ ହେଲେ ଅନ୍ତରପୁରୁଷକୁ, ଚୈତ୍ୟ ସତ୍ତାକୁ ନିରବ କାକୁତିରେ ଊର୍ଦ୍ଧ୍ଵାୟତନକୁ ନେଲେ ନାହିଁ । ନିରବ ଧ୍ୟାନ, ନୀରବ ସମର୍ପଣ ଓ ନିରବ ତ୍ୟାଗରେ ହୃଦୟକୁ କେହି ପରିଚ୍ଛନ୍ନ କଲେନାହିଁ ।

 

କେବଳ କୋଳହଳ, ବିରାଟ ଜନ-ସମାବେଶ, ଧର୍ମ ନାମରେ ଠକେଇ ଓ ଅର୍ଥ ଉପାର୍ଜନ ଏବଂ ହଜାର ହଜାର ଲୋକଙ୍କର ଦୁଃଖ-ଦୁର୍ଦ୍ଦଶାକୁ ବହନ କରି ଆଣୁଥିବା ଭଗବାନଙ୍କର ହେଲିକପ୍‌ଟର, ଚିଫ୍-ସେକ୍ରେଟାରିଙ୍କର ବାବା ମଣ୍ଡପ ଉପରେ ଅବତରଣ କଲାନାହିଁ । ସେ ଜଣେ ଭକ୍ତ, ଯାଇଥିଲେ ଭଗବାନଙ୍କୁ ଆଣିବାକୁ ।

 

ଦେଖାଗଲା ଶ୍ରାନ୍ତ କ୍ଳାନ୍ତ ହୋଇ ଜଣେ କର୍ମୀ ସତେ ଯେମିତ ଶୂନ୍ୟରୁ ଓହ୍ଲାଇ ଆସି ହାତଯୋଡ଼ି କହୁଛନ୍ତି…

 

“ମୁଁ ପାରିଲିନାହିଁ, ମୁଁ ବାବାଙ୍କର ପରମ ଭକ୍ତ ହେଲେ ବି ମୁଁ ପାରିଲିନାହଁ; କିନ୍ତୁ କେତେ ଅଳିକଲି, ହଜାର ହଜାର ଲୋକ, କେବଳ ଓଡ଼ିଶାର ନୁହେଁ, ସମଗ୍ର ଭରତବର୍ଷର ଆପଣଙ୍କୁ, ହେ ବାବା ଅପେକ୍ଷା କରିଛନ୍ତି, ଦର୍ଶନ କରିବେ, ସୁମଧୁର ବଚନ ଶୁଣିବେ, ଶୂନ୍ୟରୁ ଆପଣଙ୍କର ଅଲୌକିତ ଶକ୍ତିର ବିତରଣ କ୍ରିୟାକୁ ଦେଖି ମୁଗ୍‌ଧ ହେବେ; କିନ୍ତୁ ହେଲାନାହିଁ, କଅଣ ବାବା କହିଲେ ଜାଣ ?

 

ଜନତା ଉତ୍ତେଜିତ କଣ୍ଠରେ ପଚାରିଲେ,

 

-କଅଣ ?

 

-ସେ କହିଲେ, ଆପଣମୋନେ ଆହୁରି ଖୋଲନ୍ତୁ, ଖୋଲନ୍ତୁ, ଖୋଲନ୍ତୁ…

 

ଜନତା ଭିତରୁ ଚତ୍କାର ଆସିଲା-ଆମେ ଆମର ସର୍ବସ୍ଵ ଚାନ୍ଦା ଦେଇଛୁ । ସେ ଟଙ୍କା କୁଆଡ଼େ ଗଲା ? ଆଉ ବେଶି କଅଣ ଖୋଲିବୁ ?

 

ଏତିକିବେଳେ ମହିଳାମାନେ ବାହୁନା ଆରମ୍ଭ କରିଦେଲେ…ହଇଲୋ ସୁଶୀଳା ! ତୁ ଛଅ ମାସ ହେଲା କେଉଁଠି ଅଛୁ ଲୋ !

 

‘‘ହଇଏ, ତମେ ଛଅମାସ କାହା କୁଞ୍ଜରେ ରହିଲ କି ?” ପ୍ରବଳ କ୍ରନ୍ଦନଧ୍ଵନି । ଭଙ୍ଗା କଣ୍ଢେଇକୁ ଯୋଡ଼ିବାର ପ୍ରୟାସ ।

 

ଘର ମନେପଡ଼ିଲା ଏତେବେଳକୁ ! ଜନତାର ଚିତ୍କାର…ଚାଲ ଗୃହସ୍ଥାଶ୍ରମକୁ…ସେଇଠାରେ ଭଗବାନ ଅଛନ୍ତି ପରସ୍ପର ସ୍ନେହ-ପ୍ରୀତିରେ ବାନ୍ଧି ହୋଇ ଆଧ୍ୟାତ୍ମିକତାରେ ଜୀବନକୁ ଛନ୍ଦୋମୟ କରିବା–ଏ ବାବା-ଫାବା ଉତ୍ତମ କଥା ହେଲେ ବି ଆମେ ସମ୍ଭାଳି ପାରୁନ୍ତୁ; କାରଣ ଆମେ କ୍ଷୁଦ୍ର-ପ୍ରାଣ, କ୍ଷୁଦ୍ର ଆମର ସଞ୍ଚାରଭୂମି ।

 

ଜନତା ଜାଣିବାକୁ ଚାହିଁଲା-କଅଣ ଆଉ ଖୋଲିବୁ ? ଆପଣ କଅଣ କହୁଥିଲେ ଖୋଲିବା କଥା ?

 

ଅଦ୍ଧପକ୍ଵ ଶ୍ମଶ୍ରୁମୟ ମୁହଁଟି ଥରିଉଠିଲା ଭକ୍ତଙ୍କର–ସେ କହିଲେ; ବାବା କହିଛନ୍ତି, ଯାଅ, ଭକ୍ତମାନଙ୍କୁ ମୋର ବାର୍ତ୍ତା ଦିଅ–ସେମାନେ ଖୋଲନ୍ତୁ–ଖୋଲନ୍ତୁ–ଆହୁରି ଖୋଲନ୍ତୁ–ସଫା କରନ୍ତୁ । ବକ୍ତା ଆଗେଇବାରେ ଥରିଗଲେ; କହିଲେ–ତେବେ ଯାଇ ସେ ଆସିବେ ।

 

ଜନତାର ସେଇ ଏକ ଚିତ୍କାର–

 

“କଅଣ ଖୋଲବୁ ?”

 

ଉଦାତ୍ତ ଉତ୍ତର ମିଳିଲା–

 

“ହୃଦୟ…ହୃଦୟ…”

Image

 

ମଣି ଓ ମନ୍ଵନ୍ତର

 

ଘୋଡ଼ାମାନେ ନାଚୁଛନ୍ତି ।

ଯାତ୍ରା ଘୋଡ଼ା । ଦୁଇଟି ମାତ୍ର…

ତାଙ୍କ ଗଳାରେ ଘଣ୍ଟି ଘାଘୁଡ଼ି…

ବେକକୁ ସବୁଆଡ଼େ ପ୍ରସାରିତ କରି

ସେମାନେ ନାଚୁଥିଲେ ।

ସେମାନଙ୍କର ଗୋଡ଼ ନ ଥିଲା । ଅଶ୍ଵର ଖୁରା କହିଲେ ଯାହା ବୁଝାଯାଏ, ତାହା ସବୁ ନ ଥିଲା । ମଣିଷ ସେ ଅଭାବ ପୂରଣ କରୁଥିଲା ।

ତେଣୁ ଯେତେବେଳେ ଡାକବାଜି ଯନ୍ତ୍ରରେ ଜଣେ କେହି ମଣ୍ଡପ ଉପରୁ ଚତ୍କାରକଲେ-ହେଃ…ହେଃ ଘୋଡ଼ାନାଚ ବନ୍ଦ କର, ବର୍ତ୍ତମାନ ସଭା ଆରମ୍ଭ ହେବ, ସେତେବେଳେ ନାଚୁଥିବା ମଣିଷ ଦୁଇ ଜଣ ଥମିଗଲେ ।

ଆପେ ଆପେ ଘୋଡ଼ା ବି । ଘୋଡ଼ା ଦି’ଟା ପଥର ଭଲ ହୋଇଗଲେ । ଯିମିତି ସେପଟକୁ ବଉଳ ଛୁରିଅନା ବଣ ଶ୍ମଶାନରେ ପାଞ୍ଚଜଣ ସାଥୀ ପଥର ପାଲଟି ସମାଧି ତଳେ ନିଥର ହୋଇଯାଇଛନ୍ତି ।

ସେ ସଭାର ଆକର୍ଷଣ ବହୁତ କିଛି ଥିଲା । ବାର୍ ଲାଇଟ୍ ବହୁତ ଜଳୁଥିଲା । ନାଲି, ନେଳୀ, ହଳଦି ରଙ୍ଗର କେତେ କିସମର ବିଜୁଳିବତି । ଲୋକମାନେ ଚଉକି ଉପରେ ପୁଣି ପଡ଼ିଆ ଘାସ ଉପରେ ବସି ମେଳା ରଚନା କରିଥିଲେ । ଯୁବା, ଯୁବତୀ, ପିଲା । ପଡ଼ିଆଟା ଲୋକଗହଳିରେ ଫାଟିପଡ଼ୁଥିଲା । ଅଗଣନ ଜନତା ।

 

ବିମାନଟିଏ ବି ଥିଲା; ପଞ୍ଚ ଦୋଳରେ ଯେମିତି ବିମାନ ସାଜିଥାଏ । ତା ଭିତରେ କେହି ଦେବତା ନଥିଲେ । ରାଧା, କୃଷ୍ଣ କି ମଦନମୋହନ । ଗୋଟାଏ ଫଟ । ସେବି ସଫା ଦିଶୁ ନ ଥାଏ-। ଗୁଡ଼ାଏ ଫୁଲହାର ସେ ଫଟ ଉପରେ ଅଜାଡ଼ି ରହିଥିଲା ।

 

ଏଡ଼େ ବଡ଼ ବିଜୁଳି ଆଲୁଅ ଥୋପମାନଙ୍କରେ କାମେରାରୁ ଫଟ ଉଠୁଥିଲା । ସମସ୍ତଙ୍କ ମୁଖମଣ୍ଡଳ ଉଜଳିଯାଇଥିଲା କିଛି ସମୟ ପାଇଁ ।

 

ମଞ୍ଚଟିଏ ଅବଶ୍ୟ ଥିଲା । କେହି କେହି ତା ଉପରେ ବସିଥିଲେ । ସେମାନେ ବାରିହୋଇଯାଉଥିଲେ । ତାଙ୍କର ଆତ୍ମତୃପ୍ତି ଆସୁଥିଲା ଯେ ସେମାନେ ମଣ୍ଡପ ଉପରେ ବସିଛନ୍ତି ।

 

ସ୍ତ୍ରୀଲୋକଟିଏ ଓ ତାଙ୍କୁ ଘେରି କେତେକ ପୁରୁଷ । ଘୋଡ଼ାନାଚ ବନ୍ଦ ହୋଇଯିବାରୁ ଛୋଟ ଛୋଟ ଶିଶୁଙ୍କର ମନ-ଆକାଶରେ ବାଦଲ ଛାଇ ହୋଇଗଲା । ସେମାନଙ୍କୁ କାନ୍ଦ ମାଡ଼ିଲା । କିଏ ବି ସତ ସତ କାନ୍ଦିଲେ ।

 

ଜଣେ ମାଇପି ମଞ୍ଚ ଉପରେ ବସିବା ଆଗରୁ ମୁଣ୍ଡରେ ଓଢ଼ଣା ଦେଇ ଗୋଟାଏ ଆଲୁଅର ମଶାଲକୁ ବେଣ୍ଟ ଧରି ପୋତିଦେଲା ତୁଳସୀ ଚଉତରା ଭଳି ଜାଗାରେ । ହରବୋଲ, ହୁଳହୁଳି ଓ ହତତାଳି ଶୁଭିଲା । ଏହି କାର୍ଯ୍ୟଟି କଲାବେଳେ ତାଙ୍କର ମୁହଁଉପରକୁ ସବୁଆଡ଼ୁ ଉଜ୍ଜ୍ଵଳ ଆଲେକ-ବନ୍ୟା ମାଡ଼ିଆସିଲା । ସେ ସେଇ ଢେଉ ଭତରେ ନାଗକନ୍ୟା ଭଲ ସୁନ୍ଦର ହସ ହସିଦେଲେ ।

 

ଶ୍ମଶାନଆଡ଼େ ବା ଆଲୋକ ଜଳୁଥାଏ; ହେଲେ ତାହା ବଡ଼ ଅଣଉଜିଳା । ସେ ଆଲୁଅ କାହାକୁ ସୁଖ ଲାଗୁନଥାଏ । ସେଠି ଜୀବନ ନ ଥିବାରୁ ତାହା ଭୟଙ୍କର ବୋଧହେଉଥିଲା ।

 

ମଞ୍ଚ ଉପରୁ ମାଇପି ଜଣକ କଅଣ ସବୁ କହୁଥିଲେ । ଦୁଲାଳୀ କେବଳ ତାଙ୍କ ତୁଣ୍ଡରୁ ଶୁଣୁଥାଏ-ମଣି…ମଣି…ମଣି…ମଣି…

 

ସୁଆଣ୍ଡ ଗାଁରେ ତା’ର ଘର । ସେଇଠୁ ସେ ଚାଲି ଚାଲି କରି ଆସିଛି ତା ବାଆ ସାଙ୍ଗେ । ବାଆ ତାକୁ କାହିଁକି ଏ ଘୋଡ଼ାନାଚ ଆଉ ମେଳଣ ଦେଖାଇବାକୁ ଆଣିଲା ସେ ଜାଣେନି । କାନ୍ଧରେ ହୁଦା ପକେଇଥିବା କେତେଜଣ ଟୋକା ବାଟଯାକ ଦୁଲାଳୀକୁ କଦଳୀଟାଏ ଖାଇବାକୁ ଦେଇ ଆସିଛନ୍ତି । ମୁଡ଼ୁ ମୁଡ଼ୁ ବୋଟ ଚଣା ବି ସେ କିଛି କିଛି ଚୋବେଇଛି ।

 

ତା’ ବୟସ ସାତ କି ଆଠ । ବାଆର ନାଁ ଅନ୍ତିମ ପ୍ରଧାନ । ନାଁଟା କିମିତି ବାଖାଡ଼ିଆ, ସହଜରେ ତୁଣ୍ଡକୁ ଆସେନି । ସେ ତ ବାଆ ଡାକେ, ସେଥିରୁ କଅଣ ମିଳିବ ?

 

ସୁଆଣ୍ଡ ଗାଁରେ ‘ମଣି’ କଥାଟା ଅତି ଜଣାଶୁଣା । ପୁଅ-ଝିଅଙ୍କର ବି ମଣି ନାଁ ଅଛି । ଲୋକେ ହାତ ହଲେଇ କଥା କହୁଥିବାବେଳେ କେଜାଣି କାହିଁକି ଗର୍ବରେ ମଣି… ମଣି ବୋଲି ହେଉଥାନ୍ତି । ଦୁଲାଳୀ ଏ ସବୁ ଜାଣିଛି ।

 

ବାପକୁ ଜାଣିବା ସାଙ୍ଗେ ସାଙ୍ଗେ ଏ ମଣି-ମଣିଷଟାକୁ ସେ ଜାଣେ; ହେଲେ ତାକୁ ଦେଖିନି । ଅନ୍ତିମ ପ୍ରଧାନ ଝୁଅକୁ ଘରୁ ଗୋଡ଼ କଢ଼େଇ ଆଣିବାବେଳେ କଥା ଦେଇଥିଲା, ସେ ମଣିକୁ ଦେଖାଇଦେବ ଠିକଣା ଜାଗା ଉପରେ ।

 

ଏଣେ ଘୋଡ଼ାନାଚ ବନ୍ଦ । ତେଣେ ଭୋକ କଲାଣି । ଗୁଡ଼ାଏ ଲୋକ ଖାଲି ବକ୍ ବକ୍ କରୁଛନ୍ତି । ଯାତ୍ରା ଭଳିଆ ଲାଗୁଚି; ହେଲେ ବେଲୁନ୍ ଆକାଶକୁ ଉଠୁନି କି ଫାଟୁନି । ସୁନ୍‌ପାପୁଡ଼ି ବି କେହି ବିକୁନି ।

 

ଦୁଲାଳୀ ଶେଷକୁ ବିରକ୍ତିରେ କହିଲା–ବାଆବା, ମଣି କାଇଁ ମ ?

 

ଅନ୍ତିମ ପ୍ରଧାନେ ଝୁଅକଥା ଶୁଣି ଚମକି ଉଠିଲେ । କହିଲେ-ସେ ପରା ହଜିଯାଇଛି । ଅଚଳ ଦୋଅଣି ଯେମିତି ବାଲିଭିତରେ ପୋତିହେଇଯାଏନି, ସେମିତି ପରା ! ତାଙ୍କୁ ଆଉ ସାଉଁଟି ଆଣିବାକୁ କେହି ପାରିଲେ ନାଇଁ । ତେବେ ହେଇଟି ଦୁଲୁ ଏ ଯେଉଁ ପଂଝାଏ ବସିଚନ୍ତି ହେଇ ସେ ଉପରେ, ସେ ବି ଗୋଟିଏ ଗୋଟିଏ ମଣି…ମାଣିକ । ତାଙ୍କୁ ଦେଖିଲେ ଯାହା, ତାଙ୍କ କଥା ଶୁଣିଲେ ଯାହା, ମଣିକୁ ଦେଖିଲେ ତା କଥା ଶୁଣିଲେ ସେଇଆ, ଏକାକଥା ।

 

ସେ ସ୍ତ୍ରୀଲୋକ କହୁଥିଲେ ମଞ୍ଚ ଉପରୁ…ଆମେ ମଣିଙ୍କର ଅଧା କାମକୁ କରିଯିବା । ସେ ସ୍ଵର୍ଗରେ ଥାଇ ଆମକୁ ଦେଖୁଛନ୍ତି, ତାଙ୍କ କାମ ପୂରଣ ହୋଇନି ।

 

ଦୁଲାଳୀ ପାଟିକଲା–ବାଆବା, ମତେ ଭୋକ କଲାଣି, ଚାଲେ ଗାଁକୁ ଚାଲିଯିବା ।

 

ଏଇଭଳି ପରସ୍ଥିତି ଘଟିବ ବୋଲି ଭାବିଥିଲେ ରାଜନୈତିକ ସଂଗ୍ରାମୀ ଅନ୍ତିମ ପ୍ରଧାନ । ଯେଉଁମାନେ ସଭାକୁ ଆସିବା ପାଇଁ ଗାଁ-ଗାଁରେ ପ୍ରଚାର କରୁଥିଲେ, ସେମାନେ କହୁଥିଲେ-ତୁମେମାନେ ଚାଲ, ଚିନ୍ତା କରନି, ଫେରିବାବେଳେ ଟ୍ରକ୍‌ରେ ଆସିବ, ଖାଇବାକୁ ଦିଆଯିବ । ଇଚ୍ଛାହେଲେ ପଡ଼ିଆଉପରେ ଶୋଇପଡ଼ିବ; ପାହାନ୍ତାରୁ ଥଣ୍ଡାଏ ଥଣ୍ଡାଏ ଘରକୁ ଚାଲିଆସିବ ।

 

ପିଲାଟାକୁ ଭୋକ କରୁଛି । କାହାକୁ ଭୋକ କରୁଥିଲେ ମଣି ବି ଉପାସ ରହିଯାଆନ୍ତି । ପ୍ରଧାନଙ୍କ ଆଗରେ ତୋରଣ ଫିଟିଗଲା । ସେ ଭାବବିହ୍ଵଳ ହୋଇପଡ଼ିଲେ…ଦେଖିଲେ ମଣି ବି ଆଖିରୁ ଲୁହ ଝରାଇ ତାଙ୍କ ଖାଇବା ବଗଡ଼ା ଭାତଥାଳିରୁ ଦୁଲାଳୀକୁ ଖୁଆଇ ଦେଉଛନ୍ତି ।

 

ହୋସ୍ ହେଲା ତାଙ୍କର ଯେତେବେଳେ ଦୁଲାଳୀ କହୁଥିଲା-ବାଆବା, ସେ ମାଇପି ଲୋକ ଯେଉଁ ମସାଲ ଜାଳିଥେଲା, ଲିଭିଗଲାଣି ବାଆ ଦେଖୁନୁ–

 

ଅନ୍ତିମ ପ୍ରଧାନେ ଏକା ନୁହେଁ, ଦଶହଜାର ପରିମିତ ଦେଖଣାହାରି ଦେଖିଲେ ଜ୍ୟୋତି ଲିଭିଯାଇଚି । ଅଖଣ୍ଡ ଜ୍ୟୋତି ଅଖଣ୍ଡ ଦୀପ୍ତିରେ ରହିପାରଲା ନାହିଁ ।

 

ଜନତା ବଡ଼ ବ୍ୟସ୍ତ ହୋଇପଡ଼ିଲେ । ଅଶୁଭ ଲକ୍ଷଣ । କେହି କଅଣ ତେଲ ଢାଳି ପାରିଲେନି ?

 

ତେଲ ଢଳା, ତେଲ ଲଗାଇବା କାମକୁ ସାହସର ପ୍ରୟୋଜନ ଥାଏ । ପ୍ରୟୋଜନ ଓ ସ୍ଵାର୍ଥସାଧନ ବିନା କେହି କଅଣ ତେଲ ଦିଏ ? ଏଇ ତେଲ ଦେବା ପ୍ରକ୍ରିୟା ସମସ୍ତଙ୍କୁ ଜଣା ଯେ; ତେବେ ୧୯୨୮ରୁ ଶ୍ମଶାନରେ ବାସକରୁଥିବା ମଣିଙ୍କ ଆଖି ଆଗରେ ତେଲଦେଇ କାମ କରାଇନେବା ତ ସହଜ କାର୍ଯ୍ୟ ନୁହେଁ । ସମସ୍ତେ ଭୁଲିଗଲେ ଯେ ଅଗ୍ନି ବି ଲିଭିଯିବ ମହାକାଳ ଇଙ୍ଗିତରେ ସମୟ ଆସିଗଲେ ।

 

ମହାକାଳ ପରୀକ୍ଷା କରୁଥିଲା । ସେପଟେ ଏତେ ଫୁଲମାଳ, ସେପଟେ ଏତେ ଭାଷଣ ସେପଟେ ଏତେ ବେଦପାଠ ଆଉ କିଏ କେତେ ପ୍ରକାରେ କଅଣ କଲେ ମଞ୍ଚ ଉପରେ ବସିଥିବା ସଂଭ୍ରାନ୍ତ ଲୋକଙ୍କ ଆଖିରେ ପଡ଼ିବେ ଓ ସେ ଆଖିରୁ କୃପା ଝରିଆସିବ ଘନ ହୋଇ । ଏଇ ଭାବନା କରୁକରୁ ସୁଆଣ୍ଡର ଜ୍ୟୋତିକୁ କେହି ସାଷ୍ଟାମ କରିପାରିଲେ ନାହିଁ ।

 

କାରଣ ତାହା ଥିଲା ପ୍ରାଚୀନ ଜ୍ୟୋତି ।

 

ସେ ଜ୍ୟୋତି ଜଳୁଥିବା ବେଳେ ବ୍ରିଟିଶ ଶାର୍ଦୁଳ ବି ଗର୍ଜନ କ୍ଷୀଣ କରିଦେଇଥିଲା । ଯେଉଁ ଚାରିଗୋଟି ଜ୍ୟୋତି ଏଇ ମହାଜ୍ୟୋତିକୁ ସାମ୍ନାରେ ରଖି ବକୁଳ ଛୁରିଅନା ବଣରେ ଉଡ଼ୁଥିବା ଜଳୁଜଳୁଆ ପତଙ୍ଗର ପୁଚ୍ଛସ୍ଥ ଆଲୋକରେ ନିଜକୁ ଆବିଷ୍କାର କରୁଛନ୍ତି, ଆଉ ତଉଲି ଦେଖୁଛନ୍ତି ସେ ଯୁଗକୁ ଏ ଯୁଗକୁ ପ୍ରେତ ପୁରୁଷ ହୋଇ, ସେମାନେ ସେ ସଞ୍ଜବେଳେ ଦେଖିଲେ ଘୋଡ଼ାନାଚ, ବିମାନ ଦୋଳନ ଓ ମାଇକର ଚିତ୍କାର ତଳେ କେଉଁଠି ଟିକିଏ ବି ନାହିଁ ସେମାନଙ୍କର ସେ କାଳର ଅନୁରୂପ ଭାବ-ବିହ୍ଵଳତା !!

 

“ସେହି, ନାହିଁ ଯା’ର ନିଜ ପର ଜ୍ଞାନ

ପାଏ ନୀଚ ଯା’ର ସ୍ନେହ ସନମାନ,

ବିଶ୍ଵହିତେ ଯା’ର,

ଆହାର ବିହାର,

କରେ ବିଶ୍ଵହିତେ ଯେ ଜୀବନ ଦାନ ।

ସେହି, କରେ ଯେହୁ ସତ୍ୟ ଆଚରଣ

ସତ୍ୟ ଆରାଧନା, ସତ୍ୟ ସଂଭାଷଣ

ଭିତର ବାହାର,

ଯାର ସତ୍ୟ ସାର

ସୁଖେ ଦୁଃଖେ ସଦା ସତ୍ୟ ଯା ଶରଣ ।

 

ହୋ....ହୋ ଶବ୍ଦରେ ଅନ୍ତିମ ପ୍ରଧାନେ ଚମକି ଉଠିଲେ-ସଭା ଭାଙ୍ଗିଲା । ମଣିଷର ଫେରନ୍ତା ସୁଅ ଛୁଟିଲା । ଆଗ ସେ ମହନୀୟା ମହିଳା ଜଣକ ଗଲେ, ବାଟ କଢ଼େଇ ତାଙ୍କୁ ବହୁଲୋକ ଘେର କରି ନେଇଗଲେ ।

 

ଦୁଲାଳୀର ଭୋକ ଶହେ ଗୁଣ ବଢ଼ିଗଲା । ସେ କହିଲା–‘ବାଆବା, ସେ ମାଇପି ଲୋକକୁ ଏମିତି ଘେରିକରି ଲୋକେ ନେଇଗଲେ କିଆଁ ?

 

ଅନ୍ତିମ ପ୍ରଧାନେ ହସିଲେ-କହିଲେ, ସେ ପରା ଆମ ଆଶା-ଭରସାର ସ୍ଥଳ ।

 

ଦୁଲାଳୀ ଆବାକାବା ହୋଇ ଅନାଇ ରହିଲା । ସେ ବୁଝିଲାନି ଆଶା କଅଣ, ଭରସା କଅଣ । ତା’ଉପରକୁ ଜନତା ମାଡ଼ିଆସିଲା ।

 

ଘରବାହୁଡ଼ା ସମସ୍ତେ…..ଉଚ୍ଛନ୍ନ, କିମିତି ଫେରିବେ । ଆସିଲାବେଳେ ଗୋଟାଏ ଅନାଗତ ମାଦକତା ତାଙ୍କୁ ଠେଲି ନେଇଆସିଥିଲା । ମଣି ବିଷୟରେ ବଚନ, ମଣି ବିଷୟରେ ମେଳନ, ମଣି ବିଷୟରେ ଏବର ମଣିଷ କଅଣ କହିବେ, ତାହା ହୃଦୟରୁ ବାହାରିବ ନା ଓଠରୁ ଝରିବ, ଜାଣିବା ପାଇଁ ଜନଗହଳି ଫାଟିପଡ଼ିଥିଲା ।

 

ଏବେ ଜ୍ୟୋତି ଲିଭିଛି, ମଣି ମିଳିନି । ଗୁଡ଼ାଏ ଲୋକ ଭଁ ଭାଁ ଯାନ ଛୁଟାଇ ଉଡ଼ିଗଲେ ।

 

ଦୁଲାଳୀ ପଚାରିଲା–ବାଆବା, ମଣି ପରା ଭଲଲୋକ ଥେଲେ, ଏ ମାଇପି ଲୋକ କଅଣ ସେଇଆ ?

 

ତରତର କରି ପ୍ରଧାନେ କହିଦେଲେ ଜିଭ ଚାଟି,....ହଁ…ହଁ ସମେତେ ଭଲଲୋକ, ସମେତେ ଜାତିକୁ ଦେଶକୁ ଟେକିବା ପାଇଁ ପରିଶ୍ରମ କରୁଛନ୍ତି । ସମସ୍ତେ ଭଲ ଲୋକ-ଏ କଅଣ, ସେ କଅଣ ? ସମସ୍ତେ ଦେଶ ପ୍ରେମିକ, ଦେଶ ପ୍ରେମିକା…ମାନେ…ହଁ…ହଁ

 

ଟେକିବା କଥାଟା ଦୁଲାଳୀର କାନରେ ପଶିବାମାତ୍ରେ ଦୁଲାଳୀ କାନ୍ଦଣାନାକୀ ସୁର୍‌ରେ କହିଲା–ବାଆବା ମେତେ ଟେକିଧର କାନ୍ଧ ଉପରେ । ମୁଁ ଚାଲିପାରିବିନି ।

 

ରାଜନୈତିକ କର୍ମୀ ଅନ୍ତିମ ପ୍ରଧାନେ ଚିନ୍ତାକଲେ, ଝିଅ ତ ଠିକ୍ କହୁଛି । ମଣି କହୁଥିଲା–ନିଜ ଶକ୍ତିରେ ଚାଲ । ଏବେ ଟେକିବାକୁ ପଡ଼ିବ । ନା, ନା, ମଣି ପଛକୁ କଅଣ ମଣିଷ ନାହାନ୍ତି ? ଅବଶ୍ୟ ଅଛନ୍ତି ।

 

କ୍ରମେ ମଣିଷଶୂନ୍ୟ ସେ ପଡ଼ିଆ ଭୟଙ୍କର ଦେଖାଗଲା । ବିଜୁଳୀ କର୍ମଚାରୀମାନେ ଚାକିରି ଶେଷ ହେଲା ଭାବି ଆଲୁଅ ଲିଭାଇଦେଲେ; କିନ୍ତୁ ହଠାତ୍ କେଉଁଆଡ଼ୁ ମାଡ଼ିଆସିଲେ ବଉଳ ଛୁରିଅନା ବଣ ଭିତରକୁ ପ୍ରଚୁର ଜ୍ୟୋତିରିଙ୍ଗଣ । ଚକ୍...ଚକ୍ କରୁଥିଲେ ସେମାନେ । ଝିଙ୍କାରୀର ଝିଁ ଝିଁ ଶବ୍ଦ । ପ୍ରେତାତ୍ମାଙ୍କ ନିବାସ ସ୍ଥଳ, ସବୁ ମିଶି ଗୋଟାଏ ଅତୀନ୍ଦ୍ରିୟ ରହସ୍ୟାବୃତ ରାଜ୍ୟ ସେଠି ସୃଷ୍ଟି ହୋଇଥିଲା ।

 

ପହରାବାଲା ଗେଟ୍ ବନ୍ଦ କରିଦେଇଛି; ପୁଣି ବର୍ଷକ ପରେ ଏଇ ଦିନ ଖୋଲିବ । ତାର କାମ ଶେଷ । କମ୍ ସେ ହଇରାଣ ହେଲାଣି ?

 

ଝିଅକୁ କାନ୍ଧରେ ବସାଇ ଅନ୍ତିମ ପ୍ରଧାନ ବାଟ ଚାଲୁଥିଲେ ସୁଆଣ୍ଡ ଆଡ଼େ । ଝିଅ ଥଣ୍ଡା-କାକରରେ କାତେଇଯାଇଛି ତାଙ୍କ ଉପରେ । ଆହା, ତାକୁ ଭୋକ କରୁଥିଲା । ଯେଉଁମାନେ ମଟରରେ ଚାଲିଗଲେ ଲିଙ୍ଗରାଜ ଦେଉଳ ବା ଜଗନ୍ନାଥ ଦେଉଳ ଆଡ଼ୁ ଆସିଥିଲେ, ସେମାନଙ୍କ ପୁଅ ଝିଅ ସାନ୍ଧ୍ୟ ଭୋଜନ ସାରି ଫ୍ରିଜ୍‌ରୁ ଆଇସ୍‌କ୍ରିମ୍‌ ଚୋଷୁଥିବେ, ଆଉ ଦୁଲାଳୀ... ?

 

ସେ ମାଇପିଟିର କଥା ଅନୁରଣନ ଦେଉଥିଲା ଅନ୍ତିମ ପ୍ରଧାନଙ୍କର ଚେତନାରେ...

 

ସବୁ କର, କହ; କିନ୍ତୁ ଛଳନା କରନି । ଛଳନା ମହାପାପ ।

 

ସୁଆଣ୍ଡ ଦିଶିନାଇଁ । ମାନଚିତ୍ରରେ ନାଇଁ କି ମନଗହୀରରେ ନାଇଁ । ଅନ୍ଧାର ରାତି । ଆସିବାବେଳେ ସମସ୍ତେ ପଚରାଉଚରା କରୁଥିଲେ, ଫେରିବା ବେଳେ ଏକା...ଏକା, କେହି ନାହାନ୍ତି-। ଚିନ୍ତା କରୁଥିଲେ ଅନ୍ତିମ ପ୍ରଧାନେ । ମାତୃହରା ଝିଅକୁ କଅଣ ଖୁଆଇବେ ? ପଖାଳ ବି ହାଣ୍ଡିରେ ନଥିବ ।

Image

 

ଜାଗ୍ରତ କୁଣ୍ଡଳିନୀ

 

ଯୋଗଦାଶ୍ରମର ସାଧିକା ଦୟା ମାତାଙ୍କର ଭକ୍ତଜନମାନଙ୍କୁ ପ୍ରଦତ୍ତ ଇଂରାଜୀ ଭାଷଣର ଟେପ୍ ରେକର୍ଡ଼ ସେଦିନ ସ୍ଵଳ୍ପାଲୋକିତ ଧ୍ୟାନ-ଗୃହରେ ସ୍ଵାମୀ ଶିବାନନ୍ଦ ଗିରି ବଜାଇ ଶୁଣାଇଦେଲେ-

ଗୃହର ସମ୍ମୁଖରେ ସାଗରର ବିପୁଳ ତନୁ ଓ ଝଙ୍କାର । ଆକାଶରେ ଥିଲା ଚନ୍ଦ୍ରମା । ପାଖେ ପାଖେ ବୃକ୍ଷଲତା ଗୁଳ୍ମର ପ୍ରସାର । ଯାହାଙ୍କର ଏ ଆବାସ, ସେ ଜଣେ ଧର୍ମପ୍ରାଣ ସତ୍‌ସଙ୍ଗୀ ଇଂଜିନିୟର । ମାଟି, ସିମେଣ୍ଟ, ଇଟା, ଲୁହା ମିଶାଇ ସୌଧ, ସେତୁ, ପଥ ନିର୍ମାଣ କରିବା ସଙ୍ଗେ ସଙ୍ଗେ ରାଜଯୋଗର କେତୋଟି ସାଧନପନ୍ଥାରେ ଅଭ୍ୟାସ ରଖିଥିବାରୁ ପ୍ରିୟନାଥ ସହରବାସୀଙ୍କ ପାଖରେ ଜଣେ ଉଚ୍ଚକୋଟୀର ପୁରୁଷ ବୋଲି ଖ୍ୟାତ ହୋଇଥାନ୍ତି ।

ଧ୍ୟାନ ସଦନଟି ତାଙ୍କରି କଳ୍ପନା । ବହୁ ରଙ୍ଗର ଉଜ୍ଵଳ ବୈଦ୍ୟୁତିକ ପ୍ରଦୀପର ଜ୍ୟୋତିରେ ଶୋଭାପାଉଛନ୍ତି ପ୍ରଣବ, ଓଁ କାର ଭିତରେ ଶ୍ରୀକୃଷ୍ଣ, ଯୋଗରତ ଗୌତମ, ବନବାସୀ ରାମଚନ୍ଦ୍ର, କ୍ଷିରାବ୍‌ଧୀଶାୟିତ ବିଷ୍ଣୁ...ଏମିତି ସର୍ବଧର୍ମ-ସମନ୍ଵୟର ବିଗ୍ରହ ଓ ପ୍ରତିମା ।

ଶାନ୍ତି ଓ ସଂପ୍ରୀତିର ବାତାବରଣଯୁକ୍ତ ଏହି ସଂଧ୍ୟାଧର୍ମୀୟ ଆସରଟିକୁ ପରମ ପରିତୋଷର ସହିତ ଗ୍ରହଣ କରୁଥିଲେ ସେ ସମୟର ପ୍ରଧାନ ଅତିଥି ଐଶ୍ଵରୀୟ ସଂପଦରେ ପୂର୍ଣ୍ଣ ଆସ୍ଥାବାନ୍ ଏ ରାଜ୍ୟର ଶିକ୍ଷାବିତ୍ ଓ ସାହିତ୍ୟିକ ପୂର୍ଣ୍ଣାନନ୍ଦ ପଟ୍ଟନାୟକ ।

ପୂର୍ଣ୍ଣାନନ୍ଦ ଜୀବନର ପ୍ରାନ୍ତ ଉପରେ ଉଭା ହୋଇ ଅତୀତ ଓ ଭବିଷ୍ୟତକୁ ନିରୀକ୍ଷଣ କରି ଯାହା ଅବବୋଧରେ ଆଣୁଥିଲେ, ତାହା ଥିଲା ଦିବ୍ୟ ଜୀବନର ଆଭାସ । ଯାହା ଘଟି ଯାଇଛି ଜୀବନରେ, ଯାହା ବା ଆସୁଛି....ସବୁର ବିସ୍ମୃତି-ସମାଧି ଉପରେ ଅବଶିଷ୍ଟ ଆୟୁକାଳକୁ ସେ ସତ୍ୟ, ଶିବ ଓ ସୌନ୍ଦର୍ଯ୍ୟର ଆବାହନରେ ଯାହା ନ କରିବେ ବୋଲି ଆତ୍ମବିଶ୍ଵାସପ୍ରତିଷ୍ଠା ହୋଇ ଏକାନ୍ତ କାର୍ଯ୍ୟକରି ଚାଲିଛନ୍ତି ।

ବହୁ ସାଂସ୍କୃତିକ ଅନୁଷ୍ଠାନରେ ତାଙ୍କର ଉପସ୍ଥିତ ଓ ଅଭିଭାଷଣ ଲୋକମନକୁ ପ୍ରଭାବିତ କରିଥାଏ । ପ୍ରିୟନାଥ ଇଞ୍ଜିନିୟର ଓ ପୂର୍ଣ୍ଣାନନ୍ଦ ଅଭେଦାତ୍ମା; କାରଣ ଦୁହିଁଙ୍କର ପଥ ଥିଲା ଧ୍ୟାନ ସାଧନ ପଥରେ ଗତିକରି ଈଶ୍ୱର ଉପଲବ୍‌ଧି ପାଇଁ ମନ-ପ୍ରାଙ୍ଗଣକୁ ପରିଚ୍ଛନ୍ନ ରଖିବା ।

ଏଥିପାଇଁ ପ୍ରୟୋଜନ ଆସକ୍ତିହୀନ ଜୀବନଯାପନ ! ମାତ୍ର ଦୁହେଁ ଗୃହସ୍ଥ; ପୁତ୍ର କନ୍ୟା ବନ୍ଧୁ ଆସଙ୍ଗ ପରିବର୍ଦ୍ଧିତ ହୋଇ ସଂସାରରେ ରହିବା ସମ୍ଭବପର ନୁହେଁ । ତଥାପି ପୂର୍ଣ୍ଣାନନ୍ଦ ତାଙ୍କର ବହୁଧର୍ମୀୟ ପ୍ରବଚନରେ ଶୁଣାଇଥାନ୍ତି । ଏହି ଆସକ୍ତିହୀନ ଜୀବନର ପରମ ସାର୍ଥକତାର ବିଷୟ । ନିଜେ ମଧ୍ୟ ଆଚରଣରେ ଅନାସକ୍ତ ରହିବାର ସମ୍ୟକ୍ ଭାବ ସେ ଦେଖାଇଥାନ୍ତି । ଏଥିପାଇଁ ସେ ସମ୍ମାନିତ ବ୍ୟକ୍ତି ଭାବରେ ପରିଚିତ ।

ଦୟାମାତାଙ୍କ ଇଂରାଜୀ ପ୍ରବଚନକୁ ନିଜ ମାତୃଭାଷାରେ ସେଦିନ ରମଣୀୟ ସନ୍ଧ୍ୟାରେ ପ୍ରକାଶ କରିଥିଲେ ପୂର୍ଣ୍ଣାନନ୍ଦ । ଗଭୀର ଧ୍ୟାନ ଓ ଯଥାର୍ଥ ସତ୍ୟମୟ କର୍ମ ଆମ ଜୀବନର ଲକ୍ଷ୍ୟ ହେଉ ବୋଲି ଦୟାମାତା କହିଥିଲେ । ମଣିଷର ଶରୀର, ମନ, ହୃଦୟ ଓ ବୁଦ୍ଧିକୁ ଈଶ୍ୱରଙ୍କର ପ୍ରେମଦ୍ଵାରା ଆବୃତ ରଖିବାକୁ ସେ ଉପଦେଶ ଦେଇଥିଲେ । ନୀରବତା ଓ ଅନାସକ୍ତି ଭିତରେ ପରମ ପଦ ଲାଭ ହୋଇ ପାରିବ ବୋଲି ସାଧିକା ଦୟାମାତା ଯାହା ଇଂରାଜୀରେ କହିଥିଲେ, ଅତ୍ୟନ୍ତ ଭାବାବେଶ ଓ ପ୍ରତୀତମାନସ ଦେଇ ପୂର୍ଣ୍ଣାନନ୍ଦ ତାହାକୁ ବ୍ୟକ୍ତ କରିବାରେ ଯେଉଁ ଅକ୍ଷୟ ବାତାବରଣ ସୃଷ୍ଟି କରିଥିଲେ, ତାହା ଅତୀବ ଆକର୍ଷଣୀୟ ହୋଇଥିଲା ।

ପର ପ୍ରଭାତର କଥା । ଇଞ୍ଜିନିୟର ପ୍ରିୟନାଥ ଉପସ୍ଥିତି ହେଲେ ପୂର୍ଣ୍ଣାନନ୍ଦଙ୍କର ଆବାସରେ...ଯୁଦ୍ଧସ୍ନାତ ଶରୀର ଓ ଇଶ୍ଵରାଭିମୁଖୀ ମନ ନେଇ ବସିଥିଲେ ପୂର୍ଣ୍ଣାନନ୍ଦ । ଅଭିବାଦନ ଜଣାଇଲେ ପ୍ରିୟନାଥଙ୍କୁ, ଧନ୍ୟବାଦ ଦେଲେ । ଏତିକି କହି ଯେ ଗତ ସଂଧ୍ୟାରେ ଯେଉଁ ସତ୍‌ସଙ୍ଗ ଅନୁଷ୍ଠାନଟି ତାଙ୍କ ଧ୍ୟାନ-ଗୃହରେ କରିଥିଲେ, ତାହା ଆଧ୍ୟାତ୍ମ୍ୟ ଭାବ ପ୍ରସାର କରିବାରେ ଯଥେଷ୍ଟ ସହାୟକ ହୋଇଥିଲା ।

ପ୍ରିୟନାଥ କହିଲେ-ପୂର୍ଣ୍ଣାନନ୍ଦ ବାବୁ, ଆପଣ ସାଧନ-ଭଜନରେ ବହୁ ପଥ ଅତିବାହିତ କରିଯାଇଛନ୍ତି । ଦୟାମାତାଙ୍କ ପ୍ରବଚନକୁ ଆପଣ ଯେଉଁ ଦିବ୍ୟ ସରସତା ସହିତ ପରିବେଷଣ କରୁଥିଲେ, ମନେହେଲା ଆପଣ ଏ ପୃଥିବୀର ଆଉ ସତ୍ତା ନୁହନ୍ତି; ପରପାରର ମୁକ୍ତ ଜୀବ । ତେଣୁ ଆପଣ ଆମମାନଙ୍କର ନମସ୍ୟ ।

ପୂର୍ଣ୍ଣାନନ୍ଦ ଅପ୍ରତିଭ ହେଲେ; କହିଲେ–“ନା, ନା, ଏସବୁ ଅତିରଞ୍ଜନ । ‘ମୁଁ’ କାର ଏ ତୁଣ୍ଡରୁ ବାହାରୁଥିବାଯାଏ, ମୁଁ ପ୍ରାଣୀମାତ୍ର, ଅହଂମୟ ଜୀବମାତ୍ର, ଯେତେଦିନ ସ୍ଵାର୍ଥ, ମାୟା ଓ ଅହଂକୃତିରେ ଏ ଜୀବନ ଅତିବାହିତ ହେଉଥିବ, ସେତେଦିନ ମୁଁ ପାମର, ପାପୀ, ଅପବିତ୍ର ମଣିଷ । ମୋର ଲୋଭ ରହିଛି, ସ୍ଵାର୍ଥ ରହିଛି; ମତେ ଏତେ ବଡ଼ କରନ୍ତୁ ନାହିଁ ।”

ପ୍ରିୟନାଥ କହିଲେ–“ଏଭଳି ନମ୍ରତା ଆପଣଙ୍କୁ ଶୋଭାପାଏ । ତେବେ ମୁଁ ଏତିକି କହିବି, ଆପଣ ନାନାବିଧ ଅନୁଷ୍ଠାନରେ ଏପରି ଯୋଗ ନ ଦେଇ ଗୋଟିଏ ନିର୍ଦ୍ଧିଷ୍ଟ ସଂସ୍ଥା ସହିତ ଯୁକ୍ତ ରହି ଅଖଣ୍ଡ ନୀରବତରେ ବୁଡ଼ିଯାଆନ୍ତୁ । ଅଧଘଣ୍ଟାର ନୀରବ ଧ୍ୟାନ ଓ ମନର ଗଭୀର ତନ୍ତୁରେ ପ୍ରବେଶ ସମାଧି, ଯେଉଁ ପରିମାଣରେ ଆଧ୍ୟାତ୍ମ୍ୟ-ଜ୍ୟୋତି ଶରୀର, ମନ ଓ ଜୀବନକୁ ଆଲୋକିତ କରିପାରିବ, ତାହା ଏଭଳି ବିକ୍ଷିପ୍ତ ଉଚ୍ଛନ୍ନ ଜୀବନ ଧାରଣର ସମ୍ଭବ ନୁହେଁ । ତେଣୁ ମୋର ଅନୁରୋଧ, ଆପଣ ସେହି ଜ୍ୟୋତି ପଥରେ ଅଗ୍ରସର ହୁଅନ୍ତୁ...ଅନାସକ୍ତ ବିମୁକ୍ତ-ଆତ୍ମା ହୋଇ ବହୁ ଲୋକଙ୍କର ହିତ ପାଇଁ କାର୍ଯ୍ୟ ସାଧନ କରନ୍ତୁ” ।

ପୂର୍ଣ୍ଣାନନ୍ଦ ଏଯାଏ ଚକ୍ଷୁ ମୁଦ୍ରିତ କରିଥିଲେ, ଫିଟାଇଲେ । ସତରେ ଇଞ୍ଜିନିୟରଙ୍କର କଥାରେ ଆନନ୍ଦ ରହିଛି । ତିନୋଟି ଝିଅ ପାତ୍ରସ୍ଥାହୋଇ ଚାଲିଯାଇଛନ୍ତି । ସେ ବୋଝ ଶିର ଉପରୁ ଖସିଯାଇଛି । ସଂସାର ବୋଲି ବିଶେଷ କିଛି ଜଞ୍ଜାଳ ନାହିଁ । ଧୀରେ ସୁସ୍ଥେ ପ୍ରାଣଧାରଣ ମାତ୍ର ପ୍ରଧାନ କ୍ରିୟା । “କାତବ କାନ୍ତା କସ୍ତେ ପୁତ୍ରଃ, ସଂସାରୋଽୟ ମତୀବ ବିଚିତ୍ରଃ” । ଏହି ବିଚିତ୍ର ସଂସାରରେ କିଏ କାହାର ? ମନ ଶାନ୍ତ ହୋଇଛି, ଆସକ୍ତିରହିତ ହୋଇଛି ।

ଦାଣ୍ଡପଟ ଗେଟ୍ ପାଖରେ କାହାର କଣ୍ଠ ଶୁଣାଗଲା-“ନାଇଁ ମା, ଏତିକି ପଇସା ହବନି, ବସ୍ ଷ୍ଟାଣ୍ଡରୁ ଏଠିକି ଆସିଲେ ଆଠଣା ବାରଣା ଲୋକେ ଦେଉଛନ୍ତି, ଯାତ୍ରାଦାଣ୍ଡ, ଆଠଣା ପଇସା ଦିଅନ୍ତୁ ।” ରିକ୍‌ସାବାଲା ଅଳି କରୁଛି । ପୂର୍ଣ୍ଣାନନ୍ଦ କାନ ଡେରିଲେ-“ହଉ ନେ ଚାଳିଶପଇସା, ସୁଟ୍‌କେଶ ଦୁଇଟି ଅଗଣାକୁ ନେଇଆ, ଆଉ ଏ କମଳାଝୁଡ଼ି, ପାହାଳ ରସଗୋଲାହାଣ୍ଡି, କନାବ୍ୟାଗ, ଆସ୍ତେ, ସେଥିରେ ବାପାଙ୍କ ପାଇଁ ତାଙ୍କର ପ୍ରିୟ ଜିନିଷ । ଆଲୋ ଗୁରୁବାରୀ, ମାଆ କାହାନ୍ତି” ?

ଇଞ୍ଜିନିୟର ପ୍ରିୟନାଥ ଏ ଗୋଳମାଳରେ ଟିକିଏ ରହିଯାଇଥିଲେ; ପୁଣି ପ୍ରବଚନ ଆରମ୍ଭ କଲେ-“ଆପଣ ଧ୍ୟାନବେଳେ ରେଚକ, କୁମ୍ଭକ ଓ ପୂରକ କରିବାରେ କିଛି ଅସୁବିଧା ଭୋଗୁନାହାନ୍ତି ତ ? ଦୁଇ ଭ୍ରୂର ଠିକ୍ ମଧ୍ୟବିନ୍ଦୁରେ ମନ ସ୍ଥିର ରଖିବେ; ଆପଣ ତ ସବୁ ଜାଣନ୍ତି । ମୁଁ କଅଣ ବା ବିଶେଷ କହିବି...”

“ହଁ, ହଁ, ମୁଁ ଜାଣେ, କ’ଣ କହିଲେ ? ହଁ, ମଧ୍ୟବିନ୍ଦୁ”...ପୂର୍ଣ୍ଣାନନ୍ଦଙ୍କ କଣ୍ଠସ୍ଵରରେ ଚଞ୍ଚଳତା-। ଦୁଇକାନ ରହିଗଲା ଗୃହାଭ୍ୟନ୍ତରର କଳରୋଳ ଶୁଣିବାରେ...

“ଯେତେ ଯାହା କୁହନ୍ତୁ ମୂଳାଧାରରୁ ସହସାର ଯାଏ ଯେ ଗତି ରହିଛି, ସେ ଗତିକୁ ଯୋଗମାଧ୍ୟମରେ ତ୍ଵରାନ୍ୱିତ କରିବାକୁ ହେବ । ମେରୁଦଣ୍ଡର ଦୁଇ ପାଖରେ ଇଳା ପିଙ୍ଗଳା ତ ଅନବରତ କ୍ରିୟା ସାଧନ କରି ଚାଲିଛି । କେବଳ ସୁଷୁମ୍ନାକୁ ପ୍ରଜ୍ଜ୍ଵଳିତ କଲେ ହେଲା ।” ପ୍ରିୟନାଥ କହୁଥିଲେ ଭାବାବେଗରେ ?

“ହଁ...ହଁ...କଲେ ହେଲା” । ପୂର୍ଣ୍ଣାନନ୍ଦ କ୍ଷୀଣ ସ୍ଵରରେ କହିଲେ । ଏଣେ ତାଙ୍କର ଡାହାଣହାତ ଆଙ୍ଗୁଠିଗୁଡ଼ିକ ଟେବୁଲ ଉପରେ ଥିବାଲ୍ୟାମ୍ପର ସୁଇଚ୍‌କୁ ଦୁଇଥର ଏପଟ ସେପଟ ଟିପି ଆଲୁଅ ଓ ଅନ୍ଧାର କରିସାରିଛନ୍ତି । କାଲେଣ୍ଡାର ଆଡ଼େ ସେ ଦୁଇ ଚାରିଥର ଆଖି ବୁଲେଇ ସାରିଛନ୍ତି । ପେପରଉଏଟ୍‌ଟା କେତେବେଳୁ ଟେବୁଲ ଉପରୁ ଗଡ଼ିଆସି ଚଟାଣ ଉପରେ ‘ଠୋ’ କରି ଶବ୍ଦ କରିସାରିଛି...

“ମମତା, ତୁ ଆସିଛୁ ବୋଲି ବାପା ଜାଣିଛନ୍ତି ? ସାଙ୍ଗରେ ଜ୍ଵାଇଁ ଆସିଲେନି ? ପାହାଳ ରସଗୋଲା ବାପା ଖୁବ୍ ଭଲପାଆନ୍ତି, ସେ କାହା ସାଙ୍ଗେ ଗପୁଛନ୍ତି କି” ? ପୂର୍ଣ୍ଣାନନ୍ଦଙ୍କର ସହଧର୍ମିଣୀ ସାବିତ୍ରୀ ଦେବୀ କହୁଥିଲେ ଭିତର ଅଗଣାରେ ବିବାହିତ ଜ୍ୟେଷ୍ଠା କନ୍ୟାର ଚିବୁକ ସ୍ପର୍ଶକରି...

ପ୍ରିୟନାଥ ଯୋଗର ପ୍ରଥମ ସୋପାନରୁ ଦ୍ଵିତୀୟକୁ ଯାଇଛନ୍ତି...କହିଲେ-“ଆପଣ ଦେଖିବେ ସ୍ଵାଧ୍ୟାୟଠାରୁ ଈଶ୍ୱର ପ୍ରଣିଧାନ ଯାଏ ଯିବାବେଳକୁ ଆପଣଙ୍କର ଶରୀର ତେଜ କିପରି ହୋଇଥିବ । ସେ ତ ମନକୁ ଦୀପ୍ତି ଝରାଇବ...ପ୍ରତ୍ୟେକ ଲୋମକୂପ ପୂର୍ଣ୍ଣ ହୋଇଯିବ ଆଧ୍ୟାତ୍ମ୍ୟରସରେ...”

“ସେ ଦାର୍ଜିଲିଙ୍ଗ୍ ଯାଇଥିଲେ ଯେ ବାପାଙ୍କ ପାଇଁ କଅଣ ଆଣିବେ ଆଣିବେ ଭାବି ଶେଷରେ ଏଇଟାକୁ ଆଣିଲେ...ତାଙ୍କର ଗୋଟାଏ କଅଣ କନଫରେନସ ଥିଲା...ଓଃ, ବାପା କାହାନ୍ତି ମ ? କିଏ ଲୋକଟାଏ ଆସି ଯୋଗ-ଫୋଗ କଅଣ କହୁଛି । ବାପା ତ ମତେ ଦେଖିଛନ୍ତି ଆସିବାର...” ଝିଅ ମମତାର କଣ୍ଠସ୍ଵର..କାନରେ ଶତ ବୀଣାତାନ ସୃଷ୍ଟି କରୁଥିଲା ପୂର୍ଣ୍ଣାନନ୍ଦଙ୍କର ।

ଜ୍ଵାଇଁ ଦାର୍ଜିଲିଙ୍ଗ୍ ଯାଇଥିଲେ ।

କଅଣ ସେ ଜିନିଷଟା, ଯାହା ଆଣିଛନ୍ତି ?

“ଦେଖନ୍ତୁ, କୁଣ୍ଡଳିନୀ ଯେତେବେଳେ ଜାଗ୍ରତ ହେବ...”

ପୂର୍ଣ୍ଣାନନ୍ଦ ଭାବୁଥିଲେ–“ଝିଅ ସେ ଅର୍ଜିନାଲ ପାହାଳ ଦୋକାନରୁ ଆଣିଛି କି ବସ୍‌ଷ୍ଟାଣ୍ଡର ଦୋକାନରୁ...ଓଃ, ଏ ଲୋକଟା ଏତେବେଳେ ଯୋଗ, ଅନାସକ୍ତି...କୁଣ୍ଡଳିନୀ, ଈଶ୍ୱର ପ୍ରଣିଧାନ ନ କରି ଯଦି ଚାଲିଯାଆନ୍ତା...ଝିଅ ଆସିଛି, ମମତା ଆସିଛି, ଶାଶୁଘରୁ...ଓଃ, ଚୋରଟା କେତେ ବକର ବକର ହେଉଛି-ଯିବା ନାଁ ତ ଧରୁନି” ?

“-ଆପଣ ସେଦିନ ଅତିବଡ଼ି ଜଗନ୍ନାଥ ଦାସଙ୍କ ସଭାରେ କହିଥିଲେ ପ୍ରଣବ ଓଁ କାର ଭିତରେ ହଁ ଜଗନ୍ନାଥ...ଆପଣ ବୋଧହୁଏ ଅନ୍ୟମନସ୍କ । ଯୋଗୀ ଯିଏ ତାହାର ଚିତ୍ତବୃତ୍ତି ନିରୋଧ କରିବା କଥା...ଯୋଗଶ୍ଚିତ୍ତ ବୃତ୍ତିଃ ନିରୋଧଃ...ଅନ୍ୟମନସ୍କତା ବଡ଼ ପ୍ରତିବନ୍ଧକ ସୃଷ୍ଟିକରେ ଗଡ଼୍ ରିଆଲାଇଜେସନ୍‌ରେ...“ଏତକ କହି ଇଞ୍ଜିନିୟର ପ୍ରିୟନାଥ ପକେଟ୍‌ରୁ କ୍ରିୟାଯୋଗର ଖଣ୍ଡିଏ ପୁସ୍ତିକା କାଢ଼ିଲେ ।

ପୂର୍ଣ୍ଣାନନ୍ଦ ଏକପ୍ରକାର ଚାପା ଚିତ୍‌କାର କଲେ...“ହେ ଭଗବାନ୍, ଏ ସମୁଦାୟ ବହିଟାକୁ ପଢ଼ିବ ନା କଅଣ ଏଠି ?”

“ଏ କ୍ରିୟାଯୋଗର ମୂଳ କଥା ହେଲା ପିଣ୍ଡରେ ଥିବା ଚକ୍ରଗୁଡ଼ାକ ପରିଷ୍କାର କରିଦେବା–ଆପଣ ଶୁଣୁଛନ୍ତି ତ ? ମୋର ତ କାହିଁ ସନ୍ଦେହ ହେଉଛି–ଆପଣ ମୋ କଥା ଶୁଣୁନାହାନ୍ତି । ହଁ-ହଁ-ଏମିତି ହୋଇଥାଏ–କେତେବେଳେ ପୂର୍ଣ୍ଣସମାଧି, କେତେବେଳେ ଆଜ୍ଞାଚକ୍ରପଦ୍ମ ନିମୀଳିତ ।”

ଭିତର ଅଗଣାରୁ ଝିଅ ମମତା କହୁଛି–“ଦାର୍ଜିଲିଙ୍ଗରୁ ଇଏ ଯେଉଁ ଜିନିଷଟା ଆଣିଛନ୍ତି, ସେ ପଦାର୍ଥଟା କଅଣ ବାପା ଜମା କଳ୍ପନା କରି ପାରିବେନି; ୟାଙ୍କର ଚମତ୍କାର ସିଲେକ୍‌ସନ ଟାଲେଣ୍ଟ୍ ଅଛି...”

ପୂର୍ଣ୍ଣାନନ୍ଦ ଚିତ୍କାର କଲେ–ହଁ ମା, ସିଲେକସନ ଟାଲେଣ୍ଟ…ପଦାର୍ଥ ନିର୍ବାଚନ କରିବାର ପ୍ରତିଭା ନିଶ୍ଚୟ ରବିର ଅଛି… ।’

ପ୍ରିୟନାଥ କଅଣ କହିବା ଆଗରୁ ଚାକରାଣୀ ଗୁରୁବାରୀ ଦଉଡ଼ି ଆସି କହିଲା...“ବାବୁ, ମାଆଙ୍କର ଆଙ୍ଗୁଠି ଦୁଇଟା ନିଆଁରେ ରୋଷେଇ କରୁ କରୁ ପୋଡ଼ିଗଲା...ବାବୁ, ଚାଲିଆସ ବାବୁ...ଓଃ କଅଣ ହେଲାଟି...”

ଅନାସକ୍ତ ଯୋଗୀ ପୂର୍ଣ୍ଣାନନ୍ଦଙ୍କ ଚରଣ ତଳେ ଝିଅ ଓଳଗି କରିବାବେଳେ ତାଙ୍କର ଡାହାଣ ହାତରେ ଥିଲା ପାହାଳ ରସଗୋଲାର ବର୍ତ୍ତୁଳ ରୂପ ପାଟିକୁ ଯିବା ପାଇଁ କେତେ ବା ସମୟ-

ସହଧର୍ମିଣୀ କହିଲେ–“ଏମିତି ଗୋଟାଏ ନିଆଁରେ ପୋଡ଼ାପୋଡ଼ି କଥା ନ କହିଥିଲେ, ସେ ଲୋକଟା କଅଣ ସହଜରେ ଯାଇଥାନ୍ତା” ?

ସମସ୍ତଙ୍କ କଣ୍ଠରୁ ହସର କଳରୋଳ ଝରିପଡ଼ିଲା । ଇଞ୍ଜିନିୟର ପ୍ରିୟନାଥ ବାବୁ ସେତେବେଳକୁ ସାଇକେଲରେ ବସି ଚାଲିଯାଇଥିଲେ ଓ ଭାବୁଥିଲେ ପୂର୍ଣ୍ଣାନନ୍ଦଙ୍କ ପାଇଁ ଏ ବିହିତ ଦଣ୍ଡ ହୋଇଛି–ସ୍ତୀଙ୍କର ହାତ ପୋଡ଼ିଗଲା; କାରଣ ଧର୍ମ ଓ ଆଧ୍ୟାତ୍ମ୍ୟ ଚର୍ଚ୍ଚାବେଳେ ତାଙ୍କର ମତିର ସ୍ଖଳନ ଘଟିଥିଲା ।

ସେ ଅନ୍ୟମନସ୍କ ରହିଯାଇଥିଲେ ।

Image